ସଂକ୍ଷେପରେ ହିନ୍ଦୁ ଧର୍ମ

ହିନ୍ଦୁ କିଏ ?

ଆମେ ଏପରି ଏକ ସମୟ ଦେଇ ଗତି କରୁଛେ ଯେତେବେଳେ କି ସାମ୍ପ୍ରତିକ ପରିସ୍ଥିତି ଓ ସମାଜ ଜଣେ ହିନ୍ଦୁଠାରୁ ଆଶା ରଖୁଛି କି ସେ ନିଜକୁ ହିନ୍ଦୁ ବା ହିନ୍ଦୁ ଜାତୀୟତାବାଦୀ ବୋଲି ନ କହି "ଧର୍ମନିରପେକ୍ଷ" ବୋଲି କହୁ । ଏବଂ ଅଧିକାଂଶ ହିନ୍ଦୁ ଏହି ଫାସରେ ପଡ଼ି ଏକ ହିନ୍ଦୁ ଭାବେ ନିଜର ପରିଚୟ ଦେବାକୁ ଅନେକ ସମୟରେ କୁଣ୍ଠାବୋଧ ମଧ୍ୟ କରୁଛନ୍ତି । ତେବେ ଏହି ହିନ୍ଦୁ ଶବ୍ଦର ଆକ୍ଷରିକ ଅର୍ଥ ବା ପରିଭାଷା କଣ, ତାହା ଅନ୍ୟ ଧର୍ମାବଲମ୍ବୀମାନେ କଣ, ସ୍ୱୟଂ ଅଧିକାଂଶ ହିନ୍ଦୁ ମଧ୍ୟ ଜାଣି ନ ଥିବେ । ଏବଂ ଯେତେବେଳେ ସେମାନେ ଏହାର ପ୍ରକୃତ ଅର୍ଥ ସମ୍ବନ୍ଧରେ ଅବଗତ ହେବେ ଏବଂ ଜାଣିବେ ଯେ "ହିନ୍ଦୁ"ର ଏକ ପରିଭାଷା ମଧ୍ୟ ହେଉଛି "ଯେ ସମସ୍ତ ଧର୍ମକୁ ଭଲ ପାଏ", ସେତେବେଳେ କୁଣ୍ଠାବୋଧ ତ ଦୂରର କଥା, ନିଶ୍ଚିତ ଭାବେ ଗର୍ଵର ସହିତ କହିବେ ଯେ - "ମୁଁ ଜଣେ ହିନ୍ଦୁ" ।  ଆସନ୍ତୁ ତେବେ ଜାଣିବା ଏହି "ହିନ୍ଦୁ" ଶବ୍ଦର ଅର୍ଥ ସମ୍ବନ୍ଧରେ ।

ଯଦିଓ ଏହି ଶବ୍ଦର ପରିଭାଷା ଅତ୍ୟନ୍ତ ବ୍ୟାପକ, ତେବେ ସଂକ୍ଷେପରେ ସେ ସମ୍ବନ୍ଧରେ କିଞ୍ଚିତ ଆଲୋଚନା କରିବା । ବୈଦିକ ବାଙ୍ମୟରେ କିମ୍ବା ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥାବଳୀରେ "ହିନ୍ଦୁ" ଶବ୍ଦର ଉଲ୍ଲେଖ ନାହିଁ । ସେଥିରେ ଏହାର ଏକ ପର୍ଯାୟବାଚୀ ଶବ୍ଦ "ଆର୍ଯ୍ୟ"ର ଉଲ୍ଲେଖ ରହିଛି ଯାହାର ଅର୍ଥ ହେଲା - ସଭ୍ୟ ବା ଶ୍ରେଷ୍ଠ ।

ଅମରକୋଶରେ ବର୍ଣ୍ଣିତ ଅଛି -
ମହାକୁଳକୁଳୀନାର୍ଯ୍ୟ ସଭ୍ୟ ସଜ୍ଜନ ସାଧବଃ ।
ଅର୍ଥାତ୍ - ଆର୍ଯ୍ୟ ଶବ୍ଦର ପ୍ରୟୋଗ ମହାନ କୁଳ, କୁଳୀନ, ସଭ୍ୟ, ସଜ୍ଜନ, ସାଧୁ ଆଦିଙ୍କ ନିମନ୍ତେ କରାଯାଇଥାଏ ।

ସେଥିପାଇଁ ପ୍ରାଚୀନ କାଳରେ ଭାରତକୁ "ଆର୍ଯ୍ୟାବର୍ତ୍ତ" ବା ଆର୍ଯ୍ୟମାନଙ୍କର ଭୂମି ବୋଲି କୁହାଯାଉଥିଲା ଯାହାକି ଶ୍ରେଷ୍ଠ ଜନଙ୍କର ନିବାସସ୍ଥାନକୁ ବୁଝାଉଥିଲା ଏବଂ ହିନ୍ଦୁମାନେ ନିଜକୁ "ଆର୍ଯ୍ୟପୁତ୍ର" ବା "ଆର୍ଯ୍ୟପତ୍ନୀ" ଭାବେ ସମ୍ବୋଧିତ କରୁଥିଲେ ।

ବିଶ୍ବାସ କରାଯାଏ ଯେ ପରବର୍ତ୍ତୀ ସମୟରେ ବ୍ୟବହୃତ "ହିନ୍ଦୁ" ଶବ୍ଦର ସମ୍ବନ୍ଧ ବୈଦେଶିକ ସଭ୍ୟତା ସହିତ ରହିଛି । ପ୍ରାଚୀନ କାଳରେ ସିନ୍ଧୁ ନଦୀ ଉପତ୍ୟକାରେ (ସପ୍ତ ସିନ୍ଧୁ ଯାହାକି ସିନ୍ଧୁ, ସରସ୍ୱତୀ, ଝେଲମ, ସତଲୁଜ, ବିପାଶା, ରାବୀ ଓ ଚେନାଵକୁ ବୁଝାଇଥାଏ) ବା ଏହାର ପୂର୍ବ ଦିଗରେ ବାସ କରୁଥିବା ଅଧିବାସୀଙ୍କୁ ସିନ୍ଧୁ ନଦୀର ପଶ୍ଚିମରେ ବାସ କରୁଥିବା ପାରସ୍ୟ ବା ପ୍ରାଚୀନ ଇରାନର ଅଧିବାସୀ "ହିନ୍ଦୁ" ବୋଲି କହୁଥିଲେ, କାରଣ ଆର୍ଯ୍ୟ ଭାଷାର "ସ" ଧ୍ଵନି ଇରାନୀୟ ବା ପାର୍ସୀ ଭାଷାରେ "ହ" ଧ୍ୱନିରେ ପରିବର୍ତିତ ବା ଉଚ୍ଚାରିତ ହୋଇଥାଏ । ଏଥିପାଇଁ ବୈଦିକ ବାଙ୍ମୟରେ ବର୍ଣ୍ଣିତ "ସପ୍ତ ସିନ୍ଧଵ" (ସାତ ନଦୀର ଭୂମି) ବା "ସପ୍ତ ସିନ୍ଧୁ" ପାର୍ସୀ ଧର୍ମଗ୍ରନ୍ଥ ଜେଣ୍ଡ ଅବେସ୍ତାରେ "ହପ୍ତ ହିନ୍ଦୁ" ହୋଇଗଲା । ଏହି ପରିଭାଷାକୁ ପରବର୍ତ୍ତୀ ସମୟରେ ବୃହସ୍ପତି ନିଗମ (ପାଠାନ୍ତରରେ ଋଗବେଦର ବାର୍ହସ୍ପତ୍ୟ ସଂହିତା) ନାମକ ଗ୍ରନ୍ଥର ଏକ ଶ୍ଲୋକ ମାଧ୍ୟମରେ ପରିପ୍ରକାଶ କରାଯାଇଛି । ଯଥା -

ହିମାଳୟାତ୍ ସମାରଭ୍ୟ ଯାବତ୍ ଇନ୍ଦୁସରୋବରମ୍ ।
ତଂ ଦେବନିର୍ମିତଂ ଦେଶଂ ହିନ୍ଦୁସ୍ଥାନଂ ପ୍ରଚକ୍ଷତେ ।।
ଅର୍ଥାତ୍ - ହିମାଳୟ ଠାରୁ ଇନ୍ଦୁ ସରୋବର (ହିନ୍ଦ ମହାସାଗର) ପର୍ଯ୍ୟନ୍ତ ଦେବ ନିର୍ମିତ ଦେଶକୁ ହିନ୍ଦୁସ୍ଥାନ କୁହାଯାଏ ।

ଅନ୍ୟ କେତେକ ଇତିହାସକାର କୁହନ୍ତି ଯେ ଚୀନ ଦେଶର ପରିବ୍ରାଜକ ହୁଏନ ସାଂଙ୍କ ସମୟରେ "ହିନ୍ଦୁ" ଶବ୍ଦର ଉତ୍ପତ୍ତି "ଇନ୍ଦୁ" ଶବ୍ଦରୁ ହୋଇଥିଲା । "ଇନ୍ଦୁ" ଶବ୍ଦ ଚନ୍ଦ୍ରମାର ପର୍ଯ୍ୟାୟବାଚୀ ଶବ୍ଦ ଏବଂ ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ସମସ୍ତ ଗଣନା ଚନ୍ଦ୍ର ମାସ ଅନୁଯାୟୀ ହୋଇଥାଏ । ଅତଃ ଚୀନ ଦେଶର ଲୋକମାନେ ଭାରତୀୟଙ୍କୁ "ଇନ୍ତୁ" ବା "ହିନ୍ଦୁ" ବୋଲି କହିବାକୁ ଲାଗିଲେ । ତେବେ ଏ ମତବାଦ ତର୍କ ସାପେକ୍ଷ ।

କାଳକ୍ରମେ ଭାରତୀୟମାନେ ଯେତେବେଳେ ହିନ୍ଦୁ ଭାବରେ ପରିଚିତ ହେବାକୁ ଲାଗିଲେ, ସେତେବେଳେ ଏହି ଶବ୍ଦର ପରିଭାଷା ମଧ୍ୟ ଆଧୁନିକ ସମୟର ବିଭିନ୍ନ ସଂସ୍କୃତ ଗ୍ରନ୍ଥରେ ତଥା ବିଦ୍ୱାନ ମାନଙ୍କ ଦ୍ୱାରା ଉଲ୍ଲିଖିତ ହେବାକୁ ଲାଗିଲା । ଯେପରିକି -

ଆସିନ୍ଧୋଃ ସିନ୍ଧୁପର୍ଯ୍ଯନ୍ତା ଯସ୍ଯ ଭାରତଭୂମିକା ।
ପିତୃଭୂଃ ପୁଣ୍ଯଭୂଶ୍ଚୈବ ସ ବୈ ହିନ୍ଦୁରିତି ସ୍ମୃତଃ ।।
[ଲୋକମାନ୍ୟ ତିଲକଙ୍କ ବର୍ଣ୍ଣନା ଅନୁଯାୟୀ]
ଅର୍ଥ- ସିନ୍ଧୁ ନଦୀର ଉତ୍ପତ୍ତି ସ୍ଥଳଠାରୁ ଆରମ୍ଭ କରି ଭାରତମହାସାଗର ପର୍ଯ୍ୟନ୍ତ ଯାହାର ଜନ୍ମଭୂମି ଓ ପୁଣ୍ଯଭୂମି ସେ ହିଁ ହିନ୍ଦୁ ।

ପୁନଶ୍ଚ -
ଗୋଷୁ ଭକ୍ତିର୍ଭବେଦ୍ଯସ୍ଯ ପ୍ରଣବେ ଚ ଦୃଢା ମତିଃ ।
ପୁନର୍ଜନ୍ମନି ବିଶ୍ବାସଃ ସ ବୈ ହିନ୍ଦୁରିତି ସ୍ମୃତଃ ।। (ଅଜ୍ଞାତ ଉତ୍ସ)
ଅର୍ଥ - ଯାହାର ଗୋମାତାଙ୍କ ଠାରେ ଭକ୍ତି, ପ୍ରଣବରେ ଦୃଢମତି ଓ ପୁନର୍ଜନ୍ମରେ ବିଶ୍ବାସ ଥାଏ, ସେ ହିଁ ହିନ୍ଦୁ ।

ଯୋ ବର୍ଣ୍ଣାଶ୍ରମ ନିଷ୍ଠାବାନ୍ ଗୋଭକ୍ତ ଶ୍ରୁତିମାତୃକଃ ।
ମୂର୍ତିଂ ଚ ନାବଜାନାତି ସର୍ବଧର୍ମ ସମାଦରଃ ।।
ଉତ୍ପ୍ରେକ୍ଷତେ ପୁନର୍ଜନ୍ମ ତସ୍ମାନ୍ମୋକ୍ଷଣମୀହତେ ।
ଭୂତାନୁକୂଲ୍ଯଂ ଭଜତେ ସ ବୈ ହିନ୍ଦୁରିତି ସ୍ମୃତଃ ।।
[ଆଚାର୍ଯ୍ୟ ଵିନୋବା ଭାବେଙ୍କ ବର୍ଣ୍ଣନା ଅନୁଯାୟୀ]
ଅର୍ଥ - ବର୍ଣ୍ଣାଶ୍ରମବ୍ଯବସ୍ଥାରେ ଯାହାର ନିଷ୍ଠା, ଯିଏ ଗୋଭକ୍ତ, ବେଦମାତାର ଉପାସକ, ମୂର୍ତ୍ତିପୂଜାକୁ ଅବଜ୍ଞା କରେ ନାହିଁ, ସମସ୍ତ ଧର୍ମକୁ ଭଲପାଏ, ପୁନର୍ଜନ୍ମକୁ ଉପେକ୍ଷା କରି ମୋକ୍ଷକୁ ଅପେକ୍ଷା କରେ ଓ ସଂସାରର କଲ୍ଯାଣ କାମନା କରେ, ସେ ହିଁ ହିନ୍ଦୁ ।

ହିଂସୟା ଦୂୟତେ ଚିତ୍ତଂ ତେନ ହିନ୍ଦୁରିତୀରିତଃ ।।
[ଆଚାର୍ଯ୍ୟ ଵିନୋବା ଭାବେଙ୍କ ବର୍ଣ୍ଣନା ଅନୁଯାୟୀ]
ଅର୍ଥାତ୍ - ହିଂସାତ୍ମକ କାର୍ଯ୍ୟ ଦ୍ବାରା ଯାହାର ଦୁଃଖ ଉତ୍ପନ୍ନ ହୁଏ, ସେ ହିଁ ହିନ୍ଦୁ  ।

"ହିନ୍ଦୁ" ଶବ୍ଦର ଏହି ପରିଭାଷା ଗୁଡିକ ଯଦିଓ ସାମଗ୍ରୀକ ଭାବେ ଏହି ଶବ୍ଦର ଅର୍ଥଟିକୁ ପ୍ରକାଶ କରିବାରେ ସହାୟକ ହୋଇଥାନ୍ତି, ତେବେ ଉଲ୍ଲେଖଯୋଗ୍ୟ ଯେ ଭାରତବର୍ଷରେ ଏପରି ଅନେକ ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ କି "ହିନ୍ଦୁ" ଭାବେ ପରିଗଣିତ, ମାତ୍ର ଉପରୋକ୍ତ ସମସ୍ତ ବର୍ଣ୍ଣନା ଅନୁଯାୟୀ ସେମାନେ ହୁଏତ ନିଜକୁ "ହିନ୍ଦୁ" ଭାବେ ପ୍ରତିପାଦିତ କରିବାକୁ ଅସମର୍ଥ ହେବେ । ସେହି ସମ୍ପ୍ରଦାୟ ଗୁଡିକ ମଧ୍ୟରୁ କେତୋଟି ହେଲା - ଲିଙ୍ଗାୟତ, ବୀରା ଶୈବ, ସାନ୍ଥାଳ ମାନଙ୍କ ପରି ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଇତ୍ୟାଦି । ଯଦିଓ ଏହି ସବୁ ସମ୍ପ୍ରଦାୟର ଅନୁଗାମୀ ମାନେ ସାଧାରଣତଃ ହିନ୍ଦୁ ଭାବେ ପରିଗଣିତ, ତେବେ ଧାର୍ମିକ ଏବଂ ସାମାଜିକ ଜୀବନଶୈଳୀକୁ ନେଇ ସେମାନଙ୍କର ନିଜସ୍ଵ ସ୍ୱାତନ୍ତ୍ର୍ୟ ରହିଛି । ତେଣୁ ପୁନଶ୍ଚ ମନରେ ପ୍ରଶ୍ନ ଆସେ ଯେ "ହିନ୍ଦୁ" କିଏ?

ଏ ସମ୍ପର୍କରେ ଆମର ସମ୍ବିଧାନ ବା ଆଇନ ମଧ୍ୟ ସଠିକ ନିର୍ଦ୍ଧାରଣ କରିପାରିନାହିଁ । "ହିନ୍ଦୁ"ର ପରିଭାଷା ସମ୍ବନ୍ଧରେ ସେମାନେ କୁହନ୍ତି ଯେ - ଯେଉଁମାନେ ମୁସଲମାନ, ଖ୍ରୀଷ୍ଟିୟାନ, ପାର୍ସୀ, ଜିଉ ଇତ୍ୟାଦି ନୁହଁନ୍ତି, ଏବଂ ଯେଉଁମାନେ ଅନ୍ୟ କୌଣସି ଧର୍ମର ଆଚରଣ ବିଧି ଦ୍ୱାରା ପରିଚାଳିତ ନୁହଁନ୍ତି, ସେମାନେ ହିନ୍ଦୁ (ଶିଖ, ବୌଦ୍ଧ ତଥା ଜୈନ ଧର୍ମାବଲମ୍ବୀମାନଙ୍କୁ ମଧ୍ୟ ହିନ୍ଦୁ ଶବ୍ଦର ପରିଭାଷାରେ ଅନ୍ତର୍ଭୁକ୍ତ କରାଯାଇଛି)। ଏ ପରିଭାଷାକୁ ଉପନିଷଦର ବ୍ରହ୍ମ ସମ୍ବନ୍ଧରେ "ନେତି ନେତି" ପରିଭାଷା ସହିତ ତୁଳନା କରାଯାଇପାରେ, ଯେଉଁଥିରେ କୁହାଯାଇଛି ଯେ "ବ୍ରହ୍ମ ଏହା ନୁହେଁ, ଏହା ନୁହେଁ" (ସେହିପରି ହିନ୍ଦୁ ଏହା ନୁହେଁ, ଏହା ନୁହେଁ) । ଅତଏବ ବ୍ରହ୍ମ ଶବ୍ଦ ଯେପରି ଅବର୍ଣ୍ଣନୀୟ, ହିନ୍ଦୁ ଶବ୍ଦ ମଧ୍ୟ ସେପରି ଅବର୍ଣ୍ଣନୀୟ । ଏହାକୁ କେବଳ ମାତ୍ର ଅନୁଭବ ଦ୍ୱାରା ବୁଝାଯାଇପାରେ ଏବଂ ଏହି ଅନୁଭବସିଦ୍ଧ ଜ୍ଞାନ ବା ଉପଲବ୍ଧି ଆସିଥାଏ ଆମ ପ୍ରାଚୀନ ପରମ୍ପରାରୁ । ଏବଂ ଆମ ପରମ୍ପରା ଅନୁଯାୟୀ "ହିନ୍ଦୁ"ର ପରିଭାଷାକୁ ବୁଝିବାକୁ ହେଲେ ନିମ୍ନୋକ୍ତ ଶ୍ଲୋକଗୁଡିକର ସହାୟତା ନିଆଯାଇପାରେ ଯାହାକି ହିନ୍ଦୁ ଶବ୍ଦର ମୂଳ ପର୍ଯ୍ୟାୟବାଚୀ ଶବ୍ଦ "ଆର୍ଯ୍ୟ"କୁ ବ୍ୟାଖ୍ୟା କରିଥାଏ ।

ସତ୍ୟଂ ବଦ ଧର୍ମଂ ଚର । (ତୈତ୍ତିରୀୟ ଉପନିଷଦ)
ଅର୍ଥାତ୍ - ସତ୍ୟ କୁହ ଏବଂ ଧର୍ମ ଆଚରଣ କର । [ଆଚରଣ ଅନୁସାରେ ଜଣେ ଆର୍ଯ୍ୟ ବା ହିନ୍ଦୁ ହୋଇଥାଏ ।]

କର୍ତ୍ତବ୍ୟମ୍ ଆଚରନ୍ କାମମ୍ ଅକର୍ତ୍ତବ୍ୟମ୍ ଅନାଚରନ୍ ।
ତିଷ୍ଠତି ପ୍ରକୃତାଚାରେ ଯଃ ସଃ ଆର୍ଯ୍ୟ ଇତି ସ୍ମୃତଃ ।।
ଅର୍ଥାତ୍ - ଯେ ଅନାଚରଣୀୟ କର୍ମକୁ ପାଳନ ନକରି ଆଚରଣୀୟ କର୍ତ୍ତବ୍ୟକର୍ମର ପାଳନ ଆଚାର ଅନୁଯାୟୀ ପ୍ରାକୃତ ସ୍ଥିତିରେ ରହି କରିଥାନ୍ତି, ତାଙ୍କୁ ଆର୍ଯ୍ୟ କୁହାଯାଏ ।

ଏବଂ ଏହି କର୍ତ୍ତବ୍ୟକର୍ମ, ଆର୍ଯ୍ୟ ଧର୍ମ ବା ସନାତନ ଧର୍ମ (ଯାହାକୁ ଆମେ ହିନ୍ଦୁ ଧର୍ମ ବୋଲି କହୁଛୁ)ର ଉପଦେଶ ଅନୁସାରେ ସମ୍ପାଦିତ ହୋଇଥାଏ । ତେଣୁ "ହିନ୍ଦୁ" ଶବ୍ଦର ଅର୍ଥ ବୁଝିବାକୁ ହେଲେ ପ୍ରଥମେ ଆମକୁ ସନାତନ ଧର୍ମର ଅର୍ଥ ବୁଝିବାକୁ ହେବ । ଯେ ସନାତନ ଧର୍ମର ଉପଦେଶ ଅନୁଯାୟୀ ଆଚରଣ କରିଥାଏ, ସେହିଁ ହିନ୍ଦୁ । ସନାତନ ଧର୍ମ ଏବଂ ତାହାର ଉପଦେଶ ଗୁଡିକ କଣ, ତାହା ବର୍ତ୍ତମାନ ସଂକ୍ଷେପରେ ଆଲୋଚନା କରିବା ।

ସନାତନ ଧର୍ମ କଣ ?

ପୂର୍ବରୁ ଆମେ ଆଲୋଚନା କରିଥିଲେ ଯେ - "ଯେ ସନାତନ ଧର୍ମର ଉପଦେଶ ଅନୁଯାୟୀ ଆଚରଣ କରିଥାଏ ସେହିଁ ହିନ୍ଦୁ ।" ବର୍ତ୍ତମାନ ଆସନ୍ତୁ ଜାଣିବା, ଏହି ସନାତନ ଧର୍ମ କଣ ଏବଂ ଏହା କିପରି ଆଚରଣ କରିବାକୁ ଉପଦେଶ ଦେଇଥାଏ ।

ସନାତନ ଧର୍ମର ଅର୍ଥ ବୁଝିବାକୁ ହେଲେ ପ୍ରଥମେ ଆମକୁ "ସନାତନ" ଶବ୍ଦର ଅର୍ଥ ବୁଝିବାକୁ ହେବ । "ସନାତନ" ଶବ୍ଦର ଅର୍ଥ ହେଉଛି "ଚିରସ୍ଥାୟୀ" ବା ଯାହାର ସବୁ ସମୟରେ ସ୍ଥାୟୀତ୍ବ ଥାଏ । ଏଠାରେ ପ୍ରଶ୍ନ ଉଠେ ଯେ ମନୁଷ୍ୟ କେବେହେଲେ ଚିରସ୍ଥାୟୀ ନ ଥିଲା କି ହେବ ନାହିଁ, ତେଣୁ ତାର ଧର୍ମ କିପରି ଚିରସ୍ଥାୟୀ ହେବ ? ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ ମନୁଷ୍ୟ ଚିରସ୍ଥାୟୀ ନହେଲେ ମଧ୍ୟ ଏହାଦ୍ବାରା ପାଳନୀୟ ଆଦର୍ଶ ନୈତିକ ମୂଲ୍ୟବୋଧ ଗୁଡିକ ଚିରସ୍ଥାୟୀ, ଯେପରିକି ସତ୍ୟ, ଅହିଂସା, କ୍ଷମା ଇତ୍ୟାଦି । ଏସବୁ ମୂଲ୍ୟବୋଧ ଗୁଡ଼ିକ ଯୁଗ ଅନୁସାରେ ବଦଳେ ନାହିଁ, ଅପରିବର୍ତ୍ତିତ ରୁହେ । ତେଣୁ ଏହିସବୁ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଧର୍ମ ବା ଆଚରଣ ସଂହିତାକୁ ସନାତନ ଧର୍ମ କୁହାଯାଏ । ସନାତନ ଧର୍ମକୁ ଜାଣିବା ନିମନ୍ତେ କୌଣସି ଲିପିବଦ୍ଧ ପୁସ୍ତକ ବା ନିୟମାବଳୀର ଆବଶ୍ୟକତା ନାହିଁ । କାରଣ ଏ ସମ୍ବନ୍ଧରେ କୁହାଯାଇଛି ଯେ -

ତର୍କୋଽପ୍ରତିଷ୍ଠଃ ଶୃତୟୋ ବିଭିନ୍ନା ନୈକୋ ଋଷିର୍ଯ୍ୟସ୍ୟ ମତଂ ପ୍ରମାଣମ୍ ।
ଧର୍ମସ୍ୟ ତତ୍ତ୍ୱଂ ନିହିତଂ ଗୁହାୟାମ୍ ମହାଜନୋ ଯେନ ଗତଃ ସଃ ପନ୍ଥାଃ ।।

ଅର୍ଥାତ୍ - ଜୀବନ ଧାରଣର ଏକ ନିର୍ଦ୍ଦିଷ୍ଟ ମାର୍ଗକୁ ଅବଲମ୍ବନ କରିବା ନିମିତ୍ତ କୌଣସି ସୁସ୍ଥାପିତ ତର୍କ ନାହିଁ । ଏବଂ ଏ ସମ୍ବନ୍ଧରେ ଶ୍ରୁତି ଗୁଡିକ ମଧ୍ୟ ଭିନ୍ନ ଭିନ୍ନ କଥା କୁହନ୍ତି । ଏପରି ଜଣେ କୌଣସି ଋଷି ନାହାନ୍ତି, ଯାହାଙ୍କର ମତକୁ ପ୍ରମାଣ ହିସାବରେ ଗ୍ରହଣ କରାଯାଇପାରେ ଏବଂ ଧର୍ମତତ୍ତ୍ୱ ମଧ୍ୟ ଅତ୍ୟନ୍ତ ଗୁହ୍ୟ (ଏହାକୁ ବୁଝିବା କଷ୍ଟକର) । ତେଣୁ ମହାଜନ ବା ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନେ ଯେଉଁ ମାର୍ଗକୁ ଅବଲମ୍ବନ କରିଛନ୍ତି, ତାହାହିଁ ସଠିକ ମାର୍ଗ ।

ଆସନ୍ତୁ ଏବେ ଜାଣିବା ଏହି ସଠିକ ମାର୍ଗର ପରିଭାଷା ସମ୍ବନ୍ଧରେ ଆମର ଉଚ୍ଚତମ ନ୍ୟାୟାଳୟ କଣ କହିଛନ୍ତି । ହିନ୍ଦୁ ଧର୍ମର ପରିଭାଷା ସମ୍ବନ୍ଧରେ ୧୯୯୫ ମସିହାରେ ଭାରତୀୟ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ପି.ବି.ଗଜେନ୍ଦ୍ରଗଡ଼କର ଏକ ରୁଲିଂରେ କହିଥିଲେ ଯେ -

"ଯେତେବେଳେ ଆମେ ହିନ୍ଦୁ ଧର୍ମ ବିଷୟରେ ଭାବୁ, ସେତେବେଳେ ଏହାର ପରିଭାଷାକୁ କିମ୍ବା ଏହାକୁ ସମ୍ୟକ ରୂପେ ବର୍ଣ୍ଣନା କରିବା ଯଦିଓ  ଅସମ୍ଭବ ନୁହେଁ, ତେବେ ଆମ ପକ୍ଷେ କଷ୍ଟକର ହୋଇଉଠେ । ବିଶ୍ୱର ଅନ୍ୟାନ୍ୟ ଧର୍ମସବୁ ଭଳି ହିନ୍ଦୁ ଧର୍ମ କୌଣସି ଏକକ ଧର୍ମଗୁରୁଙ୍କ ଦ୍ୱାରା ପ୍ରତିଷ୍ଠିତ ବା ପ୍ରଚାରିତ ଧର୍ମ ନୁହେଁ କି ଏହା କୌଣସି ଏକକ ଭଗବାନଙ୍କ ପୂଜା ଉପରେ ଆଧାରିତ ଧର୍ମ ନୁହେଁ । ଏହା ମଧ୍ୟ କୌଣସି ଏକକ ମତବାଦ ଉପରେ ପର୍ଯ୍ୟବସିତ ଧର୍ମ ନୁହେଁ କି କୌଣସି ଏକକ ଦାର୍ଶନିକ ତତ୍ତ୍ୱ ଉପରେ ବିଶ୍ୱାସ ରଖୁଥିବା ଧର୍ମ ନୁହେଁ । ଆଉ ମଧ୍ୟ ଏହା କୌଣସି ଏକକ ଧାର୍ମିକ ପ୍ରଥା ବା ପଦ୍ଧତିକୁ ଅନୁସରଣ କରୁଥିବା ଧର୍ମ ନୁହେଁ କି ଅନ୍ୟ ଯେକୋୖଣସି ଧର୍ମ ବା ପନ୍ଥାର ସଂକୀର୍ଣ୍ଣ ପାରମ୍ପରିକ ବିଶେଷତ୍ୱକୁ ଆପୂର୍ତ୍ତ କରୁଥିବା ଧର୍ମ ନୁହେଁ । ଏହାକୁ ସ୍ଥୂଳତଃ ଏକ ଜୀବନ ଧାରା ରୂପେ ବର୍ଣ୍ଣନା କରାଯାଇପାରେ, ଆଉ କିଛି ନୁହେଁ ।"

ତେଣୁ ଭାରତୀୟ ଉଚ୍ଚତମ ନ୍ୟାୟାଳୟ ହିନ୍ଦୁ ଧର୍ମକୁ ଏକ ଜୀବନଧାରା ସହିତ ତୁଳନା କରିଛନ୍ତି । ଆସନ୍ତୁ ତେବେ ଜାଣିବା ସେହି ଜୀବନଧାରାଟି କଣ?

ଆମକୁ ପୁନଶ୍ଚ ଏହି ଜୀବନଧାରାକୁ ବୁଝିବାକୁ ହେଲେ ସନାତନ ଧର୍ମ ନିକଟକୁ ଫେରିବାକୁ ପଡ଼ିବ । ସର୍ବପ୍ରଥମେ ଆମକୁ ଧର୍ମର ଲକ୍ଷଣ ସମ୍ବନ୍ଧରେ ଜାଣିବାକୁ ପଡ଼ିବ । ପ୍ରାଚୀନ ଶାସ୍ତ୍ରରେ ଧର୍ମର ଦଶ ଗୋଟି ଲକ୍ଷଣ ସମ୍ବନ୍ଧରେ ଉଲ୍ଲେଖ ରହିଛି ।

ଯଥା -
ଧୃତିଃ କ୍ଷମା ଦମୋଽସ୍ତେୟଂ ଶୌଚମିନ୍ଦ୍ରିୟନିଗ୍ରହଃ ।
ଧିର୍ବିଦ୍ୟା ସତ୍ୟମକ୍ରୋଧୋ ଦଶକଂ ଧର୍ମଲକ୍ଷଣମ୍ ।।

ଅର୍ଥାତ୍ - ଧର୍ମର ଦଶଗୋଟି ଲକ୍ଷଣ ରହିଛି । ସେଗୁଡିକ ହେଲା - ଧୈର୍ଯ୍ୟ, କ୍ଷମା, ଆତ୍ମନିୟନ୍ତ୍ରଣ, ଚୋରି ନ କରିବା, ଶୁଚି ବା ପବିତ୍ରତା, ଇନ୍ଦ୍ରିୟ ସଂଯମ, ବୁଦ୍ଧି, ବିଦ୍ୟା, ସତ୍ୟ ଓ କ୍ରୋଧ ନ କରିବା ।

ତେଣୁ ଉପରୋକ୍ତ ଲକ୍ଷଣ ସବୁକୁ ଯେଉଁ ଧର୍ମର ଆଚରଣ ବିଧିରେ ଅନ୍ତର୍ଭୁକ୍ତ କରାଯାଇଛି, ତାହା ହେଉଛି ସନାତନ ଧର୍ମ । ଆଉ ମଧ୍ୟ ସନାତନ ଧର୍ମର ଆଚରଣ ବିଧି ବା ଜୀବନଧାରା ସମ୍ବନ୍ଧରେ ଶାସ୍ତ୍ର ମାନଙ୍କରେ ନିମ୍ନମତେ ଉଲ୍ଲେଖ ରହିଛି ।

ଯେପରି କି -

ସତ୍ୟଂ ବୃୟାତ୍ ପ୍ରିୟଂ ବୃୟାତ୍ ନ ବୃୟାତ୍ ସତ୍ୟମପ୍ରିୟମ୍ ।
ପ୍ରିୟଂ ଚ ନାନୃତଂ ବୃୟାତ୍ ଏଷ ଧର୍ମଃ ସନାତନଃ ।।

ଅର୍ଥାତ୍ - ସତ୍ୟକଥା କହିବା ଉଚିତ, ପ୍ରିୟକଥା କହିବା ଉଚିତ, ମାତ୍ର ଅପ୍ରିୟ ସତ୍ୟକଥା କେବେହେଲେ କହିବା ଉଚିତ ନୁହେଁ । ଏବଂ ପ୍ରିୟ ହେଲେ ମଧ୍ୟ ଅସତ୍ୟ ବଚନ କେବେହେଲେ କହିବା ଉଚିତ ନୁହେଁ, ଏହାହିଁ ସନାତନ ଧର୍ମ ।

ପୁନଶ୍ଚ -

ଅକୃତ୍ୟଂ ନୈବ କର୍ତ୍ତବ୍ୟଂ ପ୍ରାଣତ୍ୟାଗେଽପ୍ୟୁପସ୍ଥିତେ ।
ନ ଚ କୃତ୍ୟଂ ପରିତ୍ୟାଯ୍ୟଂ ଏଷ ଧର୍ମଃ ସନାତନଃ ।।

ଅର୍ଥାତ୍ - ପ୍ରାଣତ୍ୟାଗର ପରିସ୍ଥିତି ଆସିଲେ ମଧ୍ୟ ଅକରଣୀୟ କାର୍ଯ୍ୟ କେବେହେଲେ କରିବା ଉଚିତ ନୁହେଁ ଏବଂ କରଣୀୟ କାର୍ଯ୍ୟକୁ କେବେହେଲେ ଛାଡ଼ିଦେବା ଉଚିତ ନୁହେଁ । ଏହାହିଁ ସନାତନ ଧର୍ମ ।

ଅହିଂସା ସତ୍ୟମକ୍ରୋଧୋ ଦାନମେତତ୍ ଚତୁଷ୍ଟୟମ୍ ।
ଅଜାତଶତ୍ରୋ ସେବସ୍ୟ ଧର୍ମଃ ଏଷ ସନାତନଃ ।।

ଅର୍ଥାତ୍ - ହେ ଅଜାତଶତ୍ରୁ ! ଅହିଂସା, ସତ୍ୟ, ଅକ୍ରୋଧ ଏବଂ ଦାନ - ଏହି ଚାରୋଟିର ସେବନ କର । କାରଣ ଏହା ହିଁ ସନାତନ ଧର୍ମ ।

ଅଦ୍ରୋହଃ ସର୍ବଭୂତେଷୁ କର୍ମଣା ମନସା ଗିରା ।
ଅନୁଗ୍ରହଶ୍ଚ ଦାନଂ ଚ ଏଷ ଧର୍ମଃ ସନାତନଃ ।।

ଅର୍ଥାତ୍ - କାୟିକ, ବାଚିକ ଏବଂ ମାନସିକ ଭାବେ ସମସ୍ତ ପ୍ରାଣୀଙ୍କ ପ୍ରତି ଅଦ୍ରୋହ ରଖିବା ତଥା ସେମାନଙ୍କୁ ଅନୁଗ୍ରହ କରିବା ଓ ଦାନ ଦେବା ହିଁ ସନାତନ ଧର୍ମ ।

ତେଣୁ ଉପରୋକ୍ତ ବର୍ଣ୍ଣନା ଗୁଡିକରୁ ଜଣାଯାଏ ଯେ ଅନ୍ୟ ସବୁ ଧର୍ମ ପରି ସନାତନ ଧର୍ମ ମୌଳିକ ଭାବରେ କୌଣସି ଲିପିବଦ୍ଧ ନିୟମାବଳୀର ଅନୁକରଣୀୟ ଧର୍ମ ନୁହେଁ, ବରଂ ଏହା ସେହି ସନାତନ, ଶାଶ୍ୱତ, ଚିରନ୍ତନ ମୂଲ୍ୟବୋଧକୁ ଅନୁକରଣ କରୁଥିବା ଧର୍ମ ଯାହାକି ଏକ ମାନବ ନିମିତ୍ତ ସର୍ବଦା ପାଳନୀୟ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ହେଉଛି "ମାନବ ଧର୍ମ" । ଏହି ଧର୍ମକୁ ଆମର ପୂର୍ବପୁରୁଷ ମାନେ ପାଳନ କରିଆସିଛନ୍ତି ଯାହାକି ଆମ ନିମନ୍ତେ ଧର୍ମ ଆଚରଣର ସଠିକ ମାର୍ଗ ଦେଖାଇଥାଏ । ଉଦାହରଣ ସ୍ୱରୂପ -

ଯେତେବେଳେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ପିତୃସତ୍ୟ ରକ୍ଷା ନିମନ୍ତେ ମା ସୀତା ଓ ଅନୁଜ ଶ୍ରୀ ଲକ୍ଷ୍ମଣଙ୍କ ସହିତ ବନବାସ କରିବାକୁ ଉଦ୍ୟତ ହେଲେ, ସେତେବେଳେ ପୁତ୍ରବିରହ ଜନିତ ବେଦନା ସହି ନପାରି ମାତା କୌଶଲ୍ୟା ତାଙ୍କୁ ଏପରି ନ କରିବାକୁ ଆଦେଶ ଦେଲେ । ମାତ୍ର ଏହାର ଉତ୍ତରରେ ଶ୍ରୀ ରାମଚନ୍ଦ୍ର ନିମ୍ନୋକ୍ତ ଶ୍ଲୋକଟିକୁ ମାତା କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ କହିଥିଲେ ।

ତ୍ୱୟା ମୟା ଚ ବୈଦେହ୍ୟା ଲକ୍ଷ୍ମଣେନ ସୁମିତ୍ରୟା ।
ପିତୁର୍ନିଯୋଗେ ସ୍ଥାତବ୍ୟଂ ଏଷ ଧର୍ମଃ ସନାତନଃ ।।
[ବାଲ୍ମୀକି ରାମାୟଣ ଅଯୋଧ୍ୟା କାଣ୍ଡ, ଏକବିଂଶ ସର୍ଗ, ୪୯]

ଅର୍ଥାତ୍ - ହେ ମାତା ! ଆପଣଙ୍କ ପାଇଁ, ମୋ ପାଇଁ, ସୀତାଙ୍କ ପାଇଁ ଏବଂ ସେହିପରି ଲକ୍ଷ୍ମଣ ଓ ମାତା ସୁମିତ୍ରାଙ୍କ ପାଇଁ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ହେଉଛି ମୋର ପିତାଙ୍କୁ ତାଙ୍କର ସତ୍ୟରକ୍ଷା ନିମନ୍ତେ ସାହାଯ୍ୟ କରିବା । ଏହାହିଁ ସନାତନ ଧର୍ମ ।

ତେଣୁ ସନାତନ ଧର୍ମ, ଯାହାକୁ କି ଆମେ ବର୍ତ୍ତମାନ ହିନ୍ଦୁ ଧର୍ମ ବୋଲି କହୁଛେ, ତାହା ଏକ ଜୀବନଧାରା ଯାହାକି ସନାତନ ନୈତିକ ମୂଲ୍ୟବୋଧ ଉପରେ ଆଧାରିତ । ଏହା ସ୍ଵାର୍ଥସର୍ବସ୍ବ ନୁହେଁ, ବରଂ ଏହା ଅନ୍ୟର, ଦେଶର ତଥା ଜଗତର ହିତ ନିମନ୍ତେ ଉଦ୍ଦିଷ୍ଟ ବା ଶ୍ରୀମଦ୍ଭଗବଦ୍ଗୀତାର ଭାଷାରେ "ସର୍ଵଭୂତହିତେ ରତାଃ" । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଯଥାର୍ଥରେ କହିଛନ୍ତି -

"ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ
ବିଶ୍ୱ ହିତେ ତାର ପ୍ରତି ରକ୍ତ ବିନ୍ଦୁ।"

ହିନ୍ଦୁ ଧର୍ମ, ବିଶ୍ୱର ହିତ ପାଇଁ ସୃଷ୍ଟି ଏବଂ ହିନ୍ଦୁର ପ୍ରତ୍ୟେକ ରକ୍ତ ବିନ୍ଦୁ ମଧ୍ୟ ବିଶ୍ୱର ହିତ ପାଇଁ ଉତ୍ସର୍ଗିତ ।

ଜୟ ଜଗନ୍ନାଥ !

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)