ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)

ପ୍ରତ୍ୟେକ ଧର୍ମର କିଛି ଆଧାରଭୁତ ଗ୍ରନ୍ଥ ରହିଛି ଯାହାକୁ ଆଧାର କରି ଧର୍ମ ଗୁଡିକ ତିଷ୍ଠି ରହିଛନ୍ତି ତଥା ଧର୍ମାବଲମ୍ବୀମାନେ ଦିକଦର୍ଶନ ପାଇଆସୁଛନ୍ତି । ତେବେ ବିଶ୍ୱର ଅନ୍ୟାନ୍ୟ ଧର୍ମ ଗୁଡିକ ଅପେକ୍ଷା ହିନ୍ଦୁ ଧର୍ମର ଆଧାରଭୁତ ଗ୍ରନ୍ଥ ଗୁଡିକର ସଂଖ୍ୟା ଅତ୍ୟନ୍ତ ବ୍ୟାପକ ଯାହା ବିଭିନ୍ନ ସମୟରେ ହିନ୍ଦୁମାନଙ୍କୁ ମାର୍ଗଦର୍ଶନ ଦେଇଥାଏ । ସଂକ୍ଷେପତଃ ସେଗୁଡିକ ହେଲା -

୧) ଶ୍ରୁତି
୨) ସ୍ମୃତି

ଏବେ ଆସନ୍ତୁ ଏହି ଧର୍ମଗ୍ରନ୍ଥ ଗୁଡ଼ିକୁ ଟିକେ ବିସ୍ତୃତ ଭାବେ ଜାଣିବା ।

* ପ୍ରଥମ ଧର୍ମଗ୍ରନ୍ଥ ସୂଚୀଟି ହେଲା ଶ୍ରୁତି ।

ଶ୍ରୁତି କହିଲେ ବେଦକୁ ବୁଝାଏ । ଏହାକୁ ପରମ୍ପରା କ୍ରମେ ଶୁଣି ଶୁଣି ମନେ ରଖାଯାଉଥିବାରୁ ଏହାର ନାମ ଶ୍ରୁତି ହୋଇଛି । ଏହା ଅପୌରୁଷେୟ ଅର୍ଥାତ ମନୁଷ୍ୟକୃତ ନୁହେଁ । ଏହା ସ୍ୱୟଂ ଭଗବାନଙ୍କର ମୁଖନିଃସୃତ ବାଣୀ । ଏହାକୁ ସାଧନା ବଳରେ ମନ୍ତ୍ରଦ୍ରଷ୍ଟା ୠଷି ମାନେ ଦେଖିପାରିଥିଲେ । ଏହା ଚାରିଗୋଟି, ଯଥା -
ଋଗ୍ବେଦ, ସାମ ବେଦ, ଯଜୁର୍ବେଦ ଏବଂ ଅଥର୍ବ ବେଦ ।

ଏହା ଷଡ଼ଙ୍ଗ ବା ଛଅ ଗୋଟି ଅଙ୍ଗ ଯୁକ୍ତ । ଯଥା - ଶିକ୍ଷା, ବ୍ୟାକରଣ, ଛନ୍ଦ, ନିରୁକ୍ତ, ଜ୍ୟୋତିଷ ଓ କଳ୍ପ । ଏହା ସହିତ ପ୍ରତ୍ୟେକ ବେଦର ଗୋଟିଏ ଗୋଟିଏ ଉପବେଦ ରହିଛି, ଯେପରିକି -

ଋଗ୍ବେଦର - ଧନୁର୍ବେଦ,
ସାମ ବେଦର - ଗନ୍ଧର୍ବ ବେଦ,
ଯଜୁର୍ବେଦର - ସ୍ଥାପତ୍ୟ ବେଦ ଏବଂ
ଅଥର୍ବ ବେଦର - ଆୟୁର୍ବେଦ ।

ପୁନଶ୍ଚ କୁହାଯାଇଛି ଯେ - "କାଣ୍ଡତ୍ରୟାତ୍ମକୋ ବେଦଃ ।"
ଅର୍ଥାତ ବେଦ ତିନିଗୋଟି କାଣ୍ଡକୁ ନେଇ ଗଠିତ । ଯଥା -

୧) ଉପାସନା କାଣ୍ଡ (ମନ୍ତ୍ର)
୨) କର୍ମ କାଣ୍ଡ (ଯଜ୍ଞ ସମ୍ବନ୍ଧିତ ଗ୍ରନ୍ଥ) - ସଂହିତା (ମନ୍ତ୍ର), ବ୍ରାହ୍ମଣ (କର୍ମ)
୩) ଜ୍ଞାନ କାଣ୍ଡ (ଆରଣ୍ୟକ, ଉପନିଷଦ)

* ଏବେ ଦ୍ଵିତୀୟ ଧର୍ମଗ୍ରନ୍ଥ ସୂଚୀକୁ ଆସନ୍ତୁ। ଏହା ହେଉଛି - ସ୍ମୃତି ।

ସ୍ମୃତି ଅର୍ଥ ଯାହା ମନେ ରଖିବାର ଯୋଗ୍ୟ । ଏହା ସାଧାରଣତଃ ଏକ ଲିଖିତ ପରମ୍ପରା । କୁହାଯାଇଛି ଯେ ଶ୍ରୁତି ଏବଂ ସ୍ମୃତି ହେଉଛନ୍ତି ବ୍ରାହ୍ମଣଙ୍କର ଦୁଇଗୋଟି ଚକ୍ଷୁ ସଦୃଶ ଏବଂ ଗୋଟିକର ଅଭାବରେ ସେ ଏକଚକ୍ଷୁ ଯୁକ୍ତ ହୋଇଥାନ୍ତି ତଥା ଦୁଇଟିର ଅଭାବରେ ସେ ସମ୍ପୂର୍ଣ୍ଣ ଅନ୍ଧ ବା ଦୃଷ୍ଟିହୀନ ହୋଇଥାନ୍ତି । 

ସ୍ମୃତି ହେଉଛି ନିମ୍ନୋକ୍ତ ପ୍ରକାରର । ଯଥା -

କ) ସ୍ମୃତି ଶାସ୍ତ୍ର
ଖ) ଇତିହାସ
ଗ) ପୁରାଣ
ଘ) ଆଗମ
ଙ) ଦର୍ଶନ
ଚ) ଧର୍ମ ଶାସ୍ତ୍ର ଏବଂ ନୀତି ଶାସ୍ତ୍ର

କ) ସ୍ମୃତି ଶାସ୍ତ୍ର
ଏହା ମୁଖ୍ୟତଃ ୧୮ ଗୋଟି । ଯେପରିକି ମନୁ ସ୍ମୃତି, ଯାଜ୍ଞବଲ୍କ୍ୟ ସ୍ମୃତି, ପରାଶର ସ୍ମୃତି ଇତ୍ୟାଦି ।

ଖ) ଇତିହାସ
ଇତିହାସ କହିଲେ ରାମାୟଣ ଏବଂ ମହାଭାରତକୁ ବୁଝାଏ । ଏହାକୁ ମହର୍ଷି ବେଦବ୍ୟାସ ରଚନା କରିଥିଲେ ବୋଲି କୁହାଯାଏ । ମାତ୍ର ବେଦବ୍ୟାସ କେବଳ ଏହାକୁ ଲିପିବଦ୍ଧ କରାଇଥିଲେ, ଏହା ତାଙ୍କର ମାନସ ପରିକଳ୍ପନା ନଥିଲା ।

ଗ) ପୁରାଣ
ଏହା ଦୁଇ ଭାଗରେ ବିଭକ୍ତ । ଯଥା - ମହାପୁରାଣ (୧୮ ଗୋଟି) ଏବଂ ଉପପୁରାଣ ।

ଘ) ଆଗମ
ଆଗମ ମୁଖ୍ୟତଃ ତିନି ପ୍ରକାରର, ଯଥା - ବୈଷ୍ଣବ ଆଗମ, ଶୈବ ଆଗମ ଏବଂ ଶାକ୍ତ ଆଗମ ।

ଙ) ଦର୍ଶନ
ଏହା ଛଅ ପ୍ରକାରର, ଯଥା - ନ୍ୟାୟ, ବୈଶେଷିକ, ସାଂଖ୍ୟ, ଯୋଗ, ମିମାଂସା ଏବଂ ବେଦାନ୍ତ ।

ଚ) ଧର୍ମ ଶାସ୍ତ୍ର ଏବଂ ନୀତି ଶାସ୍ତ୍ର । ଏଗୁଡିକ ନିମ୍ନ ପ୍ରକାରର -
    କ) ଧର୍ମ ସୂତ୍ର (ବଶିଷ୍ଠ, ଗୌତମ ଇତ୍ୟାଦି)
    ଖ) ନିବନ୍ଧ (ଚତୁର୍ବର୍ଗ ଚିନ୍ତାମଣି, ଧର୍ମ ସିନ୍ଧୁ, ନିର୍ଣ୍ଣୟ ସିନ୍ଧୁ ଇତ୍ୟାଦି)
    ଗ) ନୀତି (ବିଦୁର ନୀତି, ଶୁକ୍ର ନୀତି, ଚାଣକ୍ୟ ନୀତି ଇତ୍ୟାଦି)
    ଘ) ରାଜ ନୀତି (ଅନୁଶାସନୀୟ ପର୍ବ, ଅର୍ଥ ଶାସ୍ତ୍ର ଇତ୍ୟାଦି)

ତେବେ ମନରେ ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଯେ ଏତେସବୁ ଧର୍ମଗ୍ରନ୍ଥ ଗୁଡ଼ିକୁ ଆମର ଜୀବନ କାଳ ମଧ୍ୟରେ ପଢି ବୁଝିବା ସମ୍ଭବ କି ? ଉତ୍ତର ହୁଏତ ନା ହୋଇପାରେ । ତେଣୁ ଆମେ ସାଧାରଣତଃ ଧର୍ମଗୁରୁଙ୍କର ଆଶ୍ରୟ ନେଇଥାଉ ଏସବୁକୁ ବୁଝିବା ପାଇଁ ।

ଆଉ ଯଦି ଧର୍ମ ଗୁରୁଙ୍କ ସାନ୍ନିଧ୍ୟ ମିଳେନାହିଁ, ତେବେ ଅତି କମରେ ଆମକୁ ନିମ୍ନୋକ୍ତ ଗ୍ରନ୍ଥ ସମୂହକୁ ଯେକୌଣସି ସୂତ୍ରରୁ ବୁଝିବାକୁ ହୋଇଥାଏ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରଗତି କରିବା ନିମିତ୍ତ । ସେଗୁଡ଼ିକୁ ସଂକ୍ଷେପରେ "ପ୍ରସ୍ଥାନ ତ୍ରୟୀ" ବୋଲି କୁହାଯାଏ । ଯଥା -

୧) ମୁଖ୍ୟ ଉପନିଷଦ ସମୂହ (ଉପଦେଶ ପ୍ରସ୍ଥାନ ବା ଶ୍ରୁତି ପ୍ରସ୍ଥାନ)
୨) ବ୍ରହ୍ମ ସୂତ୍ର (ସୂତ୍ର ପ୍ରସ୍ଥାନ ବା ନ୍ୟାୟ ପ୍ରସ୍ଥାନ ବା ଯୁକ୍ତି ପ୍ରସ୍ଥାନ)
୩) ଭଗବଦ୍ଗୀତା (ସାଧନା ପ୍ରସ୍ଥାନ ବା ସ୍ମୃତି ପ୍ରସ୍ଥାନ)

ହିନ୍ଦୁ ଧର୍ମର ଆଧାରଭୁତ ଗ୍ରନ୍ଥସମୂହକୁ ଏଠାରେ ସଂକ୍ଷେପରେ କୁହାଗଲା । ତେବେ କେଉଁ ଗ୍ରନ୍ଥ ଗୁଡିକ ଆପଣଙ୍କ ପାଇଁ ପ୍ରଯୁଜ୍ୟ ତାହା ମୁଖ୍ୟଭାବରେ ଆପଣଙ୍କ ସମ୍ପ୍ରଦାୟ ଉପରେ ନିର୍ଭର କରେ । ପରବର୍ତ୍ତୀ ଉପସ୍ଥାପନାରେ ଆମେ ହିନ୍ଦୁ ଧର୍ମର ବିଭିନ୍ନ ସମ୍ପ୍ରଦାୟ ଗୁଡିକ ସମ୍ପର୍କରେ ଆଲୋଚନା କରିବା । ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ । ନମସ୍କାର ।

ଜୟ ଜଗନ୍ନାଥ !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ