ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ



~ ମୀନ ଅବତାର ~

ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍
ବିହିତବହିତ୍ରଚରିତ୍ରମଖେଦମ୍ ।
କେଶବ ଧୃତମୀନଶରୀର ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ମୀନ ଶରୀର ଧାରଣ କରିଥିଲେ ଓ ପ୍ରଳୟ ସମୁଦ୍ରରେ ବୁଡିଯାଉଥିବା ବେଦମାନଙ୍କୁ ନାଵ ରୂପକ ଆଶ୍ରୟ ପ୍ରଦାନ କରିଥିଲେ ।



~  କଚ୍ଛପ ଅବତାର  ~

କ୍ଷିତିରତିବିପୁଳତରେ ତଵ ତିଷ୍ଠତି ପୃଷ୍ଠେ
ଧରଣିଧରଣକିଣଚକ୍ରଗରିଷ୍ଠେ ।
କେଶଵ ଧୃତକଚ୍ଛପରୂପ ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ କଚ୍ଛପ ରୂପ ଧାରଣ କରି ନିଜର ପୃଷ୍ଠ ଭାଗରେ ବିରାଟ ପର୍ବତକୁ ଉପସ୍ଥାପିତ କରି ଏହାକୁ ଚକ୍ର ସଦୃଶ ସାଗର ମନ୍ଥନ କରିବା ଦିଗରେ ସହାୟକ ହୋଇଥିଲେ ।

~  ସୂକର ଅବତାର  ~

ଵସତି ଦଶନଶିଖରେ ଧରଣୀ ତଵ ଲଗ୍ନା
ଶଶିନି କଳଙ୍କକଳେଵ ନିମଗ୍ନା ।
କେଶଵ ଧୃତସୂକରରୂପ ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ସୂକର ରୂପ ଧାରଣ କରି ନିଜର ଦନ୍ତଦ୍ୱୟ ଉପରେ ଧରଣୀକୁ ଧରିରଖିଥିଲେ, ଯାହାକି ଚନ୍ଦ୍ର ଉପରେ ଥିବା ଛାୟା ସଦୃଶ ଦୃଷ୍ଟି ଅଗୋଚର (ନିମଜ୍ଜିତ) ହୋଇ ପୁନଃ ଦୃଶ୍ୟମାନ ହୋଇଥିଲା ।



~  ନୃସିଂହ (ନରହରି) ଅବତାର ~

ତଵ କରକମଳଵରେ ନଖମଦ୍ଭୁତଶୃଙ୍ଗମ୍
ଦଳିତହିରଣ୍ୟକଶିପୁତନୁଭୃଙ୍ଗମ୍ ।
କେଶଵ ଧୃତନରହରିରୂପ ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ନରହରି (ନୃସିଂହ) ରୂପ ଧାରଣ କରିଥିଲେ ଏବଂ ତାଙ୍କର କରକମଳର ଅଦ୍ଭୁତ ତୀକ୍ଷ୍ଣ ନଖାଗ୍ରଗୁଡିକ ଦ୍ୱାରା ହିରଣ୍ୟକଶିପୁର ତନୁକୁ ଏକ ଭୃଙ୍ଗ (ବିରୁଡ଼ି)କୁ ନଖ ଦ୍ୱାରା ବିଦଳିତ କରିବା ପରି  ବିଦାରଣ କରିଥିଲେ ।

~  ବାମନ ଅବତାର ~

ଛଳୟସି ଵିକ୍ରମଣେ ବଳିମଦ୍ଭୁତବାମନ
ପଦନଖନୀରଜନିତ ଜନପାଵନ ।
କେଶଵ ଧୃତବାମନରୂପ ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ଅଦ୍ଭୁତ ବାମନ ରୂପ ଧାରଣ କରି ନିଜର ପ୍ରକାଣ୍ଡ ପଦଚାଳନା ଦ୍ୱାରା ବଳିଙ୍କୁ ଛଳ କରିଥିଲେ ଏବଂ ଯାହାଙ୍କର ପଦନଖରୁ ଝରୁଥିବା ନୀର (ଗଙ୍ଗା) ଜନଙ୍କୁ ପାବନ କରିଆସୁଅଛି ।



~  ପର୍ଶୁରାମ (ଭୃଗୁପତି) ଅବତାର ~

କ୍ଷତ୍ରିୟରୁଧିରମୟେ ଜଗଦପଗତପାପମ୍ ।
ସ୍ନପୟସି ପୟସି ଶମିତଭଵତାପମ୍ ।।
କେଶଵ ଧୃତଭୃଗୁପତିରୂପ ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ଭୃଗୁଙ୍କର ବଂଶଜଙ୍କର ସ୍ୱାମୀ (ପର୍ଶୁରାମ)ଙ୍କ ରୂପ ଧାରଣ କରି ଜଗତକୁ କ୍ଷତ୍ରିୟମାନଙ୍କର ରୁଧିର ରୂପକ ଜଳ ଦ୍ୱାରା ସ୍ନାନ କରାଇ ତାହାର ପାପର ବିନାଶ ତଥା ତାପର ଶମନ କରିଥିଲେ ।

~  ରାମ ଅବତାର ~

ଵିତରସି ଦିକ୍ଷୁ ରଣେ ଦିକ୍ପତିକମନୀୟମ୍ ।
ଦଶମୁଖମୌଳିବଳିଂ ରମଣୀୟମ୍ ।।
କେଶଵ ଧୃତରାମଶରୀର ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ରାମଙ୍କ ଶରୀର ଧାରଣ କରି ରଣରେ ରାବଣର ଦଶ ଶୀରକୁ ଦଶଦିଗର କମନୀୟ ଦିଗପତିମାନଙ୍କୁ ରମଣୀୟ ଅର୍ପଣ ପୂର୍ବକ (ବଳି) ପ୍ରଦାନ କରିଥିଲେ ।



~  ବଳରାମ (ହଳଧର) ଅବତାର ~

ଵହସି ଵପୁଷି ଵିଶଦେ ଵସନଂ ଜଳଦାଭମ୍ ।
ହଳହତିଭୀତିମିଳିତୟମୁନାଭମ୍ ।।
କେଶଵ ଧୃତହଳଧରରୂପ ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ହଳଧର (ବଳରାମ) ରୂପ ଧାରଣ କରି ନିଜର ଗୌର ବର୍ଣ୍ଣର ଶରୀରରେ ଜଳଦାନ କରୁଥିବା ମେଘ ବର୍ଣ୍ଣର (ନୀଳ) ବସ୍ତ୍ର ଧାରଣ କରିଥିଲେ, ଯାହାକି ତାଙ୍କର ହଳ ଦ୍ୱାରା କର୍ଷିତ ହୋଇ ଭୟରେ (ଗତିପଥ ବଦଳାଇ ଗୋପପୁର ନିକଟରେ) ମିଳିତ ହୋଇଥିବା ଯମୁନା ନଦୀର ବର୍ଣ୍ଣ ସଦୃଶ ଥିଲା ।

~  ବୁଦ୍ଧ ଅବତାର ~

ନିନ୍ଦସି ୟଜ୍ଞ ଵିଧେରହହ ଶ୍ରୁତିଜାତମ୍ ।
ସଦୟହୃଦୟଦର୍ଶିତପଶୁଘାତମ୍ ।।
କେଶଵ ଧୃତବୁଦ୍ଧଶରୀର ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ ବୁଦ୍ଧ ଶରୀର ଧାରଣ କରି ନିଜର ସଦୟ ହୃଦୟରେ ପଶୁହତ୍ୟାର କ୍ରୁରତାକୁ ଦର୍ଶାଇ (ତତ୍ସମ୍ପର୍କିତ) ଜଜ୍ଞୀୟ ବେଦବାକ୍ୟର ନିନ୍ଦା କରିଥିଲେ ।



~  କଳ୍କୀ ଅବତାର  ~

ମ୍ଳେଚ୍ଛନିଵହନିଧନେ କଳୟସି କରବାଳମ୍ ।
ଧୂମକେତୁମିଵ କିମପି କରାଳମ୍ ।।
କେଶଵ ଧୃତକଳ୍କୀଶରୀର ଜୟ ଜଗଦୀଶ ହରେ ।।

ଅର୍ଥାତ୍ - ସେହି କେଶବ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ, ଯେ କଳି ଯୁଗ ଶେଷରେ ଧୂମକେତୁ ସମାନ କଳ୍କୀ ଶରୀର ଧାରଣ କରି ଅତ୍ୟନ୍ତ କରାଳ (ଭୟଙ୍କର) ଖଡ୍ଗ ଦ୍ୱାରା ମ୍ଳେଚ୍ଛସମୁହର ସଂହାର କରିବେ ।

ଶ୍ରୀଜୟଦେଵକଵେରିଦମୁଦିତମୁଦାରମ୍ ।
ଶୃଣୁ ସୁଖଦଂ ଶୁଭଦଂ ଭଵସାରମ୍ ।।
କେଶଵ ଧୃତଦଶବିଧରୂପ ଜୟ ଜଗଦୀଶ ହରେ ।।

ଅର୍ଥାତ୍ - କବି ଜୟଦେବଙ୍କ ବିରଚିତ ସୁଖଦାୟକ, ଶୁଭଙ୍କର, ତଥା ସଂସାରର ସାରତତ୍ତ୍ୱ ରୂପକ ଏହି ସ୍ତୁତିକୁ ଶୁଣନ୍ତୁ । ସେହି କେଶବ, ଦଶବିଧ ରୂପ ଧାରଣକାରୀ, ସମଗ୍ର ଜଗତର ସ୍ୱାମୀ ହରିଙ୍କର ଜୟ ହେଉ ।

ଵେଦାନୁଦ୍ଧରତେ ଜଗନ୍ତି ଵହତେ ଭୂଗୋଳ ମୁଦ୍ଵିଭ୍ରତେ
ଦୈତ୍ୟାନ୍ ଦାରୟତେ ବଳିଂ ଛଳୟତେ କ୍ଷତ୍ରକ୍ଷୟଂ କୁର୍ଵତେ ।
ପୌଳସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟମାତନ୍ବତେ
ମ୍ଳେଚ୍ଛାନ୍ ମୂର୍ଚ୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ ।।

।। ଇତି ଶ୍ରୀଜୟଦେଵକୃତା ଦଶାବତାରସ୍ତୁତିଃ ସମ୍ପୂର୍ଣ୍ଣା ।।

ଅର୍ଥାତ୍ - ସେହି ଵେଦସମୂହର ଉଦ୍ଧାରକର୍ତ୍ତା, ପୃଥିବୀର ଧାରଣକର୍ତ୍ତା, ଭୁଗୋଳର ଉତ୍ଥାନକାରୀ, ଦାନବମାନଙ୍କର ସଂହାରକର୍ତ୍ତା, ବଳିକୁ ଛଳ କରିଥିବା, କ୍ଷତ୍ରିୟମାନଙ୍କର ବିନାଶକାରୀ, ପୌଲସ୍ତ୍ୟ (ରାବଣ)କୁ ଜୟ କରିଥିବା, ହଳ ଧାରଣକାରୀ, ଦୟା ଭାବନାର ବିତରଣକାରୀ ତଥା ମ୍ଳେଚ୍ଛଗଣଙ୍କର ସଂହାରକର୍ତ୍ତା ଦଶାବତାରଧାରୀ ଶ୍ରୀକୃଷ୍ଣ, ଆପଣଙ୍କୁ ନମସ୍କାର ।

।। ଇତି ଶ୍ରୀଜୟଦେବକୃତ ଦଶାବତାରସ୍ତୁତି ସମ୍ପୂର୍ଣ୍ଣ ହେଲା ।।

                             ... ସମାପ୍ତ ...

Comments

Popular posts from this blog

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)