ଭିନ୍ନ ଏକ ଅନାଲୋଚିତ ମସ୍ତକବିହୀନ ମୂର୍ତ୍ତି

ସାଧାରଣତଃ ମସ୍ତକବିହୀନ ମୂର୍ତ୍ତି କଥା ଉଠିଲେ ଆମ ସ୍କୁଲର ଇତିହାସ ବହିରେ ଛପା ଥିବା କୁଶାଣ ରାଜା କନିଷ୍କଙ୍କ ମୂର୍ତ୍ତିଟି ମନ ମଧ୍ୟକୁ ଆସେ । ତେବେ ଆପଣ ଜାଣନ୍ତି କି ଆମ ଓଡ଼ିଶାରେ ମଧ୍ୟ ଏପରି ଏକ ମସ୍ତକବିହୀନ ମୂର୍ତ୍ତି ଅଛି ଯାହାର ଐତିହ୍ୟ ଓ ମହତ୍ତ୍ୱ ସେହି କନିଷ୍କଙ୍କ ମୂର୍ତ୍ତି ଠାରୁ ମଧ୍ୟ କୌଣସି ଗୁଣରେ କମ ନୁହେଁ । ମୁଁ ଆପଣମାନଙ୍କୁ ଆଉ ଉତ୍କଣ୍ଠା ମଧ୍ୟରେ ରଖିବାକୁ ଚାହୁଁନାହିଁ । ସେହି ମୂର୍ତ୍ତିଟି ଆମ ଭୁବନେଶ୍ୱର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ । ଦତ୍ତ ଚିତ୍ରଟିର ମଝିରେ ସେହି ମୂର୍ତ୍ତିଟିକୁ ଆପଣମାନେ ଦେଖିପାରିବେ ।


ତେବେ ଏହି ମୂର୍ତ୍ତିଟିର ଐତିହ୍ୟ ଓ ମହତ୍ତ୍ୱ କଣ ରହିଛି, ଆସନ୍ତୁ ସେ ସମ୍ବନ୍ଧରେ ଆଲୋଚନା କରିବା । ଯଦିଓ ଏହି ମୂର୍ତ୍ତିଟିର ସୂଚନା ଫଳକରେ ଏହା ଏକ ଵିଷ୍ଣୁ ମୂର୍ତ୍ତି ତଥା ଏହା ଭୁବନେଶ୍ୱରରୁ ପ୍ରାପ୍ତ ୧୩ଶ ଶତାବ୍ଦୀର ମୂର୍ତ୍ତି ବୋଲି ଉଲ୍ଲେଖ ରହିଛି, ତେବେ ମୁଁ ଦୃଢ଼ ଭାବେ କହିବି ଯେ ଏହି ମୂର୍ତ୍ତିଟି କୋଣାର୍କର ଅଟେ ଓ ସମ୍ଭବତଃ ଏକ ସୂର୍ଯ୍ୟ ମୂର୍ତ୍ତି ଯାହାକି ଚୋରା ମୂର୍ତ୍ତି ବ୍ୟବସାୟୀଙ୍କ ଦ୍ୱାରା ମୂଳ କୋଣାର୍କ ମନ୍ଦିରରୁ ଅପସାରିତ ହୋଇ ଚୋରା ଚାଲାଣ ନିମିତ୍ତ ଭୁବନେଶ୍ୱରରେ ପହଞ୍ଚିଥିଲା । ମୂର୍ତ୍ତିଟିର ସ୍କନ୍ଦ ନିକଟରେ ଏକ କୁଣ୍ଡଳ ତଥା ଉଭୟ ସ୍କନ୍ଦ ମଝିରେ ଛୋଟ ଫିତା ଦୃଶ୍ୟମାନ ହେଉଛି ଯାହାକି ଚିତ୍ରର ବାମ ପାର୍ଶ୍ଵରେ ଥିବା (ବର୍ତ୍ତମାନ ବ୍ରିଟିଶ୍ ମ୍ୟୁଜିୟମରେ ସ୍ଥାନିତ, ୧୩ଶ ଶତାବ୍ଦୀର କୋଣାର୍କ ମନ୍ଦିରର ମୂର୍ତ୍ତି) କୋଣାର୍କର ଏକ ସୂର୍ଯ୍ୟ ମୂର୍ତ୍ତି ସହିତ ମେଳ ଖାଏ ।

ପୁନଶ୍ଚ ମୂର୍ତ୍ତିଟିକୁ ଚିତ୍ରଟିର ଦକ୍ଷିଣ ପାର୍ଶ୍ଵରେ ଥିବା କୋଣାର୍କ ମନ୍ଦିରସ୍ଥ ସୂର୍ଯ୍ୟଦେବଙ୍କର ଏକ ପାର୍ଶ୍ୱଦେବଙ୍କର ମୂର୍ତ୍ତି ସହିତ ତୁଳନା କଲେ ଜଣାପଡେ ଯେ ଏହି ମୂର୍ତ୍ତି ଦ୍ୱୟର ଗଠନ ଶୈଳୀ (ବିଶେଷ କରି ପ୍ରସ୍ତରର ଗଠନ ଯାହାକି କଳା ମୁଗୁନି ପଥର, ମୂର୍ତ୍ତି ଦ୍ୱୟର ଅଳଙ୍କାର, ଆଭୂଷଣ ତଥା ବସ୍ତ୍ର ଇତ୍ୟାଦି) ପ୍ରାୟତଃ ସମାନ, ଏପରିକି ଏହି ମସ୍ତକବିହୀନ ମୂର୍ତ୍ତିଟିର କାରୁକାର୍ଯ୍ୟ ମଧ୍ୟ ସୂର୍ଯ୍ୟ ଦେବଙ୍କର ସେହି ପାର୍ଶ୍ଵଦେବଙ୍କର ମୂର୍ତ୍ତି ଠାରୁ ଶ୍ରେୟସ୍କର ।

ତେଣୁ ଉପରୋକ୍ତ ଅନୁଶୀଳନରୁ ଜଣାଯାଏ ଯେ ଏହା ଏକ ଵିଷ୍ଣୁ ମୂର୍ତ୍ତି ନ ହୋଇ ସୂର୍ଯ୍ୟ ମୂର୍ତ୍ତି ହୋଇଥାଇପାରେ । ତେବେ ଏହା ଯଦି ଏକ ସୂର୍ଯ୍ୟ ମୂର୍ତ୍ତି, ତେବେ ଏହା ମୂଳ କୋଣାର୍କ ମନ୍ଦିରର କେଉଁ ସ୍ଥାନରେ ସ୍ଥାନିତ ଥିଲା ? ଉତ୍ତର ସମ୍ପର୍କରେ ଆପଣ ଯେତିକି ଦ୍ବନ୍ଦ୍ୱରେ ଅଛନ୍ତି, ମୁଁ ମଧ୍ୟ ସେତିକି ଦ୍ବନ୍ଦ୍ୱରେ ।



ତେବେ ମୂର୍ତ୍ତିଟିର ଅତି ଉଚ୍ଚ କୋଟିର କାରୁକାର୍ଯ୍ୟ ନିଶ୍ଚିତ ସୂଚାଏ ଯେ ଏହା କୋଣାର୍କ ମନ୍ଦିରର ଏକ ମହତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାନିତ ଥିଲା । ଏବଂ ଯଦି ତିନୋଟି ପାର୍ଶ୍ୱଦେବଙ୍କର ମୂର୍ତ୍ତି ଗୁଡ଼ିକ ଠାରୁ ଆଉ ମହତ୍ୱପୂର୍ଣ୍ଣ ସ୍ଥାନ କିଛି ଥାଇପାରେ କୋଣାର୍କ ମନ୍ଦିରରେ, ତେବେ ଏହା ହେଉଛି ଗର୍ଭଗୃହ । ହୁଏତ ଏହି ମୂର୍ତ୍ତିଟି ଏକଦା ଗର୍ଭଗୃହରେ ମୁଖ୍ୟ ମୂର୍ତ୍ତି ରୂପେ ପୂଜା ପାଇଥାଇପାରେ । କିଏ କହିବ ? କେବଳ ଇତିହାସ ହିଁ ଏହାର ମୁକସାକ୍ଷୀ ଯାହା ଆମ ପାଇଁ ବର୍ତ୍ତମାନ ଅପହଞ୍ଚ ଓ ଆନୁମାନିକ ମାତ୍ର !

[ଚିତ୍ରଟିର ବାମ ପାର୍ଶ୍ୱରେ ଥିବା ବ୍ରିଟିଶ୍ ମ୍ୟୁଜିୟମରେ ସ୍ଥାନିତ ସୂର୍ଯ୍ୟ ମୂର୍ତ୍ତିର ଫୋଟୋଚିତ୍ର ପାଇଁ ବନ୍ଧୁ ଶାନ୍ତନୁ ପାଲଙ୍କୁ ଅଶେଷ ଧନ୍ୟବାଦ ।]

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)