'ଚା' ପ୍ରସ୍ତୁତିର ଆୟୁର୍ବେଦୀୟ ବା ସଠିକ ଭାରତୀୟ ପଦ୍ଧତି

ଭାରତୀୟ ଜୀବନଚର୍ଯ୍ୟାରେ 'ଚା'ର ଏକ ବିଶେଷ ମହତ୍ତ୍ୱ ରହିଛି, ତାହା ଆଳସ୍ୟ ଭଗ୍ନ ନିମିତ୍ତ ପ୍ରାତଃକାଳୀନ ବା ସାୟଂକାଳୀନ ଚା ପାନ ହେଉ କି ଅତିଥିସତ୍କାରରେ ଅତିଥିମାନଙ୍କୁ ବିଶେଷ କପ ପ୍ଲେଟରେ ପରଷା ଯାଉଥିବା ସ୍ୱତନ୍ତ୍ର ଚା ହେଉ ଅଥବା ବନ୍ଧୁମାନଙ୍କ ସହିତ ରାସ୍ତାକଡର ଛୋଟ ଚା ଦୋକାନରେ ଖଟି ସମୟରେ ପାନ କରାଯାଉଥିବା ଚା ହେଉ; ଚା ବିନା ଆମର ଦିନଚର୍ଯ୍ୟା ସତେ ଯେପରି ଅସମ୍ପୂର୍ଣ୍ଣ ! ତେବେ ଭାରତୀୟମାନଙ୍କ ଦ୍ୱାରା ଅନୁକରଣୀୟ ଏହି ଚା ପାନର ପରମ୍ପରା ଅତି ପ୍ରାଚୀନ ନୁହେଁ । ଚା ର ବୃହତ ପରିମାଣର ବାଣିଜ୍ୟିକ ଉତ୍ପାଦନ ଓ ବ୍ୟବହାର ଭାରତରେ ପ୍ରଥମେ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ସେ ସମୟରୁ ଏହା ଆମ ଜୀବନଚର୍ଯ୍ୟାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆସିଅଛି ।

ତେବେ ଆମେ ଚା ପ୍ରସ୍ତୁତି ନିମିତ୍ତ ସାଧାରଣତଃ ଯେଉଁ ପଦ୍ଧତିକୁ ଅନୁକରଣ କରୁଛେ, ଯେପରିକି ଦୁଗ୍ଧ ସହିତ ଚା ଗୁଣ୍ଡକୁ ଫୁଟାଇ ସେଥିରେ ଚିନି ପକାଇ ପାନ କରିବା, କିମ୍ବା ଚା ଗୁଣ୍ଡକୁ ଗରମ ପାଣିରେ ଫୁଟାଇ ସେଥିରେ ଚିନି/ଲୁଣ ଅଥବା ଲେମ୍ବୁ ପକାଇ (ଲାଲ ଚା) ପାନ କରିବା, ଏଗୁଡିକ ସ୍ଵାସ୍ଥ୍ୟଗତ ଦୃଷ୍ଟିକୋଣରୁ ଆମ ପ୍ରାଚୀନ ଭାରତୀୟ (ଆୟୁର୍ବେଦୀୟ) ସିଦ୍ଧାନ୍ତର ଅନୁକୂଳ ନୁହେଁ । ଏହି ପଦ୍ଧତି ଗୁଡିକୁ ଯଦି ଆୟୁର୍ବେଦୀୟ ସିଦ୍ଧାନ୍ତ ଅନୁଯାୟୀ କିଞ୍ଚିତ ରୂପାନ୍ତରିତ କରାଯାଇପାରନ୍ତା, ତେବେ ତାହା ସ୍ଵାସ୍ଥ୍ୟ ରକ୍ଷା ଦୃଷ୍ଟିରୁ ଅନୁକୂଳ ସାବ୍ୟସ୍ତ ହୁଅନ୍ତା । ଆସନ୍ତୁ ଏବେ ଜାଣିବା କିପରି ଆମେ ଆୟୁର୍ବେଦୀୟ ସିଦ୍ଧାନ୍ତ ଅନୁଯାୟୀ ଚା ପ୍ରସ୍ତୁତ କରିପାରିବା ।

ପ୍ରଥମେ ଆସନ୍ତୁ ଜାଣିବା ଦୁଗ୍ଧ ସହିତ କିପରି ଚା ପ୍ରସ୍ତୁତ କରାଯିବା ଉଚିତ । ଆୟୁର୍ବେଦ ଶାସ୍ତ୍ରରେ 'କ୍ଷୀର ପାକ' ନାମକ ଏକ ପାନୀୟର ବର୍ଣ୍ଣନା ରହିଛି ଯେଉଁଥିରେ କି ଦ୍ରବ୍ୟର ସମ୍ପୂର୍ଣ୍ଣ ଔଷଧୀୟ ଗୁଣ କ୍ଷୀର ମଧ୍ୟକୁ ରୂପାନ୍ତରିତ ହୋଇଥାଏ ତଥା ଏଥିସହିତ କ୍ଷୀରର ନିଜସ୍ୱ ଔଷଧୀୟ ଗୁଣ ମଧ୍ୟ ଏହି ପାନୀୟକୁ ଅଧିକ ସ୍ଵାସ୍ଥ୍ୟପ୍ରଦ କରିଥାଏ । ଏହି 'କ୍ଷୀର ପାକ' ବିଧିରେ ଚା ପ୍ରସ୍ତୁତ କରିବା ନିମିତ୍ତ ପ୍ରଥମେ ଦ୍ରବ୍ୟ (ଚା ଗୁଣ୍ଡ) - ଏକ ଭାଗ ନିଅନ୍ତୁ ଯଥା ଏକ ଚା ଚାମଚରେ ଏକ ଚାମଚ (ପ୍ରାୟ ୩ ଗ୍ରାମ) । ଦ୍ରବ୍ୟର ଆଠ ଗୁଣ ଦୁଗ୍ଧ ନିଅନ୍ତୁ ଯଥା ପ୍ରାୟ ଅଧା କପରୁ ଟିକିଏ କମ ଦୁଗ୍ଧ । ଏବଂ ଦୁଗ୍ଧର ଚାରି ଗୁଣ ଜଳ ନିଅନ୍ତୁ ଯଥା ପ୍ରାୟ ଦୁଇ କପ ପାଖାପାଖି ଜଳ । ଏହାପରେ ସମସ୍ତ ଦ୍ରବଣକୁ ଫୁଟାନ୍ତୁ ଯେମିତିକି ସମ୍ପୂର୍ଣ୍ଣ ଜଳ ବାଷ୍ପୀଭୂତ ହୋଇ କେବଳ ଦୁଗ୍ଧ ମାତ୍ର ଅବଶେଷ ରହିବ । ତାପରେ ଏହି ପାନୀୟକୁ ଛାଣି ଚା ଆକାରରେ ପାନ କରନ୍ତୁ ଯାହାକି ସମ୍ପୂର୍ଣ୍ଣ ଶାସ୍ତ୍ରୀୟ (ଆୟୁର୍ବେଦୀୟ) ପଦ୍ଧତିରେ ପ୍ରସ୍ତୁତ ଏବଂ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି 'କ୍ଷୀର ପାକ' ବିଧିରେ ଚିନି ବା ଅନ୍ୟ ମିଷ୍ଟକାରକ ମିଶାଇବାର ବର୍ଣ୍ଣନା ନାହିଁ । ହୁଏତ ଏହି ପଦ୍ଧତିରେ ପ୍ରସ୍ତୁତ ପାନୀୟ ନିମିତ୍ତ ଏଗୁଡିକ ସ୍ୱାସ୍ଥ୍ୟ ନିମିତ୍ତ ଅନୁକୂଳ ହୋଇନଥାଇପାରେ, ତେଣୁ ବର୍ଣ୍ଣନା ନାହିଁ ।

ବର୍ତ୍ତମାନ ଆସନ୍ତୁ ଜାଣିବା ଲାଲ ଚା କିପରି ପ୍ରସ୍ତୁତ କରାଯିବା ଉଚିତ । ଆୟୁର୍ବେଦ ଶାସ୍ତ୍ରରେ 'ଫାଣ୍ଟ' ନାମକ ଏକ ପାନୀୟର ବର୍ଣ୍ଣନା ରହିଛି ଯାହା ଅନୁସାରେ ଚା ପ୍ରସ୍ତୁତ କରିବା ନିମିତ୍ତ ଦ୍ରବ୍ୟ (ଚା ଗୁଣ୍ଡ) - ଏକ ମାଟି ପାତ୍ରରେ ୧ ପଳ ନିଅନ୍ତୁ ଯଥା ଏକ ବଡ଼ ଚାମଚରେ ୬ ଚାମଚ (ପ୍ରାୟ ୪୦ ଗ୍ରାମ) । ତାପରେ ଦ୍ରବ୍ୟର ଚାରିଗୁଣ ଜଳ (ପ୍ରାୟ ୧୬୦ ଗ୍ରାମ ବା ଦୁଇ କପ) ଅନ୍ୟ ଏକ ପାତ୍ରରେ ନିଅନ୍ତୁ ଓ ତାହାକୁ ଫୁଟାନ୍ତୁ ।  ଏହାପରେ ମାଟି ପାତ୍ରରେ ଥିବା ଚା ଗୁଣ୍ଡରେ ଏହି ଫୁଟା ଜଳକୁ ଢାଳନ୍ତୁ ଓ ସଙ୍ଗେ ସଙ୍ଗେ ଏହି ଜଳକୁ କପଡ଼ାରେ ଛାଣି ଦିଅନ୍ତୁ । ଏହାର ସେବନ ମାତ୍ରା ହେଉଛି ୨ ପଳ । ତେଣୁ ଏହି ପ୍ରକ୍ରିୟାରେ ପ୍ରସ୍ତୁତ ପାନୀୟକୁ ତିନି ଜଣ ଭାଗ କରି ପାନ କରିପାରିବେ । ଏହି ପଦ୍ଧତିରେ ଅଧିକ ପରିମାଣର ଚା ଗୁଣ୍ଡର ବ୍ୟବହାର ହେଉଥିଲେ ମଧ୍ୟ ଏହି ଚା ଅଧିକ କଡ଼ା ହୋଇନଥାଏ, କାରଣ ଏଥିରେ ଫୁଟା ଜଳକୁ ଚା ଗୁଣ୍ଡରେ ପକାଇ ସଙ୍ଗେ ସଙ୍ଗେ ଚା କୁ ଛଣାଯାଇଥାଏ । ପ୍ରାୟତଃ ଏହିପ୍ରକାରର ପଦ୍ଧତି ପାଶ୍ଚାତ୍ୟ ଦେଶଗୁଡିକରେ ମଧ୍ୟ ଚା ପ୍ରସ୍ତୁତି ନିମିତ୍ତ ଅନୁକରଣ କରାଯାଇଥାଏ ।

ଏହି ଚା ରେ ଚିନି ନିମ୍ନୋକ୍ତ ପ୍ରକାରରେ ମିଶାଇପାରିବେ ।

ବାତ ପ୍ରଧାନ୍ୟରେ ବା ବାତଜ ରୋଗରେ -  ମୋଟ ଜଳର ୧/୪ ଭାଗ
ପିତ୍ତ ପ୍ରଧାନ୍ୟରେ ବା ପିତ୍ତଜ ରୋଗରେ - ମୋଟ ଜଳର ୧/୮ ଭାଗ
କଫ ପ୍ରଧାନ୍ୟରେ ବା କଫଜ ରୋଗରେ - ମୋଟ ଜଳର ୧/୧୬ ଭାଗ

ଉକ୍ତ ଚା ରେ ଯଦି ଚିନି ବଦଳରେ ମହୁ ମିଶାଇବାକୁ ଚାହୁଁଛନ୍ତି ତେବେ ନିମ୍ନୋକ୍ତ ପ୍ରକାରରେ ମିଶାଇପାରିବେ ।

ବାତ ପ୍ରଧାନ୍ୟରେ ବା ବାତଜ ରୋଗରେ - ମୋଟ ଜଳର ୧/୧୬ ଭାଗ
ପିତ୍ତ ପ୍ରଧାନ୍ୟରେ ବା ପିତ୍ତଜ ରୋଗରେ - ମୋଟ ଜଳର ୧/୮ ଭାଗ
କଫ ପ୍ରଧାନ୍ୟରେ ବା କଫଜ ରୋଗରେ - ମୋଟ ଜଳର ୧/୪ ଭାଗ

[ଏଠାରେ ମନେରଖନ୍ତୁ ଯେ ଗରମ ଚା ରେ ହିଁ ମହୁ ମିଶାନ୍ତୁ, ମହୁକୁ କେବେହେଲେ ଜଳରେ ମିଶାଇ ଗରମ କରନ୍ତୁ ନାହିଁ ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।]

ଉପରୋକ୍ତ ବିଧିଗୁଡ଼ିକୁ ଅବଲୋକନ କଲେ ଜଣାଯାଏ ଯେ ପ୍ରାଚୀନ କାଳରେ ପାନୀୟ ଗୁଡିକର ପ୍ରସ୍ତୁତି ସାଧାରଣତଃ ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣକୁ ବିଚାର କରି କରାଯାଉଥିଲା ଯାହାକୁକି ବର୍ତ୍ତମାନ ସମୟରେ ଅନୁକରଣ କଲେ ଅଶେଷ ଉପକାର ମିଳିପାରନ୍ତା । ତେଣୁ ଆସନ୍ତୁ, ଚା ତ ନିଶ୍ଚୟ ପ୍ରସ୍ତୁତ କରିବା ଓ ପରିବେଷଣ କରିବା, ତେବେ ଆଧୁନିକ ବିଧିରେ ନୁହେଁ, ସମ୍ପୂର୍ଣ୍ଣ ଦେଶୀୟ ବା ପ୍ରାଚୀନ ବିଧିରେ ଯାହାକି ସ୍ୱାସ୍ଥ୍ୟ ପାଇଁ ହିତକର ।

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)