ପ୍ରାଚ୍ୟ ଆଧ୍ୟାତ୍ମିକତାର ସତ୍ୟାସତ୍ୟ - ଏକ ପାଶ୍ଚାତ୍ୟ ଅନୁସନ୍ଧାନ

ଆଜିକାଲିର ସମାଜରେ ଏକ ବଡ଼ ବିତର୍କ ହୁଏ ଦୁଇଗୋଟି ଗୋଷ୍ଠୀ ମଧ୍ୟରେ । ଆଧ୍ୟାତ୍ମିକ ବିଶ୍ୱାସୀ ଓ ହେତୁବାଦୀ । ଆଧ୍ୟାତ୍ମିକ ବିଶ୍ୱାସୀମାନେ ଭଗବାନ, ଧାର୍ମିକ ଚିନ୍ତାଧାରା ଓ ଧାର୍ମିକ ବା ଆଧ୍ୟାତ୍ମିକ ଗୁରୁ ଇତ୍ୟାଦିରେ ବିଶ୍ବାସ ରଖୁଥିବା ବେଳେ ହେତୁବାଦୀ ମାନେ ଏସବୁକୁ ଅନ୍ଧବିଶ୍ୱାସ ବୋଲି କହି କେବଳ ବିଜ୍ଞାନସମ୍ମତ ଚିନ୍ତାଧାରାରେ ହିଁ ବିଶ୍ବାସ କରିଥାନ୍ତି । ତେବେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ସିନା ହୁଏ, କିନ୍ତୁ କିଏ ଠିକ ଓ କିଏ ଭୁଲ ତାହା ପ୍ରମାଣ କରିବା କଷ୍ଟକର ହୋଇପଡେ । ଏହି ତର୍କ ଆଜିର ନୁହେଁ, ଯେତେବେଳ ଠାରୁ ଆଧୁନିକ ବିଜ୍ଞାନର ପ୍ରଭାବରେ ମନୁଷ୍ୟ ପ୍ରାକୃତିକ ସତ୍ୟର ସତ୍ୟାସତ୍ୟ ସମ୍ବନ୍ଧରେ ଅବଗତ ହେବା ଆରମ୍ଭ ହୋଇଛି, ସେହିଦିନଠାରୁ ଏହି ତର୍କ ଉଭୟ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ।

ଅନେକାଂଶରେ ପାଶ୍ଚାତ୍ୟ ଜଗତ ଏହି ହେତୁବାଦୀ ଚିନ୍ତାଧାରାର ପ୍ରତିନିଧିତ୍ୱ କରି ଆଧ୍ୟାତ୍ମିକ ଚିନ୍ତାଧାରାର ମୂଳସ୍ଥଳୀ ଭାରତବର୍ଷର ଯୋଗୀ ଋଷିମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିଛି ଓ ସେମାନଙ୍କ ସତ୍ୟତା ଉପରେ ପ୍ରଶ୍ନ ମଧ୍ୟ କରିଛି । ସମୟ ବଦଳିବା ସହିତ ଆଧୁନିକ ଭାରତର ଅନୁସନ୍ଧିତ୍ସୁ ଜନଗୋଷ୍ଠୀ ମଧ୍ୟ ସେହି ପାଶ୍ଚାତ୍ୟ ହେତୁବାଦୀ ଚିନ୍ତାଧାରାର ସମର୍ଥନ ସ୍ୱରୂପ ଭାରତର ଯୋଗୀ ୠଷିମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭ କରିଛନ୍ତି । ତେବେ କଣ ଏହାର ସତ୍ୟାସତ୍ୟ, ଆସନ୍ତୁ ଏବେ ଜାଣିବା ।

ପ୍ରାଚ୍ୟ ଆଧ୍ୟାତ୍ମିକତାର କିଛି ଭିତ୍ତିଭୂମି ବା ସତ୍ୟାସତ୍ୟ ରହିଛି ନା ଏହା କେବଳ ଏକ ଅନ୍ଧବିଶ୍ୱାସ, ତାହା ଅନୁସନ୍ଧାନ କରିବା ପାଇଁ ବିଂଶ ଶତାବ୍ଦୀର ତୃତୀୟ ଦଶକରେ ପଲ୍ ବ୍ରନ୍ଟନ୍ ନାମକ ଏକ ବ୍ରିଟିଶ୍ ସାମ୍ବାଦିକ ଭାରତ ଭ୍ରମଣରେ ଆସିଥିଲେ । ସେ ଆମ ଶ୍ରୀକ୍ଷେତ୍ର ସମେତ ଭାରତବର୍ଷର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ବିଭିନ୍ନ ଗୁରୁ, ଯୋଗୀ, ମୁନୀୠଷି ଆଦିଙ୍କ ସମ୍ବନ୍ଧରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ କାଞ୍ଚି ଶଙ୍କରାଚାର୍ଯ୍ୟ, ମେହେର ବାବା, ଯୋଗୀ ବିଶୁଦ୍ଧାନନ୍ଦ ଇତ୍ୟାଦି ଅନେକ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ । ସେ ଅଧିକାଂଶ ଆଧ୍ୟାତ୍ମିକ ବ୍ୟକ୍ତିବିଶେଷଙ୍କ ପାଖରେ ସେଭଳି କିଛି ଆଧ୍ୟାତ୍ମିକ ଭିତ୍ତିଭୂମି ବା ଅଲୌକିକତା ଦେଖିବାକୁ ପାଇନଥିଲେ । ତେବେ କିଛି ଆଧ୍ୟାତ୍ମିକ ବ୍ୟକ୍ତିବିଶେଷ ତାଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିଲେ, ଯେଉଁମାନଙ୍କ ସହିତ ସେ ଅଧିକ ସମୟ ପ୍ରଶ୍ନୋତ୍ତରରେ କଟାଇଥିଲେ କେବଳ ସତ୍ୟର ଉନ୍ମୋଚନ ପାଇଁ । ଏହିପରି ଅନୁସନ୍ଧାନ କରୁ କରୁ ସେ ପହଞ୍ଚି ଯାଇଥିଲେ ରମଣ ମହର୍ଷିଙ୍କର ଆଶ୍ରମରେ । ରମଣ ମହର୍ଷି ଖୁବ କମ କଥା କୁହନ୍ତି ଓ ଅଧିକାଂଶ ସମୟରେ କେବଳ ନିଜର ଅନୁଗାମୀ ମାନଙ୍କୁ ଅବଲୋକନ କରନ୍ତି । ଏହିପରି ଯେତେବେଳେ ରମଣ ମହର୍ଷିଙ୍କର ଦୃଷ୍ଟି ତାଙ୍କ ସମ୍ମୁଖରେ ବସିଥିବା ପଲ୍ ବ୍ରନ୍ଟନ୍ ଙ୍କ ଉପରେ ପଡ଼ିଲା,  ବ୍ରନ୍ଟନ୍ ଙ୍କୁ ଏକ ଅଦ୍ଭୁତ ଅନୁଭୂତି ହେଲା । ତାଙ୍କୁ ଲାଗିଲା, ରମଣ ମହର୍ଷିଙ୍କର ସେହି ଅବଲୋକନ ମଧ୍ୟରେ ଏକ ଅଦ୍ଭୁତ ସମ୍ମୋହିନୀ ଶକ୍ତି ରହିଛି ଯାହାକି ତାଙ୍କର ସମସ୍ତ ଜିଜ୍ଞାସାକୁ ଦୂରୀଭୂତ କରୁଛି । ସେ ତାଙ୍କ ଆଶ୍ରମରେ କିଛି ଦିନ ଅତିବାହିତ କରି କଳାନ୍ତରରେ ବ୍ରିଟେନ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ତାଙ୍କର ଭାରତବର୍ଷର ଏହି ଅନୁସନ୍ଧାନରୂପୀ ଯାତ୍ରା ତଥା ଅନୁଭବକୁ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ ଯାହାର ନାମ ଥିଲା - A search in secret India । ଏହି ପୁସ୍ତକଟି ସେ ସମୟରେ ଅତି ଲୋକପ୍ରିୟ ହୋଇଥିଲା ।

ପରବର୍ତ୍ତୀ ସମୟରେ ବ୍ରନ୍ଟନ୍ ମଧ୍ୟ ପ୍ରାଚ୍ୟ ଆଧ୍ୟାତ୍ମିକତାର ଅନ୍ୟ ଏକ ପ୍ରମୁଖ ସ୍ଥଳୀ ଇଜିପ୍ଟ ପରିଦର୍ଶନ କରି ତାଙ୍କର ଏହି ପ୍ରାଚ୍ୟ ଆଧ୍ୟାତ୍ମିକ ଅନୁସନ୍ଧାନ କାର୍ଯ୍ୟ ଜାରି ରଖିଥିଲେ । ସେତେବେଳେ ସେ ଇଜିପ୍ଟର ଅନେକ ଅଲୌକିକ ଗୁରୁଙ୍କ ସଂସ୍ପର୍ଶରେ ଆସିବା ସହିତ ଇଜିପ୍ଟୀୟ ଅଲୌକିକତାର ପ୍ରମୁଖ ସ୍ଥଳୀ ପିରାମିଡ ମଧ୍ୟରେ ଏକ ରାତ୍ରୀ ଅବସ୍ଥାନ କରିବାର ସୌଭାଗ୍ୟ ଲାଭ କରିଥିଲେ ଯାହାକି କ୍ଵଚିତ ଲୋକଙ୍କ ଭାଗ୍ୟରେ ଜୁଟିଛି । ପିରାମିଡ ମଧ୍ୟରେ ରାତ୍ରୀଯାପନ ସମୟରେ ତାଙ୍କର ଅନେକ ଅଲୌକିକ ଅନୁଭୂତି ହୋଇଥିଲା ଯାହାକି ସେ ତାଙ୍କର ପରବର୍ତ୍ତୀ ଭ୍ରମଣ ପୁସ୍ତକ 'A search in secret Egypt' ରେ ଉପସ୍ଥାପନ କରିଛନ୍ତି ।

ତେବେ ବ୍ରନ୍ଟନ୍ ଙ୍କ ଏହି ପ୍ରାଚ୍ୟ ଅନୁସନ୍ଧାନର ଫଳ କଣ ହୋଇଥିଲା ଯାହାକି ଏହି ବିଷୟବସ୍ତୁର ମୂଳ ଉଦ୍ଦେଶ୍ୟ ? ଆଧ୍ୟାତ୍ମିକତାର ବିଜୟ ହୋଇଥିଲା ନା ହେତୁବାଦୀଙ୍କର ? ଉତ୍ତରରେ ମୁଁ ଏତିକି କହିବି ଯେ, ବ୍ରନ୍ଟନ୍ ପରବର୍ତ୍ତୀ ସମୟରେ ରମଣ ମହର୍ଷିଙ୍କୁ ନିଜର ଗୁରୁ ରୂପେ ସ୍ୱୀକାର କରିବା ଓ ଆଧ୍ୟାତ୍ମିକ ମାର୍ଗକୁ ଅନୁସରଣ କରିବାର ଅର୍ଥ ହେଉଛି ସେ ତାଙ୍କର ମତ ଆଧ୍ୟାତ୍ମିକତା ସପକ୍ଷରେ ରଖିଥିଲେ । ଏହି ମତ ସେ ଆମ ପରି ସଂବେଗ ଦ୍ୱାରା ପରିଚାଳିତ ହୋଇ ରଖିନଥିଲେ, ବରଂ ପୂର୍ଣ୍ଣ ମାତ୍ରାରେ ଅନୁସନ୍ଧାନ ଓ ଅନୁଶୀଳନ କରି ସେ ଆଧ୍ୟାତ୍ମିକତା ଆଡକୁ ଢଳିଥିଲେ । ହେତୁବାଦୀ ଚିନ୍ତାଧାରା ବା ଆଧ୍ୟାତ୍ମିକତା - ଏ ଦୁଇଟି ମଧ୍ୟରୁ କେଉଁଟିକୁ ଆପଣ ବାଛିବେ ତାହା ଆପଣଙ୍କ ଉପରେ ନିର୍ଭର କରେ । ତେବେ ତା ପୂର୍ବରୁ ବ୍ରନ୍ଟନ୍ ଙ୍କ ଉପରୋକ୍ତ ବହି ଦୁଇଟିକୁ ପ୍ରଥମେ ପଢିବାକୁ ଅନୁରୋଧ ।

ଜୟ ଜଗନ୍ନାଥ !

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

[ପଲ୍ ବ୍ରନ୍ଟନ୍ ଲେଖିଥିବା ପୁସ୍ତକ ଦୁଇଟିକୁ ମୁଁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ପଢ଼ୁଥିବା ସମୟରେ କଲେଜ ଲାଇବ୍ରେରୀରୁ ଆଣି ପଢ଼ିବାର ସୁଯୋଗ ପାଇଥିଲି । ମୁଁ ଭାବୁଛି ଏହି ବିରଳ ପୁସ୍ତକ ସମେତ ଅନ୍ୟ ସହ ସମ୍ପର୍କିତ ପୁସ୍ତକ ଗୁଡିକୁ ଆମର ଭୂତପୂର୍ବ ଅଧ୍ୟକ୍ଷ ଡ଼ାଃ ଜାନକୀନାଥ ହାକିମଙ୍କ ସମୟରେ ଆମ ଲାଇବ୍ରେରୀକୁ ଅଣାଯାଇଥିଲା । ସେହି ଧାରା ବର୍ତ୍ତମାନ ସମୟରେ ମଧ୍ୟ ବିଭିନ୍ନ ବୈଷୟିକ ମହାବିଦ୍ୟାଳୟ ଗୁଡିକରେ ଅବ୍ୟାହତ ରହୁ ବୋଲି ମୋର ମତ । କାରଣ ଏହା ଦ୍ୱାରା ଆମର ଚିନ୍ତନ ତଥା ଦୃଷ୍ଟିକୋଣ ବ୍ୟାପକ ହେବ ଓ ଆମେ କେବଳ ବୈଷୟିକ ଜ୍ଞାନ ମଧ୍ୟରେ ନିଜକୁ ସୀମିତ ରଖିବା ନାହିଁ ।]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)