ଗୁରୁ କାହିଁକି କରିବା, ଗୁରୁ କାହାକୁ କରିବା ?

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ଗୁରୁ କାହିଁକି କରିବା ?

ବିଦ୍ୟା ଶିକ୍ଷା କରିବାକୁ ହେଲେ 'ଗୁରୁ' କରିବାକୁ ହୁଏ । ଆପଣ ହୁଏତ କହିପାରନ୍ତି ଯେ 'ଅମୁକ' ବ୍ୟକ୍ତି ଗୁରୁ ନ କରି ମଧ୍ୟ ସମାଜରେ ପ୍ରତିଷ୍ଠିତ ହୋଇପାରିଥିଲେ, ତେଣୁ 'ଗୁରୁ' କରିବା ନିହାତି ଆବଶ୍ୟକ ନୁହେଁ । ଏହାର ଉତ୍ତରରେ ମୁଁ ଏତିକି କହିପାରେ ଯେ - ସେହି 'ଅମୁକ' ବ୍ୟକ୍ତିମାନଙ୍କର ସଂଖ୍ୟା ସମାଜରେ ଖୁବ ନ୍ୟୁନ ଏବଂ 'The exceptions are not a rule' । ତେଣୁ ସେହି ମର୍ମରେ 'ଗୁରୁ' କରିବା ସମାଜର ଏକ ଗତାନୁଗତିକ ନିୟମ ଯାହାକୁ କି ସ୍ୱୟଂ ଭଗବାନ ମଧ୍ୟ ନିଜର 'ରାମ' ଏବଂ 'କୃଷ୍ଣ' ଅବତାରରେ ଯଥାକ୍ରମେ 'ବଶିଷ୍ଠ' ଏବଂ 'ସନ୍ଦିପନୀ'ଙ୍କ ମାଧ୍ୟମରେ ଅନୁସରଣ କରିଥିଲେ ।

ବର୍ତ୍ତମାନ ଆସନ୍ତୁ ଜାଣିବା ବିଦ୍ୟା ଓ ଗୁରୁଙ୍କର ପ୍ରକାରଭେଦ ବିଷୟରେ । ବିଦ୍ୟାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ -

୧) ଅପରା ବିଦ୍ୟା
୨) ପରା ବିଦ୍ୟା

୧) ଅପରା ବିଦ୍ୟା - ଏହା ସାଧାରଣତଃ ଲୌକିକ ବା ଭୌତିକ ବିଦ୍ୟାକୁ ବୁଝାଇଥାଏ ଯାହା ଶିକ୍ଷା ଲାଭ କରିବା ଦ୍ୱାରା ମନୁଷ୍ୟ ନିଜର ଜୀବିକା ନିର୍ବାହ କରିପାରିଥାଏ ।
୨) ପରା ବିଦ୍ୟା - ଏହା ସାଧାରଣତଃ ଆଧ୍ୟାତ୍ମ ବିଦ୍ୟାକୁ ବୁଝାଇଥାଏ । ଲୌକିକ ବା ଭୌତିକ ବିଦ୍ୟା ବ୍ୟତିରେକ ଯେଉଁ ବିଦ୍ୟା ଦ୍ୱାରା ମନୁଷ୍ୟ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଲାଭ କରିପାରିଥାଏ ଏବଂ ଯେଉଁ ବିଦ୍ୟା ଲାଭ କରିବା ଦ୍ୱାରା ମନୁଷ୍ୟର ପୁନର୍ଜନ୍ମର ଆବଶ୍ୟକତା ପଡିନଥାଏ ବା ମନୁଷ୍ୟ ଜନ୍ମ-ମୃତ୍ୟୁ ଚକ୍ରରୁ ମୁକ୍ତି ପାଇଥାଏ, ତାହା ହେଉଛି ପରା ବିଦ୍ୟା ।

ଏହି ଦୁଇ ପ୍ରକାରର ବିଦ୍ୟା ଲାଭ ଦୁଇ ପ୍ରକାରର ଗୁରୁଙ୍କ ମାଧ୍ୟମରେ ସାଧିତ ହୋଇଥାଏ ।

୧) ଶିକ୍ଷା ଗୁରୁ
୨) ଦୀକ୍ଷା ଗୁରୁ

୧) ଶିକ୍ଷା ଗୁରୁ - ଯେ ଆମକୁ ଲୌକିକ ବା ଭୌତିକ ଶିକ୍ଷା ଦାନ କରାଇ ଆମକୁ ଜୀବିକା ନିର୍ବାହରେ ବା ସମାଜରେ ପ୍ରତିଷ୍ଠିତ ହେବାରେ ସାହାଯ୍ୟ କରିଥାନ୍ତି ସେ ହେଉଛନ୍ତି ଶିକ୍ଷା ଗୁରୁ । ବର୍ତ୍ତମାନ ସମୟରେ ସ୍କୁଲ ବା କଲେଜର ଶିକ୍ଷକ ବା ଅଧ୍ୟାପକମାନେ ଏହି ଶ୍ରେଣୀର ଗୁରୁ ।
୨) ଦୀକ୍ଷା ଗୁରୁ - ଯେ ଆମକୁ ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଦେଇଥାନ୍ତି, ବା ଆମକୁ 'ଆତ୍ମୋପଲବ୍ଧି' ପାଇଁ ସାହାଯ୍ୟ କରିଥାନ୍ତି, ସେ ହେଉଛନ୍ତି ଦୀକ୍ଷା ଗୁରୁ । ଏବଂ ସାଧାରଣତଃ ଦୀକ୍ଷା ଗୁରୁଙ୍କ ଠାରୁ ଏକ 'ମନ୍ତ୍ର' ଦୀକ୍ଷା ନେଇ ଆମର 'ଆତ୍ମୋପଲବ୍ଧି' ହୋଇଥାଏ ବା ବ୍ରହ୍ମ ସମ୍ବନ୍ଧୀୟ ଜ୍ଞାନ ଅର୍ଜନ ହୋଇଥାଏ ।

ପୁରାତନ କାଳରେ ସାଧାରଣତଃ ଗୁରୁକୂଳରେ ଜଣିଏ ମାତ୍ର ଗୁରୁ ଉଭୟ ଶିକ୍ଷା ଓ ଦୀକ୍ଷା ଗୁରୁଙ୍କର ଦାୟିତ୍ୱ ତୁଲାଉଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଶିକ୍ଷା ଓ ଦୀକ୍ଷା ଦାନ ନିମିତ୍ତ ଗୁରୁଙ୍କର ପ୍ରତିଭା ବା କ୍ଷମତାର ହ୍ରାସ କାରଣ ହେଉ କି ଅନ୍ୟ କେଉଁ କାରଣ ହେଉ, ଏଥିପାଇଁ ଭିନ୍ନଭିନ୍ନ ଗୁରୁଙ୍କର ଆବଶ୍ୟକତା ପଡିଥିଲା । ଏବଂ ବର୍ତ୍ତମାନ ସମୟରେ ଶିକ୍ଷା ଦାନ ନିମିତ୍ତ ସାଧାରଣତଃ ସଂଖ୍ୟାଧିକ ଗୁରୁଙ୍କର ଆବଶ୍ୟକତା ରହିଥିବା ସ୍ଥଳେ ଦୀକ୍ଷା ଦାନ ନିମିତ୍ତ ଏଯାବତ ମଧ୍ୟ ଜଣିଏ ମାତ୍ର ଗୁରୁ ଏହି ଗୁରୁ ଦାୟିତ୍ୱ ତୁଲାଉଛନ୍ତି । ଏବଂ ଆଜିର ଉପସ୍ଥାପନାର ବିଷୟବସ୍ତୁ ମଧ୍ୟ ଏହି 'ଦୀକ୍ଷା ଗୁରୁ' ।

ମନ୍ତ୍ର ଦୀକ୍ଷା ପାଇଁ ଗୁରୁଙ୍କ ଠାରୁ ମନ୍ତ୍ର ନେବାକୁ ହୋଇଥାଏ । ଆପଣ ହୁଏତ କହିପାରନ୍ତି ଯେ ଆମେ ନିଜେ ମଧ୍ୟ ଆମର ଇପ୍ସିତ ମନ୍ତ୍ରର ଜପ କରିପାରିବା, ଏଥିପାଇଁ ଗୁରୁଙ୍କର କଣ ଆବଶ୍ୟକତା ରହିଛି ? ଏହାର ଉତ୍ତରରେ ମୁଁ ଏତିକି କହିବି ଯେ - କେବଳ ଗୁରୁ ହିଁ କହିପାରିବେ ଯେ, ଆମ ନିମନ୍ତେ କେଉଁ ମନ୍ତ୍ରର ଜପ ଆମକୁ 'ଆତ୍ମୋପଲବ୍ଧି' କରିବାରେ ସାହାଯ୍ୟ କରିପାରିବ । ପୁନଶ୍ଚ ଗୁରୁ, ଯେଉଁ ମନ୍ତ୍ରର ଦୀକ୍ଷା ଆମକୁ ଦେଇଥାନ୍ତି, ତାହା କେଉଁ ଆଦିମ କାଳରୁ ବିଭିନ୍ନ ଗୁରୁଙ୍କର ମାଧ୍ୟମରେ ପରମ୍ପରା କ୍ରମେ ତାହାଙ୍କୁ ପ୍ରାପ୍ତ ହୋଇଥାଏ । ଏବଂ ସେହି ମନ୍ତ୍ର ମଧ୍ୟ ସେହିସବୁ ଗୁରୁଙ୍କର କ୍ରମାଗତ ଜପ ଓ ସାଧନା ଦ୍ୱାରା ବିଶେଷ ଶକ୍ତି ଆହରଣ କରିଥାଏ । ଯେତେବେଳେ ଆମେ କୌଣସି ଗୁରୁଙ୍କ ଠାରୁ ସେହି ପରମ୍ପରାଗତ ଶକ୍ତିଯୁକ୍ତ ମନ୍ତ୍ରର ଦୀକ୍ଷା ନେଇଥାଉ, ସେତେବେଳେ ଆମକୁ ଆଧ୍ୟାତ୍ମ ସିଦ୍ଧି ପାଇଁ ଅତ୍ୟଧିକ ସାଧନା କରିବାକୁ ପଡିନଥାଏ । ଯଥେଷ୍ଟ କମ ସାଧନାରେ ମଧ୍ୟ ଆମେ ନିଜର ଇପ୍ସିତ ଲକ୍ଷସ୍ଥଳରେ ପହଞ୍ଚି ପାରିଥାଉ । ତେଣୁ ଏଥିନିମନ୍ତେ ଦୀକ୍ଷା ଗୁରୁଙ୍କର ଆବଶ୍ୟକତା ରହିଛି ।

ଗୁରୁ କାହାକୁ କରିବା ?

ମନ୍ତ୍ର ଦୀକ୍ଷା ନିମିତ୍ତ ଗୁରୁଙ୍କର ଚୟନ ଏକ କାଠିକର ପାଠ । କାରଣ ଗୁରୁ ଖୋଜୁ ଖୋଜୁ ଆମେ ଶଠ ବା ଭଣ୍ଡ ବ୍ୟକ୍ତିଙ୍କର କବଳରେ ମଧ୍ୟ ପଡିପାରୁ । ଏଇଥିପାଇଁ ବୋଧହୁଏ 'ସଦଗୁରୁ' ଶବ୍ଦଟିଏ ଉଦଘାଟିତ ହୋଇଥିଲା । କାରଣ ଗୁରୁ ତ ଗୁରୁ, ପୁଣି ସଦଗୁରୁ କଣ ? ଅନ୍ୟ ଗୁରୁମାନେ କଣ ଅସଦଗୁରୁ ? ନା, ବୋଧହୁଏ ଗୁରୁ ରୂପେ ନିଜକୁ ଉପସ୍ଥାପନ କରୁଥିବା ଅସଦବ୍ୟକ୍ତିମାନଙ୍କ କବଳରୁ 'ଗୁରୁ' ଶବ୍ଦଟିର ଗାରିମାକୁ ବଞ୍ଚାଇବା ନିମିତ୍ତ ଏହି ସଦଗୁରୁ ଶବ୍ଦଟିର ସୃଷ୍ଟି । 'ସଦଗୁରୁ' ସାଧାରଣତଃ ସେହି ଗୁରୁଙ୍କୁ କୁହାଯାଏ ଯାହାଙ୍କର ଉପସ୍ଥିତିରେ ଆମର ସମସ୍ତ ଶଙ୍କା ଦୂରୀଭୂତ ହୋଇଥାଏ । ଧରନ୍ତୁ ଆମ ମନରେ ଏକ ଶଙ୍କା ଜାତ ହେଲା । ଆମେ ଯଦି ଏକ ସଦଗୁରୁଙ୍କ ନିକଟକୁ ସେହି ଶଙ୍କାର ଦୂରୀକରଣ ନିମନ୍ତେ ଯିବା, ତେବେ ତାଙ୍କର ଉପସ୍ଥିତିରେ ହିଁ ଆମର ସବୁ ଶଙ୍କାର ସମାଧାନ ହୋଇଯିବ, ଏଥିପାଇଁ ଆମକୁ ଆଉ ଗୁରୁଙ୍କୁ ପ୍ରଶ୍ନ କରିବାକୁ ହେବନାହିଁ । ଏହିପରି ଜଣେ ସଦଗୁରୁ ଥିଲେ ରମଣ ମହର୍ଷି । ସେ ଅନେକ ସମୟରେ ନିଜର ଅନୁଗାମୀ ମାନଙ୍କୁ କେବଳ ମାତ୍ର ଚାହୁଁଥିଲେ, କିଛି କହୁନଥିଲେ । ମାତ୍ର ଏହାସତ୍ତ୍ୱେ ସେହି ଅନୁଗାମୀ ମାନଙ୍କର ସମସ୍ତ ଶଙ୍କା ଦୂରୀଭୂତ ହୋଇଯାଉଥିଲା । ମାତ୍ର ବର୍ତ୍ତମାନ ସମୟରେ ଏହିପରି ସଦଗୁରୁଙ୍କ ସାନ୍ନିଧ୍ୟ ପାଇବା ବିରଳ ଓ କାଠିକର ପାଠ । ତେଣୁ ଗୁରୁ କାହାକୁ କରିବା ?

ଗୁରୁଙ୍କ ସନ୍ଧାନ କରିବା ପୂର୍ବରୁ ପ୍ରଥମେ ନିଜର ଇଷ୍ଟଦେଵଙ୍କୁ ବା ଇଷ୍ଟଦେବୀଙ୍କୁ ଚିହ୍ନଟ କରିବା ଆବଶ୍ୟକ । ଯଦି ଆପଣ ନିଜର ଇଷ୍ଟ ଦେବ/ଦେବୀଙ୍କ ସମ୍ବନ୍ଧରେ ଅବଗତ ନୁହଁନ୍ତି, ତେବେ ଆପଣ ଯେଉଁ ଯେଉଁ ଦେବାଦେବୀଙ୍କୁ ଭକ୍ତି କରନ୍ତି ବା ଭଲ ପାଆନ୍ତି, ସେମାନଙ୍କର ଚିତ୍ର ନିଜ ସମ୍ମୁଖରେ ରଖି ସେଗୁଡ଼ିକୁ କିଛି ସମୟ ଧରି ପ୍ରତ୍ୟହ ନିରୀକ୍ଷଣ କରନ୍ତୁ । ସମୟକ୍ରମେ କୌଣସି ନିର୍ଦ୍ଦିଷ୍ଟ ଦେବ କିମ୍ବା ଦେବୀଙ୍କ ଚିତ୍ର ଆପଣଙ୍କୁ ଆକୃଷ୍ଟ କରିବ । ଏବଂ ଏହିଥିରୁ ହିଁ ଆପଣ ନିଜର ଇଷ୍ଟଦେବ କିମ୍ବା ଇଷ୍ଟଦେବୀଙ୍କ ସମ୍ପର୍କରେ ଅବଗତ ହେବେ । ତାପରେ ଆରମ୍ଭ ହେବ ଆପଣଙ୍କର ଗୁରୁ ଖୋଜା ପ୍ରକ୍ରିୟା ।

ଆପଣ ଗୁରୁ ଚୟନ ନିମିତ୍ତ ଦୁଇଗୋଟି ମାର୍ଗ ଅବଲମ୍ବନ କରିପାରନ୍ତି । ପ୍ରଥମଟି ହେଲା ନିଜର ଇଷ୍ଟ ଅନୁଯାୟୀ ସମ୍ପ୍ରଦାୟ ଓ ପରମ୍ପରାଗତ ଏକକ ଗୁରୁ । ଯଥା - ଜଣେ ବୈଷ୍ଣବ ବା ଶୈବ କିମ୍ବା ଶାକ୍ତ ଗୁରୁ ଯେକି ନିଜର ସମ୍ପ୍ରଦାୟଗତ ଜ୍ଞାନ ଦ୍ୱାରା ଆପଣଙ୍କୁ ମନ୍ତ୍ର ଦୀକ୍ଷା ଓ ଦିକଦର୍ଶନ ଦେଇପାରିବେ । ମାତ୍ର ଏଥିରେ କିଛି ସତର୍କତା ଅବଲମ୍ବନ କରିବାକୁ ପଡିପାରେ । କାରଣ ଆପଣ ଯଦି ଭୁଲବଶତଃ କୌଣସି ଅସଦବ୍ୟକ୍ତିଙ୍କୁ ଗୁରୁ ରୂପେ ବରଣ କରିନିଅନ୍ତି, ତେବେ ଏଥିପାଇଁ ଆପଣଙ୍କୁ ବହୁମୂଲ୍ୟ ଦେବାକୁ ପଡିପାରେ, କିମ୍ବା ଏହି ମାର୍ଗରେ ଅନେକ ସମୟରେ ଆପଣ ସମ୍ପୃକ୍ତ ଗୁରୁଙ୍କର ଶୋଷଣର ଶୀକାର ମଧ୍ୟ ହୋଇପାରନ୍ତି । ପୁନଶ୍ଚ ଯଦି ଆପଣ ଦୀକ୍ଷା ନେବାର ଅଳ୍ପ କାଳ ପରେ ଗୁରୁଙ୍କର ମହାସମାଧି ହୋଇଯାଏ, ତେବେ ନିଜର ସାଧନା କ୍ଷେତ୍ରରେ ମାର୍ଗଦର୍ଶନ ନିମିତ୍ତ ଆପଣଙ୍କୁ କଠିନତାର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ଏ ମାର୍ଗରେ ଖୁବ ଜଗିରଖି ଆପଣଙ୍କୁ ଗୁରୁ ଚୟନ କରିବାକୁ ପଡିବ ।

ଗୁରୁ ଚୟନର ଦ୍ଵିତୀୟ ମାର୍ଗଟି ହେଲା - ଆପଣ କୌଣସି ଏକ ଧାର୍ମିକ ଅନୁଷ୍ଠାନରେ ମନ୍ତ୍ର ଦୀକ୍ଷା ନେଇପାରନ୍ତି ଯେଉଁଠାରେ କି ମୂଳ ଗୁରୁ ବା ତାଙ୍କର ସନ୍ୟାସୀ ଶିଷ୍ୟମାନଙ୍କ ଦ୍ୱାରା ମନ୍ତ୍ର ଦୀକ୍ଷା ଦିଆଯାଇଥାଏ । ସାଧାରଣତଃ ଏହିସବୁ ଅନୁଷ୍ଠାନ ମାନଙ୍କରେ ସଂଖ୍ୟାଧିକ ବ୍ରହ୍ମଚାରୀ ଓ ସନ୍ୟାସୀ, ଅନୁଗାମୀମାନଙ୍କର ମାର୍ଗଦର୍ଶନ ନିମିତ୍ତ ଉପସ୍ଥିତ ଥାଆନ୍ତି । ଏବଂ ଏହି ବ୍ରହ୍ମଚାରୀ ଓ ସନ୍ୟାସୀମାନେ ମଧ୍ୟ ସମୟକ୍ରମେ ନିଜର କର୍ମକ୍ଷେତ୍ର ପରିବର୍ତ୍ତନ କରିଥାନ୍ତି, ଯଦ୍ବାରା କି ସେମାନଙ୍କ ଦ୍ବାରା ଅନୁଗାମୀମାନଙ୍କର ଶୋଷଣର ସମ୍ଭାବନା କମ ଥାଏ । ଆଉମଧ୍ୟ ଦୀକ୍ଷା ନେବା ପରେ ଅନୁଗାମୀ ମାନଙ୍କର ଜୀବନବ୍ୟାପୀ ସାଧନାରେ ପଥପ୍ରଦର୍ଶନ ନିମିତ୍ତ ସବୁ ସମୟରେ ଏହି ବ୍ରହ୍ମଚାରୀ ଓ ସନ୍ୟାସୀମାନେ ଉପସ୍ଥିତ ଥାଆନ୍ତି । ଏହିସବୁ ଧାର୍ମିକ ଅନୁଷ୍ଠାନ ଗୁଡିକ ସାଧାରଣତଃ ସମସ୍ତ ଇଷ୍ଟଦେଵ ଓ ଇଷ୍ଟଦେବୀଙ୍କର ମନ୍ତ୍ର ସବୁର ଦୀକ୍ଷା ଦେଇଥାନ୍ତି, କାରଣ ସେମାନଙ୍କର ମୂଳ ଗୁରୁ ପ୍ରାୟ ସମସ୍ତ ଦେବାଦେବୀଙ୍କର ମନ୍ତ୍ରକୁ ଜପ ଦ୍ୱାରା ସିଦ୍ଧ କରିଥାନ୍ତି ।  । ତେଣୁ ଏ ମାର୍ଗଟି ପ୍ରଥମ ମାର୍ଗ ଅପେକ୍ଷା ଶ୍ରେୟସ୍କର ପ୍ରତୀୟମାନ ହେଲେ ହେଁ ଏଥିରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ, କାରଣ ବର୍ତ୍ତମାନ ସମୟରେ ଅନେକ ଧାର୍ମିକ ଅନୁଷ୍ଠାନ ବ୍ୟବସାୟୀକରଣ ପ୍ରଭାବରେ ପ୍ରଭାବିତ, ତେଣୁ ଆପଣ ମଧ୍ୟ ଏହାର ଶୀକାର ହୋଇପାରନ୍ତି ।

ଦୀକ୍ଷା ଗୁରୁଙ୍କର ଚୟନରେ ଆପଣ ସେହି ଗୁରୁଙ୍କ ନିକଟରେ କେତେକ ସାଧାରଣ ଗୁଣର ଉପସ୍ଥିତିକୁ ବିଚାରକୁ ନେଇପାରନ୍ତି ଯେପରିକି ସତ୍ୟବାଦୀତା, ସଂଯମତା, ଅକ୍ରୋଧ, ନିରାଡ଼ମ୍ବରତା ଇତ୍ୟାଦି । ମାତ୍ର କେବେହେଲେ କୌଣସି ଭୌତିକ ବା ସାଂସାରିକ ଲାଭ ଆଶାରେ ଗୁରୁ ବରଣ କରନ୍ତୁ ନାହିଁ ଯାହାକି ବର୍ତ୍ତମାନ ସମୟରେ ଏକ ଧାରାରେ ପରିବର୍ତ୍ତିତ ହୋଇଗଲାଣି । କାରଣ ଏହା ସ୍ୱର୍ଣ୍ଣ କଣିକାକୁ ଛାଡି ଧୂଳି ଗୋଟାଇବା ସଙ୍ଗେ ତୁଳନୀୟ । ଆମର ଲକ୍ଷ୍ୟ ସ୍ଥଳ ହେଉଛି 'ମୋକ୍ଷ', 'ଅର୍ଥ' ବା 'କାମନା ଚରିତାର୍ଥ' ନୁହେଁ ।

ଶେଷରେ ଏତିକି କହିବି, ଗୁରୁ କରିବା ପୂର୍ବରୁ ପ୍ରଥମେ ଏଥିପାଇଁ ଆଚାର ଶୁଦ୍ଧି ଓ ତୀବ୍ର ଅଭିପ୍ସା କରିବା ଆବଶ୍ୟକ । କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ଯେତେବେଳେ ଆପଣ ଦୀକ୍ଷା ନିମିତ୍ତ ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବେ, ସେତେବେଳେ 'ଗୁରୁ' ଅବିଳମ୍ବେ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ହେବେ ।

ଓଁ ଶ୍ରୀ ଶ୍ରୀ ସଦ୍ଗୁରବେ ନମଃ

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)