କୋଣାର୍କ ମନ୍ଦିରର ପାର୍ଶ୍ୱଦେବତା ତ୍ରୟର ମୂର୍ତ୍ତିତତ୍ତ୍ୱ ଓ ତାତ୍ପର୍ଯ୍ୟ

କୋଣାର୍କ ମନ୍ଦିର ସମ୍ବନ୍ଧରେ ଯଶଗାନ କରି ଅବୁଲ ଫଜଲ 'ଆଇନ-ଏ-ଅକବରୀ' ରେ କହିଛନ୍ତି - "ଏପରିକି ସେହି ବ୍ୟକ୍ତିମାନେ ଯେଉଁମାନଙ୍କର ବିଚାରଧାରା ସମାଲୋଚନାତ୍ମକ ଏବଂ ଯେଉଁମାନଙ୍କୁ ସନ୍ତୁଷ୍ଟ କରିବା ଅତ୍ୟନ୍ତ କଷ୍ଟସାପେକ୍ଷ, ସେମାନେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଆନ୍ତି ।"

ବଲ୍ଖ ଦେଶର ପରିବ୍ରାଜକ ମାହମୁଦ-ବିନ୍-ଅମୀରୱାଲୀ ତାଙ୍କର ଭ୍ରମଣ ବୃତ୍ତାନ୍ତ 'ବାହର-ଅଲ୍-ଅସ୍ରାର୍' ରେ କୋଣାର୍କ ମନ୍ଦିର ସମ୍ବନ୍ଧରେ ଉଲ୍ଲେଖ କରି କହିଛନ୍ତି ଯେ - "ଏହାର ଉଚ୍ଚତା ଏତେ ଅଧିକ ଯେ ଏକଦା ଜନୈକ ମୋଗଲ ଯେକି ନିଜର ଶାରୀରିକ ଶକ୍ତି ତଥା ଶସ୍ତ୍ରନୈପୁଣ୍ୟ ପାଇଁ ପ୍ରସିଦ୍ଧ ଥିଲେ, ସେ ଏହାର ଚୁଡାକୁ ଲକ୍ଷ୍ୟ କରି ତୀର ମାରିବାକୁ ଚେଷ୍ଟା କରିଥିଲେ; ମାତ୍ର ତୀରଟି ମନ୍ଦିରର ଅର୍ଦ୍ଧେକ ଉଚ୍ଚତାକୁ ମଧ୍ୟ ଅତିକ୍ରମ କରିପାରିନଥିଲା ।"

ମାତ୍ର ଆଜି କୋଣାର୍କର ସେହି ସୁର୍ଯ୍ୟ ମନ୍ଦିର କେବଳ ଏକ ଧ୍ବଂସସ୍ତୁପରେ ପରିବର୍ତ୍ତିତ । ନା ଅଛି ତାର ସେହି ନଭଶ୍ଚୁମ୍ବୀ ଗର୍ଭଗୃହ, ନା ଆଶ୍ଚର୍ଯ୍ୟ ଚକିତ କରୁଥିବା ଶିଳ୍ପୀମାନଙ୍କ ଦ୍ୱାରା ସଦ୍ୟ ପ୍ରସ୍ଫୁଟିତ ବିବିଧ ମୂର୍ତ୍ତିମାନଙ୍କର କଳା କମଳ ମାନ । କିନ୍ତୁ ଏବେ ମଧ୍ୟ ତାହାର ଭଗ୍ନ ମୂର୍ତ୍ତିଗୁଡିକର କମନୀୟ ଓ କାଳଜୟୀ ଭାସ୍କର୍ଯ୍ୟ ଦର୍ଶକମାନଙ୍କୁ ଆଚମ୍ବିତ କରିଥାଏ । ସେଥିପାଇଁ ଯଥାର୍ଥରେ କବିଗୁରୁ ରବୀନ୍ଦ୍ର ନାଥ ଠାକୁର ଏହାର ପ୍ରଶଂସାରେ ଶତମୁଖ ହୋଇ କହିଥିଲେ ଯେ - "....ଏଠାରେ ପାଷାଣର ଭାଷା ମନୁଷ୍ୟର ଭାଷାକୁ ମଧ୍ୟ ଅତିକ୍ରାନ୍ତ କରିଛି ।"

କୋଣାର୍କ ମନ୍ଦିରର ଯେଉଁ କେତୋଟି ମୂର୍ତ୍ତି, କାଳ ତଥା ବିଧର୍ମୀ ଶତ୍ରୁ ମାନଙ୍କର ଗ୍ରାସ ଦ୍ୱାରା ସମ୍ପୂର୍ଣ୍ଣ କବଳିତ ନ ହୋଇ ଆଜି ମଧ୍ୟ ସର୍ବୋତ୍ତମ କଳା ଓ ଭାସ୍କର୍ଯ୍ୟର ସ୍ଵାକ୍ଷର ବହନ କରିଥାଏ, ତନ୍ମଧ୍ୟରୁ ସୁର୍ଯ୍ୟଦେବଙ୍କର ଖଣ୍ଡିତ ପାର୍ଶ୍ଵଦେବତା ମୂର୍ତ୍ତି ତ୍ରୟ ଅନ୍ୟତମ । ତେବେ ଏହି ମୂର୍ତ୍ତି ତ୍ରୟର ମୂର୍ତ୍ତି ତତ୍ତ୍ୱ କଣ ଓ ଏଗୁଡିକର କି ତାତ୍ପର୍ଯ୍ୟ ରହିଛି, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।


ଅଧିକାଂଶ ଭାରତୀୟ ମନ୍ଦିର ଗୁଡିକ ପରି ଉତ୍କଳୀୟ ମନ୍ଦିର ମାନଙ୍କରେ ମୁଖ୍ୟ ମନ୍ଦିର ବା ଗର୍ଭଗୃହର ତିନି ପାର୍ଶ୍ୱରେ ସାଧାରଣତଃ ତିନୋଟି ପାର୍ଶ୍ୱଦେବତାଙ୍କ ମୂର୍ତ୍ତି ଦୃଷ୍ଟିଗୋଚର ହୋଇଥାଏ । ଏହି ମୂର୍ତ୍ତିଗୁଡିକ ମୁଖ୍ୟ ଦେବତାଙ୍କ ରୂପ, କିମ୍ବା ତାଙ୍କର ପରିବାର ବର୍ଗଙ୍କର କିମ୍ବା ତାଙ୍କର ଅନୁଚରଙ୍କ ହୋଇଥାଏ । ଯେହେତୁ ଗର୍ଭଗୃହରେ ମୁଖ୍ୟ ଦେଵତା ବା ଦେବୀଙ୍କ ସହିତ ଏହି ମୂର୍ତ୍ତିଗୁଡିକର ସ୍ଥାପନା ସବୁ ସମୟରେ ସମ୍ଭବ ହୋଇନଥାଏ, ତେଣୁ ପାର୍ଶ୍ୱଦେବତା ରୂପେ ଏମାନଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଇଥାଏ । ଆଉ ମଧ୍ୟ ବୃହଦାକାୟ ମନ୍ଦିର ମାନଙ୍କରେ ଯେପରିକି ଜଗନ୍ନାଥ ମନ୍ଦିର କିମ୍ବା ଲିଙ୍ଗରାଜ ମନ୍ଦିରରେ ଏହି ପାର୍ଶ୍ୱଦେବତା ମାନଙ୍କୁ ଗୋଟିଏ ଗୋଟିଏ ଛୋଟ ମନ୍ଦିରରେ ସ୍ଥାପନ କରାଯାଇଥାଏ ଯାହାଦ୍ୱାରା କି ମୁଖ୍ୟ ମନ୍ଦିରକୁ ସ୍ଥିରତା ମିଳିଥାଏ । ଯେହେତୁ କୋଣାର୍କର ସୂର୍ଯ୍ୟ ମନ୍ଦିର ସେ ସମୟର ସବୁଠାରୁ ବିଶାଳ ମନ୍ଦିର ଥିଲା, ତେଣୁ ତାହାର ମୁଖ୍ୟ ସ୍ଥାପତ୍ୟର ସ୍ଥିରତା ନିମିତ୍ତ ସୁର୍ଯ୍ୟ ଦେବଙ୍କର ଏହି ପାର୍ଶ୍ୱ ଦେବତା ମୂର୍ତ୍ତିତ୍ରୟଙ୍କୁ ତିନୋଟି ଛୋଟ ମନ୍ଦିରରେ ସ୍ଥାପନ କରାଯାଇଥିଲା । ତେବେ ଏହି ପାର୍ଶ୍ୱଦେବତାଙ୍କ ମୂର୍ତ୍ତି ଚୟନରେ ବର୍ତ୍ତମାନ ପରିଦୃଷ୍ଟ ସୁର୍ଯ୍ୟମୂର୍ତ୍ତିଙ୍କୁ କାହିଁକି ଚୟନ କରାଗଲା, ସେ ସମୀକରଣ ସମ୍ବନ୍ଧରେ ଆସନ୍ତୁ ଆଲୋଚନା କରିବା ।

କୋଣାର୍କର ସୁର୍ଯ୍ୟ ମନ୍ଦିର ସେତେବେଳର ପ୍ରଚଳିତ ଅନ୍ୟ ଦେବାଦେବୀଙ୍କର ମନ୍ଦିର ଗୁଡିକ ଠାରୁ ଟିକିଏ ଭିନ୍ନ ଏବଂ ସ୍ୱତନ୍ତ୍ର ହୋଇଥିବା ଯୋଗୁଁ ଏହାର ପାର୍ଶ୍ୱଦେବତା ଚୟନରେ ପର୍ଯ୍ୟାପ୍ତ ଗବେଷଣା ଓ ମାନସ ମନ୍ଥନ ହୋଇଥିବା ସ୍ଵାଭାବିକ । ପାର୍ଶ୍ୱ ଦେବାଦେବୀଙ୍କର ଚୟନ ପ୍ରକ୍ରିୟା ନିମ୍ନରେ ପ୍ରଦତ୍ତ ସମୀକରଣ ଅନୁସାରେ ହୋଇଥାଇପାରେ ।

ଲୋକପ୍ରିୟ କିମ୍ବଦନ୍ତୀ ଅନୁସାରେ ସୁର୍ଯ୍ୟଙ୍କର ପରିବାର ବର୍ଗ ମଧ୍ୟରେ ଅନ୍ୟତମ ହେଉଛନ୍ତି ତାଙ୍କର ଦୁଇ ପତ୍ନୀ ଛାୟା ଓ ସଂଜ୍ଞା ଦେବୀ ତଥା ସନ୍ତାନ ଗଣ - ଯମ, ଯମୀ, ଶନି ଇତ୍ୟାଦି । ଶନି ଯେହେତୁ ନବଗ୍ରହରେ ସ୍ଥାପିତ ଓ ଯମ ଅଷ୍ଟ ଦିଗପାଳରେ ସ୍ଥାପିତ, ତେଣୁ ସେମାନଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାର୍ଶ୍ୱଦେବତା ରୂପେ ସ୍ଥାପନ କରିବାଟା ଅସମୀଚୀନ ମନେ ହୋଇଥିବ । ଯମୀ ଏବଂ ସୁର୍ଯ୍ୟଙ୍କର ଅନ୍ୟାନ୍ୟ ସନ୍ତାନ ମାନେ (ଵୈବସ୍ବତ ମନୁ, ସାଵର୍ଣ୍ଣି ମନୁ, ରେଵନ୍ତ, ଅଶ୍ୱିନୀ କୁମାର ଦ୍ବୟ, ତାପ୍ତୀ, ବିଷ୍ଟି ଆଦି) ମଧ୍ୟ ଭାରତୀୟ ମୂର୍ତ୍ତି ଉପାସନାରେ ଅଗ୍ରପୂଜ୍ୟ ବା ଅଗ୍ରପୂଜ୍ୟା ଦେବାଦେବୀ ନୁହଁନ୍ତି ଯେଉଁମାନଙ୍କୁ କି ପାର୍ଶ୍ୱ ଦେବତା ମୂର୍ତ୍ତି ରୂପେ ସ୍ଥାପନ କରିବାର ବିଚାର ମନମଧ୍ୟରେ ନିଆଯାଇପାରେ ।  ଯଦି ସୂର୍ଯ୍ୟଙ୍କର ଦୁଇ ପତ୍ନୀଙ୍କୁ ପାର୍ଶ୍ୱଦେବୀ ରୂପେ ଚୟନ କରାଯିବାର ବିଚାର ମନକୁ ଆସିଥାନ୍ତା, ତେବେ ସେମାନଙ୍କ ସହିତ ତୃତୀୟ ପାର୍ଶ୍ୱ ଦେବତା ମୂର୍ତ୍ତି ରୂପେ ସୁର୍ଯ୍ୟଙ୍କର ଅନ୍ୟ କୌଣସି ସନ୍ତାନ ସନ୍ତତିଙ୍କୁ ଚୟନ କରିବାଟା ହୁଏତ ସର୍ବାଦୃତ ହୋଇପାରିନଥାନ୍ତା, କାରଣ ସେହି ସନ୍ତାନ ତାଙ୍କର ଉଭୟ ପତ୍ନୀଙ୍କୁ ପ୍ରତିନିଧିତ୍ୱ କରିପାରିନଥାନ୍ତେ । ବାକି ଅନୁଚରଙ୍କ ନାମ କହିଲେ ମୁଖ୍ୟତଃ ସୁର୍ଯ୍ୟଙ୍କର ସାରଥୀ ଅରୁଣ ଆସିଥାନ୍ତେ, ମାତ୍ର ତାଙ୍କର ଉପସ୍ଥିତି ବିଷ୍ଣୁଙ୍କ ସମ୍ମୁଖରେ ଗରୁଡ଼ ରହିବା ଭଳି କିମ୍ବା ଶିବଙ୍କ ସମ୍ମୁଖରେ ବୃଷଭ ନନ୍ଦୀ ରହିବା ଭଳି କୋଣାର୍କ ମନ୍ଦିର ସମ୍ମୁଖରେ ରହିବା ଅଧିକ ପ୍ରୟୋଜନୀୟ ଥିଲା ଓ ତାଙ୍କୁ ଅରୁଣ ସ୍ତମ୍ଭ ରୂପେ ସୁର୍ଯ୍ୟ ମନ୍ଦିର ସମ୍ମୁଖରେ ସେତେବେଳେ ସ୍ଥାନିତ କରାଯାଇଥିଲା । ତେଣୁ ଶେଷରେ ଏହି ନିଷ୍ପତ୍ତି ହୁଏତ ଗୃହୀତ ହୋଇଥିଲା ଯେ ପାର୍ଶ୍ୱଦେବତା ରୂପେ ସୁର୍ଯ୍ୟଙ୍କର ମୂର୍ତ୍ତିଙ୍କୁ ହିଁ ମୁଖ୍ୟ ମୂର୍ତ୍ତି ରୂପେ ଚୟନ କରାଯିବ ଓ ତତ୍ସହିତ ତାଙ୍କର ପରିବାର ବର୍ଗ ଓ ଅନୁଚରଙ୍କୁ ମଧ୍ୟ ସହସ୍ଥାନିତ କରାଯିବ, ଯାହାଦ୍ୱାରା କି ଭବିଷ୍ୟତରେ ଏହି ମୂର୍ତ୍ତି ଗୁଡିକ ସମ୍ବନ୍ଧୀୟ କୌଣସି ବିବାଦ ଉପୁଜିବ ନାହିଁ । ଏବେ ଆସନ୍ତୁ ଆଲୋଚନା କରିବା ସୁର୍ଯ୍ୟଙ୍କର ପାର୍ଶ୍ୱଦେବତା ରୂପେ କେଉଁ ମୂର୍ତ୍ତି ଗୁଡ଼ିକର ଚୟନ କରାଗଲା ଓ ତା ପଛରେ କି ଭିତ୍ତିଭୂମି ରହିଥିଲା ।

ପାର୍ଶ୍ୱଦେବତା ରୂପେ ସୁର୍ଯ୍ୟ ମୂର୍ତ୍ତିର ଚୟନ ସେତେବେଳର ଶିଳ୍ପ ଶାସ୍ତ୍ର ତଥା ପୁରାଣ ଉପରେ ଆଧାରିତ ହୋଇଥିବା ସ୍ଵାଭାବିକ ଯେହେତୁ କୋଣାର୍କ ଏକ ପ୍ରସିଦ୍ଧ ପୌରାଣିକ ତୀର୍ଥ ଥିଲା । ସେ ସମୟରେ ବରାହମିହିରଙ୍କ ରଚିତ 'ବୃହତ ସଂହିତା' ରେ ଦେବ ମୂର୍ତ୍ତି ନିର୍ମାଣରେ ଅନୁକରଣୀୟ ଲକ୍ଷଣ ମାନ ବିଶଦ ଆକାରରେ ବର୍ଣ୍ଣିତ ଥିଲା ଯାହାକୁକି ଏହି ସୁର୍ଯ୍ୟ ମୂର୍ତ୍ତି ଗୁଡିକର ନିର୍ମାଣ ସମୟରେ ବିଚାରକୁ ନିଆଯାଇଥାଇପାରେ । ଏହି ସଂହିତା ଅନୁଯାୟୀ ସୁର୍ଯ୍ୟ ମୂର୍ତ୍ତିର ଲକ୍ଷଣ ନିମ୍ନ ପ୍ରକାର ହେବା ଉଚିତ ।

"ସୁର୍ଯ୍ୟଙ୍କର ପ୍ରତିମାର ନାସା, ଲଲାଟ, ଜଂଘ, ଗୋଡ଼ର ନିମ୍ନାଂଶ, ଗଣ୍ଡ ଦେଶ ଓ ବକ୍ଷ ପ୍ରଦେଶ ଉନ୍ନତ ହେବା ଉଚିତ। ପ୍ରତିମାକୁ ଅଳଙ୍କୃତ କରିବା ସମୟରେ ଉଦିଚ୍ୟ ବେଶ ବା ଉତ୍ତର ଦେଶୀୟ ବେଶର ଶୈଳୀକୁ ଅନୁକରଣ କରିବା ଆବଶ୍ୟକ। ପ୍ରତିମାର ବକ୍ଷ ଠାରୁ ପାଦ ପର୍ଯ୍ୟନ୍ତ ସ୍ଥାନ ଆବୃତ ରହିବା ଉଚିତ। ସୂର୍ଯ୍ୟଙ୍କର ପ୍ରତିମା ଉଭୟ ହାତରେ ପଦ୍ମ ଧାରଣ କରିବା ଆବଶ୍ୟକ। ସେ ମଧ୍ୟ ମୁକୁଟ, କୁଣ୍ଡଳ ଓ ହାର ଦ୍ୱାରା ସଜ୍ଜିତ ହୋଇ ଦେବତା ମାନଙ୍କ ଦ୍ଵାରା ପରିବେଷ୍ଟିତ ହେବା ଉଚିତ। ତାଙ୍କ ମୁଖ, ପଦ୍ମ ପରି ଉଜ୍ଜ୍ୱଳ ହେବା ଆବଶ୍ୟକ ତଥା ତାଙ୍କ ଶରୀର ସିଲାଇ ହୋଇଥିବା ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହେବା ଉଚିତ। ତାଙ୍କ ମୁଖ ପ୍ରସନ୍ନଚିତ୍ତ ଓ ସ୍ମିତହାସ୍ୟଯୁକ୍ତ ହେବା ଆବଶ୍ୟକ ତଥା ରତ୍ନମାନଙ୍କର ପ୍ରଭାରେ ତାଙ୍କ ମୂର୍ତ୍ତି ଉଦ୍ଭାସିତ ହେବା ଆବଶ୍ୟକ।"

ଉପରୋକ୍ତ ବର୍ଣ୍ଣନାର ପ୍ରଭାବ ହୁଏତ କୋଣାର୍କର ପାର୍ଶ୍ୱ ସୁର୍ଯ୍ୟମୂର୍ତ୍ତି ତ୍ରୟର ନିର୍ମାଣରେ ପଡ଼ିଥାଇପାରେ କାରଣ ଏହି ମୂର୍ତ୍ତି ଗୁଡିକ ପାଦରେ ପାଦୁକା ଧାରଣ କରିଥିବାର ଦେଖାଯାଏ ଯାହାକି ଉଦିଚ୍ୟ ବେଶ ବା ଉତ୍ତର ଦେଶୀୟ ବେଶର ଶୈଳୀକୁ ପ୍ରତିନିଧିତ୍ୱ କରିଥାଏ । ତେବେ କେବଳ ଉପରୋକ୍ତ ବର୍ଣ୍ଣନା ଅନୁଯାୟୀ ସୁର୍ଯ୍ୟ ମୂର୍ତ୍ତି ଗୁଡ଼ିକର ନିର୍ମାଣ କରିବାର ବିଚାର ହୁଏତ ସେତେବେଳେ ଗୃହୀତ ନହୋଇଥାଇପାରେ, କାରଣ କୋଣାର୍କ ମନ୍ଦିରର ପରିକଳ୍ପନାରେ ସେତେବେଳେ ଅନେକ ପରୀକ୍ଷା ନିରୀକ୍ଷା କରାଯାଇ ସମସ୍ତ ଉପଲବ୍ଧ ଚିନ୍ତାଧାରା ତଥା ଶାସ୍ତ୍ର ଆଧାରିତ ସିଦ୍ଧାନ୍ତ ଗୁଡିକର ଏକ ସମନ୍ୱୟାତ୍ମକ ଦୃଷ୍ଟିକୋଣ ଗ୍ରହଣ କରାଯାଇଥିଲା । ତେଣୁ ଏ ଦିଗରୁ ବିଚାର କଲେ ସୁର୍ଯ୍ୟ ମୂର୍ତ୍ତି ଗୁଡିକର ନିର୍ମାଣରେ କେବଳ ଶିଳ୍ପଶାସ୍ତ୍ର ବ୍ୟତୀତ ପୌରାଣିକ ମୂର୍ତ୍ତି ତତ୍ତ୍ୱର ବର୍ଣ୍ଣନାକୁ ମଧ୍ୟ ଅନୁକରଣ କରାଯାଇଥିବା ସ୍ୱାଭାବିକ ମନେହୁଏ ଯାହାକି ପରବର୍ତ୍ତୀ ଆଲୋଚନାର ବିଷୟବସ୍ତୁ ।

ମୂର୍ତ୍ତି ତତ୍ତ୍ୱର ବର୍ଣ୍ଣନା ଯଦିଓ ଅନେକ ପୁରାଣରେ ବର୍ଣ୍ଣିତ, ତେବେ ଏହା ବିଶଦ ଭାବରେ ମତ୍ସ୍ୟ ପୁରାଣ ଓ ଅଗ୍ନି ପୁରାଣରେ ବର୍ଣ୍ଣିତ ହୋଇଛି ଯାହାକୁକି କୋଣାର୍କର ପାର୍ଶ୍ୱଦେବତା ମୂର୍ତ୍ତି ଗୁଡିକର ନିର୍ମାଣ ସମୟରେ ସେତେବେଳେ ଅନୁକରଣ କରାଯାଇଥାଇପାରେ ।

ମତ୍ସ୍ୟ ପୁରାଣର ବର୍ଣ୍ଣନା ଅନୁଯାୟୀ ସୁର୍ଯ୍ୟ ମୂର୍ତ୍ତିର ଲକ୍ଷଣ ଏହି ପ୍ରକାରର । "ଭଗବାନ ସୁର୍ଯ୍ୟଙ୍କୁ ରଥ ଉପରେ ସ୍ଥିତ, ସୁନ୍ଦର ନେତ୍ର ଦ୍ୱାରା ସୁଶୋଭିତ ତଥା ଉଭୟ ହସ୍ତରେ କମଳ ଧରିଥିବା ଭଙ୍ଗୀରେ ନିର୍ମାଣ କରାଯିବା ଉଚିତ । ତାଙ୍କର ରଥରେ ସପ୍ତ ଅଶ୍ୱ ତଥା ଗୋଟିଏ ଚକ ରଖାଯିବା ଉଚିତ । ତାଙ୍କୁ ବିଚିତ୍ର ମୁକୁଟଧାରୀ ତଥା କମଳର ମଧ୍ୟବର୍ତ୍ତୀ ଭାଗ ସଦୃଶ ଲାଲ ବର୍ଣ୍ଣରେ ଚିତ୍ରଣ କରାଯିବା ଆବଶ୍ୟକ । ସେ ବିବିଧ ଆଭୂଷଣରେ ବିଭୂଷିତ ହୋଇ ଦୁଇଟି ହସ୍ତରେ କମଳ ଧରିଥିବା ଆବଶ୍ୟକ ଏବଂ ସେହି କମଳ ଦ୍ୱୟ ସଦା ଲୀଳା ପୂର୍ବକ ତାଙ୍କର ସ୍କନ୍ଧଦେଶ ପର୍ଯ୍ୟନ୍ତ ଉତ୍ଥିତ ହୋଇଥିବା ବିଧେୟ । ତାଙ୍କର ସ୍ୱରୂପ ବିଶେଷ କରି ପଦ ଦ୍ୱୟ ବସ୍ତ୍ର ଦ୍ୱାରା ଆବୃତ ହେବା ଆବଶ୍ୟକ । ତାଙ୍କ ଦୁଇ ଚରଣ ତେଜ ଦ୍ୱାରା ଆବୃତ ହେବା ଉଚିତ । ମୂର୍ତ୍ତିର ଦୁଇ ପାର୍ଶ୍ଵରେ ଦଣ୍ଡୀ ଓ ପିଙ୍ଗଳ ନାମକ ଦୁଇ ପ୍ରତିହାରୀଙ୍କୁ ରଖିବା ଉଚିତ ଯେଉଁମାନଙ୍କ ହାତରେ ଖଡ୍ଗ ଥିବ । ସେମାନଙ୍କ ପାର୍ଶ୍ୱରେ ଏକ ହସ୍ତରେ ଲେଖନୀ ଧରିଥିବା ଅବିନାଶୀ ଧାତା ଙ୍କର ମୂର୍ତ୍ତି ରହିବା ଉଚିତ । ଭଗବାନ ସୁର୍ଯ୍ୟ ଅନେକ ଦେବଗଣଯୁକ୍ତ ହୋଇଥିବା ଆବଶ୍ୟକ । ଏହି ପ୍ରକାରରେ ଭଗବାନ ସୁର୍ଯ୍ୟଙ୍କର ପ୍ରତିମା ନିର୍ମାଣ କରିବା ଉଚିତ । ସୁର୍ଯ୍ୟଦେବଙ୍କର ସାରଥୀ ଅରୁଣ ଅଟନ୍ତି ଯେକି କମଳ ଦଳ ସଦୃଶ ଲାଲ ବର୍ଣ୍ଣର । ତାଙ୍କର ଉଭୟ ପାର୍ଶ୍ୱରେ ଗତିମାନ ତଥା ଦୀର୍ଘ ଗ୍ରୀବାଯୁକ୍ତ ଅଶ୍ୱ ରହିଥିବା ଆବଶ୍ୟକ । ସେହି ସପ୍ତ ଅଶ୍ଵଙ୍କୁ ସର୍ପର ରଜ୍ଜୁ ଦ୍ୱାରା ବନ୍ଧନ କରି ଲଗାମଯୁକ୍ତ କରିବା ଆବଶ୍ୟକ । ସୁର୍ଯ୍ୟ ମୂର୍ତ୍ତିଙ୍କୁ ହସ୍ତରେ କମଳ ଧରି, କମଳ କିମ୍ବା ବାହନ ଉପରେ ଅବସ୍ଥାପିତ କରାଯିବା ଆବଶ୍ୟକ ।"

ମତ୍ସ୍ୟ ପୁରାଣର ଉପରୋକ୍ତ ବର୍ଣ୍ଣନା ଅନୁଯାୟୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱସ୍ଥ ପାର୍ଶ୍ୱଦେବତା ଦ୍ୱୟ ନିର୍ମିତ ହୋଇଥିବାର ଅନୁମାନ କରାଯାଏ । ଏ ମୂର୍ତ୍ତି ଦ୍ବୟର କଟି ଦେଶର ଉଭୟ ପାର୍ଶ୍ୱରେ ଦୁଇ ଦୁଇଟି କରି ଚାରି ଗୋଟି ସ୍ତ୍ରୀ ମୂର୍ତ୍ତି ରହିଛନ୍ତି ଯେଉଁମାନଙ୍କ ପରିଚୟ ନେଇ ମତଭେଦ ରହିଛି । ମତ୍ସ୍ୟ ପୁରାଣ ଅନୁସାରେ ଏମାନେ ହୁଏତ ସୁର୍ଯ୍ୟଙ୍କର ଚାରି ପତ୍ନୀ - ରଜନୀ, ସୁବର୍ଣ୍ଣା, ଛାୟା ଓ ଶୁଭ୍ରାକାଶା । ଏମାନେ ମଧ୍ୟ ସୁର୍ଯ୍ୟଙ୍କର ଦୁଇ ପତ୍ନୀ ଛାୟା ଓ ସଂଜ୍ଞା ତଥା ଦୁଇ କନ୍ୟା ତାପ୍ତୀ, ବିଷ୍ଟି କିମ୍ବା ମତାନ୍ତରରେ ସାବିତ୍ରୀ ଓ ଗାୟତ୍ରୀ ହୋଇଥାଇପାରନ୍ତି । ସୁର୍ଯ୍ୟଙ୍କର ପାଦର ଉଭୟ ପାର୍ଶ୍ୱରେ କୋଣାର୍କ ମନ୍ଦିରର ନିର୍ମାତା ରାଜା ନରସିଂହ ଦେବ ଓ ତାଙ୍କର ଗୁରୁ ଯୋଡହସ୍ତ ମୁଦ୍ରାରେ ବିରାଜମାନ । ସେମାନଙ୍କ ପଛରେ ରହିଛନ୍ତି ସୁର୍ଯ୍ୟଙ୍କର ଅନୁଚର ଦଣ୍ଡୀ ଓ ପିଙ୍ଗଳ । ଏମାନଙ୍କ ସହିତ ଆହୁରି ମଧ୍ୟ ଅଛନ୍ତି ଉଷା ଓ ପ୍ରତ୍ୟୁଷ ଯେଉଁମାନେ କି ତୀର ଦ୍ବାରା ଅନ୍ଧକାର ଛିନ୍ନ କରି ଆଲୋକର ଆବାହନ କରୁଛନ୍ତି । ଏତଦ୍ବ୍ୟତୀତ ସୁର୍ଯ୍ୟଙ୍କର ମସ୍ତକ ପଛପଟେ ନୃତ୍ୟବାଦ ରତ କିନ୍ନର କିନ୍ନରୀ, ଦେବାଦେବୀ ଗଣ ତଥା ପୁଷ୍ପମାଲ୍ୟଧାରୀ ବିଦ୍ୟାଧର ଦ୍ୱୟ ମଧ୍ୟ ଉପସ୍ଥିତ । ସୁର୍ଯ୍ୟଙ୍କର ପାଦ ତଳେ ଶୋଭା ପାଉଛନ୍ତି ସାରଥୀ ଅରୁଣ ଯେକି ସପ୍ତାଶ୍ୱଙ୍କୁ ନିୟନ୍ତ୍ରଣ କରୁଛନ୍ତି । ଏହି ସୁର୍ଯ୍ୟ ମୂର୍ତ୍ତି ଦ୍ୱୟରେ କେବଳ ଗୋଟିଏ ମାତ୍ର ଭିନ୍ନତା, ତାହା ହେଲା ଦକ୍ଷିଣ ସୁର୍ଯ୍ୟଙ୍କର ମୁକୁଟ ଖୁବ କ୍ଷୁଦ୍ର ହୋଇଥିବା ସ୍ଥଳେ ପଶ୍ଚିମ ସୁର୍ଯ୍ୟଙ୍କର ମୁକୁଟ ଅପେକ୍ଷାକୃତ ଦୀର୍ଘ । ସ୍ଥାନୀୟ ମତବାଦ ଅନୁସାରେ ଦକ୍ଷିଣ ସୁର୍ଯ୍ୟ ପ୍ରଭାତ ସୁର୍ଯ୍ୟଙ୍କର ପ୍ରତୀକ, ତେଣୁ ତାଙ୍କର ମୁକୁଟ କ୍ଷୁଦ୍ର ଏବଂ ପଶ୍ଚିମ ସୁର୍ଯ୍ୟ ମଧ୍ୟାହ୍ନ ସୁର୍ଯ୍ୟଙ୍କର ପ୍ରତୀକ, ତେଣୁ ତାଙ୍କର ମୁକୁଟ ଦୀର୍ଘ । ଦକ୍ଷିଣ ସୁର୍ଯ୍ୟଙ୍କର ମୁଖମଣ୍ଡଳ ପ୍ରଭାତର ରୂପକୁ ଦର୍ଶାଇବାକୁ ଯାଇ ବାଳସୁଲଭ ହୋଇଥିବା ସ୍ଥଳେ ପଶ୍ଚିମ ସୁର୍ଯ୍ୟଙ୍କର ମୁଖମଣ୍ଡଳ ମଧ୍ୟାହ୍ନର ରୂପକୁ ଦର୍ଶାଇବାକୁ ଯାଇ ଅପେକ୍ଷାକୃତ ଭାବେ ଗମ୍ଭୀର ଏବଂ ଯୁବସୁଲଭ ପ୍ରତୀୟମାନ ହୁଏ । ଏଥର ଆସନ୍ତୁ ଆଲୋଚନା କରିବା ଅନ୍ତିମ ପାର୍ଶ୍ୱ ସୁର୍ଯ୍ୟମୂର୍ତ୍ତି ସମ୍ବନ୍ଧରେ ଯାହାକି କୋଣାର୍କ ସୂର୍ଯ୍ୟ ମନ୍ଦିରର ଉତ୍ତର ଦିଗରେ ଅବସ୍ଥିତ ।

ଏହି ଉତ୍ତର ସୁର୍ଯ୍ୟ ମୂର୍ତ୍ତିଟିର ବେଶ, ପୋଷାକ ତଥା ଅନ୍ୟାନ୍ୟ ସହସ୍ଥାନିତ ମୂର୍ତ୍ତି ଗୁଡିକ ଦକ୍ଷିଣ ଓ ପଶ୍ଚିମ ସୁର୍ଯ୍ୟଙ୍କ ପରି, କିନ୍ତୁ ଏହି ମୂର୍ତ୍ତିଟି ଏକ ଅଶ୍ୱ ପୃଷ୍ଠରେ ବିରାଜିତ ଯାହାକି ଏକ ସୁର୍ଯ୍ୟ ମୂର୍ତ୍ତି କ୍ଷେତ୍ରରେ ଅତ୍ୟନ୍ତ ବିରଳ ଓ ବ୍ୟତିକ୍ରମ । ଆସନ୍ତୁ ଜାଣିବା ଏହାର କାରଣ କଣ ହୋଇପାରେ । ଏହି ମୂର୍ତ୍ତିଟିର ମୂର୍ତ୍ତିତତ୍ତ୍ୱ ଅଗ୍ନି ପୁରାଣରେ ବର୍ଣ୍ଣିତ ସୁର୍ଯ୍ୟ ମୂର୍ତ୍ତିର ଲକ୍ଷଣ ସହିତ ମେଳ ଖାଏ । ଅଗ୍ନି ପୁରାଣର ବର୍ଣ୍ଣନା ଅନୁଯାୟୀ ସୁର୍ଯ୍ୟ ମୂର୍ତ୍ତିର ନିର୍ମାଣରେ ସୁର୍ଯ୍ୟଙ୍କୁ ତାଙ୍କର ରାଣୀ ତଥା ପାର୍ଷଦଙ୍କ ସହିତ ଦର୍ଶାଇବା ଉଚିତ, କିମ୍ବା ଅଶ୍ୱ ଉପରେ ବିରାଜିତ ଏକମାତ୍ର ସୁର୍ଯ୍ୟଙ୍କର ମୂର୍ତ୍ତି ନିର୍ମାଣ କରିବା ଉଚିତ । ଯେହେତୁ କୋଣାର୍କ ମନ୍ଦିରର ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱସୁର୍ଯ୍ୟ ମୂର୍ତ୍ତିଦ୍ୱୟ ତାଙ୍କର ରାଣୀ ଓ ପାର୍ଷଦଙ୍କ ସହିତ ଦର୍ଶାଯାଇଛି, ତେଣୁ ହୁଏତ ଏହି ଉତ୍ତର ସୁର୍ଯ୍ୟ ମୂର୍ତ୍ତିଟି ବିଭିନ୍ନତା କିମ୍ବା ଶିଳ୍ପ କଳାଗତ ସମ୍ପୂର୍ଣ୍ଣତା ଆଣିବା ସକାଶେ ଅଶ୍ୱ ପୃଷ୍ଠରେ ବିରାଜିତ ଅବସ୍ଥାରେ ଦର୍ଶାଯାଇଛି । ସ୍ଥାନୀୟ ମତବାଦ ଅନୁସାରେ ଏହି ଉତ୍ତର ସୁର୍ଯ୍ୟ ମୂର୍ତ୍ତିଟି ଅସ୍ତାଚଳ ସୁର୍ଯ୍ୟର ପ୍ରତୀକ । ତେଣୁ ଏହାଙ୍କର ମୁଖମଣ୍ଡଳରେ କ୍ଳାନ୍ତ ଭାବ ଦେଖାଯାଇଥାଏ ସତେ ଯେପରି ସୁର୍ଯ୍ୟ ଦେବତା ସାରା ଦିନ ଯାତ୍ରା କରି କରି ସନ୍ଧ୍ୟା ସମୟରେ ପୁରାପୁରି କ୍ଲାନ୍ତ ହୋଇପଡିଛନ୍ତି ।

ତେବେ ମୂର୍ତ୍ତି ତତ୍ତ୍ୱ ସମ୍ବନ୍ଧୀୟ କାରଣ ଯାହାହେଉ ନା କାହିଁକି, କୋଣାର୍କ ମନ୍ଦିରର ଏହି ପାର୍ଶ୍ୱଦେବତା ସୁର୍ଯ୍ୟ ମୂର୍ତ୍ତି ତ୍ରୟ ଉତ୍କଳୀୟ କଳା ତଥା ସ୍ଥାପତ୍ୟର ଉତ୍କର୍ଷତାର ବାର୍ତ୍ତା ବହନ କରେ । ଅତ୍ୟନ୍ତ କଠିନ କଳା ମୁଗୁନି ପଥରରେ ନିର୍ମିତ ଏହି ମୂର୍ତ୍ତି ଗୁଡିକରେ ଅତି ସୁକ୍ଷ୍ମ ତାରକସି କାମ ସଦୃଶ ଏହାର କାରୁକାର୍ଯ୍ୟ ଗୁଡ଼ିକ ଆଜି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିଥାଏ । ମାତ୍ର ଦୁଃଖର ବିଷୟ ଯେ ବର୍ତ୍ତମାନ ସମୟରେ ଏହି ମୂର୍ତ୍ତି ଗୁଡିକୁ ଅତି ନିକଟରୁ ଦେଖିବା ଉପରେ ପ୍ରତ୍ନତତ୍ତ୍ୱ ବିଭାଗ ରୋକ୍ ଲଗାଇ ଦେଇଛି ସଂରକ୍ଷଣ ନାଁ ରେ । ତେଣୁ ଏଗୁଡିକର ଦର୍ଶନର ଆନନ୍ଦ ନେବା ଆଉ ଦର୍ଶକଙ୍କ ପକ୍ଷରେ ସମ୍ଭବପର ହେଉନାହିଁ । ଓଡ଼ିଶା ତଥା ଭାରତ ସରକାର ଦେଶ ବିଦେଶରୁ ଆସୁଥିବା ପରିଦର୍ଶକ ମାନଙ୍କ ଲାଭାର୍ଥେ ଏ ଦିଗରେ ଉଚିତ ପଦକ୍ଷେପ ନେଇ ଯଦି ପୁନଶ୍ଚ ଏ ମୂର୍ତ୍ତି ତ୍ରୟର ପ୍ରଦର୍ଶନର ବ୍ୟବସ୍ଥା ଅତି ନିକଟରୁ କରିପାରନ୍ତେ ତେବେ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି ହେବା ସହିତ ପ୍ରାଚୀନ କଳାର ପ୍ରଦର୍ଶନ ଦିଗରେ ଅଶେଷ ହିତ ସାଧିତ ହୋଇପାରନ୍ତା ।

ଜୟ ସୂର୍ଯ୍ୟଦେବ ! ଜୟ କଳା !

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)