"ରସୁଣ" ନାମର ତାତ୍ପର୍ଯ୍ୟ

ଭାରତୀୟ ତଥା ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତିରେ ପିଆଜ ଓ ରସୁଣର ବିଶେଷ ମହତ୍ତ୍ୱ ରହିଛି, ଖାଦ୍ୟକୁ ରୁଚିକର କରିବା ନିମନ୍ତେ । ତେବେ "ରସୁଣ" ନାମଟିର ନାମକରଣ ଏପରି କାହିଁକି ହୋଇଛି, ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଆୟୁର୍ବେଦ ଶାସ୍ତ୍ର ମତରେ, ପ୍ରତ୍ୟେକ ପଦାର୍ଥର ଏକରୁ ଆରମ୍ଭ କରି ଛଅ ଗୋଟି ପର୍ଯ୍ୟନ୍ତ ରସ (taste) ରହିଛି । ଯଥା - ମଧୁର ବା ମିଠା (sweet), ଅମ୍ଳ ବା ଖଟା (sour), ଲବଣ ବା ଲୁଣିଆ (salty), କଟୁ ବା ରାଗ (pungent), ତିକ୍ତ ବା ପିତା (bitter) ଓ କଷାୟ ବା କଷା (astringent) । ପ୍ରତ୍ୟେକ ପଦାର୍ଥ ଏକ ବା ଏକାଧିକ ରସଯୁକ୍ତ ହୋଇଥାଏ ।

ତେବେ ରସୁଣ ନିକଟରେ ପାଞ୍ଚ ଗୋଟି ରସ ଥିବାରୁ (ଅମ୍ଳ ବର୍ଜିତ ପଞ୍ଚ ରସ) ବା ଅନ୍ୟ ଅର୍ଥରେ ଏହା ନିକଟରେ ଗୋଟିଏ ରସ କମ ଥିବାରୁ ଏହାକୁ ସଂସ୍କୃତରେ ରସୋନ (ରସେନ ଊନଃ) ବୋଲି କୁହାଯାଏ । ଓଡ଼ିଆରେ ବ୍ୟବହୃତ ହେଉଥିବା "ରସୁଣ" ଶବ୍ଦ ଏହି ସଂସ୍କୃତ ଶବ୍ଦ "ରସୋନ"ର ସମଧୃତ ।



ଆୟୁର୍ବେଦୀୟ ନିଘଣ୍ଟୁ ଗୁଡିକରେ ରସୁଣ ନିମିତ୍ତ "ଲଶୁନ" ଶବ୍ଦ ମଧ୍ୟ ବ୍ୟବହୃତ ହୋଇଥାଏ ଯାହାକି ମୁଖ୍ୟତଃ ରସୁଣର ଏକ ପ୍ରଜାତି ଭାବେ ବ୍ୟବହୃତ ହୋଇଛି । ଯଥା -

ଲଶୁନ - Allium sativum
ମହାକନ୍ଦ - Allium ascalonium Linn.

ରସୁଣର ଅନ୍ୟାନ୍ୟ ପର୍ଯ୍ୟାୟ ଗୁଡିକ ହେଲା -

ମ୍ଳେଚ୍ଛଗନ୍ଧା, ଉଗ୍ରଗନ୍ଧ - ତୀବ୍ର ଗନ୍ଧଯୁକ୍ତ ହୋଇଥିବାରୁ
ଯବନେଷ୍ଟ - ଯବନ ବା ପଶ୍ଚିମ ଦେଶର ଅଧିବାସୀ ମାନଙ୍କର ପ୍ରିୟ ହୋଇଥିବାରୁ
ମହୌଷଧ - ମହାନ ଔଷଧୀୟ ଗୁଣଯୁକ୍ତ ହୋଇଥିବାରୁ
ମହାକନ୍ଦ - ବିରାଟ କନ୍ଦଯୁକ୍ତ ହୋଇଥିବାରୁ
ଶୀତମର୍ଦ୍ଦକ - ଥଣ୍ଡା ରୋଗରେ ଉପକାରୀ ହୋଇଥିବାରୁ
ଦୀର୍ଘପତ୍ରକ - ଏହାର ପତ୍ର ଦୀର୍ଘ ହୋଇଥିବାରୁ
ବାତାରି - ବାତ ଦୋଷକୁ ନାଶ କରୁଥିବାରୁ

ରସୁଣ ଅନ୍ୟାନ୍ୟ ଭାରତୀୟ ଭାଷାରେ ନିମ୍ନୋକ୍ତ ନାମରେ ପରିଚିତ ।

ହିନ୍ଦୀ - ଲହସୁନ୍
କନ୍ନଡ଼ – ବେଲ୍ଲୁଳୀ
ତେଲୁଗୁ - ବେଲ୍ଲୁଲୀ
ତାମିଲ – ପୁଣ୍ଡୁ
ବଙ୍ଗଳା - ରୋଶୁନ୍
ମରାଠୀ - ଲଶୁନ୍
ଅହମିୟା – ନହୁରୁ
ମାଲୟଲମ୍ – ଭେଳୁତ୍ଥୁଳ୍ଳୀ
ଗୁଜରାଟୀ – ଲସନ୍
ପଞ୍ଜାବୀ – ଲଶଣ୍

ରସୁଣର ଉପରୋକ୍ତ ପ୍ରାଦେଶିକ ନାମ ଗୁଡିକୁ ଅନୁଶୀଳନ କଲେ ଜଣାଯାଏ ଯେ ଓଡ଼ିଆ ଶବ୍ଦ "ରସୁଣ", ସଂସ୍କୃତ ଶବ୍ଦ "ରସୋନ"ର ନିକଟତମ ସମଧୃତ ଶବ୍ଦ ଅଟେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଶବ୍ଦର ଉଚ୍ଚାରଣ ତଥା ଅର୍ଥ ଦୃଷ୍ଟିରୁ ଭାରତର ଅନ୍ୟାନ୍ୟ ପ୍ରାଦେଶିକ ଭାଷା ଗୁଡିକ ଠାରୁ ଓଡ଼ିଆ ଭାଷା ସଂସ୍କୃତର ନିକଟତମ ଏବଂ ଯଥେଷ୍ଟ ପ୍ରାଚୀନ ଓ ସମୃଦ୍ଧ ।

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)