ଗ୍ରାମୀଣ ରାସ୍ତାର ସେହି ଗ୍ରାମବାସୀ ଓ ଅନୁପ୍ରେରଣା

ଆପଣମାନେ ସମସ୍ତେ ଥରେ ଅଧେ କୌଣସି ଗ୍ରାମ ଆଡେ ବୁଲିବାକୁ ଯାଇଥିବେ କୌଣସି ନା କୌଣସି କାମରେ, ଏକ ଗ୍ରାମୀଣ ରାସ୍ତା ଦେଇ । ମନେ ପକାନ୍ତୁ ତ, ଯଦି ଆପଣ ନିଜର ସେହି ଗ୍ରାମୀଣ ଲକ୍ଷ୍ୟସ୍ଥଳୀ ସମ୍ପର୍କରେ ପୂର୍ଣ୍ଣ ରୂପେ ଅବଗତ ନଥିବେ, ତେବେ ଆପଣ ନିଶ୍ଚୟ ସେହି ରାସ୍ତାରେ ଯାଉଥିବା କୌଣସି ଗ୍ରାମବାସୀଙ୍କୁ ପଚାରିଥିବେ, "ଭାଇ, ଅମୁକ ଜାଗାଟି ଆଉ କେତେ ଦୂର ?" ଆପଣଙ୍କୁ ନିଶ୍ଚୟ ଏହିପରି ଏକ ଉତ୍ତର ମିଳିଥିବ - "ଆଉ ବେଶିଦୂର ନୁହେଁ, ଏଇ ଆଉ ଏକ କିଲୋମିଟର ହେବ ।"

ଆପଣ ପୁନଶ୍ଚ ଏକ କିଲୋମିଟର ବା ତାଠାରୁ ଅଧିକ ପଥ ଅତିକ୍ରମ କଲାପରେ ଯେତେବେଳେ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଉପସ୍ଥିତ ହୋଇନଥିବ, ଆପଣ ପୁଣିଥରେ କୌଣସି ଅଜଣା ଗ୍ରାମବାସୀଙ୍କୁ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆଉ କେତେଦୂର ବୋଲି ପଚାରିଥିବେ । ଏବଂ ଆପଣଙ୍କୁ ପୁଣିଥରେ ଉତ୍ତର ମିଳିଥିବ ଯେ - "ଆଉ ବେଶିଦୂର ନୁହେଁ, ଏଇ ଆଉ ଏକ କିଲୋମିଟର ହେବ ।"

ଏହିଭଳି ଦୁଇ ତିନିଥର ଉପରୋକ୍ତ ଘଟଣାର ପୁନରାବୃତ୍ତି ହେବା ପରେ ଆପଣ ଯେତେବେଳେ ଅତିଷ୍ଠ ହୋଇପଡିଥିବେ ଓ ସନ୍ଦେହରେ ପଡିଥିବେ ଯେ ଆପଣ ଠିକ ରାସ୍ତାରେ ଆସିଛନ୍ତି ତ ଓ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆଉ ବେଶୀ ଦୂର ନୁହେଁ ତ, ଠିକ ସେତିକିବେଳେ ଆପଣଙ୍କ ସମ୍ମୁଖରେ ଆପଣଙ୍କ ଲକ୍ଷ୍ୟସ୍ଥଳୀ ଆସି ଉପସ୍ଥିତ ହୋଇଯାଇଥିବ । ପରେ ଆପଣ ଭାବିଥିବେ ଯେ, ଯଦି ଆପଣଙ୍କ ଲକ୍ଷ୍ୟସ୍ଥଳୀଟି ପ୍ରକୃତରେ ୪-୫ କିଲୋମିଟର ଦୂର, ତେବେ କାହିଁକି ସେହି ଗ୍ରାମବାସୀମାନେ ଆପଣଙ୍କୁ ମିଛରେ ଆଉ ମାତ୍ର ଏକ କିଲୋମିଟର ଦୂର ବୋଲି କହିଥିଲେ ? କଣ ମିଳିଥାଏ ସେମାନଙ୍କୁ ଏପରି ମିଛ କହିବା ଦ୍ୱାରା ?

ଏହାର ଉତ୍ତର ହେଉଛି - ଯଦି ଆପଣଙ୍କୁ ସେହି ଗ୍ରାମବାସୀମାନେ ଆପଣଙ୍କ ଲକ୍ଷ୍ୟସ୍ଥଳୀର ଦୂରତା ସମ୍ବନ୍ଧରେ ସଠିକ ସୂଚନା ଦେଇଥାନ୍ତେ, ତେବେ ହୁଏତ ଆପଣ ନିଜ ଲକ୍ଷ୍ୟସ୍ଥଳୀକୁ ଅଧିକ ଦୂରତାରେ ଅବସ୍ଥିତ ଥିବା କାରଣରୁ ସେଠାକୁ ଯିବେ କି ନାହିଁ, ସେ ନେଇ ଦ୍ବନ୍ଦ୍ୱରେ ପଡ଼ିଥାନ୍ତେ । ତେଣୁ ଆପଣଙ୍କୁ ନିରୁତ୍ସାହିତ ନ କରିବା ପାଇଁ, ଆପଣ ସଠିକ ମାର୍ଗରେ ଯାଉଛନ୍ତି ବୋଲି ବିଶ୍ୱାସ ସୃଷ୍ଟି କରିବା ପାଇଁ ତଥା ଆପଣଙ୍କୁ ନିଜର ଲକ୍ଷ୍ୟସ୍ଥଳୀରେ ପହଞ୍ଚାଇବା ସୁନିଶ୍ଚିତ କରିବା ପାଇଁ ସେହି ଗ୍ରାମବାସୀମାନେ ଆପଣଙ୍କୁ ଏହିପରି କହିଥିଲେ ।

ବର୍ତ୍ତମାନ ଆସନ୍ତୁ ଜାଣିବା ଏଥିରୁ ଆମେ କି ଜୀବନ ଦର୍ଶନ ଓ ଅନୁପ୍ରେରଣା ପାଉଛେ । ଆମେ ସମସ୍ତେ ନିଜ ନିଜର ଜୀବନପଥରେ ଯାତ୍ରୀ । ଏବଂ ଆମେ କେହି ଜାଣିନାହେଁ ଯେ ଆମର ପରବର୍ତ୍ତୀ ଲକ୍ଷ୍ୟସ୍ଥଳୀ (ପାଠପଢା, ଜୀବିକା, ବିବାହ, ଦେଖୁଥିବା ସ୍ୱପ୍ନ ଆଦି) ଆଉ କେତେଦୂର । ଏବଂ ଆମେ ଯଦି କେତେବେଳେ ଆମ ଜୀବନପଥରେ ଭାରାକ୍ରାନ୍ତ ହୋଇ ବା ନିରାଶ ହୋଇ କୌଣସି ସହଯାତ୍ରୀଙ୍କୁ ଆମର ପରବର୍ତ୍ତୀ ଲକ୍ଷ୍ୟସ୍ଥଳୀ ଆଉ କେତେଦୂର ବୋଲି ପଚାରୁ ଓ ସେ ଯଦି ଆମକୁ ଏହା ଆହୁରି ଅନେକ ଦୂର ବୋଲି ଉତ୍ତର ଦିଅନ୍ତି, ତେବେ ଆମେ ଆହୁରି ଅଧିକ ନିରାଶ ହୋଇଯିବା ଓ ଭାଙ୍ଗିପଡିବା । ମାତ୍ର ସେ ଓ ଅନ୍ୟମାନେ ଯଦି ଏହା ଆଉ ଅଳ୍ପ ଦୂର ବୋଲି କହନ୍ତି, ତେବେ ଆମେ ଏହିପରି ଅଳ୍ପ ଅଳ୍ପ ଦୂର ଅତିକ୍ରମ କରି କରି ଶେଷରେ ନିଜର ଲକ୍ଷ୍ୟସ୍ଥଳୀରେ ପହଞ୍ଚିଯିବା । ଏହାହିଁ ସେହି ଗ୍ରାମବାସୀ ମାନଙ୍କର କଥାର ସାର ମର୍ମ ।

ତେଣୁ କେହି ଯଦି ଆପଣଙ୍କୁ ଏହି ଜୀବନପଥରେ କ୍ଲାନ୍ତ ହୋଇ ନିଜର ଲକ୍ଷ୍ୟସ୍ଥଳୀର ଦୂରତା ସମ୍ବନ୍ଧରେ ପଚାରନ୍ତି, ତାଙ୍କୁ କୁହନ୍ତୁ - "ଆଉ ବେଶିଦୂର ନୁହେଁ, ଏଇ ଆଉ ଏକ କିଲୋମିଟର ହେବ ।" ଏବଂ ମୁଁ ମଧ୍ୟ ଆପଣଙ୍କୁ କହୁଛି, "ଆପଣଙ୍କ ଜୀବନର ପରବର୍ତ୍ତୀ ଲକ୍ଷ୍ୟସ୍ଥଳୀ ଆଉ ବେଶିଦୂର ନୁହେଁ, ଏଇ ଆଉ ଏକ କିଲୋମିଟର ହେବ ।" ଏବଂ ମୁଁ ଜମାରୁ ମିଛ କହୁନାହିଁ ଆଜ୍ଞା, ନିଜର ଲକ୍ଷ୍ୟସ୍ଥଳୀରେ ପହଞ୍ଚିବା ପରେ ମୋତେ ମନେ ପକେଇବେ, ମୁଁ ସତ କହୁଥିଲି କି ମିଛ କହୁଥିଲି ।

ଜୟ ଜଗନ୍ନାଥ !

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)