ବୋଲ୍ ବମ୍ ଭକ୍ତ ଓ ପ୍ରକୃତ ଶିବ ଭକ୍ତି - ଏକ ସମୀକ୍ଷା

ଆଜିକାଲି ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ଆମେ ରାସ୍ତାଘାଟରେ ବୋଲ୍ ବମ୍ ଭକ୍ତଙ୍କୁ ଗେରୁଆ ବସ୍ତ୍ର ପିନ୍ଧି, କାନ୍ଧରେ ଏକ ଦଣ୍ଡାକୃତି ବାଡ଼ି (କାଁୱଡ଼) କାନ୍ଧେଇଥିବାର ଦେଖିଥାଉ ଯାହାର ଉଭୟ ପାର୍ଶ୍ୱରେ ରଜ୍ଜୁ ଦ୍ୱାରା ପ୍ଲାଷ୍ଟିକ, ମାଟି କିମ୍ବା ଧାତୁ ପାତ୍ର ଓହଳି ରହିଥାଏ ଯେଉଁଥିରେ କି ସେମାନେ ଭଗବାନ ଶିବଙ୍କୁ ପବିତ୍ର ଶ୍ରାବଣ ମାସର ସୋମବାରରେ ଅଭିଷେକ କରିବା ନିମିତ୍ତ ବିଭିନ୍ନ ପୁଣ୍ୟତୋୟା ନଦୀର ଜଳ ନେଇକରି ଖାଲି ପାଦରେ ଅଗ୍ରସର ହୋଇଥାନ୍ତି । ଆଉ ଏଥିପାଇଁ ସେମାନେ ମଧ୍ୟ ଅନେକ ନିଷ୍ଠା ତଥା ତପଶ୍ଚର୍ଯ୍ୟା କରିଥାନ୍ତି । ତେବେ ଉଦ୍ବେଗଜନକ ବିଷୟ ହେଉଛି ଯେ, ଆଜିକାଲି ସେମାନଙ୍କ ମଧ୍ୟରୁ ଅଧିକାଂଶ ଭକ୍ତ କେବଳ ବାହ୍ୟ ଆଡମ୍ବରରେ, ବିନା ଭକ୍ତିରେ, ନିଶା ଦ୍ରବ୍ୟ ସେବନ ଉଦ୍ଦେଶ୍ୟରେ ଏହି ଯାତ୍ରା କରିଥାନ୍ତି ଯାହାକି ଏହି ଯାତ୍ରାର ମହନୀୟତା ତଥା ଶାସ୍ତ୍ରୀୟତା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାଏ । କଣ ଉଦ୍ଦେଶ୍ୟ ଏହି ଯାତ୍ରାର, ଭଗବାନ ଶିବ କଣ ଏହି ଯାତ୍ରା ନିମିତ୍ତ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଶ୍ରାବଣ ମାସକୁ ଓ ଏହି ବୋଲ୍ ବମ୍ ଭକ୍ତଙ୍କୁ ଅନାଇ ରହିଥାନ୍ତି ? ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଏହି ବୋଲ୍ ବମ୍ ଯାତ୍ରା ବା କାଁୱଡ଼ ଯାତ୍ରା ମୁଖ୍ୟତଃ ଏକ ଉତ୍ତର ଭାରତୀୟ ପରମ୍ପରା ଯାହାକି ପରବର୍ତ୍ତୀ କାଳରେ ସମଗ୍ର ଦେଶରେ ଏକ ବିଶେଷ ଯାତ୍ରା ରୂପେ ପରିଗଣିତ ହେବାରେ ଲାଗିଛି । ପ୍ରଥମ ବୋଲ୍ ବମ୍ ଯାତ୍ରୀ ଭାବେ କେତେକ ପର୍ଶୁରାମଙ୍କୁ ମାନ୍ୟତା ଦେଉଥିବା ସମୟରେ ଅନ୍ୟ କେତେକ ଶ୍ରୀରାମ କିମ୍ବା ରାବଣ କିମ୍ବା ଶ୍ରବଣ କୁମାରଙ୍କୁ ମଧ୍ୟ ମାନ୍ୟତା ଦିଅନ୍ତି । ତେବେ ଏହାର କୌଣସି ଶାସ୍ତ୍ରୀୟ ଆଧାର ନାହିଁ ଏବଂ ଏହା ଏକ ପୌରାଣିକ ବ୍ରତ ମଧ୍ୟ ନୁହେଁ । ଏହା କେବଳ ଏକ ଜନଶ୍ରୁତି ବା ଲୋକପ୍ରଥା । ତେଣୁ ଏକ ଲୋକପ୍ରଥା ଆଧାରରେ ଆବାଳବୃଦ୍ଧବନିତା ଏହି ଯାତ୍ରାରେ ଅଂଶଗ୍ରହଣ କରି ସନ୍ୟାସୀଙ୍କ ପାଇଁ ଉଦ୍ଦିଷ୍ଟ ଗେରୁଆ ବସ୍ତ୍ର ପରିଧାନ କରିବା, ଅନେକାଂଶରେ ଅମୋଦପ୍ରମୋଦରେ ମାତିବା, ନିଶାଦ୍ରବ୍ୟ ସେବନ କରିବା ଓ ଜନସାଧାରଣଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି କରିବା କେତେଦୂର ଯୁକ୍ତିଯୁକ୍ତ ?

ଭଗବାନଙ୍କୁ ଭକ୍ତି କରିବା ଏକ ନିଜସ୍ୱ ବ୍ୟାପାର । ତେଣୁ ଏଥିପ୍ରତି କାହାକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ହୁଏତ ଅସମୀଚୀନ ମନେ ହୋଇପାରେ । ତେବେ ଏଠାରେ ଯେଉଁ ଭଗବାନଙ୍କ ଭକ୍ତି କଥା ଉଠୁଛି, ସେ ନିଜେ ଏଥିପାଇଁ ଏହି ଯାତ୍ରା ନିମିତ୍ତ ଅନୁମୋଦନ କରିଅଛନ୍ତି ତ ? ଆସନ୍ତୁ ଜାଣିବା 'ଶିବ ପୁରାଣ' ଭକ୍ତି ସମ୍ବନ୍ଧରେ କଣ କହିଛନ୍ତି ।

ଶିବ ପୁରାଣରେ ବର୍ଣ୍ଣିତ ହୋଇଛି ଯେ, ଦେବତାଙ୍କୁ ଅଭିଷେକ କରିବା ଦ୍ୱାରା ଆତ୍ମଶୁଦ୍ଧି ହୋଇଥାଏ । ତେଣୁ ଏହି ପୁରାଣ ଭଗବାନ ଶିବଙ୍କ ଜଳ ଅଭିଷେକ ନିମିତ୍ତ ଅନୁମୋଦନ କରିଥାଏ । ପୁନଶ୍ଚ ସାଧାରଣରେ ବିଶ୍ୱାସ ରହିଛି ଯେ - "ଅଳଙ୍କାର ପ୍ରିୟୋ ବିଷ୍ଣୁ, ଅଭିଷେକ ପ୍ରିୟଃ ଶିବ ।" ଅର୍ଥାତ୍ - ଭଗବାନ ବିଷ୍ଣୁ ଅଳଙ୍କାର ପ୍ରିୟ ଏବଂ ଭଗବାନ ଶିବ ଅଭିଷେକ ପ୍ରିୟ । ଶିବ ପୁରାଣରେ ମଧ୍ୟ ଉପମନ୍ୟୁ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି - "ସମୁଦ୍ର ଗାମିନୀ ନଦ ଓ ନଦୀରୁ ଅଣାଯାଇଥିବା ତଥା କପଡା ଦ୍ୱାରା ଛାଣି ରଖାଯାଇଥିବା ଶୀତଳ ଜଳ ଭଗବାନ ଶଙ୍କରଙ୍କ ସ୍ନାନ ନିମିତ୍ତ ଶ୍ରେଷ୍ଠ ଅଟେ ।" ତେଣୁ ବୋଧହୁଏ ଶିବଭକ୍ତଗଣ ଶିବଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ଏହି ନଦନଦୀରୁ ଆନୀତ ଜଳ ଦ୍ୱାରା ତାଙ୍କର ଅଭିଷେକ କରିଥାନ୍ତି । ଏବଂ ଶ୍ରାବଣ ମାସରେ ଏହିସବୁ ନଦନଦୀ ବୃଷ୍ଟିପାତ ଦ୍ୱାରା ଜଳପୂର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ଏହି କର୍ମ କରିବାରେ ସହାୟକ ମଧ୍ୟ ହୋଇଥାଏ । ତେବେ ପ୍ରଶ୍ନ ଉଠୁଛି ଯେ ଭଗବାନ ଶିବ କଣ ଏହା ପ୍ରକୃତରେ ଚାହାନ୍ତି ?

ଏହାର ଉତ୍ତର ମଧ୍ୟ ଆମେ ଶିବ ପୁରାଣରେ ପାଇପାରିବା ଯେଉଁଥିରେ ଭଗବାନ ଶିବ ପାର୍ବତୀଙ୍କୁ କହୁଛନ୍ତି - "ମୁଁ ତ ସଦା କୃତକୃତ୍ୟ ଓ ପବିତ୍ର, ମନୁଷ୍ୟ ମୋର କଣ କରିବେ ? ତାଙ୍କ ଦ୍ୱାରା କରାଯାଉଥିବା ବାହ୍ୟ ଓ ଆଭ୍ୟନ୍ତର ପୂଜନରେ ତାଙ୍କର ଯେଉଁ ଭାବ ନିହିତ ଥାଏ, ତାକୁହିଁ ମୁଁ ଗ୍ରହଣ କରିଥାଏ ...ମନ, ବାଣୀ ଓ କର୍ମ ଦ୍ୱାରା କ୍ରିୟାନୁଷ୍ଠାନ ସବୁ ମୋ ନିମିତ୍ତ ନିଷ୍କାମ ଭାବରେ (ଫଳର ଆଶା ନ ରଖି) ହିଁ କରାଯିବା ଉଚିତ ...ଯେ ଭକ୍ତିପୂର୍ବକ ମୋତେ ପତ୍ର, ପୁଷ୍ପ, ଫଳ ଅଥବା ଜଳ ସମର୍ପିତ କରିଥାଏ, ତା ନିମନ୍ତେ ମୁଁ ଅଦୃଶ୍ୟ ନୁହେଁ ।"

ତେଣୁ ଏଥିରୁ ଜଣାପଡୁଛି ଯେ ଶିବ ଆରାଧନାରେ ପ୍ରଥମ ଯୋଗ୍ୟତା ହେଉଛି 'ନିଷ୍କାମ ଭକ୍ତି', ସକାମ ଭକ୍ତି କିମ୍ବା ଭକ୍ତିହୀନ ଆରାଧନା ନୁହେଁ ଯାହାକି ପ୍ରାୟତଃ ଏହି ବୋଲ୍ ବମ୍ ଭକ୍ତଙ୍କ ପାଖରେ ଦେଖାଯାଇଥାଏ । ଶିବ ପୁରାଣରେ ପୁନଶ୍ଚ କୁହାଯାଇଛି ଯେ -  "ଶିବଙ୍କ ପ୍ରତି ଭକ୍ତିହୀନ ପୁରୁଷ ଯଦି ନିଜର ସର୍ବସ୍ବ ମଧ୍ୟ ତାଙ୍କୁ ଅର୍ପଣ କରିଦିଏ, ତେବେ ମଧ୍ୟ ସେ ଶିବ ଆରାଧନାର ଫଳ ପାଏନାହିଁ । କାରଣ ଆରାଧନାରେ ଭକ୍ତି ହିଁ ମୂଳ କାରଣ । ଶିବଙ୍କ ପ୍ରତି ଭକ୍ତିକୁ ଛାଡି ଅନ୍ୟ କୌଣସି ଉଗ୍ର ତପସ୍ୟା କିମ୍ବା ସମ୍ପୂର୍ଣ୍ଣ ମହାଯଜ୍ଞ ଦ୍ୱାରା ମଧ୍ୟ ଜଣେ ଦିବ୍ୟ ଶିବଧାମରେ ନିବାସ କରିପାରିନଥାଏ । ଅତଃ ଶିବ ଆରାଧନାରେ ଭକ୍ତିର ହିଁ ମହତ୍ତ୍ୱ ସର୍ବାଧିକ ।"

ତେଣୁ ବର୍ତ୍ତମାନ ସମୟରେ ଏହି ବୋଲ୍ ବମ୍ ଭକ୍ତଙ୍କ ପ୍ରତି ବାର୍ତା ହେଉଛି - ଯଦି ଭଗବାନ ଶିବଙ୍କ ପ୍ରତି ସେମାନଙ୍କର ନିଷ୍କାମ ଭକ୍ତି ରହିଛି, ତେବେହିଁ ସେମାନେ ଏହି ଯାତ୍ରା କରନ୍ତୁ, ନଚେତ୍ ଅଯଥାରେ ଜନସାଧାରଣ ଓ ସମାଜ ପାଇଁ ସମସ୍ୟା ସୃଷ୍ଟି ନ କରନ୍ତୁ ଓ ଶିବ ଭକ୍ତି ନାମରେ ଏକ କଳଙ୍କିତ ପ୍ରଥାର ଜନକ ନ ହୁଅନ୍ତୁ ।

ଓଁ ନମଃ ଶିବାୟ !

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)