ରଜ ପର୍ବର ତାତ୍ତ୍ଵିକତା

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ଜ୍ୟେଷ୍ଠ ମାସ ଶେଷ କିମ୍ବା ଆଷାଢ଼ ମାସ ଆରମ୍ଭରେ ପଡୁଥିବା ମିଥୁନ ସଂକ୍ରାନ୍ତି ରଜ ସଂକ୍ରାନ୍ତି ରୂପେ ପରିଚିତ । ଏହି ରଜ ସଂକ୍ରାନ୍ତିକୁ ରଜ ପର୍ବ ରୂପେ କେବଳ ଓଡ଼ିଶାରେ ହିଁ ପାଳନ କରାଯାଇଥାଏ । ତେଣୁ ଏହା ଓଡ଼ିଶାର ନିଜସ୍ୱ ପର୍ବ ଏବଂ ଏକ ଗଣ ପର୍ବ । ତେବେ କାହିଁକି ଏହି ପର୍ବ 'ରଜ' ନାମରେ ନାମିତ ଓ କଣ ରହିଛି ଏହାର ତାତ୍ତ୍ଵିକତା, ଆସନ୍ତୁ ଏବେ ଜାଣିବା ।

'ରଜ' ଶବ୍ଦର ବିଭିନ୍ନ ଅର୍ଥ ରହିଥିଲେ ହେଁ ଏଠାରେ 'ରଜ' କହିଲେ ନାରୀମାନଙ୍କର ମାସିକ ଋତୁସ୍ରାବରେ ନିର୍ଗତ ଶୋଣିତକୁ ହିଁ ବୁଝାଇଥାଏ । କିନ୍ତୁ ଏଠାରେ ମୂଳତଃ ଯେଉଁ ନାରୀଙ୍କୁ ଆଧାର କରି ଏହି ପର୍ବଟି କେନ୍ଦ୍ରୀଭୂତ, ସେ ମାନୁଷୀ ନୁହଁନ୍ତି, ସେ ହେଉଛନ୍ତି ବସୁମତୀ ବା ପୃଥିବୀ ବା ଭୂଦେବୀ । 'ପଣ୍ଡିତ ସର୍ବସ୍ବ' ଗ୍ରନ୍ଥରେ ବର୍ଣ୍ଣନା ଅଛି ଯେ -

"ବୃଷାନ୍ତେ ମିଥୁନସ୍ୟାଦୌ ତନ୍ମଧ୍ୟେଽପି ଦିନତ୍ରୟଂ ରଜସ୍ଵଳା ସ୍ୟାତ୍ ପୃଥିବୀ କୃଷି କର୍ମଣି ଗର୍ହିତା ।"
ଅର୍ଥାତ - ବୃଷ ମାସର ଶେଷ (ମାସାନ୍ତ), ମିଥୁନ ମାସର ଆରମ୍ଭ (ସଂକ୍ରାନ୍ତି) ଏବଂ ତାର ପରଦିନ - ଏହିପରି ମୋଟ ତିନିଦିନ ପୃଥିବୀ ମାତା ବା ଭୂଦେବୀ ରଜସ୍ଵଳା ହୁଅନ୍ତି । ତେଣୁ ଏହି ତିନିଦିନ ଯାକ କୃଷି କାର୍ଯ୍ୟ ଗର୍ହିତ ।

ଏହି ରଜ ପର୍ବ ମୁଖ୍ୟତଃ ମିଥୁନ ସଂକ୍ରାନ୍ତିକୁ ନେଇ ପାଳିତ । ଏବଂ ଵିଷ୍ଣୁ ପୁରାଣ ଅନୁସାରେ 'ପର୍ବ'ର ସଂଜ୍ଞା ନିର୍ଦ୍ଧାରଣରେ କୁହାଯାଇଛି ଯେ -
"ଚତୁର୍ଦ୍ଦଶ୍ୟାଷ୍ଟମୀ ଚୈବ ଅମାବାସ୍ୟାଥ ପୂର୍ଣ୍ଣିମା ପର୍ବାଣ୍ୟେତାନି ରାଜେନ୍ଦ୍ର ! ରବି ସଂକ୍ରାନ୍ତିରେବ ଚ"
ଅର୍ଥାତ - ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ରବି ସଂକ୍ରମଣ ବା ସଂକ୍ରାନ୍ତି - ଏହି ପାଞ୍ଚଟିକୁ ପର୍ବ କୁହାଯାଏ ।

ଅତଏବ ଏଥିରୁ ସୁସ୍ପଷ୍ଟ ଯେ 'ରଜ ପର୍ବ' ପୃଥିବୀ ମାତା ବା ବସୁମତୀଙ୍କର ମିଥୁନ ସଂକ୍ରାନ୍ତିକୁ କେନ୍ଦ୍ର କରି ତିନିଦିନ ରଜସ୍ୱଳା ହେବା ସମୟରେ କୃଷି କାର୍ଯ୍ୟକୁ ସ୍ଥଗିତ ରଖି ପାଳନ କରାଯାଉଥିବା ଉତ୍ସବକୁ  ବୁଝାଇଥାଏ ।

ପୁନଶ୍ଚ କୁହାଯାଇଛି ଯେ "ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ" । ଅର୍ଥାତ ପିଣ୍ଡ ବା ଶରୀରରେ ଯାହା, ବ୍ରହ୍ମାଣ୍ଡରେ ତାହା । ତେଣୁ ନାରୀ ଯେପରି ରଜସ୍ୱଳା ହୁଏ ଏବଂ ତତ୍ପରେ ଗର୍ଭାଧାନ ନିମିତ୍ତ ଯୋଗ୍ୟା ହୁଏ, ପୃଥିବୀ ମଧ୍ୟ ସେହିପରି ରଜସ୍ୱଳା ହୁଏ ଏବଂ ତତ୍ପରେ ଗର୍ଭାଧାନ ବା ଶସ୍ଯ ଉତ୍ପାଦନ ନିମିତ୍ତ ଯୋଗ୍ୟା ହୁଏ । ଆୟୁର୍ବେଦ ଶାସ୍ତ୍ରରେ ଏହି ବିଷୟକୁ ସୁନ୍ଦର ଭାବେ ବୁଝେଇ ଦିଆଯାଇଛି । ଆୟୁର୍ବେଦ ଶାସ୍ତ୍ର ମତରେ ନାରୀ ବା ପୃଥିବୀର ଗର୍ଭାଧାନ ନିମିତ୍ତ ଚାରିଗୋଟି ତତ୍ତ୍ୱ ବା ଗର୍ଭସମ୍ଭବ ସାମଗ୍ରୀର ଆବଶ୍ୟକତା ରହିଛି । ସେଗୁଡିକ ହେଲା -

୧) ଋତୁ 
୨) ଅମ୍ବୁ 
୩) ବୀଜ 
୪) କ୍ଷେତ୍ର

ଅର୍ଥାତ - ନାରୀର ୠତୁକାଳ ଉପସ୍ଥିତ ହେଲେ (ପୃଥିବୀ କ୍ଷେତ୍ରରେ ବର୍ଷା ବା ଶସ୍ୟ ଅନୁକୂଳ ଋତୁ ଆସିଲେ), ଗର୍ଭାଶୟକୁ ସଠିକ ପୋଷଣ ପ୍ରାପ୍ତ ହେଲେ (ପୃଥିବୀ କ୍ଷେତ୍ରରେ ଶସ୍ୟକ୍ଷେତ୍ରକୁ ସଠିକ ଜଳସେଚନ କରାଗଲେ), ସମର୍ଥ ଶୁକ୍ର ଧାତୁ ପ୍ରାପ୍ତି ହେଲେ (ପୃଥିବୀ କ୍ଷେତ୍ରରେ ଶସ୍ୟକ୍ଷେତ୍ରଟିରେ ଉତ୍ତମ ମାନର ବୀଜବପନ ହେଲେ) ଏବଂ ଗର୍ଭାଶୟ ପ୍ରସ୍ତୁତ ହୋଇଥିଲେ (ପୃଥିବୀ କ୍ଷେତ୍ରରେ ଉର୍ବର ଶସ୍ୟକ୍ଷେତ୍ରର ଉପସ୍ଥିତିରେ) ଗର୍ଭ (ଶସ୍ୟ ଉତ୍ପାଦନ) ସମ୍ଭବ ହୋଇଥାଏ ।

ରଜ ପର୍ବରେ ମଧ୍ୟ ନାରୀ ଏବଂ ବସୁମତୀ ମଧ୍ୟରେ ସାମ୍ୟତା ଦେଖିବାକୁ ମିଳିଥାଏ  ଯାହାକି ସମ୍ଭବ ହୋଇଥାଏ ବର୍ଷା ଋତୁର ଆଗମନ ହେତୁ । ପ୍ରାଚୀନ ଭାରତୀୟ ବିଧାନ ଅନୁସାରେ ରଜସ୍ୱଳା ନାରୀଙ୍କୁ ଯେପରି ତିନିଦିନ ପର୍ଯ୍ୟନ୍ତ ବିବିଧ ନିୟମ ପାଳନ ରୂପକ ଅସ୍ପୃଶ୍ୟ ଭାବରେ ରଖାଯାଏ (ଶାରୀରିକ ସୁସ୍ଥତା ତଥା ବିଶ୍ରାମ ନିମନ୍ତେ), ସେହିପରି ରଜ ତିନିଦିନ ଧରି ବସୁମତୀଙ୍କୁ ସ୍ପର୍ଶ (କର୍ଷଣ) କରିବା ବାରଣ କରାଯାଇଥାଏ । ପୂର୍ବକାଳରେ ଏହି ରଜ ତିନିଦିନ ବ୍ୟାପୀ (ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ) ଲୋକମାନେ ଶୁନ୍ୟ ପାଦରେ ଭୂମିକୁ ସ୍ପର୍ଶ କରୁ ନ ଥିଲେ । ଜରୁରୀ ଆବଶ୍ୟକତା ସ୍ଥଳେ ପାଦରେ ଗୁଆ ବା କଦଳୀ ଖୋଳପା ଲଗାଇ ଚାଲୁଥିଲେ । ଏବେ ମଧ୍ୟ କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ଆଦିବାସୀ ମାନେ ଏହି ତିନିଦିନ ଭୂମିରେ ପାଟୁକା ବାନ୍ଧି ଚାଲିଥାନ୍ତି ।

ରଜ ପର୍ବର ଚତୁର୍ଥ ଦିନ 'ବସୁମତୀ ସ୍ନାନ' ପୂଜା ଅନୁଷ୍ଠିତ ହୋଇଥାଏ । ଋତୁମତୀ ନାରୀ ଚତୁର୍ଥ ଦିନ ସ୍ନାନ ସାରି ଶୁଦ୍ଧ ହେବା ପରି ବସୁମତୀ ମଧ୍ୟ ତିନିଦିନ ପର୍ଯ୍ୟନ୍ତ ଋତୁସ୍ରାବ ଜନିତ ଅଶୁଦ୍ଧ ଅବସ୍ଥାରେ ରହି ଚତୁର୍ଥ ଦିନ ସ୍ନାନ କର୍ମ ଦ୍ୱାରା ଶୁଦ୍ଧ ହୁଅନ୍ତି । ଏହାକୁ 'ବସୁମତୀ ସ୍ନାନ' କୁହାଯାଏ ଯାହାକି ରଜ ପର୍ବର ଅନ୍ତକୁ ସୂଚିତ କରେ । ଏଥିରେ ଗ୍ରାମ ଠାକୁରାଣୀ ବା ଗୃହର ଠାକୁରାଣୀଙ୍କୁ ସ୍ନାନ ଅର୍ଚ୍ଚନା କରାଯାଇଥାଏ । ବସୁମତୀ ସ୍ନାନ ପରେ କୃଷକମାନେ କ୍ଷେତରେ ହଳ କରି ସେଥିରେ ବିବିଧ ପ୍ରକାରର ଶସ୍ୟର ବୀଜବପନ କରନ୍ତି, ଏହି ବିଶ୍ବାସରେ ଯେ ଏହାଦ୍ବାରା କ୍ଷେତରେ ଭଲ ଫସଲ ଅମଳ ହେବ ।

ପାରମ୍ପରିକ ଭାବେ ଓଡ଼ିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ ଏବଂ ରଜ ପର୍ବ ହେଉଛି ମୁଖ୍ୟତଃ ଏକ କୃଷିଭିତ୍ତିକ ପର୍ବ । ଏ ରାଜ୍ୟର ଚାଷୀ ପୃଥିବୀ ମାତାଙ୍କୁ ସମ୍ମାନ ଜଣାଇ ପ୍ରଚୁର ଶସ୍ୟ ଉତ୍ପାଦନ କରିବାର ଆଭିମୁଖ୍ୟ ରଖି ଏହି ପର୍ବ ପାଳନ କରିଥାଏ । ତେବେ ପୃଥିବୀ ମାତାଙ୍କ ସହିତ ନାରୀ ମାନଙ୍କୁ ମଧ୍ୟ ସମ୍ମାନ ଜଣାଇ, ଆଦର ସତ୍କାର କରି ଆବାଳବୃଦ୍ଧବନିତାଙ୍କ ସମ୍ମିଳିତ ଆନନ୍ଦ ଉତ୍ସବ ମାଧ୍ୟମରେ ଏ ଜାତି ଏହି ପର୍ବକୁ ଏକ ଗଣ ପର୍ବ ରୂପେ ପାଳନ କରି ଏହାର ମହନୀୟତାକୁ ସମଗ୍ର ବିଶ୍ବରେ ଏକ ଉଚ୍ଚତର ସୋପାନରେ ପହଞ୍ଚାଇ ପାରିଛି, ଯେଉଁଥିପାଇଁକି ଏ ଜାତି ସଦା ଧନ୍ୟବାଦାର୍ହ ।

ସହାୟକ ଉତ୍ସ :

୧) ଚରକ ସଂହିତା
୨) ସୁଶ୍ରୁତ ସଂହିତା
୩) ଓଡ଼ିଶାର ପୂଜାପାର୍ବଣ (ବଳରାମ ମିଶ୍ର)
୪) ଓଡ଼ିଶାର ପର୍ବପର୍ବାଣୀ ଓଷା-ବ୍ରତ ଯାନିଯାତ୍ରା
୫) ଓଡ଼ିଶାର ପର୍ବପର୍ବାଣୀ ଯାନିଯାତ୍ରା ଓ ଓଷାବ୍ରତ
୬) ଓଷାବ୍ରତ ଓ ପର୍ବପର୍ବାଣୀ

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)