ଡାକ୍ତରୀ ଛାତ୍ର ଚୟନ ପଦ୍ଧତି - ସେବେ ଓ ଏବେ

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ଚିକିତ୍ସକ ବା ଡାକ୍ତରୀ ପେଶା ଏକ ସମ୍ମାନାସ୍ପଦ ତଥା ଅତୀବ ପ୍ରାଚୀନ ପେଶା ଯାହାକି ଅନେକ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ପେଶା ଗ୍ରହଣ କରିବାକୁ ଆକୃଷ୍ଟ କରିଥାଏ । ତେବେ ଅନେକ ହୁଏତ ଜାଣିନଥିବେ ପ୍ରାଚୀନ କାଳରେ କିପରି ଏହି ପେଶା ନିମିତ୍ତ ଛାତ୍ର ଚୟନ କରାଯାଉଥିଲା । ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଆୟୁର୍ବେଦୀୟ ଗ୍ରନ୍ଥ "ସୁଶ୍ରୁତ ସଂହିତା"ର ଦ୍ଵିତୀୟ ଅଧ୍ୟାୟ ବା "ଶିଷ୍ୟୋପନୟନୀୟ ଅଧ୍ୟାୟ"ରେ ଏ ସମ୍ବନ୍ଧରେ ଆଲୋକପାତ କରାଯାଇଛି । ଏହି ଅଧ୍ୟାୟରେ ବର୍ଣ୍ଣିତ ଅଛି ଯେ ବ୍ରାହ୍ମଣ, କ୍ଷତ୍ରିୟ ବା ବୈଶ୍ୟ - ଏହି ତିନି ବର୍ଣ୍ଣର ଶିଷ୍ୟଙ୍କୁ (ତଥା ଉତ୍ତମ କୁଳ ଏବଂ ଉତ୍ତମ ଗୁଣଯୁକ୍ତ ଶୂଦ୍ର ବର୍ଣ୍ଣର ଶିଷ୍ୟଙ୍କୁ ମଧ୍ୟ ବୈଦିକ ମନ୍ତ୍ର ବର୍ଜ୍ଜନ ପୂର୍ବକ ଉପନୟନ ସଂସ୍କାର ବିନା) ଆୟୁର୍ବେଦ ଅଧ୍ୟୟନ ନିମିତ୍ତ ଚୟନ କରାଯିବା ଆବଶ୍ୟକ ଯେଉଁମାନେ କି ଉତ୍ତମ କୁଳଯୁକ୍ତ ହୋଇଥିବେ, ଯେଉଁମାନଙ୍କର ଯୋଗ୍ୟ ଆୟୁ ଥିବ, ଯେଉଁମାନଙ୍କର ସୁଶୀଳତା, ପବିତ୍ରତା, ନମ୍ରତା ଆଦି ଗୁଣ ଥିବ, ଯେଉଁମାନେ ଶୌର୍ଯ୍ୟବାନ ତଥା ଉତ୍ତମ ଆଚାର, ଉତ୍ସାହ, ବଳ, ମେଧା, ଧୃତି, ସ୍ମୃତି ଓ ପ୍ରତିପତ୍ତି ଯୁକ୍ତ ହୋଇଥିବେ, ଯେଉଁମାନଙ୍କର ଜିହ୍ଵା, ଓଷ୍ଠ ତଥା ଦନ୍ତର ଅଗ୍ରଭାଗ ପତଳା ହୋଇଥିବ ତଥା ମୁଖ, ଚକ୍ଷୁ ଓ ନାସିକା ସିଧା ହୋଇଥିବ* (Physiognomy ଶାସ୍ତ୍ର ଆଧାରରେ), ଯେଉଁମାନେ ଉତ୍ତମ ମନ, ବାଣୀ ଓ ଚେଷ୍ଟା ଯୁକ୍ତ ହୋଇଥିବେ ଓ ଯେଉଁମାନେ କ୍ଳେଶକୁ ସହ୍ୟ କରିପାରୁଥିବେ । ଏହାର ବିପରୀତ ଗୁଣଯୁକ୍ତ ଶିଷ୍ୟଙ୍କୁ କେବେହେଲେ ଆୟୁର୍ବେଦ ଶିକ୍ଷା ଦିଆଯିବା ଉଚିତ ନୁହେଁ ।

ଶିଷ୍ୟ ଚୟନ ପରେ ଉପନୟନ ସମୟରେ ଗୁରୁ ଶିଷ୍ୟଙ୍କୁ କହିଥାନ୍ତି ଯେ - "ତୁମେ କାମ, କ୍ରୋଧ, ଲୋଭ, ମୋହ, ମାନ, ଅହଙ୍କାର, ଇର୍ଷା, କଠୋରତା, ପିଶୁନତା (ଚୁଗୁଲି କରିବା), ଅସତ୍ୟ, ଆଳସ୍ୟ ତଥା ବଦନାମ କରୁଥିବା କର୍ମରୁ ଦୂରରେ ରହି ପବିତ୍ରତା ଓ ସତ୍ୟଭାଷଣପୂର୍ବକ ବ୍ରହ୍ମଚର୍ଯ୍ୟ ରକ୍ଷାରେ ବ୍ରତୀ ରହି ଏହି ଆୟୁର୍ବେଦ ବିଦ୍ୟା ଶିକ୍ଷା କରିବା ଉଚିତ ।"

ତେଣୁ ଉପରୋକ୍ତ ଶକ୍ତ ମାନଦଣ୍ଡ ଗୁଡିକ କାରଣରୁ ପ୍ରାଚୀନ ସମୟରେ ଚିକିତ୍ସକମାନେ ଏ ପେଶାର ମହନୀୟତାକୁ ବଜାୟ ରଖିବାରେ ସକ୍ଷମ ହେଉଥିଲେ । ସେଥିପାଇଁ ଏକ ଆଦର୍ଶ ଚିକିତ୍ସକଙ୍କୁ ଯଥାର୍ଥରେ କୁହାଯାଉଥିଲା - ପ୍ରାଣାଭିସାର ଵୈଦ୍ୟ, ଅର୍ଥାତ୍ ଯେ ରୋଗକୁ ଦୂର କରି ରୋଗୀର ପ୍ରାଣ ରକ୍ଷା କରନ୍ତି ।

ଏତ ଗଲା ସେବେକାର କଥା, ତେବେ ଏବେ କିପରି ଡ଼ାକ୍ତରୀ ଶିକ୍ଷା ନିମିତ୍ତ ଶିଷ୍ୟ ଚୟନ କରାଯାଉଛି ଆସନ୍ତୁ ସମୀକ୍ଷା କରିବା । ଏବେକାର ସମୟରେ ଉପରେ ବର୍ଣ୍ଣିତ ମାନଦଣ୍ଡ ମଧ୍ୟରୁ କେବଳ ମେଧା ଓ ସ୍ମୃତିକୁ ଯୋଗ୍ୟତାର ପ୍ରମାଣ ହିସାବରେ ଗ୍ରହଣ କରାଯାଉଛି । ଆହୁରି ମଧ୍ୟ ଏ ଦୁଇଟି ମାନଦଣ୍ଡ ନଥାଇ ଜଣେ ଧନ ବା ଅର୍ଥ ବଳରେ ଡାକ୍ତରୀ ପଢିବା ନିମିତ୍ତ ଯୋଗ୍ୟ ବିବେଚିତ ହେଉଛନ୍ତି (Management Quota ମାଧ୍ୟମରେ) । ତତସହିତ ଏସବୁ ସାଧନ ବିନା ମଧ୍ୟ ଜଣେ Reserved Quota ମାଧ୍ୟମରେ ଡ଼ାକ୍ତରୀ ପଢିବା ନିମିତ୍ତ ଯୋଗ୍ୟ ବିବେଚିତ ହେଉଛନ୍ତି । ତେଣୁ ପରିଣାମ ସ୍ୱରୂପ ଆମେ ଅନେକ ସମୟରେ ଏପରି ଚିକିତ୍ସକଙ୍କ ସଂସ୍ପର୍ଶରେ ଆସୁଅଛୁ ଯାହାଙ୍କ ପାଖରେ ଦକ୍ଷତାର ଅଭାବ ରହୁଛି ବା ଯେ ଚିକିତ୍ସା ସମୟରେ ଆର୍ଥିକ ପ୍ରତିଦାନର ଆଶାକୁ ଅଗ୍ରାଧିକାର ଦେଉଛନ୍ତି । ଏଭଳି ଚିକିତ୍ସକଙ୍କ ନିମିତ୍ତ ପ୍ରାଚୀନ କାଳରେ ବ୍ୟବହୃତ ଏକ ଶବ୍ଦ ଯୁକ୍ତିଯୁକ୍ତ - ରୋଗାଭିସାର ଵୈଦ୍ୟ, ଅର୍ଥାତ୍ ଯେ ରୋଗକୁ ବୃଦ୍ଧି କରି ରୋଗୀର ପ୍ରାଣ ପ୍ରତି ବିପଦ ସୃଷ୍ଟି କରନ୍ତି ।

ଡ଼ାକ୍ତରୀ ପେଶା କେବଳ ଏକ ଅର୍ଥ ଉପାର୍ଜନକାରୀ ପେଶା ନୁହେଁ, ଏହା ଏକ ମହତ୍ ପେଶା ଯାହାକି ଆର୍ଥିକ ପ୍ରତିଦାନର ଆଶାକୁ ଅଗ୍ରାଧିକାର ନ ଦେଇ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ସହିତ ସେମାନଙ୍କୁ ରୋଗଯନ୍ତ୍ରଣାରୁ ମୁକ୍ତି ଦେଇ ନବଜୀବନ ପ୍ରଦାନ କରିଥାଏ । ତେଣୁ ଏହାର ମହନୀୟତାକୁ ବଜାୟ ରଖିବାକୁ ହେଲେ ପ୍ରାଚୀନ କାଳର କିଛିଟା ନୈତିକ (moral) ମାନଦଣ୍ଡକୁ ଯୋଗ୍ୟତା ହିସାବରେ ଗ୍ରହଣ କରିବା ଉଚିତ ଯାହାଫଳରେ କି ଏ ପେଶା ପୁନର୍ବାର ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିବ । ବିଚାର ଆପଣମାନଙ୍କର ।

[* Physiognomy is a practice of assessing a person's character or personality from their outer appearance—especially the face.]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)