ଚିକିତ୍ସା ନାସ୍ତି ନିଷ୍ଫଳା

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ଜୀବିକା ନିର୍ବାହ କରିବାକୁ ହେଲେ ମନୁଷ୍ୟ ପାଇଁ ଏକ ବୃତ୍ତି ଗ୍ରହଣ କରିବାକୁ ହୋଇଥାଏ । କାରଣ ଏହି ବୃତ୍ତି ମାଧ୍ୟମରେ ହିଁ ସେ ନିଜର ତଥା ନିଜ ପରିବାରର ଭରଣପୋଷଣ କରି ନିଜ କର୍ତ୍ତବ୍ୟକର୍ମ ସମ୍ପାଦନ କରିଥାଏ । ଏବଂ ଏହି ବୃତ୍ତି ମାଧ୍ୟମରେ ଯଦି କୌଣସି ବ୍ୟକ୍ତିର ଜୀବନ ରକ୍ଷା ହୋଇପାରେ, ତେବେ ବୃତ୍ତିଟି ମହାନ ହୋଇଉଠେ । ଏହିପରି ଏକ ମହାନ ବୃତ୍ତି ହେଉଛି ଚିକିତ୍ସକ ବୃତ୍ତି ।

ମାତ୍ର ଅଧୁନା ପରିଲକ୍ଷିତ ହେଉଛି ଯେ, ଅନେକ ସମୟରେ ଏହି ବୃତ୍ତିଟି ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ କେବଳ ମାତ୍ର ଅର୍ଥ ଉପାର୍ଜନର ଏକ ମାଧ୍ୟମରେ ପରିଣତ ହୋଇଛି । ଏହାର କାରଣ ଯାହା ହେଉନା କାହିଁକି, ଏହାର ପ୍ରଭାବରେ ଜନସାଧାରଣ ଧୀରେ ଧୀରେ ଚିକିତ୍ସକଙ୍କ ଉପରୁ ନିଜର ଆସ୍ଥା ହରାଉଛନ୍ତି । ଏବଂ ଅନେକ ଚିକିତ୍ସକ ଏହି ବୃତ୍ତିକୁ ଆଦର୍ଶ ଉପାୟରେ ଅବଲମ୍ବନ କରିବାକୁ ଚାହୁଁଥିଲେ ମଧ୍ୟ, ସରକାରୀ ଉଦାସୀନତା, ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ ନିଯୁକ୍ତି ତଥା ସମାନ ଯୋଗ୍ୟତା ଥାଇ ମଧ୍ୟ ନିଜର ସମସାମୟିକ ଚିକିତ୍ସକ ବନ୍ଧୁଙ୍କ ଠାରୁ କମ ପାରିଶ୍ରମିକ ପାଇବା ଆଦି କାରଣ ଗୁଡିକ ପାଇଁ ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ କେବଳ ମାତ୍ର ଅର୍ଥ ଉପାର୍ଜନ ନିମିତ୍ତ ଏହି ବୃତ୍ତିକୁ ଅବଲମ୍ବନ କରିବାକୁ ବାଧ୍ୟ ହେଉଛନ୍ତି ।

ତେବେ କଣ ଅର୍ଥ ଉପାର୍ଜନ ଏକ ଚିକିତ୍ସକଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ ? କେଉଁ ଉଦ୍ଦେଶ୍ୟରେ ଏହି ଆଦର୍ଶ ଵୃତ୍ତିର ପରିକଳ୍ପନା କରାଯାଇଥିଲା ? ସେତେବେଳେ କଣ ଏହା ଜଣାନଥିଲା ଯେ ସବୁ ସମୟରେ ଏହି ବୃତ୍ତି ମାଧ୍ୟମରେ ଅର୍ଥ ଉପାର୍ଜନ ସମ୍ଭବ ନୁହେଁ ବୋଲି ? ତେଣୁ ଏ ସମ୍ବନ୍ଧରେ ଶାସ୍ତ୍ର କେଉଁ ମାର୍ଗକୁ ଅବଲମ୍ବନ କରିବା ଉଚିତ ବୋଲି କହିଛି, ଆସନ୍ତୁ ସେ ବିଷୟରେ ଜାଣିବା ।

ଯଦିଓ ଅନ୍ୟ ବୃତ୍ତି ସବୁ ଭଳି ଏହା ମାଧ୍ୟମରେ ଅର୍ଥ ଉପାର୍ଜନ କରାଯାଇପାରେ, ତେବେ କେବଳ ଅର୍ଥ ଉପାର୍ଜନ ନିମିତ୍ତ ଏହି ଚିକିତ୍ସକ ବୃତ୍ତିକୁ ଗ୍ରହଣ କରିବାକୁ ଶାସ୍ତ୍ରରେ ନିଷେଧ କରାଯାଇଛି । ଚରକ ସଂହିତାରେ ଏ ସମ୍ବନ୍ଧରେ କୁହାଯାଇଛି ଯେ -

କୁର୍ଵତେ ଯେ ତୁ ବୃତ୍ୟର୍ଥଂ ଚିକିତ୍ସାପଣ୍ୟବିକ୍ରୟମ୍ ।
ତେ ହିତ୍ଵା କାଞ୍ଚନଂ ରାଶିଂ ପାଂଶୁରାଶିମୁପାସତେ ।।
[ଚରକ ସଂହିତା ରସାୟନ ଅଧ୍ୟାୟ ଚତୁର୍ଥ ପାଦ, ୫୯]

ଅର୍ଥାତ୍ - ଯେଉଁ ଚିକିତ୍ସକ ନିଜର ଜୀବିକା ନିର୍ବାହ ନିମନ୍ତେ ଏହି ପୁଣ୍ୟତମ ଚିକିତ୍ସା ଜ୍ଞାନକୁ ପଣ୍ୟଦ୍ରବ୍ୟ ପରି ବିକ୍ରୟ କରନ୍ତି, ସେମାନେ ସୁବର୍ଣ୍ଣ ରାଶିକୁ ଛାଡି ଧୂଳି ସଂଗ୍ରହ କରିଥାନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଚିକିତ୍ସକ ଯଦି ଏହି ବୃତ୍ତି ମାଧ୍ୟମରେ ଅର୍ଥ ଉପାର୍ଜନ କରିବେ ନାହିଁ, ତେବେ ସେ ନିଜର ଜୀବିକା ନିର୍ବାହ ତଥା ନିଜ ପରିବାରର ଭରଣପୋଷଣ କିପରି କରିବେ । କାରଣ ଏଥି ନିମନ୍ତେ ଅର୍ଥର ନିତାନ୍ତ ଆବଶ୍ୟକତା ରହିଛି । ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ, ଅର୍ଥ ଉପାର୍ଜନ ଏ ବୃତ୍ତି ମାଧ୍ୟମରେ କରାଯାଇପାରେ, ମାତ୍ର ତାହା ଏକ ଚିକିତ୍ସକ ନିମନ୍ତେ ଜୀବନର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ନୁହେଁ । ଏ ସମ୍ବନ୍ଧରେ ଶାସ୍ତ୍ରର ମତ ହେଉଛି -

କ୍ଵଚିତ୍ ଧର୍ମଃ କ୍ଵଚିତ୍ ମୈତ୍ରୀ କ୍ଵଚିତ୍ ଅର୍ଥଃ କ୍ଵଚିତ୍ ଯଶଃ ।
କର୍ମାଭ୍ୟାସଃ କ୍ଵଚିଚ୍ଚେତି ଚିକିତ୍ସା ନାସ୍ତି ନିଷ୍ଫଳା ।।

ଅର୍ଥାତ୍ - ଚିକିତ୍ସା (ଚିକିତ୍ସକ ବୃତ୍ତି) କେବେ ନିଷ୍ଫଳା ହୁଏନାହିଁ । ଏହାଦ୍ବାରା କେତେବେଳେ ଧର୍ମ ଉପାର୍ଜନ ହୁଏ ତ କେତେବେଳେ ମିତ୍ରତା ପ୍ରାପ୍ତି ହୋଇଥାଏ । ଆଉ କେତେବେଳେ ଏହାଦ୍ବାରା ଧନ ଲାଭ ହୁଏ ତ କେତେବେଳେ ଯଶ ପ୍ରାପ୍ତି ହୋଇଥାଏ । ଆଉ ଏ ସମସ୍ତ ସହିତ ସବୁ ସମୟରେ ଚିକିତ୍ସା କର୍ମର ଅଭ୍ୟାସ ମଧ୍ୟ ସ୍ୱତଃ ହୋଇଥାଏ ।

ତେଣୁ ଏକ ଆଦର୍ଶ ଚିକିତ୍ସକ, ଉପରେ ବର୍ଣ୍ଣିତ ହୋଇଥିବା ଚିକିତ୍ସାର ଫଳସମୂହକୁ ଦୃଷ୍ଟିରେ ରଖି ନିମ୍ନ ମତେ ନିଜର ଜୀବିକା ନିର୍ବାହ କରିବା ଉଚିତ ।

ନାର୍ଥାର୍ଥଂ ନାପି କାମାର୍ଥମଥ ଭୂତଦୟାଂ ପ୍ରତି ।
ବର୍ତତେ ଯଶ୍ଚିକିତ୍ସାୟାଂ ସ ସର୍ବମତିବର୍ତତେ ।।
[ଚରକ ସଂହିତା ରସାୟନ ଅଧ୍ୟାୟ ଚତୁର୍ଥ ପାଦ, ୫୮]

ଅର୍ଥାତ୍ - ଯେଉଁ ଚିକିତ୍ସକ ଚିକିତ୍ସା କାଳରେ ନା ଅର୍ଥ ପାଇଁ, ନା କୌଣସି ମନୋରଥର ପ୍ରାପ୍ତି ପାଇଁ, ବରଂ କେବଳ ମାତ୍ର ମନୁଷ୍ୟ ପ୍ରତି ଦୟାଭାଵ କାରଣରୁ ଚିକିତ୍ସା କର୍ମରେ ପ୍ରବୃତ୍ତ ହୋଇଥାନ୍ତି, ସେ ନିଜ ସମାଜରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥାନ୍ତି ।

ତେଣୁ ଉପରୋକ୍ତ ମାନସିକତା ଥିବା ବ୍ୟକ୍ତିମାନେ ହିଁ ଚିକିତ୍ସକ ବୃତ୍ତିକୁ ନିଜର କର୍ମ ଭାବେ ଗ୍ରହଣ କରିବା ଉଚିତ ଯଦ୍ବାରା କି ତାଙ୍କର ତଥା ସମାଜର ଅଶେଷ କଲ୍ୟାଣ ସାଧିତ ହୋଇପାରିବ ଓ ଚିକିତ୍ସକ ସମାଜ ପୁନଃ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ଏହି ମହାନ ବୃତ୍ତିର ଗାରିମାକୁ ଅକ୍ଷୁର୍ଣ୍ଣ ରଖିପାରିବେ ।

ଜୟ ଧନ୍ୱନ୍ତରୀ !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)