ଶ୍ରାଦ୍ଧ କର୍ମର ମହନୀୟତା

ଉପସ୍ଥାପନା - କୁମାର ଅରୋଜ୍ୟୋତି

ବିଶ୍ୱପ୍ରସିଦ୍ଧ ତାଜମହଲର ନିର୍ମାତା ମୋଗଲ ସମ୍ରାଟ ଶାହାଜହାନ୍ ତାଙ୍କର ଅନ୍ତିମ ଜୀବନରେ ତାଙ୍କର ପୁତ୍ର ଔରଙ୍ଗଜେବଙ୍କ ଦ୍ୱାରା କାରାଗାରରେ ବନ୍ଦୀ ହୋଇ ଅତ୍ୟନ୍ତ ଦୁର୍ବିସହ ଭାବେ ଜୀବନ ବିତାଉଥାନ୍ତି। ଔରଙ୍ଗଜେବ ତାଙ୍କ ପିତାଙ୍କ ପାଇଁ ପିଇବା ପାଣି ମଧ୍ୟ ମାପିଚୁପି ଏକ ଛିଦ୍ରଯୁକ୍ତ ମାଠିଆରେ ପଠାଉଥାନ୍ତି। ଏହାକୁ ସହ୍ୟ କରିନପାରି ଶାହାଜହାନ୍ ତାଙ୍କ ପୁତ୍ର ଔରଙ୍ଗଜେବଙ୍କୁ ଏକ ପତ୍ର ଲେଖିଲେ ଯେଉଁଥିରେ ଲେଖା ଥିଲା -

"ଏ ପିସର ତୁ ଅଜବ ମୁସଲମାନୀ
ଵ ପିଦରେ ଜିନ୍ଦା ଆଵ ତରସାନୀ ।
ଆଫରୀନ ଵାଦ୍ ହିନ୍ଦୱାନ ସଦ ଵାର
ମୈଁ ଦେହଦଂ ପିଦରେ ମୂର୍ଦାରାୱା ଦାୟମ ଆଵ ।।"

ଏହାର ଅର୍ଥ ଥିଲା - "ହେ ପୁତ୍ର, ତୁ ମଧ୍ୟ ବିଚିତ୍ର ମୁସଲମାନ ଅଟୁ ଯେ ନିଜର ଜୀଵିତ ପିତାଙ୍କୁ ଜଳପାନ କରିବା ପାଇଁ ମଧ୍ୟ ପୀଡା ଦେଉଛି। ସେହି ହିନ୍ଦୁମାନଙ୍କୁ ଶତ ଶତ ନମନ ଯେଉଁମାନେ କି ନିଜର ମୃତ ପୁର୍ବଜଙ୍କୁ ମଧ୍ୟ ଜଳ ପ୍ରଦାନ କରିଥାନ୍ତି।"

ସାମ୍ରାଟ ଶାହାଜହାନ୍ ଯେତେବେଳେ ପାନୀୟ ଜଳାଭାବରୁ ସନ୍ତପ୍ତ ହେଉଥିଲେ ସେତେବେଳେ ସେ ହିନ୍ଦୁମାନଙ୍କର ନିଜ ପିତୃପୁରୁଷଙ୍କୁ ଜଳଦାନ କରିବା ପ୍ରକ୍ରିୟାର ପ୍ରଶଂସା ନକରି ରହିପାରିନଥିଲେ। ହିନ୍ଦୁମାନଙ୍କ ଦ୍ୱାରା ନିଜର ମୃତ ପୁର୍ବଜ ବା ପିତୃପୁରୁଷଙ୍କୁ ଜଳ ଦାନ କରିବା ପ୍ରକ୍ରିୟାକୁ ଜଳତର୍ପଣ କୁହାଯାଏ ଯାହାକି ଶ୍ରାଦ୍ଧ କର୍ମର ଏକ ମୂଖ୍ୟ ଅଂଶ। ପିତୃଋଣରୁ ମୁକ୍ତି ପାଇବା ପାଇଁ ତଥା ପିତୃପୁରୁଷଙ୍କର ସନ୍ତୁଷ୍ଟି ଓ ଉଚ୍ଚତର ଲୋକ ଗମନ ନିମନ୍ତେ ଏହି ଶ୍ରାଦ୍ଧ କର୍ମ କରାଯାଇଥାଏ।

ଯମସ୍ମୃତି ମତରେ ଏହି ଶ୍ରାଦ୍ଧ ସାଧାରଣତଃ ୫ ପ୍ରକାର। ଯଥା -

୧) ନିତ୍ୟ - ଯାହା ପ୍ରତିଦିନ ପିତୃପୁରୁଷଙ୍କୁ ଜଳ ଅର୍ପଣ ଦ୍ୱାରା କରାଯାଇଥାଏ।
୨) ନୈମିତ୍ତିକ - କୌଣସି ନିର୍ଦ୍ଦିଷ୍ଟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଶ୍ରାଦ୍ଧ।
୩) କାମ୍ୟ - କୌଣସି କାମନା ପୂର୍ତ୍ତି ଉଦ୍ଦେଶ୍ୟରେ କରାଯାଉଥିବା ଶ୍ରାଦ୍ଧ।
୪) ବୃଦ୍ଧି - ବିବାହ ତଥା ଜନ୍ମ ଆଦି ମାଙ୍ଗଳିକ କାର୍ଯ୍ୟରେ କରାଯାଉଥିବା ଶ୍ରାଦ୍ଧ। ଏହାକୁ ନନ୍ଦୀ ଶ୍ରାଦ୍ଧ ମଧ୍ୟ କୁହାଯାଏ।
୫) ପାର୍ବଣ - ପିତୃପକ୍ଷ, ଅମାବାସ୍ୟା ତଥା ନିର୍ଦ୍ଦିଷ୍ଟ ପର୍ବ ଆଦିରେ କରାଯାଉଥିବା ଶ୍ରାଦ୍ଧ।

ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବାଦ୍ୱାରା ଆୟୁ, ସନ୍ତାନସନ୍ତତି, ଧନସମ୍ପତ୍ତି, ମେଧା, ଯଶ, ବଳ, ସାମ୍ରାଜ୍ୟ ଓ ସୁଖସମୃଦ୍ଧି ଲାଭ, ତଥା ଅନ୍ତତଃ ସ୍ୱର୍ଗ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେଣୁ ସୌଭାଗ୍ୟ କାମନା କରୁଥିବା ପ୍ରତ୍ୟେକ ବ୍ୟକ୍ତି ଶ୍ରାଦ୍ଧ କରିବା ଉଚିତ। ଏହି ଶ୍ରାଦ୍ଧ ଦ୍ୱାରା ହିଁ ଆମ ପିତୃପୁରୁଷ ଖାଦ୍ୟ ଗ୍ରହଣ କରିଥାନ୍ତି। ଶ୍ରାଦ୍ଧ ଅଭାବରୁ ପିତୃପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି, ଯାହାର ଫଳସ୍ୱରୂପ ଆମକୁ ଦୁର୍ଭାଗ୍ୟ ଭୋଗ କରିବାକୁ ପଡିଥାଏ।

ଅତି କମରେ ବର୍ଷକୁ ଦୁଇଥର ଶ୍ରାଦ୍ଧ କାର୍ଯ୍ୟ କରିବା ଉଚିତ। ସେହି ସମୟ ଗୁଡିକ ହେଲା -

୧) କ୍ଷୟ ତିଥି - ଯେଉଁ ତିଥିରେ ଆମ ପିତୃପୁରୁଷ ମୃତ୍ୟୁବରଣ କରିଥିବେ, ସେହି ତିଥିରେ ତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କାର୍ଯ୍ୟ କରିବା ଉଚିତ।
୨) ପିତୃପକ୍ଷ - ଆଶ୍ୱିନ ମାସର କୃଷ୍ଣପକ୍ଷରେ ପ୍ରତ୍ୟେକ ଦିନ ଅମାବାସ୍ୟା ପର୍ଯ୍ୟନ୍ତ (କେତେକ ସ୍ଥାନରେ ଭାଦ୍ରବ ମାସର କୃଷ୍ଣପକ୍ଷ, ଯେଉଁମାନେ ଅମାବାସ୍ୟାନ୍ତ ପଞ୍ଜିକା ଅନୁସରଣ କରିଥାନ୍ତି) ନିଜ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ଉଚିତ।

ଶାସ୍ତ୍ରରେ କୁହାଯାଇଛି ଯେ ଦେବକାର୍ଯ୍ୟ ଅପେକ୍ଷା ପିତୃକାର୍ଯ୍ୟ ଶ୍ରେଷ୍ଠ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏହାକୁ ନିଷ୍ଠାର ସହିତ ପାଳନ କରିବା ଉଚିତ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)