ସେହି ଅଜଣା ତାନ୍ତ୍ରିକର ଡାକ ଅପେକ୍ଷାରେ

ମହାଭାରତ ସମୟର କଥା । କୌରବ ଓ ପାଣ୍ଡବ ସେନାଙ୍କ ମଧ୍ୟରେ ମହାସଂଗ୍ରାମ ଚାଲିଥାଏ । ଭାରତବର୍ଷର ଶ୍ରେଷ୍ଠ ବୀରମାନେ ଉଭୟ ପକ୍ଷ ପାଇଁ ଏହି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥାନ୍ତି । କଳିଙ୍ଗର ବୀର ପୁତ୍ରମାନେ ଏଥିରୁ ବା ବାଦ୍ ପଡ଼ିଥାନ୍ତେ କିପରି ? ସେମାନଙ୍କ ରାଜଜେମା ଦୁର୍ଯ୍ୟୋଧନଙ୍କୁ ବିବାହ କରିଥିବାରୁ, ସେମାନେ ଏହି ଯୁଦ୍ଧରେ କୌରବ ସେନାଙ୍କ ପକ୍ଷରୁ ପିତାମହ ଭୀଷ୍ମଙ୍କ ସେନାପତିତ୍ୱରେ ନିଜ ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ସଂଗ୍ରାମ କରିବା ନିମିତ୍ତ ବଦ୍ଧପରିକର ଥାଆନ୍ତି । ଘମାଘୋଟ ଯୁଦ୍ଧ ଚାଲେ । ଶେଷରେ କୌରବ ସେନାଙ୍କୁ ସମୁହେ ଧ୍ବସ୍ତ କରି ପାଣ୍ଡଵମାନେ ଯୁଦ୍ଧରେ ବିଜୟୀ ହୁଅନ୍ତି । ଏହି ଅଦୃଷ୍ଟପୂର୍ଵ ଯୁଦ୍ଧରେ ସମ୍ଭବତଃ କଳିଙ୍ଗର ଅଧିକାଂଶ ବୀର ବୀରଗତିକୁ ପ୍ରାପ୍ତ ହୁଅନ୍ତି । ତେବେ କଣ ଓଡ଼ିଆ ଜାତି କଙ୍କାଳ ସଦୃଶ ସବୁଦିନ ପାଇଁ ଶୋଇଯାଏ ? ନା..... କେଉଁ ଏକ ଅଜଣା ତାନ୍ତ୍ରିକର "ଉଠ କଙ୍କାଳ" ଡାକରେ ଏ ଜାତି ପୁନର୍ଜୀବିତ ହୋଇଯାଏ, ନିଜ ଚିତାଭସ୍ମରୁ ବାରମ୍ବାର ପୁନର୍ଜୀବିତ ହେଉଥିବା ସେହି ଗ୍ରୀକ ଲୋକକଥାର "ଫିନିକ୍ସ" ଚଢ଼େଇ ପରି ଓ ରଚିଚାଲେ କୀର୍ତ୍ତିର କୋଣାର୍କ ମାନ ଏବଂ ଗାଇଚାଲେ ନିଜ ଐତିହ୍ୟର ଗାଥା ।
× × × × × ×
ଅନ୍ୟ ଏକ ସମୟର କଥା । କଳିଙ୍ଗ ଯୁଦ୍ଧର ସମୟ । ମଗଧ ସେନା ଓ କଳିଙ୍ଗ ସେନାଙ୍କ ମଧ୍ୟରେ ପୁଣି ଏକ ମହାସଂଗ୍ରାମ ଚାଲିଥାଏ । ଏଥର ମଧ୍ୟ କଳିଙ୍ଗର ବୀର ପୁତ୍ରମାନେ ନିଜ ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ସଂଗ୍ରାମ କରିବାକୁ ବଦ୍ଧପରିକର ଥାଆନ୍ତି । ପୁନଶ୍ଚ ଘମାଘୋଟ ଯୁଦ୍ଧ ଚାଲେ । ଶେଷରେ ଏହି ଅଦୃଷ୍ଟପୂର୍ଵ ଯୁଦ୍ଧରେ ଚଣ୍ଡାଶୋକର ନେତୃତ୍ୱରେ ମଗଧ ସେନା ବିଜୟୀ ହୁଏ ଏବଂ ସମ୍ଭବତଃ କଳିଙ୍ଗର ଅଧିକାଂଶ ବୀର ବୀରଗତିକୁ ପ୍ରାପ୍ତ ହୁଅନ୍ତି ଅଥବା ଯୁଦ୍ଧବନ୍ଦୀ ହୁଅନ୍ତି । ତେବେ କଣ ଓଡ଼ିଆ ଜାତି କଙ୍କାଳ ସଦୃଶ ସବୁଦିନ ପାଇଁ ଶୋଇଯାଏ ? ନା..... କେଉଁ ଏକ ଅଜଣା ତାନ୍ତ୍ରିକର "ଉଠ କଙ୍କାଳ" ଡାକରେ ଏ ଜାତି ପୁଣିଥରେ ସେହି "ଫିନିକ୍ସ" ଚଢ଼େଇ ପରି ନିଜ ଚିତାଭସ୍ମରୁ ପୁନର୍ଜୀବିତ ହୋଇଯାଏ, ସମ୍ରାଟ ଖାରବେଳଙ୍କ ମାଧ୍ୟମରେ କଳିଙ୍ଗ ଯୁଦ୍ଧରେ ଲଭିଥିବା ପରାଜୟର ପ୍ରତିଶୋଧ ନିଏ, ରଚିଚାଲେ କୀର୍ତ୍ତିର କୋଣାର୍କ ମାନ ଏବଂ ଗାଇଚାଲେ ନିଜ ଐତିହ୍ୟର ଗାଥା ।
× × × × × ×
ଆଧୁନିକ ସମୟର କଥା । ଗୋରା ଶାସକ ଓ କଳିଙ୍ଗର ସାଧାରଣ ଜନତାଙ୍କ ମଧ୍ୟରେ ମହାସଂଗ୍ରାମ ଚାଲିଥାଏ । ଏଥର ମଧ୍ୟ କଳିଙ୍ଗର ବୀର ପୁତ୍ରମାନଙ୍କ ସହିତ ଏ ମାଟିର ଆବାଳବୃଦ୍ଧବନିତା (ବାଜି ରାଉତଙ୍କ ଠାରୁ ଆରମ୍ଭ କରି କୁଳବୃଦ୍ଧ ମଧୁସୂଦନ ଓ ରମା ଦେବୀଙ୍କ ପର୍ଯ୍ୟନ୍ତ) ନିଜ ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ସଂଗ୍ରାମ କରିବାକୁ ବଦ୍ଧପରିକର ଥାଆନ୍ତି । ଘମାଘୋଟ ଯୁଦ୍ଧ ଚାଲେ । ଏଥର ମଧ୍ୟ ସମ୍ଭବତଃ କଳିଙ୍ଗର ଅଧିକାଂଶ ବିପ୍ଳବୀ ବୀରପୁତ୍ର ମାନେ ଶହୀଦ ହୁଅନ୍ତି ଅଥବା ରାଜବନ୍ଦୀ ହୁଅନ୍ତି । ସେମାନଙ୍କ ଉପରେ "ନଅଙ୍କ ଦୁର୍ଭିକ୍ଷ" ପରି ଅପ୍ରାକୃତିକ ବ୍ରିଟିଶ ଜୁଲମ ଲଦିଦିଆଯାଏ । ତେବେ କଣ ଓଡ଼ିଆ ଜାତି କଙ୍କାଳ ସଦୃଶ ସବୁଦିନ ପାଇଁ ଶୋଇଯାଏ ? ନା..... କେଉଁ ଏକ ଅଜଣା ତାନ୍ତ୍ରିକର "ଉଠ କଙ୍କାଳ" ଡାକରେ ଏ ଜାତି ପୁନର୍ଜୀବିତ ହୋଇଯାଏ ଓ ଆବାଳବୃଦ୍ଧବନିତାଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ବଳରେ ସ୍ୱତନ୍ତ୍ର ପ୍ରଦେଶ ରୂପେ ସ୍ୱାଧୀନତା ଲାଭ କରି ନିଜର ହୃତଗୌରବ ଫେରିପାଏ । ଏ ଜାତି ପୁଣିଥରେ ରଚିଚାଲେ କୀର୍ତ୍ତିର କୋଣାର୍କ ମାନ ଏବଂ ଗାଇଚାଲେ ନିଜ ଐତିହ୍ୟର ଗାଥା ।
× × × × × ×
ବର୍ତ୍ତମାନ ସମୟର କଥା । ପୁନଶ୍ଚ ଏକ ମହାସଂଗ୍ରାମ ଉପନୀତ । ମାତ୍ର ଏହି ସଂଗ୍ରାମ କଳିଙ୍ଗର ସାଧାରଣ ଜନତା ଏବଂ ତାହାକୁ ପରତନ୍ତ୍ରୀ କରିବାପାଇଁ ବଦ୍ଧପରିକର ଏକ ରାଜନୈତିକ ମାନସିକତା ମଧ୍ୟରେ । ଘମାଘୋଟ ଯୁଦ୍ଧ ଚାଲିଛି । ସାଧାରଣ ଜନତା ଆଜି ପରତନ୍ତ୍ରୀ ପ୍ରାୟ । ନିଜର ଅସ୍ତିତ୍ବ ପାଇଁ ସେ ବିଭିନ୍ନ ରାଜନୈତିକ ଦଳର ପରତୈନ୍ତ୍ରୀକ ଯୋଜନା ଗୁଡିକର ଦାସ । ବିରୋଧୀ ଶକ୍ତି କିନ୍ତୁ ଏଥର ଏ ଜାତିକୁ ବଧ ନ କରି ତାହାକୁ ମାନସିକ ସ୍ତରରେ ସବୁଦିନ ପାଇଁ ପଙ୍ଗୁ କରିଦେବାକୁ ଦୃଢ଼ନିଶ୍ଚିତ । ତେବେ କଣ ଓଡ଼ିଆ ଜାତି ଜୀବନ୍ତ କଙ୍କାଳ ସଦୃଶ ସବୁଦିନ ପାଇଁ ଶୋଇଯିବ ? ନା ପୁଣିଥରେ କେଉଁ ଏକ ଅଜଣା ତାନ୍ତ୍ରିକର "ଉଠ କଙ୍କାଳ" ଡାକରେ ଏ ଜାତି ସମସ୍ତ ମାନସିକ ଶୃଙ୍ଖଳ ଛିଣ୍ଡାଇ ପୁଣିଥରେ ଗର୍ଵର ସହିତ ମଥା ଟେକି ଛିଡ଼ା ହେବ ଓ କୀର୍ତ୍ତିର କୋଣାର୍କ ମାନ ରଚି ଚାଲିବା ସହିତ ନିଜର ଐତିହ୍ୟର ଗାଥା ଗାଇଚାଲିବ ? ଉତ୍ତର ସେହି ପରମ ତାନ୍ତ୍ରିକ ଶ୍ରୀଜଗନ୍ନାଥଙ୍କୁ ଜଣାଥିବ ।

ଜୟ ଜଗନ୍ନାଥ !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)