ରାବଣ କାହିଁକି ପ୍ରଶସ୍ତିର ଯୋଗ୍ୟ ନୁହେଁ

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ରାବଣକୁ ପ୍ରଶଂସା କରିବା ବା ତାର ପ୍ରଶସ୍ତି ଗାନ କରିବା ବର୍ତ୍ତମାନ ସମୟରେ ଏକ ଧାରାରେ ପରିଣତ ହୋଇଗଲାଣି। ଏ ବିଷୟ ମୁଖ୍ୟତଃ ଦଶହରା ସମୟରେ ଉତ୍ଥାପନ ହୁଏ ଯେତେବେଳେ କି ରାବଣର ପୁତ୍ତଳିକା ଦାହ କରାଯାଇଥାଏ। ଏହାକୁ ଯୁକ୍ତିଯୁକ୍ତ ବୋଲି ପ୍ରମାଣ କରିବାକୁ କେତେକ ଲୋକେ "ଅପହରଣ ପରେ ମା ସୀତାଙ୍କ ପ୍ରତି ତାର ବ୍ୟବହାର" ତଥା "ମହାନ ଶିଵଭକ୍ତ" ବୋଲି ଉପାଖ୍ୟାନ ଆଦିକୁ ପ୍ରମାଣ ରୂପେ ପରିବେଷଣ କରୁଛନ୍ତି। ତେବେ ମୁଁ ଏଠାରେ ଚର୍ଚ୍ଚା କରିବାକୁ ଚାହୁଁନାହିଁ ଯେ ରାବଣକୁ ଦାହ କରାଯିବା ଉଚିତ କି ନୁହେଁ, ମୁଁ ରାବଣ ସମ୍ବନ୍ଧରେ କେବଳ କେତେକ ମିଥ୍ୟା ଧାରଣା ଦୂର କରିବାକୁ ଚାହୁଁଛି।

ମିଥ୍ୟା ଧାରଣା #୧:
ରାବଣ ମା ସୀତାଙ୍କୁ ଅପହରଣ କରି ମଧ୍ୟ ଖରାପ ବ୍ୟବହାର କରି ନଥିଲା।

ସତ୍ୟାସତ୍ୟ:
ଏହା ସତ୍ୟ ଯେ ରାବଣ ମା ସୀତାଙ୍କୁ ଅପହରଣ କରି ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରି ନଥିଲା। ତେବେ ତାର ଏହି ବ୍ୟବହାର ତାର ମହାନତା ନଥିଲା, ସେ ଏକ ଅଭିଶାପ ପାଇଥିବା ଯୋଗୁଁ ମା ସୀତାଙ୍କ ପ୍ରତି ଖରାପ ବ୍ୟବହାର କରିବାକୁ ସାହାସ କରିପାରିନଥିଲା।

ଏକଦା ରାବଣ ଅପ୍ସରା ରମ୍ଭାଙ୍କୁ ଦେଖିଲା ଓ ତାଙ୍କ ରୂପରେ ମୁଗ୍ଧ ହୋଇ ତଥା କାମାସକ୍ତ ହୋଇ ତାଙ୍କୁ ପ୍ରେମର ନିବେଦନ କରିଥିଲା। ମାତ୍ର ରମ୍ଭା ତାଙ୍କୁ କହିଥିଲେ ଯେ ସେ ନଳକୁବେରଙ୍କୁ ଭଲ ପାଉଛନ୍ତି ଓ ସେହି ସମୟରେ ତାଙ୍କ ନିକଟକୁ ଯାଉଛନ୍ତି। ସେହି ସମୟରେ ନଳକୁବେର ମଧ୍ୟ ରମ୍ଭାଙ୍କ ଅପେକ୍ଷାରେ ଅଛନ୍ତି ବୋଲି ରମ୍ଭା ରାବଣକୁ କହିଥିଲେ। ମାତ୍ର ରାବଣ ଏସବୁ କଥାକୁ କର୍ଣ୍ଣପାତ ନ କରି ଜୋର ଜବରଦସ୍ତ ରମ୍ଭାଙ୍କୁ ବଳାତ୍କାର କରିଥିଲା। ପରେ ନଳକୁବେର ଯେତେବେଳେ ଏ ବିଷୟରେ ଜାଣିବାକୁ ପାଇଲେ, ସେ ରାବଣକୁ ଅଭିଶାପ ଦେଲେ ଯେ - "ସେ ଯଦି କୌଣସି ସ୍ତ୍ରୀଙ୍କୁ ତାଙ୍କ ସମ୍ମତି ବିନା ଖରାପ ବ୍ୟବହାର କରିବ, ତେବେ ତାର ମୁଣ୍ଡ ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯିବ।"

ତେଣୁ ଏହା ସ୍ପଷ୍ଟ ଯେ ଉପରୋକ୍ତ ଅଭିଶାପ ଯୋଗୁଁ ହିଁ ରାବଣ ମା ସୀତାଙ୍କୁ ଖରାପ ବ୍ୟବହାର କରିବାର ସାହାସ କରିପାରି ନ ଥିଲା, ତାର ମହାନତା ପାଇଁ ନୁହେଁ।
ମିଥ୍ୟା ଧାରଣା #୨:
ରାବଣ ଏକ ମହାନ ଶିଵଭକ୍ତ ଥିଲା।

ସତ୍ୟାସତ୍ୟ:
ଯଦିଓ ରାବଣ ଏକ ଶିଵଭକ୍ତ ଥିଲା, ତେବେ ସେ ଏକ ମହାନ ଶିଵଭକ୍ତ ଥିଲା ବୋଲି କୁହାଯାଇ ନପାରେ। ଯଦିଓ ସେ ଶିବଙ୍କର ଅତି ପ୍ରିୟ "ଶିଵ ତାଣ୍ଡବ ସ୍ତୋତ୍ର" ରଚନା କରିଥିଲା, ତେବେ ସେ ଏହାକୁ ଭକ୍ତି ଯୋଗୁଁ ନୁହେଁ, ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ରଚନା କରିଥିଲା।

ଏକଦା ରାବଣ କୈଳାସ ପର୍ବତ ପରିଦର୍ଶନ ସମୟରେ ସମଗ୍ର କୈଳାସ ପର୍ବତକୁ ଶିବ ଓ ତାଙ୍କର ଗଣ ସମୁହଙ୍କ ସହିତ ନିଜ ବାହୁବଳରେ ଉଠାଇ ଦେଇଥିଲା। ଭଗବାନ ଶିବ ଏହା ଜାଣିପାରି ତାଙ୍କ ପାଦର ଆଙ୍ଗୁଠି ଦ୍ୱାରା କୈଳାସ ପର୍ବତକୁ ଚାପି ଦେଇଥିଲେ। ଫଳସ୍ୱରୂପ ରାବଣ କୈଳାସ ପର୍ବତର ଭାରରେ ଚିପି ହୋଇଯାଇଥିଲା। ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ ସେ ଶିବଙ୍କ ଉଦ୍ଦେଶ୍ୟରେ "ଶିଵ ତାଣ୍ଡବ ସ୍ତୋତ୍ର" ରଚନା କରି ଶିଵଙ୍କୁ ସନ୍ତୁଷ୍ଟ କରିଥିଲା ଓ ପରେ ଶିଵଙ୍କର ଭକ୍ତ ହୋଇଯାଇଥିଲା।

ଯଦିଓ ସେବେଠାରୁ ସେ ଶିବଙ୍କର ଭକ୍ତ ରୂପେ ପରିଗଣିତ ହୋଇଥିଲା, ତେବେ ସେ ଶିଵଧର୍ମର ମାର୍ଗ ସବୁକୁ ପାଳନ କରୁନଥିଲା ଏବଂ ଏଥିପାଇଁ ତାକୁ ଏକ ମହାନ ଶିଵଭକ୍ତ ବୋଲି କୁହାଯାଇ ପାରିବ ନାହିଁ। କେବଳ ତ୍ରିପୁଣ୍ଡ୍ର ଓ ରୁଦ୍ରାକ୍ଷ ଧାରଣ ସହିତ ଶିବଲିଙ୍ଗକୁ ପୂଜା କରିଦେଲେ ଜଣେ ଶିଵଭକ୍ତ ଭାବେ ପରିଗଣିତ ହୁଏନାହିଁ। ଏଥିପାଇଁ ଶିଵଧର୍ମ ପାଳନ କରିବା ଆବଶ୍ୟକ। ଶ୍ରୀମଦ୍ ଶିଵଧର୍ମ ପୁରାଣରେ ବର୍ଣ୍ଣିତ ଶିଵଧର୍ମର ଆଠ ଗୋଟି ମାର୍ଗ ଗୁଡିକ ହେଲା -

୧. ଶିବଙ୍କ ଠାରେ ଭକ୍ତି
୨. ଶିବଙ୍କ ଠାରେ ଶାନ୍ତି
୩. ଅହିଂସା
୪. ଶମ ବା ଇନ୍ଦ୍ରିୟ ଭୋଗରୁ ମନକୁ ପ୍ରତ୍ୟାହାର କରିବା
୫. ସନ୍ତୋଷ
୬. ସତ୍ୟ
୭. ଅସ୍ତେୟ ବା ଚୋରି ନ କରିବା
୮. ବ୍ରହ୍ମଚର୍ଯ୍ୟ

ତେଣୁ ଉପରୋକ୍ତ ମାର୍ଗ ଗୁଡିକୁ ଅବଲୋକନ କଲେ ଜଣାଯାଏ ଯେ ରାବଣ ପ୍ରଥମ ଦୁଇଗୋଟି ମାର୍ଗକୁ ଛାଡି ଅନ୍ୟ ମାର୍ଗ ସବୁକୁ ଅନୁସରଣ କରୁ ନଥିଲା। ଏବଂ ଏଥିରୁ ଅନୁମେୟ ଯେ ସେ ଶିଵଧର୍ମ ପାଳନ କରୁନଥିଲା। ତାର ଚାଲିଚଳନ ତଥା ଦୈନନ୍ଦିନ ପରିଚର୍ଯ୍ୟାରୁ ଏହା ସ୍ପଷ୍ଟ ଯେ - ମହାନ ଶିଵଭକ୍ତ ତ ଦୂରର କଥା, ସେ ଶିଵଭକ୍ତ ରୂପେ ମଧ୍ୟ ପରିଗଣିତ ହେବାକୁ ଯୋଗ୍ୟ ନୁହେଁ।

ଉପରୋକ୍ତ ବିଶ୍ଳେଷଣରୁ ଏହା ସୁସ୍ପଷ୍ଟ ଯେ ରାବଣ କେବେହେଲେ ପ୍ରଶସ୍ତିର ଯୋଗ୍ୟ ନୁହେଁ ଏବଂ ଯେଉଁ ମିଥ୍ୟା ମହାନତା ଯୋଗୁଁ ଆମେ ତାହାର ପ୍ରଶସ୍ତି ଗାନ କରୁଛେ, ତାହା ଆମ ମନରୁ ଦୂର ହେବା ଉଚିତ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)