ପୌରାଣିକ ମତରେ ରକ୍ଷା ବନ୍ଧନର ଉତ୍ପତ୍ତି ଓ ବିଧି

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ଆମ ପରମ୍ପରାରେ ଶ୍ରାବଣ ପୂର୍ଣ୍ଣିମା ଦିନ ସାଧାରଣତଃ ଭଉଣୀମାନେ ନିଜ ଭାଇ ହାତରେ ରାଖୀ ବା ରକ୍ଷା ସୂତ୍ର ବାନ୍ଧି ଥାଆନ୍ତି ଏବଂ ଏହାର ପ୍ରତିବଦଳରେ ଭାଇଟି ନିଜର ଭଉଣୀକୁ ସମସ୍ତ ଆପଦ ବିପଦରୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥାଏ। ତେବେ ପୌରାଣିକ ମତରେ କିପରି ଏହି ରକ୍ଷା ବନ୍ଧନର ଉତ୍ପତ୍ତି ହୋଇଥିଲା, ରକ୍ଷା ସୂତ୍ରର ରୂପରେଖ କିପରି ଥିଲା ଓ କିପରି ଏହି ବିଧି ପାଳିତ ହେଉଥିଲା, ଆସନ୍ତୁ ଏବେ ଜାଣିବା।

ଭବିଷ୍ୟ ପୁରାଣର ବର୍ଣ୍ଣନା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ରାଜା ଯୁଧିଷ୍ଠିରଙ୍କୁ କହୁଛନ୍ତି -

"ମହାରାଜ! ପ୍ରାଚୀନ କାଳରେ ଦେବାସୁର ସଂଗ୍ରାମରେ ଦେବତାମାନଙ୍କ ଦ୍ୱାରା ଏକଦା ଦାନବମାନେ ପରାଜିତ ହୋଇଗଲେ। ତେଣୁ ଦାନବମାନେ ଦୁଃଖି ହୋଇ ଦୈତ୍ୟରାଜ ବଳୀଙ୍କ ସହିତ ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଗଲେ ଓ ନିଜ ପରାଜୟର ବୃତ୍ତାନ୍ତ ତାଙ୍କୁ କହିଲେ।ଏହାଶୁଣି ଶୁକ୍ରାଚାର୍ଯ୍ୟ କହିଲେ - "ଦୈତ୍ୟରାଜ! ଆପଣଙ୍କୁ ବିଷାଦ କରିବା ଉଚିତ ନୁହେଁ। ଦୈଵବଶତଃ, କାଳର ପ୍ରଭାବରୁ ଜୟ ପରାଜୟ ଲାଗି ରହିଛି। ଏହି ସମୟରେ ତୁମେ ଏକ ବର୍ଷ ନିମିତ୍ତ ଦେବରାଜ ଇନ୍ଦ୍ରଙ୍କ ସହିତ ସନ୍ଧି କରିନିଅ, କାରଣ ଇନ୍ଦ୍ରଙ୍କ ପତ୍ନୀ ଶଚୀ ଇନ୍ଦ୍ରଙ୍କୁ ରକ୍ଷାସୂତ୍ର ବାନ୍ଧି ତାଙ୍କୁ ଅଜେୟ କରିଦେଇଛନ୍ତି। ତେଣୁ ତାହାରି ପ୍ରଭାବରେ ତୁମେ ଇନ୍ଦ୍ରଙ୍କ ଦ୍ୱାରା ପରାଜିତ ହୋଇଛ। ତେଣୁ ଏକ ବର୍ଷ ପର୍ଯ୍ୟନ୍ତ ପ୍ରତୀକ୍ଷା କର, ଏହା ପରେ ନିଶ୍ଚୟ ତୁମର କଲ୍ୟାଣ ହେବ।" ଏହିପରି ନିଜର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ବଚନକୁ ଶୁଣି ସମସ୍ତ ଦାନବ ନିଶ୍ଚିନ୍ତ ହୋଇଗଲେ ଓ ଉଚିତ ସମୟର ପ୍ରତୀକ୍ଷା କରିବାକୁ ଲାଗିଲେ।"

"ହେ ରାଜନ! ଏହା ରକ୍ଷା ବନ୍ଧନର ବିଲକ୍ଷଣ ପ୍ରଭାବ ଅଟେ, ଏହାଦ୍ୱାରା ବିଜୟ, ସୁଖ, ପୁତ୍ର, ଆରୋଗ୍ୟ ଓ ଧନ ପ୍ରାପ୍ତି ହୋଇଥାଏ।" ଏହିପରି ପ୍ରଭୁ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଲେ।

ତତ୍ପରେ ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ କଲେ - "ଭଗବନ୍! କେଉଁ ତିଥିରେ ଓ କେଉଁ ବିଧିରେ ରକ୍ଷା ବନ୍ଧନ କରିବା ଉଚିତ?"

ଭଗବାନ ଶ୍ରୀକୃଷ୍ଣ ଉତ୍ତର ଦେଲେ - "ମହାରାଜ! ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପ୍ରାତଃ କାଳରେ ଉଠି ନିଜର ନିତ୍ୟକର୍ମ ଶେଷକରି ଶ୍ରୁତି-ସ୍ମୃତି ବିଧିରେ ସ୍ନାନ କରି ଦେବତା ଓ ପିତରଙ୍କୁ ନିର୍ମଳ ଜଳରେ ତର୍ପଣ କରିବା ଉଚିତ ତଥା ଉପାକର୍ମ ବିଧିରେ ବେଦୋକ୍ତ ଋଷି ମାନଙ୍କୁ ମଧ୍ୟ ତର୍ପଣ କରିବା ବିଧେୟ। ବ୍ରାହ୍ମଣ ବର୍ଗ ଦେବତାଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରିବେ। ତତ୍ପରେ ଅପରାହ୍ନ କାଳରେ ରକ୍ଷାପୋଟଳିକା ଏହି ପ୍ରକାରରେ ନିର୍ମାଣ କରିବା ଉଚିତ। -

କପାସ ଅଥବା ରେଶମ ବସ୍ତ୍ରରେ ଅକ୍ଷତ, ଗୌର ସର୍ଷପ, ସୁବର୍ଣ୍ଣ, ସୋରିଷ, ଦୁର୍ବା ତଥା ଚନ୍ଦନ ଆଦି ପଦାର୍ଥ ରଖି ସେଗୁଡିକୁ ବାନ୍ଧି ଏକ ପୋଟଳିକା ନିର୍ମାଣ କରି, ତାହାକୁ ଏକ ତାମ୍ର ପାତ୍ର ମଧ୍ୟରେ ରଖି ବିଧିପୂର୍ବକ ତାହାକୁ ପ୍ରତିଷ୍ଠା କରିବାକୁ ହେବ। ତତ୍ପରେ ଘରର ଅଗଣାକୁ ଗୋବରରେ ଲିପି ଏକ ଚତୁଷ୍କୋଣ ମଣ୍ଡଳ ନିର୍ମାଣ କରି ତାହା ଉପରେ ଏକ ପୀଠ ସ୍ଥାପନ କରି ସେହି ପୀଠ ଉପରେ ମନ୍ତ୍ରୀଙ୍କ ସହିତ ରାଜାଙ୍କୁ ପୁରୋହିତଙ୍କ ସହିତ ବସିବାକୁ ହେବ। ଏହି ସମୟରେ ଉପସ୍ଥିତ ଜନସମୁଦାୟ ପ୍ରସନ୍ନଚିତ୍ତ ରହିବା ଓ ମଙ୍ଗଳ ଧ୍ୱନୀ କରିବା ବିଧେୟ। ସର୍ବପ୍ରଥମେ ବ୍ରାହ୍ମଣ ତଥା ସୁବାସିନୀ ସ୍ତ୍ରୀମାନେ ଅର୍ଘ୍ୟାଦି ଦ୍ୱାରା ରାଜାଙ୍କର ଅର୍ଚ୍ଚନା କରିବେ। ଏହାପରେ ପୁରୋହିତ ସେହି ପ୍ରତିଷ୍ଠିତ ରକ୍ଷା ପୋଟଳିକୁ ଏହି ମନ୍ତ୍ରର ପାଠ କରି ରାଜାଙ୍କ ଡ଼ାହାଣ ହାତରେ ବାନ୍ଧିବେ।

"ଯେନ ବଦ୍ଧୋ ବଳୀ ରାଜା ଦାନବେନ୍ଦ୍ରୋ ମହାବଳଃ ।
ତେନ ତ୍ବାମଭିବଧ୍ନାମି ରକ୍ଷେ ମା ଚଳ ମା ଚଳ ।।"
(ଉତ୍ତରପର୍ବ ୧୩୭। ୨୦)

ତତ୍ପରେ ରାଜା ବ୍ରାହ୍ମଣଙ୍କୁ ପୂଜାକରି, ତାଙ୍କୁ ସୁନ୍ଦର ବସ୍ତ୍ର, ଭୋଜନ ତଥା ଦକ୍ଷିଣା ଦେଇ ସନ୍ତୁଷ୍ଟ କରିବେ। ଏହି ରକ୍ଷାବନ୍ଧନ ଚାରି ବର୍ଣ୍ଣର ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ। ଯେଉଁ ବ୍ୟକ୍ତି ଏହି ବିଧିରେ ରକ୍ଷାବନ୍ଧନ କରିଥାଏ, ସେ ବର୍ଷକଯାକ ସୁଖୀ ରହିଥାଏ ତଥା ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ।"

ତେବେ ଆଜିକାଲି ବିଭିନ୍ନ ପ୍ରକାରର ରକ୍ଷା ସୂତ୍ର ବା ରାଖୀ ବଜାରରେ ଦେଖିବାକୁ ମିଳୁଛି ଯାହାର ମୂଲ୍ୟାୟନ ମଧ୍ୟ ତାହାର ବିକ୍ରୟ ମୁଲ୍ୟ ଅନୁସାରେ ନିର୍ଧାରିତ ହେଉଛି। ଯେଉଁ ରାଖୀ ଯେତେ ଦାମିକା ବା ଦାମୀ ଜିନିଷରେ ତିଆରି, ତାହାର ଚାହିଦା ସେତେ ଅଧିକ। କିନ୍ତୁ ଆମେ ପ୍ରଥମେ ଏହି ପର୍ବର ଆଧ୍ୟାତ୍ମିକ ମହତ୍ୱକୁ ବୁଝିବା ଦରକାର ଏବଂ ପୁରାଣରେ ବର୍ଣ୍ଣିତ ଏହି ପର୍ବର ଉଚିତ ବିଧିକୁ ମଧ୍ୟ ଅନୁସରଣ କରିବା ଦରକାର ଯାହାଦ୍ୱାରା କି ଏହି ରକ୍ଷାବନ୍ଧନ ପର୍ବର ସମୁଚିତ ଲାଭ ମିଳିପାରିବ।

ଜୟ ଜଗନ୍ନାଥ!

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)