ସ୍ୱାସ୍ଥ୍ୟ, ସମ୍ପର୍କ ଓ ଅଧୋବାୟୁ - ଏକ ଭିନ୍ନ ଦୃଷ୍ଟିକୋଣ

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ଯଦି ଆଜି ପର୍ଯ୍ୟନ୍ତ ମଧ୍ୟ ବିଶ୍ୱର ସବୁଠାରୁ ସାମାଜିକ କଟକଣାରେ ଥିବା ଜିନିଷ କିଛି ଅଛି, ତାହା ହେଉଛି ଅଧୋବାୟୁ ବା ସାଧାରଣ ଭାଷାରେ କହିଲେ ପାଡ଼। କାରଣ ଆପଣ ଏହାକୁ ଯେଉଁଠି ସେଇଠି ମନଇଚ୍ଛା ଛାଡି ପାରିବେନି । ଏହା ଉପରେ ଅଘୋଷିତ ସାମାଜିକ କଟକଣା ରହିଛି । କିନ୍ତୁ ଭାଗ୍ୟର ବିଡମ୍ବନା ଏହିକି ଯେ ସେହି କଟକଣାକୁ ଖାତିର ନକରି ମଧ୍ୟ ଏହା ଆପଣଙ୍କ ଇଛା ବିନା ବାହାରି ଯାଇଥାଏ । ଆଉ ଅନ୍ୟମାନଙ୍କର ଉପସ୍ଥିତିରେ ଯଦି ଏହା ବାହାରିଗଲା, ତେବେ କଥା ସରିଲା । ଅନେକ ଦିନ ପର୍ଯ୍ୟନ୍ତ ଏଥିପାଇଁ ଆପଣଙ୍କୁ ଲୋକହସା ହେବାକୁ ପଡିପାରେ । ଏହା ଉପରେ ଧାର୍ମିକ କଟକଣା ମଧ୍ୟ ରହିଛି । ଯଥା - ଯଦି ଜପ, ଧ୍ୟାନ ବା ପ୍ରାର୍ଥନା ସମୟରେ ଏହା ବାହାରିଯାଏ, ତେବେ ପ୍ରାୟଶ୍ଚିତ ସ୍ୱରୁପ ଆପଣଙ୍କୁ ପ୍ରାଣାୟମ କ୍ରିୟା କରି ପୁନଶ୍ଚ ପୂଜାକାର୍ଯ୍ୟ ଆରମ୍ଭ କରିବାକୁ ହୋଇଥାଏ । ତେବେ କଣ ପାଇଁ ଏହା ଉପରେ ଏତେସବୁ କଟକଣା ରହିଛି ? ଏହା କଣ ଆମର ସ୍ୱାସ୍ଥ୍ୟ ବା ସାମାଜିକ ସ୍ଥିତି ପାଇଁ ଏତେ କ୍ଷତିକାରକ ଯେ ଏହାକୁ ନିର୍ଗତ କରିବା ନିମନ୍ତେ ସମ୍ପୂର୍ଣ୍ଣ ଏକାନ୍ତର ଆବଶ୍ୟକତା ରହିଛି ? ଆସନ୍ତୁ ସେ ସମ୍ପର୍କରେ ଆଲୋକପାତ କରିବା ।

ପ୍ରଥମେ ସ୍ବାସ୍ଥ୍ୟଗତ ଦିଗକୁ ବିଚାରକୁ ନିଆଯାଉ ।  ଅଧୋବାୟୁ ଉପରେ ଏହି ଅଘୋଷିତ କଟକଣା ପାଇଁ ଅନେକ ସମୟରେ ଆମକୁ ଏହା ଚାପି ରଖିବାକୁ ପଡିଥାଏ । ମାତ୍ର ଆୟୁର୍ବେଦ ଶାସ୍ତ୍ର ମତରେ ଏହା ହାନୀକାରକ । କାରଣ ଅନେକ ସମୟରେ ଆମ ଶରୀର ଅପ୍ରୟୋଜନୀୟ ବା ଦୂଷିତ ପଦାର୍ଥକୁ ଆମ ଶରୀରରୁ ନିଷ୍କାସିତ କରିବା ପାଇଁ ବିଭିନ୍ନ ବେଗ ଉତ୍ପନ୍ନ କରିଥାଏ, ଯେପରିକି ମଳମୂତ୍ରାଦିର ବେଗ ହେଉ ଅଥବା ଅଧୋବାୟୁର ବେଗ । ଏହି ବେଗ ସବୁକୁ ତୁରନ୍ତ ତ୍ୟାଗ ନକରି ଚାପି ରଖିବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ । ଅଧୋବାୟୁକୁ ଦୀର୍ଘକାଳ ଧରି ଚାପି ରଖିବା ଦ୍ୱାରା ଯେଉଁସବୁ ସ୍ୱାସ୍ଥ୍ୟଗତ ସମସ୍ୟା ସବୁ ଦେଖା ଦେଇଥାଏ ସେଗୁଡିକ ହେଲା - ଗୁଳ୍ମ (ଉଦର ପ୍ରଦେଶରେ ଏକ ପ୍ରକାରର କୋଷ ବୃଦ୍ଧି), ଉଦାବର୍ତ (ବାୟୁର ଉର୍ଦ୍ଧ୍ବଗମନ), ଉଦରପୀଡ଼ା, ଆଧ୍ମାନ (ପେଟ ଫାମ୍ପିବା), କ୍ଲମ (ଅଳ୍ପ ପରିଶ୍ରମରେ ବା ବିନା ପରିଶ୍ରମରେ କ୍ଳାନ୍ତିର ଅନୁଭବ), ବାତ ସଙ୍ଗ (ଅଧୋବାୟୁର ମାର୍ଗ ଅବରୋଧ), ମୂତ୍ର ସଙ୍ଗ (ମୂତ୍ରର ସୁଖଦ ବହିର୍ଗମନରେ ଅବରୋଧ), ଶକୃତ ସଙ୍ଗ (ମଳର ସୁଖଦ ବହିର୍ଗମନରେ ଅବରୋଧ), ଦୃଷ୍ଟି ବାଧା (ଦୃଷ୍ଟି ଦୋଷ), ଅଗ୍ନି ବାଧା (ହଜମ ଶକ୍ତିର ହ୍ରାସ) ତଥା ହୃଦ୍ ରୋଗ ଇତ୍ୟାଦି ।

ଏଥିରୁ ଜଣାଯାଉଛି ଯେ ଅଧୋବାୟୁକୁ ନିଜ ରାସ୍ତାରେ ଯିବାକୁ ଛାଡ଼ିଦେବାଟା ହିଁ ବୁଦ୍ଧିମାନର କାର୍ଯ୍ୟ, ନଚେତ୍ ରୋଗ କିଣିବାକୁ ପଡିପାରେ । ତେବେ ପ୍ରଶ୍ନ ଉଠୁଛି ଯେ ଏହାକୁ ଛାଡିବା ସମୟରେ ସୃଷ୍ଟି ହେଉଥିବା ଦୁର୍ଗନ୍ଧର କଣ କରାଯିବ ? କାରଣ ଏହାହିଁ ତାହାଉପରେ ଥିବା ସାମାଜିକ କଟକଣା ତଥା ଆମର ସମ୍ମାନହାନୀର ମୁଖ୍ୟ କାରଣ । ଉତ୍ତରରେ ଏତିକି କୁହାଯାଇପାରେ ଯେ ଏଥିରୁ ବାହାରୁଥିବା ଦୁର୍ଗନ୍ଧ ଆମର କ୍ଷତି ନକରି ବରଂ ଲାଭ କରିଥାଏ । ଏହା କିପରି ହୁଏ, ଆସନ୍ତୁ ଜାଣିବା ।

ନିକଟରେ ଇଂଲଣ୍ଡର ଏକ୍ସେଟର ୟୁନିଭର୍ସିଟିରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଅଧୋବାୟୁରୁ ବାହାରୁଥିବା ହାଇଡ୍ରୋଯେନ ସଲଫାଇଡ଼ ନାମକ ଗ୍ୟାସକୁ ଶୁଙ୍ଘିବା ଦ୍ୱାରା ହୃଦ୍ ଘାତ, କ୍ୟାନ୍ସର, ମସ୍ତିଷ୍କ ସଂଘାତ ଓ ବୁଦ୍ଧି ଭ୍ରଂଶ ଆଦି ରୋଗର ସମ୍ଭାବନା କ୍ଷୀଣ ହୋଇଥାଏ । ତେଣୁ ଅଧୋବାୟୁ ବାସ୍ତଵିକ ଆମର ଲାଭ କରିଥାଏ । ସେଥିପାଇଁ ହୁଏତ ପ୍ରକୃତି ଏହାକୁ ଏହିପରି ଗନ୍ଧଯୁକ୍ତ କରିଛି ।

ତେବେ ବିନା ସଙ୍କୋଚରେ ଅଧୋବାୟୁ ନିର୍ଗତ କରିବାର ଅନ୍ୟ ଏକ ବାଧା ହେଉଛି - ଏଥିରୁ ଉତ୍ପନ୍ନ ହେଉଥିବା ଅଦ୍ଭୁତ ଶବ୍ଦ ମାନ ଯାହାକି ଏହାର ସୃଷ୍ଟିକାରୀଙ୍କୁ ଚିହ୍ନଟ କରିଥାଏ । ଆଉ ଯଦି ଏହି ଶବ୍ଦ ବିପରୀତ ଲିଙ୍ଗମାନଙ୍କ ସମ୍ମୁଖରେ ବାହାରିଲା, ତେବେ କଥା ସରିଲା । ତେବେ ଏକ ଗବେଷଣାରୁ ଜଣାଯାଇଛି ଯେ ପ୍ରେମୀ ଯୁଗଳ ହୁଅନ୍ତୁ ଅଥବା ଦମ୍ପତ୍ତି, ଉଭୟେ ଉଭୟଙ୍କ ସମ୍ମୁଖରେ ନିଃସଙ୍କୋଚରେ ଅଧୋବାୟୁକୁ ନିର୍ଗତ କରିବା ପାଇଁ ସାଧାରଣତଃ ୨ରୁ ୬ ମାସ ସମୟ ନିଅନ୍ତି । ଏହାପରେ ଉଭୟେ ଉଭୟଙ୍କ ସମ୍ମୁଖରେ ଏପରି କରିବା ଏକ ସାଧାରଣ ଘଟଣା ହୋଇ ରହି ଯାଇଥାଏ । ଏବଂ ବୃଦ୍ଧାବସ୍ଥା ଆଗତ ହେଲେ ଅଧିକାଂଶ ଲୋକ କାହାର ଉପସ୍ଥିତିକୁ ଖାତିର ନକରି ନିଃସଙ୍କୋଚରେ ଅଧୋବାୟୁକୁ ନିଜ ରାସ୍ତାରେ ଯିବାକୁ ଦେଇଥାନ୍ତି । ଏଥିରୁ ଅନୁମେୟ ଯେ, ଯେଉଁ ଲୋକହସାକୁ ଭୟ କରି ଆମେ ସର୍ବସମ୍ମୁଖରେ ଅଧୋବାୟୁକୁ ଚାପି ଥାଉ, ତାହା ପରବର୍ତ୍ତୀ ସମୟରେ ଏକ ସାଧାରଣ ଘଟଣାରେ ପରିଣତ ହୋଇଥାଏ।

ତେବେ ବହୁଦିନରୁ ଚାଲିଆସିଥିବା ଏହି ସାମାଜିକ ଚଳଣୀକୁ ସମ୍ମାନ ଦେଇ ଆମେ ସର୍ବସମ୍ମୁଖରେ ଅଧୋବାୟୁକୁ ଯିବାକୁ ନ ଦେଇ ଅନ୍ତତଃପକ୍ଷେ ସେହି ସମୟରେ ଯଦି ସମ୍ଭବ ତୁରନ୍ତ ଏକାନ୍ତକୁ ଯାଇ ଏହାକୁ ନିର୍ଗତ କରିପାରିଲେ ନିରୋଗ ରହିପାରିବା ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)