କ୍ଷୌର-କର୍ମର ଶାସ୍ତ୍ରୀୟ ନିୟମାବଳୀ

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

କ୍ଷୌର-କର୍ମ କହିଲେ କେଶ, ଶ୍ମଶ୍ରୁ (ଦାଢ଼ି) ତଥା ନଖ କାଟିବାକୁ ବୁଝାଇଥାଏ। ଏହି କର୍ମ ସମ୍ପାଦନ କରିବା ବିଷୟରେ କେତେକ ଶାସ୍ତ୍ରୀୟ ନିୟମ ରହିଛି, ମାତ୍ର ଅନେକ ସମୟରେ ଆମେ ସେହିସବୁ ନିୟମ ସମ୍ବନ୍ଧରେ ଅଜ୍ଞ ରହିଥାଉ। ସାଧାରଣତଃ ଆମେ ଗୁରୁବାର, ସଂକ୍ରାନ୍ତି, ଜନ୍ମବାର, ବ୍ରତଉପବାସାଦି ଦିନକୁ ଛାଡି ଅନ୍ୟ ସବୁଦିନ କ୍ଷୌର ହୋଇଥାଉ। କିନ୍ତୁ ଶାସ୍ତ୍ରୀୟ ମତରେ ଆହୁରି ଅନେକ କେତେ ବାର ଓ ତିଥି ରହିଛି ଯେଉଁଦିନ କ୍ଷୌର-କର୍ମ କରିବାକୁ ନିଷେଧ କରାଯାଇଛି। ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା।

ଏକାଦଶୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି, ବ୍ୟତିପାତ, ବିଷ୍ଟି (ଭଦ୍ରା), ବ୍ରତ ଦିନ, ଶ୍ରାଦ୍ଧ ଦିନ, ମଙ୍ଗଳବାର ଓ ଶନିବାର ଦିନ କ୍ଷୌର-କର୍ମ ବର୍ଜିତ। ଏତଦବ୍ୟତୀତ ଗର୍ଗାଦି ମୁନୀଙ୍କ କଥନାନୁସାରେ ରବିବାର ଦିନ ମଧ୍ୟ କ୍ଷୌର-କର୍ମ ବର୍ଜିତ। ପୁତ୍ରେଚ୍ଛୁ ଗୃହସ୍ଥ ଏବଂ ଏକପୁତ୍ରବାନ  ବ୍ୟକ୍ତିମାନେ ସୋମବାର ତଥା ବିଦ୍ୟା ଏବଂ ଲକ୍ଷ୍ମୀ କାମନା କରୁଥିବା ବ୍ୟକ୍ତି ମାନେ ଗୁରୁବାର ଦିନ କ୍ଷୌର-କର୍ମ କରିବା ଉଚିତ ନୁହେଁ।

ଅତଏବ ଏଥିରୁ ସ୍ପଷ୍ଟ ଯେ ଅବିବାହିତ ବ୍ୟକ୍ତି, ଯେଉଁମାନେ କି ବିଦ୍ୟା ତଥା ଲକ୍ଷ୍ମୀ କାମନା କରୁଛନ୍ତି, ସେମାନେ ନିଷେଧ ତିଥି ବ୍ୟତୀତ ସୋମବାର, ବୁଧବାର ତଥା ଶୁକ୍ରବାର ଦିନ କ୍ଷୌର-କର୍ମ କରିପାରିବେ। ବିଦ୍ୟା ତଥା ଲକ୍ଷ୍ମୀଙ୍କର ଅଭିଳାଷ ନଥିଲେ (ଯାହାକି ବିରଳ) ଗୁରୁବାର ଦିନ ମଧ୍ୟ କ୍ଷୌର-କର୍ମ କରିପାରନ୍ତି।

ଗୃହସ୍ଥ ବ୍ୟକ୍ତି ଯେଉଁମାନେ କି ଏକପୁତ୍ରବାନ କିମ୍ବା ପୁତ୍ରେଚ୍ଛୁ ତଥା ବିଦ୍ୟା ଏବଂ ଲକ୍ଷ୍ମୀ କାମନା କରନ୍ତି, ସେମାନେ ନିଷେଧ ତିଥି ବ୍ୟତୀତ କେବଳ ବୁଧବାର ଏବଂ ଶୁକ୍ରବାର ଦିନ କ୍ଷୌର-କର୍ମ  କରିପାରିବେ। ଅନ୍ୟ ଗୃହସ୍ଥମାନେ ସୋମବାର ଦିନ ମଧ୍ୟ କ୍ଷୌର-କର୍ମ କରିପାରିବେ।

ଶ୍ରୀମଦ୍ ଶିଵଧର୍ମପୁରାଣ ମତରେ ଗୁରୁ, ଶିଵଭକ୍ତ, ରାଜା, ସାଧୁ-ସନ୍ୟାସୀ ଓ ତପସ୍ୱୀ ମାନେ ଉଭୟ କୃଷ୍ଣ ଓ ଶୁକ୍ଳ ପକ୍ଷର ଅଷ୍ଟମୀ ଓ ଚତୁର୍ଦ୍ଦଶୀ, ପୂର୍ଣ୍ଣିମା, ଅମାବାସ୍ୟା ତଥା ସଂକ୍ରାନ୍ତି ତିଥିରେ କ୍ଷୌର-କର୍ମ କରିବା ଉଚିତ ନୁହେଁ। ଯଦି ଏହାର ନିତାନ୍ତ ଆବଶ୍ୟକତା ପଡେ ତେବେ ଏଥିପାଇଁ ନକ୍ତ ବ୍ରତ ପାଳନୀୟ। ଏଠାରେ କେବଳ ଅଷ୍ଟମୀ ତିଥିଟି ପୂର୍ବ ସୂଚନା ଠାରୁ ଅଧିକ କୁହାଯାଇଛି।

ତେଣୁ ଏଥିରୁ ବୁଝାଯାଉଛି ଯେ ତିଥି ତଥା ବାରକୁ ହିସାବକୁ ନେଲେ ଉଭୟ ଗୃହସ୍ଥ ଏବଂ ଅବିବାହିତ ବ୍ୟକ୍ତିଙ୍କ ପକ୍ଷରେ ଏକ ପକ୍ଷକୁ ପ୍ରାୟ ତିନି ଦିନ ସମୟ ମିଳିବ କ୍ଷୌର-କର୍ମ ସମ୍ପାଦନ କରିବା ପାଇଁ। ଏବଂ ଆୟୁର୍ବେଦ ଗ୍ରନ୍ଥ ଚରକ ସଂହିତା ମତରେ ମଧ୍ୟ ପକ୍ଷକୁ ତିନିଥର କ୍ଷୌର-କର୍ମ କରିବା ପାଇଁ ନିର୍ଦ୍ଦେଶ ରହିଛି ଯାହାକି ଉପରୋକ୍ତ ନିଷ୍କର୍ଷ ସହିତ ମେଳ ଖାଉଛି।

ତେଣୁ ଯଦି ଆମେ ଶାସ୍ତ୍ରୀୟ ମତକୁ ଅନୁକରଣ କରିବା ତେବେ ଉପରୋକ୍ତ ବର୍ଣ୍ଣିତ ବିଧିଅନୁସାରେ କ୍ଷୌର-କର୍ମ କରିବା ଆବଶ୍ୟକ। ନଚେତ୍ ଶାସ୍ତ୍ରକୁ ନ ମାନିଲେ ଆମ ଇଚ୍ଛାନୁସାରେ ଏହି କର୍ମ ସମ୍ପାଦନ କରିପାରିବା। ବିଚାର ଆମମାନଙ୍କର।

ସହାୟକ ଉତ୍ସ:

୧) ନିତ୍ୟକର୍ମ-ପୂଜାପ୍ରକାଶ (ଗୀତା ପ୍ରେସ)
୨) ଶ୍ରୀମଦ୍ ଶିଵଧର୍ମପୁରାଣ
୩) ଚରକ ସଂହିତା

[ଏହି ଆଲେଖ୍ୟଟି ତର୍କ ପାଇଁ ନୁହେଁ, ସୂଚନା ନିମିତ୍ତ ଦିଆଯାଇଛି। ତେଣୁ ସେହି ଦିଗରେ ଆଲୋଚନା ଗ୍ରହଣୀୟ। ଧନ୍ୟବାଦ।]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)