ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ

"ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ"

ଆପଣମାନେ ଉପରୋକ୍ତ ମନ୍ତ୍ରଟିକୁ ନିଶ୍ଚୟ ଆମର ପାରମ୍ପରିକ ବିଧାନ ସ୍ୱରୂପ ଵିଵାହ ଉପଲକ୍ଷେ ବନ୍ଧୁବାନ୍ଧବମାନଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ପତ୍ରରେ ସର୍ବାଗ୍ରେ ଉଲ୍ଲିଖିତ ଥିବାର ଦେଖିଥିବେ । ଆମମାନଙ୍କ ମଧ୍ୟରୁ ଅନେକ ଏହାର ଅର୍ଥ ସମ୍ବନ୍ଧରେ ଅବଗତ ନ ଥାଇ କେବଳ ମାତ୍ର ବିଧିରକ୍ଷା ପାଇଁ ମଧ୍ୟ ଏହାକୁ ଉଲ୍ଲେଖ କରିଥାଉ । ଏପରିକି ମଧ୍ୟ ମୁଁ ଦେଖିଛି, ବିବାହ ସମ୍ବନ୍ଧିତ ନିମନ୍ତ୍ରଣ ପତ୍ରରେ  ଡି.ଟି.ପି. କାର୍ଯ୍ୟ ତୁଲାଉଥିବା ବ୍ୟକ୍ତି ଏହି "ପ୍ରଜାପତି"ର ଅର୍ଥ ତଥା ତାହାର ଏ କ୍ଷେତ୍ରରେ ଥିବା ତାତ୍ପର୍ଯ୍ୟକୁ ବୁଝି ନ ପାରି ଏହି ମନ୍ତ୍ର ନିକଟରେ ଏକ ପ୍ରଜାପତିର ଚିତ୍ରଟିଏ ମଧ୍ୟ ଆଙ୍କିଦେଇଥାନ୍ତି । ତେବେ କଣ ଏହାର ପ୍ରକୃତ ଅର୍ଥ ଓ କାହିଁକି ଏହା ଲେଖାଯାଇଥାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

ଏଠାରେ ଉଲ୍ଲିଖିତ "ପ୍ରଜାପତି" ଶବ୍ଦଟି ବ୍ରହ୍ମା ବା ତାଙ୍କ ପୁତ୍ର ଦକ୍ଷ ପ୍ରଜାପତିଙ୍କୁ ବୁଝାଉନାହିଁ । ଏହା ହେଉଛି ଶ୍ରୀବିଷ୍ଣୁଙ୍କର ଷୋଡଶ ନାମ ମଧ୍ୟରୁ ଅନ୍ୟତମ ଯାହାକି "ଶ୍ରୀ ବିଷ୍ଣୋ ଷୋଡଶନାମ ସ୍ତୋତ୍ରମ୍" ରେ ବର୍ଣ୍ଣିତ । କେଉଁ ସମୟରେ ଶ୍ରୀବିଷ୍ଣୁଙ୍କର କେଉଁ ନାମକୁ ସ୍ମରଣ କରିବା ଉଚିତ ତାହା ଏହି ସ୍ତୋତ୍ରରେ ଉଲ୍ଲିଖିତ ଅଛି । ସ୍ତୋତ୍ରଟି ହେଲା -

ଔଷଧେ ଚିନ୍ତୟେତ୍ ବିଷ୍ଣୁଂ ଭୋଜନେ ଚ ଜନାର୍ଦ୍ଦନମ୍
ଶୟନେ ପଦ୍ମନାଭଂ ଚ ବିବାହେ ଚ ପ୍ରଜାପତିମ୍ ।।

ଯୁଦ୍ଧେ ଚକ୍ରଧରଂ ଦେବଂ ପ୍ରବାସେ ଚ ତ୍ରିବିକ୍ରମମ୍
ନାରାୟଣଂ ତନୁତ୍ୟାଗେ ଶ୍ରୀଧରଂ ପ୍ରିୟ ସଙ୍ଗମେ ।।

ଦୁଃସ୍ବପ୍ନେ ସ୍ମର ଗୋବିନ୍ଦଂ ସଂକଟେ ମଧୁସୂଦନମ୍
କାନନେ ନରସିଂହଂ ଚ ପର୍ବତେ ରଘୁନନ୍ଦନମ୍   ।।

ଜଳମଧ୍ୟେ ବାରାହଂ ଚ ପାବକେ ଜଳଶାୟିନମ୍ ।
ମାୟାସୁ ବାମନଂ ଦେବଂ ସର୍ବକାର୍ଯ୍ୟେଷୁ ମାଧବମ୍ ।।

ଉପରୋକ୍ତ ସ୍ତୋତ୍ରର ଅନ୍ୟ କେତେକ ପାଠ ମଧ୍ୟ ଉପଲବ୍ଧ ଯେଉଁଥିରେ କି ଏହି ଷୋଡ଼ଶ ନାମର କ୍ରମରେ ତଥା ନାମରେ ମଧ୍ୟ କିଞ୍ଚିତ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ତେବେ ସର୍ବତୋଭାବେ ଏହା ଗ୍ରହଣୀୟ ଯେ ବିବାହ ସମୟରେ ଶ୍ରୀବିଷ୍ଣୁଙ୍କର "ପ୍ରଜାପତି" ନାମକୁ ହିଁ ସ୍ମରଣ କରାଯାଇଥାଏ ଯାହାକୁକି ଆମେ ପାରମ୍ପରିକ ଭାବେ ଅନୁକରଣ କରିଆସୁଅଛୁ ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)