ଉତ୍କଳୀୟ ପରମ୍ପରାରେ ବାଲୁକା କଳା

ଉପସ୍ଥାପନା - ଡ଼ାଃ କୁମାର ଅରୋଜ୍ୟୋତି

ଉତ୍କଳ କହିଲେ ସେହି ଦେଶକୁ ବୁଝାଏ ଯାହା "ଉତ୍କୃଷ୍ଟ କଳା" ନିମନ୍ତେ ପ୍ରସିଦ୍ଧ। ଉତ୍କଳର କଳା ଓ ସ୍ଥାପତ୍ୟ ସମଗ୍ର ବିଶ୍ୱରେ ଆଦୃତ। ଏହା ପ୍ରସ୍ତର/କାଷ୍ଠ ମୂର୍ତ୍ତି କାରିଗରୀ ହେଉ କି ରୁପା ତାରକସି କାରିଗରୀ, କିମ୍ବା ପଟ୍ଟଚିତ୍ର କଳା ହେଉ କି ପିପିଲିର ଚାନ୍ଦୁଆ କଳା। ଏ ସମସ୍ତ କଳା ଓଡ଼ିଶାକୁ ବିଶ୍ୱର କଳା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ସାହାଯ୍ୟ କରିଛନ୍ତି। ଏବେ ଆଉ ଏକ କଳା ଉତ୍କଳର ଏହି ଗୌରବମୟ କଳା ପରମ୍ପରାର ତାଲିକାରେ ଯୋଡି ହୋଇଯାଇଛି। ତାହା ହେଲା "ବାଲୁକା କଳା"। ଯେଉଁ ଶିଳ୍ପୀ, ବାଲୁକା କଳାକୁ ପାଥେୟ କରି ଓଡିଶାକୁ ବିଶ୍ୱ ଦରବାରରେ ଆଦୃତ କରିଛନ୍ତି, ସେ ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତାଙ୍କ ପଛକୁ ଯେଉଁ ଯୁବ ଶିଳ୍ପୀ ମାନେ ଓଡ଼ିଶାର ଏହି ବାଲୁକା କଳାର ପରମ୍ପରାକୁ ଆଗେଇ ନେଇଛନ୍ତି ସେମାନେ ହେଲେ - ରଞ୍ଜନ କୁମାର ଗାଙ୍ଗୁଲି, ମାନସ କୁମାର ସାହୁ, ସୁଦାମ ପ୍ରଧାନ, ସୁବଳ ମହାରଣା, ସୁଚିତ୍ରା ମହାଶ୍ୱେତା ଇତ୍ୟାଦି। ତେବେ ଏହି ବାଲୁକା କଳା ଉତ୍କଳର ନିଜସ୍ୱ କଳା, ନା ଏହା ଆମେ ଅନ୍ୟଠାରୁ ଅନୁକରଣ କରି ଶିଖିଛେ, ଆସନ୍ତୁ ଏବେ ଜାଣିବା।

ବର୍ଣ୍ଣିତ ଅଛି ଯେ ଏହି ବାଲୁକା କଳା ସର୍ଵ ପ୍ରଥମେ ମିଶର ଦେଶରେ ଆରମ୍ଭ ହୋଇଥିଲା ଯେଉଁଠାରେ କି ସେଠାକାର ଶିଳ୍ପୀ ମାନେ ବାଲି ଦ୍ୱାରା ପିରାମିଡ ତିଆରି କରୁଥିଲେ। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଅନୁସାରେ ଏହି ବାଲୁକା କଳାର ନିଦର୍ଶନ ଓଡିଶାରେ ସର୍ବ ପ୍ରଥମେ ଦେଖିବାକୁ ମିଳିଥିଲା ୧୪ଶ ଶତାବ୍ଦୀରେ, ଯେତେବେଳେ କି ଭକ୍ତ ବଳରାମ ଦାସ, ସେବାୟତଙ୍କ ଦ୍ୱାରା ତିରସ୍କୃତ ହୋଇ ରଥ ଉପରକୁ ଚଢି ନପାରି, ପୁରୀର ସୁବର୍ଣ୍ଣ ବେଳାଭୂମିରେ ତିନୋଟି ବାଲୁକା ରଥ ନିର୍ମାଣ କରିଥିଲେ ଓ ସେହି ରଥରେ ସ୍ୱୟଂ ପ୍ରଭୁ ଜଗନ୍ନାଥ, ବଳରାମ ଦାସଙ୍କ ଭକ୍ତିରେ ଆକୃଷ୍ଟ ହୋଇ ନିଜକୁ ସ୍ଥାପିତ କରିଥିଲେ। ସେପଟେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ଯାଇଥିଲା ଓ ମହାପ୍ରଭୁ ସୂଚନା ଦେଇଥିଲେ ଯେ ଏହାର କାରଣ ହେଉଛି ତାଙ୍କର ଅନନ୍ୟ ଭକ୍ତ ବଳରାମ ଦାସଙ୍କୁ ସେବାୟତଙ୍କ ଦ୍ୱାରା ଅପମାନ। ଏହା ଜାଣିପାରି ଗଜପତି ସ୍ୱୟଂ ବଳରାମ ଦାସଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ଓ ରଥଯାତ୍ରା ଆଗେଇଥିଲା।

ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଯେଉଁ ଦେଶ ନିଜର କଳା ପାଇଁ ବିଶ୍ୱପ୍ରସିଦ୍ଧ ଓ ଯେଉଁ ଦେଶର ଶିଳ୍ପୀ ଅତ୍ୟନ୍ତ କଠିନ ପ୍ରସ୍ତର ଖଣ୍ଡରେ ମଧ୍ୟ କମନୀୟ କଳାର ନିଦର୍ଶନ ଦେଇପାରେ, ସେ ଦେଶର ଶିଳ୍ପୀଙ୍କୁ କଣ ଏହି କୋମଳ ବାଲୁକା ରାଶିରେ ନିଜର କଳାକୁ ପ୍ରସ୍ଫୁଟିତ କରିବାକୁ ୧୪ଶ ଶତାବ୍ଦୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା? ଏହାର ଉତ୍ତର ହେଉଛି - ଏହି ବାଲୁକା କଳା କେଉଁ ଆଦିମ କାଳରୁ ଆମ ସଂସ୍କୃତିର ଏକ ଅଂଶ ରୂପେ ପରିଗଣିତ। ଆମ ପର୍ବପର୍ବାଣି ମାନଙ୍କୁ ଅନୁଧ୍ୟାନ କଲେ ଆମେ ଏ ସମ୍ପର୍କରେ ଜାଣିପାରିବା। ଆମ ପର୍ବପର୍ବାଣି ଯେତେ ପ୍ରାଚୀନ, ଏହି କଳା ମଧ୍ୟ ସେତେ ପ୍ରାଚୀନ। ତେବେ ଆସନ୍ତୁ ଜାଣିବା କେଉଁ ପର୍ବପର୍ବାଣିରେ ଆମେ ବାଲୁକା କଳାର ବ୍ୟବହାର କରୁ।

ଉତ୍କଳୀୟ ପରମ୍ପରାରେ ଆମେ ମୁଖ୍ୟତଃ ଦୁଇଗୋଟି ପୂଜାପାର୍ବଣରେ ଏହି ବାଲୁକା କଳାର ବ୍ୟବହାର କରିଥାଉ। ସେ ଦୁଇଟି ହେଲା -
ବାଲି ତୃତୀୟା ଓ ଦାଣ୍ଡ ପହଁରା। 

ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟାକୁ "ବାଲି ତୃତୀୟା" କୁହାଯାଏ। ଏହି ବ୍ରତକୁ ଅବିବାହିତା ବୟସ୍କା ଝିଅ ମାନେ ଓ ସଧବା ସ୍ତ୍ରୀ ମାନେ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରିଥାନ୍ତି। କଥିତ ଅଛି ଯେ ପାର୍ବତୀ ଏହିଦିନ ବାଲୁକା ନିର୍ମିତ ଶିବଙ୍କ ମୂର୍ତ୍ତିକୁ ପୂଜା କରି ନିଜର ମନକାମନା ପୂର୍ଣ୍ଣ କରିଥିଲେ। ତେଣୁ ଏହିଦିନ ଅବିବାହିତା ଝିଅ ମାନେ ନିଜ ମନମୁତାବକ ସ୍ୱାମୀ ପାଇବା ନିମିତ୍ତ ତଥା ସଧବା ସ୍ତ୍ରୀ ମାନେ ନିଜର ସ୍ୱାମୀ ଓ ସନ୍ତାନ ସନ୍ତତିଙ୍କର ମଙ୍ଗଳ କାମନା କରି ଏହି ବ୍ରତ ନିଷ୍ଠାର ସହିତ ପାଳନ କରିଥାନ୍ତି। ଏହିଦିନ ବାଲି ନିର୍ମିତ ଶିବ ଲିଙ୍ଗ କିମ୍ବା ଶିବଙ୍କର ମୂର୍ତ୍ତି ପୂଜା କରାଯାଉଥିବାରୁ ଏହାର ନାମ "ବାଲି ତୃତୀୟା" ହୋଇଛି।

ସେହିପରି ବାଲୁକା କଳା ସମ୍ପର୍କିତ ଅନ୍ୟ ଏକ ପର୍ବ ହେଉଛି "ଦାଣ୍ଡ ପହଁରା"। ଏହି ଓଷା ପୌଷ ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥିରେ ପାଳିତ ହୁଏ। ସନ୍ତାନ କାମନା କରି ନାରୀ ମାନେ ଏହି ବ୍ରତ ପାଳନ କରିଥାନ୍ତି। ଏହି ବ୍ରତରେ ନାରୀମାନେ ବାଲିରେ ହରିହର ମୂର୍ତ୍ତି ତିଆରି କରି ତାଙ୍କୁ ପୂଜା କରନ୍ତି। ପୂଜା ପରେ ଭୋଗ ସବୁକୁ ଛୋଟ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ ଓ ଦାଣ୍ଡ ପହଁରା ଓଷା କଥା ମଧ୍ୟ ପାଠ କରାଯାଇଥାଏ।

ଉପରୋକ୍ତ ବ୍ରତ ଦୁଇଟିର ପ୍ରାଚୀନତା ନିର୍ଦ୍ଧାରଣ କରିବା ଅତ୍ୟନ୍ତ କଠିନ। କାରଣ କେଉଁ ଆବହମାନ କାଳରୁ ଆମେ ଏହି ବ୍ରତକୁ ପାଳି ଅସୁଛେ। ତେବେ ଏତିକି ଜୋର ଦେଇ କହିହେବ ଯେ ଏହା ନିଶ୍ଚିତ ପକ୍ଷେ ୧୪ଶ ଶତାବ୍ଦୀ ଠାରୁ ମଧ୍ୟ ପୂରାତନ। ଅତଏବ ଉତ୍କଳୀୟ ପରମ୍ପରାରେ ବାଲୁକା କଳାର ବ୍ୟବହାର ଅତି ପ୍ରାଚୀନ ଓ ଏହା ଆମ ପାରମ୍ପରିକ କଳା।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)