କାହାଣୀ ଖାସି, କୁକୁଡ଼ା ଓ ବିଶ୍ୱକପର

ସେପଟେ ...

ସୁନ୍ଦରଗଡ ଜିଲ୍ଲାର ଏକ ଗାଁ । ଅପରାହ୍ନ ସମୟ, ସୁର୍ଯ୍ୟ ଗଡ଼ିବାକୁ ଆରମ୍ଭ କଲେଣି । ଚାଷକାମ ଓ ମୂଲିଆ କାମକୁ ଯାଇଥିବା ଲୋକମାନେ ଧୀରେ ଧୀରେ ଘରକୁ ଫେରିବା ଆରମ୍ଭ କଲେଣି । ଏହି ସମୟରେ ଗାଁ ମୁଣ୍ଡରେ ଥିବା ଏକ ପଡିଆ ଧୀରେ ଧୀରେ ଲୋକାରଣ୍ୟ ହେବାକୁ ଲାଗିଲା । ଜର୍ସି ପିନ୍ଧା କିଛି ଯୁବକ ହାତରେ ହକି ଷ୍ଟିକ ଧରି ପଡ଼ିଆର ଉଭୟ ପାର୍ଶ୍ୱରେ ଏକତ୍ରିତ ହେବାକୁ ଲାଗିଲେ । ଖେଳ ଦେଖିବାକୁ ମଧ୍ୟ ଅନେକ ଲୋକ ନିଜ ନିଜର କାମଦାମ ଶେଷକରି ଏକତ୍ରିତ ହେଲେ । ଆଜି ହେଉଛି ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ । ଯେଉଁ ଦଳ ଜିତିବ, ସେ ପୁରସ୍କାର ସ୍ୱରୁପ 'ଖାସି' ନେଇ ଘରକୁ ଯିବ । ଆଉ ଯିଏ ହାରିବ, ସିଏ ମଧ୍ୟ ସାନ୍ତ୍ୱନା ମୂଳକ ଭାବେ 'କୁକୁଡ଼ା' ନେଇ ଘରକୁ ଯିବ । ମ୍ୟାଚ ଆରମ୍ଭ ହେଲା । ଜୋରଦାର ସଂଘର୍ଷ । ଖେଳାଳୀ ମାନେ କୌଣସି ପ୍ରତିରକ୍ଷା ମୂଳକ କବଚ ନ ପିନ୍ଧି, ଆଘାତପ୍ରାପ୍ତ ହେବାର ଭୟକୁ ଭ୍ରୁକ୍ଷେପ ନ କରି ଖେଳି ଚାଲିଥାନ୍ତି । କାରଣ ଏହି ପରମ୍ପରା ସହିତ ସେମାନେ ଅଭ୍ୟସ୍ତ, କାହିଁ କେଉଁ କାଳରୁ । ଆଉ ଏହି 'ଖାସି' ପ୍ରତିଯୋଗିତାର ଫଳାଫଳ ଉପରେ ହିଁ ନିର୍ଭର କରେ ସେମାନଙ୍କ ସାମାଜିକ ପ୍ରସିଦ୍ଧି ତଥା ଭବିଷ୍ୟତରେ ରାଜ୍ୟ ବା ଦେଶ ପକ୍ଷରୁ ଖେଳିବାର ସମ୍ଭାବନା ...

ମ୍ୟାଚ ସରିଲା । ବିଜୟୀ ଦଳ ସଗର୍ବେ ପୁରସ୍କାର ସ୍ୱରୂପ 'ଖାସି' ନେଇ ବିଜୟୋଲ୍ଲାସ ସହିତ ଘରକୁ ଫେରିଲେ...ରାତିରେ ପାରମ୍ପରିକ ବାଦ୍ୟ ସହିତ ସ୍ୱାଗତ ସମ୍ବର୍ଦ୍ଧନା ଓ ଖାସି ମାଂସର ଭୋଜି ଯେ ଅପେକ୍ଷା କରି ରହିଛି ସେମାନଙ୍କ ପାଇଁ ।

ଏପଟେ ...

ଓଡ଼ିଶାର ରାଜଧାନୀ ଭୁବନେଶ୍ବର । ଆଜି ହେଉଛି ହକି ବିଶ୍ୱକପର ଫାଇନାଲ୍ ମ୍ୟାଚ । ବେଲଜିୟମ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମୁକାବିଲା । ଯିଏ ଜିତିବ ସିଏ ହେବ ବିଶ୍ୱବିଜେତା । ଏହି ପ୍ରତିଯୋଗିତା ପାଇଁ ଭୁବନେଶ୍ବର ନବବଧୂ ବେଶ ସାଜିଛି । ରାସ୍ତାଘାଟରେ ଟିକିଏ ମଇଳା ପାଇବେନି । ରାଜଧାନୀର କାନ୍ଥ ଗୁଡ଼ିକ ମଧ୍ୟ ଶିଳ୍ପୀର କ୍ୟାନଭାସ ସାଜି ଅନୁପମ ରଙ୍ଗରେ ରଙ୍ଗାୟିତ । ଯାହା ହେଲେବି ଆମ ସମ୍ମାନର କଥା । ନ ହେଲେ ବିଦେଶୀ ଖେଳାଳୀ ମାନେ କଣ ଅଭିଜ୍ଞତା ନେଇ ଯିବେ ଏଠୁ ? ସେମାନଙ୍କ ପାଇଁ ଏହି ପ୍ରତିଯୋଗିତା ଯେପରି ସ୍ମରଣୀୟ ହୋଇ ରହିବ, ସେଥିପାଇଁ ଅନେକ ପ୍ରଚେଷ୍ଟା ସେମାନଙ୍କ ଖାଦ୍ୟ, ପାନୀୟ, ଆତିଥେୟତା ଆଦି ଉପରେ ଦିଆଯାଇଛି । ବିଶ୍ୱକପର ଉଦ୍ଘାଟନୀ ଓ ଉଦଯାପନୀ ଉତ୍ସବ ପାଇଁ କୌଣସି ପ୍ରକାର କଞ୍ଜୁସୀ କରାଯାଇନାହିଁ । ନାମିଦାମୀ ଫିଲ୍ମ କଳାକାରଙ୍କ ଠାରୁ ଆରମ୍ଭ କରି ନାମିଦାମୀ ଖେଳାଳୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପସ୍ଥିତି ପ୍ରତିଯୋଗିତାର ଔଜ୍ୱଲ୍ୟକୁ କାହିଁ କେଉଁ ସ୍ତରକୁ ନେଇ ପହଞ୍ଚାଇଦେଇଛି । ଯେଉଁ ଅଭିଭାବକ ଓ ପିଲାମାନେ ହକି କଣ ଜାଣିନଥିଲେ, ସେମାନେ ମଧ୍ୟ ଏହି ଖେଳକୁ ଉପଭୋଗ କରୁଛନ୍ତି ଓ ଗର୍ବ ଅନୁଭବ କରୁଛନ୍ତି ଯେ ଆମ ରାଜଧାନୀରେ ମଧ୍ୟ ବିଶ୍ୱକପ ପରି ପ୍ରତିଯୋଗିତାର ସଫଳ ଆୟୋଜନ ସମ୍ଭବ ...

ଫାଇନାଲ୍ ମ୍ୟାଚ ସରିବା ଉପରେ । ତୀବ୍ର ପ୍ରତିଦ୍ବନ୍ଦ୍ବିତା ଉଭୟ ଦଳ ମଧ୍ୟରେ । ପେନାଲଟି ଶୁଟ ଆଉଟ ହେବ । ସମସ୍ତ ଆଶା, ଉତ୍କଣ୍ଠା ଓ ଭାବନାର ଅନ୍ତ ଘଟାଇ ଶେଷରେ ଚମ୍ପିୟାନ ହେଲା ବେଲଜିୟମ ଦଳ । ବିଶ୍ୱକପ ଟ୍ରଫି ସହିତ ସେମାନେ ଘରକୁ ଫେରିବେ । ଅପେକ୍ଷା କରି ରହିଥିବ ସେମାନଙ୍କ ପାଇଁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଓ କେତେ ନା କେତେ ଭୋଜି ସେମାନଙ୍କ ଦେଶରେ ।

ସେପଟେ ...

ସୁନ୍ଦରଗଡର ସେହି ଗାଁରେ, ବିଶ୍ୱକପର ଫାଇନାଲ୍ ମ୍ୟାଚ ଦେଖିସାରି ଯୁବ ହକି ଖେଳାଳୀ 'ଦୀପକ ଏକ୍କା' ତାଙ୍କର କୋଚ୍ 'ରବି ମହାନ୍ତି'ଙ୍କୁ ପଚାରିଲା - "ସାର୍, ଆମ ଗାଁରେ କଣ ଏକ ଭଲ ହକି ପ୍ରତିଯୋଗିତା କଲେ ହୁଅନ୍ତାନି? କେତେଦିନ ଆଉ 'ଖାସି', 'କୁକୁଡ଼ା' ପାଇଁ ଖେଳିବା ? ଆମ ଗାଁରେ ଭଲ ପ୍ରତିଯୋଗିତାଟିଏ ହେଲେ, ଗାଁର ରାସ୍ତାଘାଟ ଅବସ୍ଥା ମଧ୍ୟ ସୁଧୁରିବ ଓ ଆମେ ଫିଲ୍ମ ଷ୍ଟାରଙ୍କୁ ମଧ୍ୟ ଦେଖିବାର ସୁଯୋଗ ପାଇବା ।"
କୋଚ୍ ମହାନ୍ତି ବାବୁ ଦୀପକ କୁ ବୁଝାଇଲା ସ୍ୱରରେ କହିଲେ - "ଦେଖ ଛୁଆ, ଏଇ 'ଖାସି' ଓ 'କୁକୁଡ଼ା' ପୁରସ୍କାର ହେଉଛି ଆମର ଐତିହ୍ୟ । ଆମ ପୂର୍ବପୁରୁଷ ମାନେ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇ ଗର୍ବିତ ହୋଇଛନ୍ତି ଓ ଆମେ ମଧ୍ୟ ହେବା । ଖେଳରେ କଣ ପଇସା ଦେଖାଯାଏ ? ସବୁଠାରୁ ବଡ଼ କଥା ହେଲା ଖେଳୁଆଡ଼ ମନୋଭାବ ନେଇ ଖେଳିବା ।"
ଦୀପକ ଉତ୍ତର ଦେଲା - "ସାର୍, ଯଦି ଖେଳରେ ପଇସା ଦେଖାଯାଏ ନାହିଁ, ତେବେ ବିଶ୍ୱକପରେ ଏତେ ପଇସା କାହିଁକି ଖର୍ଚ୍ଚ କରାଗଲା ?"
ମହାନ୍ତି ବାବୁ ଉତ୍ତର ଦେଲେ - "ଆରେ ଛୁଆ, ତୁ ବୁଝିବୁନି । ବିଶ୍ୱକପ ଆୟୋଜିତ ହେବାରୁ ସିନା ସାରା ବିଶ୍ୱରେ ଲୋକେ ଆମକୁ ଚିହ୍ନିଲେ । ନହେଲେ ଓଡ଼ିଶାକୁ ଚିହ୍ନେ କିଏ କହିଲୁ ? ଓଡ଼ିଶା କହିଲେ ଲୋକେ ବୁଝୁଥିଲେ ଖାଲି ବାତ୍ୟାର ରାଜ୍ୟ । ତୁ ଯଦି କାଲି ଦେଶ ତରଫରୁ ଖେଳିବୁ, ତେବେ ଗର୍ବର ସହିତ କହିବୁ ଯେ ତୁ ଓଡ଼ିଶାର ପିଲା, ଆଉ ଓଡିଶା କେଉଁଠି ବୋଲି ତୋତେ ଆଉ ବୁଝାଇବାକୁ ପଡ଼ିବନି ।"
ନିର୍ବାଚନ ସମୟରେ ତଥାକଥିତ ଭୋଟରକୁ ନେତାଟିଏ ବୁଝାଇଲା ଭଳି ଦୀପକ କୁ ବୁଝାଇଦେଲେ ମହାନ୍ତି ବାବୁ ଓ ସେ ସବୁ ବୁଝିଲା ଭଳି ହୁଁ ଟିଏ ମାରିଲା ଓ କହିଲା - "ସାର୍ ମୁଁ ଯାଉଛି, ବହୁତ ରାତି ହେଲାଣି, କାଲି ପୁଣି ଅଛି 'ଖାସି' କପ୍ । ଭଲରେ ବିଶ୍ରାମ ନ ନେଲେ ଜୋର ଦେଇ ଖେଳି ପାରିବିନି । ଯାହାହେଲେ ବି ଆମ ଐତିହ୍ୟ ଓ ସମ୍ମାନର କଥା ।"
ଦୀପକ ବିଦାୟ ନେବା ପରେ ମହାନ୍ତି ବାବୁ ଏକ ଦୀର୍ଘନିଃଶ୍ବାସ ଛାଡିଲେ । ତାଙ୍କ ମନରେ ଦୀପକ ର ସେଇସବୁ ଅସମାହିତ ପ୍ରଶ୍ନ ଉଙ୍କି ମାରୁଥିଲା । ସରଳ ପିଲାଟାକୁ ସିନା ବୁଝାଇଦେଲେ, ହେଲେ ନିଜେ ନିଜକୁ କିପରି ବୁଝାଇବେ, ସେ କଥା ଭାବୁଥିଲେ ମହାନ୍ତି ବାବୁ ...

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)