ଦୀପାବଳିରେ ଦୀପଦାନ ନା ବିସ୍ଫୋଟନ - କେଉଁଟି ଶାସ୍ତ୍ରୀୟ ?

ଏଠାରେ ମୁଁ ଉପରୋକ୍ତ ଶିରୋନାମାର ତଥାକଥିତ ସିକ୍ୟୁଲାର ଦୃଷ୍ଟିକୋଣକୁ ଆଲୋକପାତ କରୁନାହିଁ କିମ୍ବା ପରିବେଶ ସୁରକ୍ଷା ଦୃଷ୍ଟିକୋଣକୁ ମଧ୍ୟ ଆଲୋକପାତ କରୁନାହିଁ, ମୁଁ କେବଳ ଶାସ୍ତ୍ରୀୟ ମତ ଉପସ୍ଥାପନ କରୁଅଛି କେଉଁଟି କରଣୀୟ ବୋଲି ।

ଭବିଷ୍ୟ ପୁରାଣରେ ବର୍ଣ୍ଣିତ ଅଛି ଯେ -

ଦେବତାଙ୍କୁ ପୂଜା କରିବା ପରେ ଘୃତ କିମ୍ବା ତୈଳପୂର୍ଣ୍ଣ ପାତ୍ର ଦ୍ୱାରା ଦୀପ ଦାନ କରିବା ଉଚିତ । ଦୀପରେ ବସ୍ତ୍ର ନିର୍ମିତ ବର୍ତ୍ତି ବ୍ୟବହାର କରି ଅଗ୍ନି ସଂଯୋଗ କରିବା ବିଧେୟ । ସୂର୍ଯ୍ୟ ଦେବଙ୍କ ପାଇଁ ରକ୍ତ ବସ୍ତ୍ରରେ ନିର୍ମିତ 'ପୂର୍ଣ୍ଣ ବର୍ତ୍ତି', ଶିବଙ୍କ ପାଇଁ ଶ୍ଵେତ ବସ୍ତ୍ରର 'ଈଶ୍ୱର ବର୍ତ୍ତି', ବିଷ୍ଣୁଙ୍କ ପାଇଁ ପୀତ ବସ୍ତ୍ରର 'ଭୋଗ ବର୍ତ୍ତି', ଗୌରୀଙ୍କ ପାଇଁ କୁସୁମ ରଙ୍ଗର 'ସୌଭାଗ୍ୟ ବର୍ତ୍ତି', ଦୁର୍ଗାଙ୍କ ପାଇଁ ଲାଖ ରଙ୍ଗର 'ପୂର୍ଣ୍ଣ ବର୍ତ୍ତିକା', ବ୍ରହ୍ମାଙ୍କ ପାଇଁ 'ପଦ୍ମ ବର୍ତ୍ତି', ନାଗ ମାନଙ୍କ ପାଇଁ 'ନାଗ ବର୍ତ୍ତି', ତଥା ଗ୍ରହମାନଙ୍କ ପାଇଁ 'ଗ୍ରହ ବର୍ତ୍ତି' ବ୍ୟବହାର କରିବା ଉଚିତ ।

ଯେ ଉପରୋକ୍ତ ବିଧିରେ ଦୀପ ଦାନ କରନ୍ତି, ସେ ପ୍ରଳୟ ପର୍ଯ୍ୟନ୍ତ ସ୍ୱର୍ଗଲୋକରେ ବାସ କରନ୍ତି । ଯେଉଁ ପ୍ରକାରରେ ଦୀପ ପ୍ରକାଶିତ ହୁଏ, ଠିକ ସେହିଭଳି ଦୀପ ଦାନ କରୁଥିବା ବ୍ୟକ୍ତି ମଧ୍ୟ ପ୍ରକାଶିତ ହୁଏ ଓ ଦୀପ ଶିଖାର ଉର୍ଦ୍ଧ୍ବଗତି ଭଳି, ତାହାର ମଧ୍ୟ ଉର୍ଦ୍ଧ୍ବଗତି ହୁଏ ।

ନାରଦ ପୁରାଣରେ ବର୍ଣ୍ଣିତ ଅଛି ଯେ -

କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ (ଦୀପାବଳି ଅମାବାସ୍ୟା) ମନ୍ଦିର, ଗୃହ, ନଦୀ, ବଗିଚା, ପୋଖରୀ, ଗୋଶାଳା, ବ୍ୟବସାୟ ଗୃହ ଇତ୍ୟାଦିର ଚତୁର୍ପାର୍ଶ୍ଵରେ ଦୀପ ଦାନ ଓ ଲକ୍ଷ୍ମୀ ପୂଜନ କରାଯାଏ । ସେହିଦିନ ଗାଈ ମାନଙ୍କର ଶିଙ୍ଗ ଏବଂ ଅଙ୍ଗରେ ଗେରୁ ଲେପନ କରାଯାଏ । ଘାସ ତଥା ଅନ୍ନ ଦେଇ ସେମାନଙ୍କୁ ନମସ୍କାର ତଥା ପ୍ରଦକ୍ଷିଣ କରାଯାଏ । ସେମାନଙ୍କୁ ପୂଜା କରି ବ୍ୟକ୍ତି ଲକ୍ଷ୍ମୀ-ସୌଭାଗ୍ୟ ପ୍ରାପ୍ତ ହୁଏ ।

ଏତ ଗଲା ଦୀପ ଦାନର ମହିମା । ବିସ୍ଫୋଟନର (ବାଣ ଫୁଟାଇବା) ମହିମା ସମ୍ପର୍କରେ ମୁଁ କୌଣସି ଶାସ୍ତ୍ରୀୟ ଉଲ୍ଲେଖ ପାଇଲି ନାହିଁ (ଅଶାସ୍ତ୍ରୀୟ ପରମ୍ପରା ଓ ତା'ର କୁପରିଣତିର ଉଲ୍ଲେଖ ଅନେକ ରହିଛି)। ଆପଣମାନଙ୍କ ମଧ୍ୟରୁ ଯଦି କେହି ଜାଣିଥିବେ, ତେବେ ମୋତେ ଦୟାକରି ଜଣାଇବେ । ସେପର୍ଯ୍ୟନ୍ତ ଆସନ୍ତୁ ଦୀପାବଳି ଉତ୍ସବକୁ ଶାସ୍ତ୍ରୀୟ ବିଧିରେ ଦୀପ ଦାନ କରି ପାଳନ କରିବା ଓ ସୌଭାଗ୍ୟ ପ୍ରାପ୍ତ ହେବା ।

ଜୟ ଜଗନ୍ନାଥ !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)