ବୈଦିକ ବା ପ୍ରାକ୍ ବୈଦିକ କାଳରେ ଭାରତ ଅନାବିଷ୍କୃତ ଥିଲା କି?

ଏହା ଏକ ସାମାନ୍ୟ ଧାରଣା ଯେ ଅତି ପ୍ରାଚୀନ କାଳରେ ବା ବୈଦିକ କାଳରେ ଭାରତୀୟ ସଂସ୍କୃତି ବିଶ୍ବର ଅନ୍ୟ ସଂସ୍କୃତି ଗୁଡିକ ଠାରୁ ଅପହଞ୍ଚ ଥିଲା ଓ ସେମାନଙ୍କ ଅପେକ୍ଷା ଯଥେଷ୍ଟ ଉନ୍ନତ ଥିଲା ।

ଯଦିଓ ଏଥିରେ ସନ୍ଦେହର ଅବକାଶ ନାହିଁ ଯେ ଭାରତୀୟ ସଂସ୍କୃତି ସେ ସମୟରେ ଉନ୍ନତତର ଥିଲା, ତେବେ ସେ ସମୟର ଅନ୍ୟାନ୍ୟ ସଂସ୍କୃତି ଗୁଡିକ ଠାରୁ ଯେ ଭାରତ ଅପହଞ୍ଚ ଥିଲା କିମ୍ବା ସେହି ଅନ୍ୟାନ୍ୟ ସଂସ୍କୃତି ସବୁ ଯଥେଷ୍ଟ ନିମ୍ନ ସ୍ତରର ଥିଲା, ତାହା ଗ୍ରହଣଯୋଗ୍ୟ ବିଷୟ ନୁହେଁ ।

ପ୍ରାଚୀନ ମୟ ଓ ଇଜିପ୍ଟିୟ ସଭ୍ୟତାର ପିରାମିଡ ସବୁ ଏହା ସୂଚାଇଥାଏ ଯେ ଅତି ଉନ୍ନତ ସ୍ତରର ଜ୍ଞାନ ନ ଥିଲେ ଏଗୁଡିକର ନିର୍ମାଣ ଅସମ୍ଭବ । ପିରାମିଡ ଭଳି ସାମ୍ୟତା ରଖୁଥିବା ନିର୍ମାଣ ସବୁ ସମଗ୍ର ବିଶ୍ୱର କୋଣ ଅନୁକୋଣରେ ଏପରିକି ସାଗର ଗର୍ଭରେ ମଧ୍ୟ ଉପଲବ୍ଧ ଥିବାର ପ୍ରମାଣ ଦର୍ଶାଏ ଯେ ଅତି ପ୍ରାଚୀନ କାଳରେ ମଧ୍ୟ ସମଗ୍ର ବିଶ୍ୱର ସଭ୍ୟତା ସବୁ ଉତ୍କର୍ଷତାର ଚରମ ସୋପାନରେ ପହଞ୍ଚିସାରିଥିଲା ଓ ସେହିସବୁ ସଭ୍ୟତା ଗୁଡିକ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ମଧ୍ୟ ଥିଲା, ନଚେତ ସମଗ୍ର ବିଶ୍ବରେ ଏକ ରକମର ନିର୍ମାଣର ଉପସ୍ଥିତି ଅସମ୍ଭବ ।

ଏହି ଜ୍ଞାନର ଆଦାନପ୍ରଦାନ ସମ୍ବନ୍ଧିତ କିଛି ତଥ୍ୟ ଏଠାରେ ଉପସ୍ଥାପନ କରିବାକୁ ଚାହିଁବି । ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ ଚରକ ସଂହିତାରେ ବର୍ଣ୍ଣିତ ଅଛି ଯେ ଏକଦା ସମଗ୍ର ବିଶ୍ୱର ମାନବ ସୁସ୍ଥ ତଥା ନିରାମୟ ଜୀବନ ନିର୍ବାହ କରୁଥିଲେ । କିନ୍ତୁ ସତ୍ୟ ଯୁଗର ଅବସାନ ପରେ ଜନସମାଜ ରୋଗଗ୍ରସ୍ତ ହେବାକୁ ଲାଗିବାରୁ, ସେ ସମୟରେ ବିଶ୍ବର କୋଣ ଅନୁକୋଣରୁ ପ୍ରତିଷ୍ଠିତ ଋଷିବୃନ୍ଦ ହିମାଳୟ ସମୀପସ୍ଥ ଏକ ଶୁଭ ସ୍ଥାନରେ ଏହାର ନିରାକରଣର ଉପାୟ ପାଇବା ପାଇଁ ଏକତ୍ରିତ ହେଲେ । ଏହି ୠଷି ସମ୍ମିଳନୀରେ ହୀରଣ୍ୟାକ୍ଷ (ହୀରଣ୍ୟ ବା ସୁବର୍ଣ୍ଣ ସଦୃଶ ଚକ୍ଷୁର ଅଧିକାରୀ ଯେ କି ସମ୍ଭବତଃ ଇଉରୋପ ଦେଶର ପ୍ରତିନିଧି), କାଙ୍କାୟନ (ବାଲ୍ହୀକ ଦେଶର ପ୍ରତିନିଧି) ଓ ପୈଙ୍ଗି (ଚୀନ ଦେଶର ପ୍ରତିନିଧି) ଆଦି ବୈଦେଶିକ ଋଷିଗଣ ଯୋଗଦାନ କରିଥିଲେ ଯାହା ପ୍ରମାଣିତ କରେ ଯେ ସେ ସମୟରେ ଭାରତ ଅପହଞ୍ଚ ନ ଥିଲା କି ଉନ୍ନତ ଜ୍ଞାନକୌଶଳ କିମ୍ବା କାରିଗରୀ ବିଦ୍ୟା ମଧ୍ୟ କେବଳ ଭାରତବର୍ଷ ମଧ୍ୟରେ ସୀମିତ ନ ଥିଲା ।

ତେବେ ପରବର୍ତ୍ତୀ କାଳରେ ଭାରତବର୍ଷ ବିଶ୍ବର ଅନ୍ୟ ସଭ୍ୟତାଗୁଡିକ ଠାରୁ ଅପହଞ୍ଚ ରହିବା ଓ ସାମଗ୍ରିକ ଭାବେ ଉନ୍ନତତର ରହିବା ବିଷୟ ଏ ପରିପ୍ରେକ୍ଷୀରେ ନିଶ୍ଚିତ ଭାବେ ଗବେଷଣା ସାପେକ୍ଷ ଯାହାର ଉତ୍ତର କାଳର ଅଥଳ ଗର୍ଭରେ ଏପରି ଭାବରେ ଲୀନ ଯେ ତାହାକୁ ଉଦ୍ଧାର କରିବା ପ୍ରାୟତଃ ଅସମ୍ଭବ । ତେବେ ଏ ଦିଗରେ ଗବେଷଣା ଜାରି ରହିବା ଉଚିତ ସତ୍ୟର ଆବିଷ୍କାର ପାଇଁ ତଥା ଜିଜ୍ଞାସାର ଅନ୍ତ ପାଇଁ ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)