ସୋମ ରସାୟନ ବା କାୟାକଳ୍ପ ବିଧି ଆଧୁନିକ ମତେ ସମ୍ଭବ କି ?

ସୋମ ରସାୟନ ସେବନ ଦ୍ୱାରା ପ୍ରାୟତଃ ନୂତନ ଶରୀର ପ୍ରାପ୍ତି ବା କାୟାକଳ୍ପ ହେବା କଥା ଆମେ ଏହି ଧାରାବାହିକର ପୂର୍ବ ଦୁଇଟି ଅଧ୍ୟାୟରେ ପଢିଲେ । ତେବେ ଏଠାରେ ମନରେ ସ୍ୱତଃ କେତୋଟି ପ୍ରଶ୍ନ ଉଙ୍କି ମାରେ । ଯଥା -

୧) ପ୍ରକୃତରେ ସୋମ ସଦୃଶ କିଛି ଔଷଧୀ ଅଛି କି ? ଏବଂ ଯଦି ଅଛି, ତାହାକୁ ଠାବ କରିବା କିପରି ?
୨) ବିଜ୍ଞାନ ଅନୁଯାୟୀ କାୟାକଳ୍ପ ସମ୍ଭବ କି ?
୩) ବର୍ତ୍ତମାନ ସମୟରେ ଯଦି ସୋମ ଔଷଧୀ ପ୍ରାପ୍ତ ହୁଏ, ତେବେ ଏହାର ପ୍ରୟୋଗ କରି କାୟାକଳ୍ପ କରାଯାଇପାରିବ କି?

ଏହି ପ୍ରଶ୍ନଗୁଡିକର ଉତ୍ତରରେ ମୋର ମତ ନିମ୍ନରେ ରଖୁଛି ।

୧) ସୋମ ସଦୃଶ ଔଷଧୀ ନିଶ୍ଚିତ ଭାବରେ ଥିଲା, ନଚେତ ଏହାର ବର୍ଣ୍ଣନା ଆୟୁର୍ବେଦୀୟ ଗ୍ରନ୍ଥରେ ହୋଇନଥାନ୍ତା । କାରଣ ଆୟୁର୍ବେଦୀୟ ଗ୍ରନ୍ଥ ଗୁଡିକ ହେଉଛି ଚିକିତ୍ସା ସମ୍ବନ୍ଧିତ ଗ୍ରନ୍ଥ, ଏଗୁଡିକ କୌଣସି ସାହିତ୍ୟ ଗ୍ରନ୍ଥ ବା ମନଗଢା କାହାଣୀ ନୁହେଁ ।

ବର୍ତ୍ତମାନ ପ୍ରଶ୍ନ ଉଠେ ଯେ ଯଦି ସୋମ ନାମକ କୌଣସି ଔଷଧୀ ଅଛି, ତାହାକୁ ଠାବ କରିବା କିପରି ? ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ ସୁଶ୍ରୁତ ସଂହିତାର ବର୍ଣ୍ଣନା ଅନୁଯାୟୀ ଉପଯୁକ୍ତ ସ୍ଥାନରେ ଦ୍ରବ୍ୟଗୁଣ ବିଶେଷଜ୍ଞଙ୍କ ସହାୟତାରେ ଏହାର ସନ୍ଧାନ କରାଯାଇପାରେ । ଏହା ଅତି କଠିନ ମନେହେଲେହେଁ ଅସମ୍ଭବ ନୁହେଁ ।

୨) କାୟାକଳ୍ପ ବିଧି ସମ୍ବନ୍ଧରେ ପଢ଼ିଲେ ତାହା ଅଲୌକିକ ଲାଗେ ତଥା ବିଶ୍ୱାସଯୋଗ୍ୟ ହୁଏ ନାହିଁ । କାରଣ ଆଧୁନିକ ବିଜ୍ଞାନ ମତରେ ଏକ ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କର ନୂତନ ଶରୀର ପ୍ରାପ୍ତି ବା ଶରୀର/କାୟାର ପରିବର୍ତ୍ତନ ଘଟି ନବଯୌବନ ପ୍ରାପ୍ତି ହେବା ଅସମ୍ଭବ । ବିଜ୍ଞାନ କୁହେ ଯେ ତରୁଣତା ଅତିବାହିତ ହୋଇ (ବାର୍ଦ୍ଧକ୍ୟ ଆଗମନରେ) ଥରେ aeging process start ହେଲେ ଶରୀରର କୋଷ ଗୁଡିକର ଆଉ regeneration ହୁଏନାହିଁ । ତେବେ ଆଧୁନିକ ବିଜ୍ଞାନ ମତରେ ଅତି ବାର୍ଦ୍ଧକ୍ୟରେ (୧୦୦ ବର୍ଷରୁ ଉର୍ଦ୍ଧ୍ବ ବୟସରେ) ମନୁଷ୍ୟ ଶରୀରରେ ଏକ ପ୍ରକାର ବିଶେଷ ବୈଜ୍ଞାନିକ ପ୍ରକ୍ରିୟା ଦେଖାଦିଏ ଯାହାର ଫଳସ୍ୱରୂପ ନୂତନ ଦନ୍ତ ଓ କେଶ ର ପୁନଃ ଉତ୍ପତ୍ତି ଦେଖାଦେଇଥାଏ । ଏହାକୁ ବୈଜ୍ଞାନିକ ଭାଷାରେ Anamelanism କୁହାଯାଏ । ତେବେ ଏହା ଅତ୍ୟନ୍ତ ବିରଳ ପ୍ରକ୍ରିୟା, ଯେହେତୁ ବହୁତ କମ ବ୍ୟକ୍ତି ଶତାୟୁ ହୋଇଥାନ୍ତି ଏବଂ ସମସ୍ତ ଶତାୟୁଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖାଦେଇନଥାଏ ।

ତେଣୁ ଯଦି ଆମେ ସୋମ କାୟାକଳ୍ପ ବିଧିକୁ ଆଧୁନିକ ଭାଷାରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିବା, ତେବେ ଏହାକୁ drug induced anamelanism ବୋଲି କହିପାରିବା । ଆୟୁର୍ବେଦ ଗ୍ରନ୍ଥରେ ରସାୟନ ସେବନ ନିମିତ୍ତ ଯୋଗ୍ୟ ବୟସ - ପୂର୍ବ ବା ମଧ୍ୟ ବୟସ ବୋଲି ହିଁ କୁହାଯାଇଛି, କାରଣ ପୂର୍ଣ୍ଣ ବାର୍ଦ୍ଧକ୍ୟରେ ରସାୟନ କାମ ଦେଇନଥାଏ । ତେଣୁ ଏହି ବୟସରେ ହିଁ ସୋମ ରସର ସେବନ ଦ୍ୱାରା ଶରୀରରେ drug induced anamelanism ଦ୍ୱାରା ନବଯୌବନ ପ୍ରାପ୍ତି ହୋଇପାରିବ ଯେଉଁଥିରେ କି ନଖ, ଦନ୍ତ, କେଶ, ଚର୍ମ ଓ ମାଂସର ପତନ ଘଟାଇ ଏସବୁର ନୂତନ ଭାବେ ଉଦ୍ଗମ କରାଯାଇପାରିବ ।

୩) ସୋମ ଔଷଧୀ ଯଦି ସୌଭାଗ୍ୟ ବଶତଃ ପ୍ରାପ୍ତ ହୁଏ, ତେବେ ବର୍ତ୍ତମାନ ସମୟରେ ଏହି କାୟାକଳ୍ପ ବିଧିକୁ ଶାସ୍ତ୍ର ଅନୁସାରେ ପ୍ରୟୋଗ କରାଯାଇପାରିବ କି ? ଉତ୍ତରରେ ଏତିକି କହିବି - ଏହା ଅତୀବ ଦୂରୁହ ବ୍ୟାପାର । କାରଣ ଆୟୁର୍ବେଦରେ ଏକ ଯୋଗ୍ୟ ବୈଦ୍ୟଙ୍କର ଚାରିଗୋଟି ଲକ୍ଷଣରୁ ଏକ ପ୍ରମୁଖ ଲକ୍ଷଣ ହେଲା - ଦୃଷ୍ଟକର୍ମା । ଅର୍ଥାତ ସେ ଏକ ଚିକିତ୍ସା କର୍ମକୁ ସଫଳତାର ସହିତ ସମ୍ପାଦିତ ହେବାର ସ୍ଵଚକ୍ଷୁରେ ଦେଖିଥିବା ଆବଶ୍ୟକ ତଥା ସେହି ଚିକିତ୍ସା କର୍ମ ସମ୍ବନ୍ଧରେ ତାଙ୍କର practical knowledge ଏବଂ experience ଥିବା ଆବଶ୍ୟକ ଯାହାକି ବର୍ତ୍ତମାନ ସମୟରେ ଅସମ୍ଭବ । ବର୍ତ୍ତମାନ ସମୟରେ ଜଣେ କେହି ବି ବୈଦ୍ୟ ନାହାନ୍ତି ଯିଏ ସୋମ ରସାୟନ ବା କାୟାକଳ୍ପ ବିଧିକୁ ସ୍ଵଚକ୍ଷୁରେ ଦେଖିଥିବେ ।

ତେବେ କଣ ଏହି ଅଲୌକିକ ଚିକିତ୍ସା ପଦ୍ଧତି ସବୁଦିନ ପାଇଁ ଆମ ହାତମୁଠାର ବାହାରେ ? ଉତ୍ତରରେ ଏତିକି କହିବି ଯେ, ବର୍ତ୍ତମାନ ମଧ୍ୟ କିଛି ରସାୟନ ଚିକିତ୍ସା ପଦ୍ଧତି ଆମ ପାଖରେ ସୁରକ୍ଷିତ । ଶାସ୍ତ୍ର ଜ୍ଞାନ ମଧ୍ୟ ଆମ ପାଖରେ ସୁରକ୍ଷିତ । ଯଦି ଭବିଷ୍ୟତରେ ସୋମ ଔଷଧୀର ସନ୍ଧାନ ମିଳେ ଏବଂ କିଛି ବ୍ୟକ୍ତି ସ୍ୱତଃ ଏହି ସୋମ କାୟାକଳ୍ପ ବିଧି ନେବା ନିମିତ୍ତ ଆଗଭର ହୁଅନ୍ତି, ତେବେ ଏବେ ମଧ୍ୟ ଯୋଗ୍ୟ ବୈଦ୍ୟଙ୍କର ଅଭାବ ନାହିଁ ଯେଉଁମାନେ କି ଏହି ଅଦ୍ଭୁତ ରସାୟନକୁ କାର୍ଯ୍ୟକାରୀ କରିବାରେ ସକ୍ଷମ ନ ହେବେ ।

ଜୟ ଆୟୁର୍ବେଦ ! ଜୟ ଧନ୍ବନ୍ତରି !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)