ଦିବ୍ୟ ଔଷଧୀ ସୋମ (ସୋମ ରସ ସେବନ ବିଧି)

ସୋମ ରସ ସେବନ ଏକ ସାଧାରଣ ପ୍ରକ୍ରିୟା ନୁହେଁ । ସୋମ ରସ ସେବନ କରିବା ପୂର୍ବରୁ ତାହାକୁ ବିଶେଷ ପାତ୍ରରେ ସଂଗ୍ରହ କରିବା ବିଧେୟ । ଅଂଶୁମାନ ସୋମର ରସକୁ ସ୍ୱର୍ଣ୍ଣ ପାତ୍ରରେ, ଚନ୍ଦ୍ରମା ସୋମର ରସକୁ ରୌପ୍ୟ ପାତ୍ରରେ ଓ ଶେଷ ଅନ୍ୟ ସୋମର ରସ ସବୁକୁ ତମ୍ବା କିମ୍ବା ମୃତ୍ତିକା କିମ୍ବା ରୋହିତ ମୃଗଚର୍ମ ନିର୍ମିତ୍ତ ବଡ଼ ପାତ୍ରରେ ସଂଗ୍ରହ କରିବା ଉଚିତ । ଅଂଶୁମାନ ଓ ଚନ୍ଦ୍ରମା ସୋମର ରସକୁ ସେବନ କରିବା ବ୍ୟକ୍ତି ଅଣିମା, ଲଘିମା ଆଦି ଅଷ୍ଟବିଧ ଐଶ୍ୱର୍ଯ୍ୟକୁ ପ୍ରାପ୍ତ କରିଥାଏ । ଶୁଦ୍ର ବ୍ୟତୀତ ଅନ୍ୟ ତିନି ବର୍ଣ୍ଣର ବ୍ୟକ୍ତି ନିମ୍ନୋକ୍ତ ବିଧିରେ ସୋମ ରସର ସେବନ କରିବା ବିଧେୟ ।

ଚତୁର୍ଥ ମାସର ପୂର୍ଣ୍ଣିମା ଦିନ (ଯେତେବେଳେ ସୋମ ଔଷଧୀ ପୂର୍ଣ୍ଣ ୧୫ ଗୋଟି ପତ୍ରଯୁକ୍ତ ଥାଏ) ଏକ ପବିତ୍ର ସ୍ଥାନରେ ବ୍ରାହ୍ମଣଙ୍କର ପୂଜା କରି, ସ୍ୱସ୍ତି ବାଚନ ଓ ମଙ୍ଗଳ ପାଠ ଆଦି କରି ଗୃହରୁ ପ୍ରସ୍ଥାନ କରି ସମସ୍ତ ସାଧନ ତଥା ସେବକଙ୍କ ସହିତ ଉତ୍ତମ ଭୂମିରେ ଏକ ବିଶେଷ ତ୍ରିଗର୍ଭା ଗୃହ ନିର୍ମାଣ କରି (ଯେଉଁ ଗୃହର ଆଭ୍ୟନ୍ତର କକ୍ଷରେ ବାହ୍ୟ ବାୟୁ ଓ ସୂର୍ଯ୍ୟ କିରଣର ପ୍ରତ୍ୟକ୍ଷ ପ୍ରଭାବ ନଥିବ, ସେହି କକ୍ଷରେ ସୋମ ରସାୟନ କଳ୍ପ ଶେଷ ହେବା ପର୍ଯ୍ୟନ୍ତ ବାସ କରିବା ଉଚିତ), ବମନ ବିରେଚନ ଆଦି ପଞ୍ଚକର୍ମ ଚିକିତ୍ସା ପଦ୍ଧତି ଦ୍ୱାରା ଶରୀର ଶୁଦ୍ଧି କରି, ଉତ୍ତମ ତିଥି-କରଣ-ମୁହୂର୍ତ୍ତ-ନକ୍ଷତ୍ର ଆଦି ଦୃଷ୍ଟିରେ ରଖି ସ୍ୱସ୍ତି ବାଚନ ଓ ମଙ୍ଗଳ ପାଠ କରି ସୋମର କନ୍ଦକୁ ଏକ ସୁବର୍ଣ୍ଣ ସୂଚୀ ଦ୍ୱାରା ଭେଦନ କରି ଏକ କୁଡ଼ବ (୧୬୦ ଗ୍ରାମ) ମାତ୍ରାର ସୋମ ରସକୁ ସ୍ୱାଦର ବିଚାର ନକରି ଏକଥରରେ ପାନ କରିବା ଉଚିତ । ତତ୍ପଶ୍ଚାତ୍ ଆଚମନ କରି ସୋମର କନ୍ଦକୁ ଜଳରେ ବିସର୍ଜନ କରି ଯମ ନିୟମାଦି ଦ୍ୱାରା ମନକୁ ଏକାଗ୍ର କରି ମୌନତା ଅବଲମ୍ବନ ପୂର୍ବକ ମିତ୍ର ମାନଙ୍କ ଗହଣରେ ବିହାର କରିବା ଉଚିତ ।

ଏହି ସମୟରେ ତୃଷା ଲାଗିଲେ ଅଳ୍ପ ମାତ୍ରାରେ ଶୀତଳ ଜଳ ସେବନ ଓ କ୍ଷୁଧା ଲାଗିଲେ ଭୋଜନ କରି କୃଷ୍ଣ ମୃଗଚର୍ମ ଉପରେ କୁଶର ଶଯ୍ୟାରେ ମିତ୍ରଙ୍କ ଗହଣରେ ଶୟନ କରିବା ଉଚିତ ।  ପ୍ରାତଃ ସମୟରେ ନିଦ୍ରା ଭଗ୍ନ ହେବା ମାତ୍ରେ ମଙ୍ଗଳ ପାଠ ଶ୍ରବଣ ଓ ସ୍ୱସ୍ତି ବାଚନ ସହିତ ଗୋମାତାଙ୍କୁ ସ୍ପର୍ଶ କରି ପୂର୍ବବତ ବିହାର କରିବା ଉଚିତ । ସୋମର ପାଚନ ହେବା ପରେ ବମନ ହୋଇଥାଏ । ଏହି ବମନ ରକ୍ତ ମିଶ୍ରିତ ଓ କୃମି ଯୁକ୍ତ ହୋଇଥାଏ । ଏହାପରେ ସୋମ ସେବୀ ବ୍ୟକ୍ତିକୁ ସାୟଂ କାଳରେ ଗୋଦୁଗ୍ଧକୁ ଉଷ୍ମ କରି ଶୀତଳ ହେବା ପରେ ସେବନ କରିବାକୁ ଦିଆଯାଇଥାଏ । ପରବର୍ତ୍ତୀ ଦିନ ସୋମ ସେବୀ ବ୍ୟକ୍ତିର କୃମି ଯୁକ୍ତ ରେଚନ ହୋଇଥାଏ । ଏହାଦ୍ବାରା ବ୍ୟକ୍ତି ଅନିଷ୍ଟ ଭୋଜନ ଆଦିରୁ ମୁକ୍ତ ହୋଇ ଶୁଦ୍ଧ ଶରୀର ଯୁକ୍ତ ହୋଇଥାଏ ।

ଏହାପରେ ସୋମ ସେବୀ ବ୍ୟକ୍ତିକୁ ସାୟଂ କାଳରେ ସ୍ନାନ କରାଇ ପୂର୍ବବତ ଦୁଗ୍ଧ ପାନ କରାଇ ରେଶମ ଚାଦର ଆଚ୍ଛାଦିତ ଶଯ୍ୟାରେ ଶୟନ କରାଇବା ଉଚିତ । ତାର ପରବର୍ତ୍ତୀ ଦିନ ବ୍ୟକ୍ତିର ସମସ୍ତ ଶରୀରରୁ କୃମି ନିର୍ଗତ ହୁଏ । ସେହିଦିନ ସାୟଂ କାଳରେ ସୋମ ସେବୀ ବ୍ୟକ୍ତିର ଶଯ୍ୟାରେ ଧୂଳି ନିକ୍ଷେପ କରି ତାହାକୁ ଶୟନ କରାଇବା ଉଚିତ ଓ ପୂର୍ବବତ ଦୁଗ୍ଧ ପାନ କରାଇବା ଉଚିତ । ତାର ପରବର୍ତ୍ତୀ ଦୁଇ ଦିନ ଦୁଇ ବେଳା ସେହି ବ୍ୟକ୍ତିକୁ କେବଳ ଦୁଗ୍ଧ ପାନ କରାଇବା ଉଚିତ । ସପ୍ତମ ଦିନ ସୋମ ସେବୀ ବ୍ୟକ୍ତିର ଶରୀର ତ୍ୱଚା-ମାଂସ ହୀନ ହୋଇ କେବଳ ଅସ୍ଥି ମାତ୍ର ଅବଶେଷ ରହିଥାଏ । ସେ କେବଳ ସୋମ ପାନ କରିଥିବା ହେତୁ ଶ୍ଵାସ ନେବାରେ ସମର୍ଥ ହୋଇଥାଏ । ସେହିଦିନ ତାହାକୁ ସୁଖୋଷ୍ଣ ଦୁଗ୍ଧରେ ସ୍ନାନ କରାଇ ତାହାର ସର୍ବାଙ୍ଗରେ ରାଶି, ମଧୁକ ଓ ଚନ୍ଦନର ଲେପ ଦେବା ଉଚିତ । ପୁନଶ୍ଚ ତାହାକୁ ପୂର୍ବବତ ଦୁଗ୍ଧ ପାନ କରାଇବା ଉଚିତ ।

ଅଷ୍ଟମ ଦିନ ପ୍ରାତଃ କାଳରେ ଦୁଗ୍ଧ ସ୍ନାନ ପଶ୍ଚାତ ଶରୀରରେ ଚନ୍ଦନ ଲେପ କରାଇ ପୁନଃ ତାହାକୁ ଦୁଗ୍ଧ ପାନ କରାଇ ଧୂଳିର ଶଯ୍ୟାରୁ ଉଠାଇ ରେଶମ ଚାଦର ଆଚ୍ଛାଦିତ ଶଯ୍ୟାରେ ଶୟନ କରାଇବା ଉଚିତ । ଏହାପରେ ସେହି ସୋମ ସେବୀ ବ୍ୟକ୍ତିର ମାଂସ ପୁଷ୍ଟ ହେବାରେ ଲାଗିଥାଏ, ମାତ୍ର ତତ୍ସହିତ ତାହାର ତ୍ୱଚା ଫାଟି ତାହାର ଦାନ୍ତ, ନଖ ଓ ଲୋମ ଝଡି ଯାଇଥାଏ ।

ନବମ ଦିନ ତାର ଶରୀରରେ ଅଣୁ ତୈଳର ମାଲିସ କରି ତାହାକୁ ସୋମ ଔଷଧୀର ଛାଲର କ୍ୱାଥରେ ସ୍ନାନ କରାଇବା ଉଚିତ । ଦଶମ ଦିନ ମଧ୍ୟ ଏହିପରି କରିବା ଉଚିତ । ଏହାଦ୍ୱାରା ତାହାର ତ୍ୱଚା ସ୍ଥିର ହୋଇଥାଏ । ଏହିପରି ଏକାଦଶ ଓ ଦ୍ଵାଦଶ ଦିନ ମଧ୍ୟ କର୍ମ କରିବା ଉଚିତ । ତ୍ରୟୋଦଶ ଦିନ ପୁନଶ୍ଚ ସୋମ ଔଷଧୀର ଛାଲର କ୍ୱାଥରେ ତାହାକୁ ସ୍ନାନ କରାଇବା ଉଚିତ । ଏହିପରି କର୍ମ ଷୋଡଶ ଦିବସ ପର୍ଯ୍ୟନ୍ତ କରିବା ଉଚିତ ।

ସପ୍ତଦଶ ଦିନ ସୋମ ସେବୀ ବ୍ୟକ୍ତିର ନୂତନ, ଚିକ୍କଣ, ହୀରା-ବୈଦୁର୍ଯ୍ୟ-ସ୍ଫଟିକ ସମ ଦନ୍ତ ନିର୍ଗତ ହୋଇଥାଏ । ସେହିଦିନ ତାହାକୁ ପୁରାତନ ଶାଳୀ ଧାନ୍ୟର ଚାଉଳରେ ପ୍ରସ୍ତୁତ ଦୁଗ୍ଧ ଯୁକ୍ତ ଯବାଗୁର ସେବନ କରାଇବା ଉଚିତ । ଏହିପରି କର୍ମ ପଞ୍ଚବିଂଶତି ଦିନ ପର୍ଯ୍ୟନ୍ତ କରିବା ଉଚିତ । ତାହାକୁ ଉଭୟ କାଳରେ ଶାଳୀ ଧାନ୍ୟର ଚାଉଳରେ ପ୍ରସ୍ତୁତ ଦୁଗ୍ଧ ଯୁକ୍ତ ଯବାଗୁର ସେବନ ମଧ୍ୟ କରାଇବା ଉଚିତ ।

ତତ୍ପଶ୍ଚାତ୍ ସେହି ବ୍ୟକ୍ତିର ରକ୍ତ ପ୍ରବାଳ-ଇନ୍ଦ୍ରଗୋପ-ବାଳସୂର୍ଯ୍ୟ ସମ ଲାଲ ନଖ ଉତ୍ପନ୍ନ ହୋଇଥାଏ ଓ ତତ୍ସହିତ ସୁକ୍ଷ୍ମ କେଶ ମଧ୍ୟ ଉତ୍ପନ୍ନ ହୋଇଥାଏ । ତା'ର ତ୍ୱଚା ନୀଳ କଇଁ-ଅତସୀ ପୁଷ୍ପ-ବୈଦୁର୍ଯ୍ୟ ପ୍ରକାଶ ସମ ହୋଇଥାଏ । ଏକ ମାସ ପଶ୍ଚାତ ତା'ର କେଶ କର୍ତନ କରି ତା'ର ଶୀରରେ ଉଶୀର, ଚନ୍ଦନ ଓ କୃଷ୍ଣ ତିଳର ଲେପ କରାଇ କିମ୍ବା ତାହାକୁ ଦୁଗ୍ଧ ଦ୍ୱାରା ସ୍ନାନ କରାଇବା ଉଚିତ ।

ଏହାର ସାତ ଦିନ ପଶ୍ଚାତ ସେହି ବ୍ୟକ୍ତିର ଭ୍ରମର-ଅଞ୍ଜନ ସମ ଘନ କୃଷ୍ଣ କେଶ ଉତ୍ପନ୍ନ ହୋଇଥାଏ । ଏହାର ତିନି ଦିନ ପଶ୍ଚାତ ବ୍ୟକ୍ତିକୁ ପ୍ରଥମ ବାସସ୍ଥାନର କୋଠରୀରୁ ବାହାରକୁ ନେଇ ଏକ କ୍ଷଣ ପରେ ପୁନଶ୍ଚ କୋଠରୀ ମଧ୍ୟକୁ ନେଇଯିବା ଉଚିତ । ତତ୍ପଶ୍ଚାତ୍ ସେହି ବ୍ୟକ୍ତିର ଶରୀରର ମାଲିସ ପାଇଁ ବଳା ତୈଳ, ଉଦବର୍ତନ ପାଇଁ ଯବ ର ପିଷ୍ଟ, ସ୍ନାନ ନିମିତ୍ତ ସୁଖୋଷ୍ଣ ଦୁଗ୍ଧ, ଉତ୍ସାଦନ (ଘର୍ଷଣ) ପାଇଁ ଅଜକର୍ଣ୍ଣ କଳ୍କ, ପୁନଃ ସ୍ନାନ ନିମନ୍ତେ ଉଶୀର ଯୁକ୍ତ କୂପଜଳ, ଲେପ ନିମନ୍ତେ ଚନ୍ଦନ ତଥା ପାନ ନିମନ୍ତେ ଅଁଳା ରସ ଯୁକ୍ତ ଯୁଷ ଓ ସୁପ ଆଦି ଦେବା ଉଚିତ । ଏଥିସହିତ ଦୁଗ୍ଧ ଓ ମଧୁକରେ ସିଦ୍ଧ କୃଷ୍ଣ ତିଳର ଲେପ ତା'ର ସର୍ବ ଶରୀରରେ କରିବା ଉଚିତ । ଏହିପ୍ରକାର କର୍ମମାନ ଦଶଦିନ ଧରି କରିବା ଉଚିତ ।

ପୁନଶ୍ଚ ପରବର୍ତ୍ତୀ ଦଶଦିନ ତ୍ରିଗର୍ଭା ଗୃହର ଦ୍ଵିତୀୟ ଗୃହରେ ତାହାକୁ ବାସ କରାଇବା ଉଚିତ । ପୁନଶ୍ଚ ତା'ର ପରବର୍ତ୍ତୀ ଦଶଦିନ ତାହାକୁ ତ୍ରିଗର୍ଭା ଗୃହର ବାହ୍ୟ ବା ତୃତୀୟ ଗୃହରେ ବାସ କରାଇବା ସହିତ ବାୟୁ ଓ ଆତପ ସେବନ କରାଇ ତାହାକୁ ପୁନଶ୍ଚ ଦ୍ଵିତୀୟ ଗୃହକୁ ଆଣିବା ଉଚିତ । ଏହାପରେ ସୋମ ସେବୀ ବ୍ୟକ୍ତି  ରୂପବାନ ହୋଇଥିବା କାରଣରୁ ନିଜ ପ୍ରତିବିମ୍ବ ଦର୍ପଣ ବା ଜଳରେ ଦେଖିବା ଅନୁଚିତ । ଏହାର ପରବର୍ତ୍ତୀ ଦଶଦିନ ସେହି ସୋମ ସେବୀ ବ୍ୟକ୍ତି କ୍ରୋଧ ଆଦିର ପରିତ୍ୟାଗ କରିବା ଉଚିତ । ଏତତଦ୍ୱାରା ସୋମ ସେବୀ ବ୍ୟକ୍ତିର କାୟାକଳ୍ପ ହୋଇ ସେ ନବ ଯୌବନ ପ୍ରାପ୍ତି ପୂର୍ବକ ଦେବତାତୁଲ୍ୟ ରୂପ ଓ ଗୁଣର ଅଧିକାରୀ ହୋଇଥାଏ ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)