ଶ୍ରୀନୃସିଂହ ଭକ୍ତ ଆଦି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟ ପଦ୍ମପାଦ

ପ୍ରଭୁ ନୃସିଂହ ଆପଣମାନଙ୍କର ଆଧ୍ୟାତ୍ମିକ, ଆଧିଦୈବୀକ ଓ ଆଧିଭୌତିକ ସନ୍ତାପକୁ ହରଣ କରନ୍ତୁ । ପରମ ନୃସିଂହ ତଥା ଵିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କ କଥା ତ ଆପଣମାନେ ଶ୍ରବଣ କରିଥିବେ, କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଏହି କଳିଯୁଗର ଏକ ପରମ ନୃସିଂହ ଭକ୍ତଙ୍କ ଉପାଖ୍ୟାନ ସମ୍ପର୍କରେ କହିବି, ଯାହା ହୁଏତ ଆପଣମାନଙ୍କୁ ଅଜ୍ଞାତ ଥିବ । ସେ ହେଉଛନ୍ତି ସନନ୍ଦନ, ଯିଏକି ପରବର୍ତ୍ତୀ କାଳରେ ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟତ୍ୱ ଗ୍ରହଣ କରି ଶ୍ରୀପଦ୍ମପାଦାଚାର୍ଯ୍ୟ ନାମରେ ପ୍ରସିଦ୍ଧି ଲାଭ କରିଥିଲେ ।

ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ଥିଲେ ପରମ ଗୁରୁଭକ୍ତ, ପୁରୀ ଗୋବର୍ଦ୍ଧନ ପୀଠର ପ୍ରଥମ ଆଚାର୍ଯ୍ୟ ଶ୍ରୀପଦ୍ମପାଦାଚାର୍ଯ୍ୟ । ସେ ଶଙ୍କରଙ୍କର ଶିଷ୍ୟତ୍ୱ ଗ୍ରହଣ କରିବା ପୂର୍ବରୁ ପ୍ରଭୁ ନୃସିଂହଙ୍କର ଆରାଧନା କରୁଥିଲେ । ଏକଦା ସନନ୍ଦନ ବଳପର୍ବତ ଶିଖରରେ ଥିବା ଗୁମ୍ଫା ମଧ୍ୟରେ ରହି ଶ୍ରୀନୃସିଂହଙ୍କର ଆରାଧନାରେ ସମୟ ଅତିବାହିତ କରୁଥିଲେ । ତାଙ୍କୁ ଏହିପରି ଆରାଧନା କରିବାର ଅନେକ କାଳ ବ୍ୟତୀତ ହୋଇଗଲା, କିନ୍ତୁ ତାଙ୍କୁ ନିଜର ଆରାଧ୍ୟ ଦେବତାଙ୍କର ଦର୍ଶନ ମିଳିଲା ନାହିଁ । ସନନ୍ଦନଙ୍କର ଏହି ସାଧନା, ସେହି ପର୍ବତ ଶିଖରରେ ବିଚରଣ କରୁଥିବା ଏକ କିରାତ ଯୁବକ ମଧ୍ୟ ଦେଖୁଥିଲେ ଓ ସେ ଦିନେ ସନନ୍ଦନଙ୍କୁ ପଚାରିଲେ ଯେ ସେ କାହାର ସାଧନା କେଉଁ ଉଦ୍ଦେଶ୍ୟରେ କରୁଛନ୍ତି ? ଉତ୍ତରରେ ସନନ୍ଦନ ତାଙ୍କୁ କହିଲେ ଯେ ସେ ଶ୍ରୀନୃସିଂହଙ୍କର ସାଧନା କରୁଛନ୍ତି ଯେ କି ଦେଖିବାକୁ କଣ୍ଠରୁ ନିମ୍ନକୁ ଅଦ୍ଭୁତ ମନୁଷ୍ୟ ଶରୀର ଧାରୀ ଓ କଣ୍ଠର ଉପରକୁ ଅନୁପମ ସିଂହ ରୂପ ଧାରୀ । ଏବଂ ଯେହେତୁ ନୃସିଂହଙ୍କର ଦର୍ଶନ ତାଙ୍କୁ ମିଳିବା ସମ୍ଭବ ନୁହେଁ, ତେଣୁ ସେ ପର୍ବତ ଶିଖରରେ ଥିବା ଏହି ଗୁମ୍ଫା ମଧ୍ୟରେ ରହି ତାଙ୍କର ଦର୍ଶନ ପାଇବା ପାଇଁ ତାଙ୍କର ସାଧନା କରୁଛନ୍ତି । ଏହାଶୁଣି ସେହି କିରାତ ଯୁବକ ତୁରନ୍ତ ନୃସିଂହଙ୍କ ସନ୍ଧାନରେ ବାହାରି ପଡିଲେ ଓ ସ୍ୱୟଂ ନୃସିଂହଙ୍କୁ ଲତା ଦ୍ୱାରା ବନ୍ଧନ କରି ତାଙ୍କୁ ସନନ୍ଦନଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ । ଏହା ଦେଖି ସନନ୍ଦନ ଆଶ୍ଚର୍ଯ୍ୟଚକିତ ହୋଇ ରହିଗଲେ ଓ ପ୍ରଭୁ ନୃସିଂହଙ୍କୁ ପଚାରିଲେ ଯେ ସେ କିପରି ଏହି କିରାତ ଯୁବକଙ୍କୁ ଦର୍ଶନ ଦେଲେ । ଉତ୍ତରରେ ପ୍ରଭୁ ନୃସିଂହ କହିଥିଲେ ଯେ ସେ କିରାତ ଯୁବକର ସରଳତା ଓ ଆସ୍ଥାପୂର୍ବକ ଧ୍ୟାନ ଦ୍ୱାରା ପ୍ରସନ୍ନ ହୋଇ ତାହାକୁ ଦର୍ଶନ ଦେଇଥିଲେ । ଏହାପରେ ସେ ସନନ୍ଦନଙ୍କୁ ଆଶୀର୍ବାଦ କରିଥିଲେ ଓ ବର ପ୍ରଦାନ କରିଥିଲେ ଯେ ସନନ୍ଦନ ଯେତେବେଳେ ତାଙ୍କୁ ସ୍ମରଣ କରିବେ, ସେତେବେଳେ ସେ ତାଙ୍କ ସମ୍ମୁଖରେ ଆବିର୍ଭୂତ ହେବେ ।

‌ଏହାର ପରବର୍ତ୍ତୀ କାଳରେ ସନନ୍ଦନ ଆଦି ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଓ ଗୁରୁସେବାରେ ବ୍ରତୀ ଥିଲେ । ଏକଦା ଶଙ୍କରଙ୍କୁ ଏକ କାପାଳିକ 'ଉଗ୍ର ଭୈରବ' ଦେଖିଲା ଓ ମନେ ମନେ ବିଚାର କଲା ଯେ ସେ ଯଦି ଶଙ୍କରଙ୍କ ସଦୃଶ ଏକ ନୈଷ୍ଠିକ ବ୍ରହ୍ମଚାରୀ ଓ ସର୍ବଜ୍ଞ ପଣ୍ଡିତଙ୍କୁ ନିଜର ଆରାଧ୍ୟ ଭୈରବଙ୍କୁ ସନ୍ତୁଷ୍ଟ କରିବାକୁ ବଳି ପ୍ରଦାନ କରେ, ତେବେ ସେ ଅଚିରେ ତାହାର ସାଧନାରେ ସିଦ୍ଧିଲାଭ କରିବ । ଏହି କଥା ମନରେ ରଖି ସେ ଦିନେ ଶଙ୍କରଙ୍କ ସମ୍ମୁଖରେ ଏକାନ୍ତରେ ଉପସ୍ଥିତ ହେଲା ଓ ତାର ମନର କଥା କହିଲା । ସେ ଶଙ୍କରଙ୍କୁ ଛଳନାରେ କହିଲା ଯେ ସେ ଭଗବାନ ଶିବଙ୍କର ଉପାସକ ଓ ତାର ସାଧନାର ଉଦ୍ଦେଶ୍ୟ ଭଗବାନ ଶିବଙ୍କ ସହିତ ନିତ୍ୟ କୈଳାସ ଧାମରେ ନିବାସ କରିବା । ମାତ୍ର ଶିବ ତାଙ୍କୁ ଦର୍ଶନ ଦେଇ କହିଛନ୍ତି ଯେ ଏଥିପାଇଁ ତାକୁ ଏକ ଚକ୍ରବର୍ତ୍ତୀ ରାଜା କିମ୍ବା ଏକ ନୈଷ୍ଠିକ ବ୍ରହ୍ମଚାରୀ ଓ ସର୍ବଜ୍ଞ ପଣ୍ଡିତଙ୍କୁ ବଳି ଦେବାକୁ ପଡିବ । ଏବଂ ଯେହେତୁ ଚକ୍ରବର୍ତ୍ତୀ ରାଜାଙ୍କୁ ବଳି ଦେବା ତାପକ୍ଷରେ ଅସମ୍ଭବ, ତେଣୁ ଏହି ଉଦ୍ଦେଶ୍ୟ ସାଧନ ନିମିତ୍ତ ସେ ଶଙ୍କରଙ୍କ ନିକଟକୁ ଆସିଛି ଯେକି ଏକ ନୈଷ୍ଠିକ ବ୍ରହ୍ମଚାରୀ ଓ ସର୍ବଜ୍ଞ ପଣ୍ଡିତ ଅଟନ୍ତି । ଶଙ୍କର ଯେହେତୁ ସନ୍ୟାସୀ ଓ ତାଙ୍କର ଜୀବନର ଉଦ୍ଦେଶ୍ୟ ଅନ୍ୟର ହିତ ସାଧନ କରିବା, ତେଣୁ ସେ ସେହି କାପାଳିକର ହିତ ସାଧନ ନିମନ୍ତେ ନିଜର ଜୀବନ ଉତ୍ସର୍ଗ କରନ୍ତୁ । ଏହିପରି ଭାବରେ କାପାଳିକ 'ଉଗ୍ର ଭୈରବ' ନାନା ଛଳନାପୂର୍ଣ୍ଣ କଥାରେ ଶଙ୍କରଙ୍କୁ ବଶୀଭୂତ କଲା । ଶେଷରେ ଶଙ୍କର ତାକୁ କହିଲେ ଯେ ସେ ତାର କଥାରେ ରାଜି ଅଛନ୍ତି, ମାତ୍ର ତାହାକୁ ସେ ଏକାନ୍ତରେ ଆସିବାକୁ କହିଲେ, କାରଣ ତାଙ୍କର ଶିଷ୍ୟମାନେ ଯଦି ଏ ସମ୍ବନ୍ଧରେ ଟିକିଏ ବି ସୁରାକ ପାଆନ୍ତି, ତେବେ ସେମାନେ ତାଙ୍କୁ ଯମଙ୍କ ପାଖରୁ ମଧ୍ଯ ଛଡାଇ ଆଣିବାରେ ସମର୍ଥ୍ୟ ରଖନ୍ତି । ଏହା ଶୁଣି କାପାଳିକ ପ୍ରସନ୍ନତା ଲାଭ କଲା ଓ ପ୍ରସ୍ଥାନ କଲା ।

ପରବର୍ତ୍ତୀ କାଳରେ ଉଚିତ ସମୟ ଦେଖି କାପାଳିକ 'ଉଗ୍ର ଭୈରବ' ଶଙ୍କରଙ୍କ ପାଖରେ ଏକାନ୍ତରେ ଉପସ୍ଥିତ ହେଲା । ସେ ଶଙ୍କରଙ୍କୁ ବଳି ଦେବା ନିମିତ୍ତ ହାତରେ ତ୍ରିଶୁଳ ଓ ଖଡ୍ଗ ଧରି ସଜ୍ଜିତ ଥିଲା । ଏହାପରେ ଶଙ୍କର ତାହାକୁ ଦେଖି ତାର ଇପ୍ସିତ ଉଦ୍ଦେଶ୍ୟର ଚରିତାର୍ଥ ନିମିତ୍ତ ସମାଧିସ୍ଥ ହେଲେ ଯଦ୍ବାରା କି ସେ ବଳି ପ୍ରଦାନ ନିମିତ୍ତ ତାଙ୍କର ମସ୍ତକ ଛେଦନ କରିପାରିବ । କାପାଳିକ ତାର ଖଳ ଉଦ୍ଦେଶ୍ୟ ଚରିତାର୍ଥ ନିମିତ୍ତ ଅଗ୍ରସର ହୁଅନ୍ତେ ଶଙ୍କରଙ୍କ ପଟ୍ଟଶିଷ୍ୟ ପଦ୍ମପାଦାଚାର୍ଯ୍ୟ ସାଧନା ବଳରେ ଏହା ଜାଣିପାରି ତୁରନ୍ତ ଗୁରୁଙ୍କର ସମୀପରେ ଉପସ୍ଥିତ ହେଲେ ଓ ସମସ୍ତ ଘଟଣା ସମ୍ପର୍କରେ ଅବଗତ ହୋଇ ଶ୍ରୀନୃସିଂହଙ୍କୁ ସ୍ତୁତି କଲେ । ଏହାପରେ ପ୍ରଭୁ ନୃସିଂହ ପଦ୍ମପାଦଙ୍କ ଶରୀରରେ ବିଜେ ହେଲେ ଓ ଅତ୍ୟନ୍ତ ଉଗ୍ର ରୂପ ଧାରଣ କରି କାପାଳିକ ହାତରୁ ତ୍ରିଶୁଳ ଛଡାଇ ନେଇ ତାର ବକ୍ଷ ସ୍ଥଳକୁ ବିଦ୍ଧ କଲେ । ତତ୍ପଶ୍ଚାତ ସେ ନିଜର ତୀକ୍ଷ୍ଣ ନଖ ଦ୍ୱାରା ହିରଣ୍ୟକଶୀପୁର ବକ୍ଷସ୍ଥଳ ବିଦାରଣ କରିବା ଭଳି କାପାଳିକ 'ଉଗ୍ର ଭୈରବ'ର ବକ୍ଷସ୍ଥଳକୁ ବିଦାରଣ କରିଥିଲେ ।

ଏହାଦେଖି ସହସା ଶଙ୍କରଙ୍କ ଅନ୍ୟ ଶିଷ୍ୟମାନେ ସେଠାରେ ଉପସ୍ଥିତ ହେଲେ ଓ ଶଙ୍କରଙ୍କ ସମାଧି ଭଗ୍ନ ହେଲା । ଶଙ୍କର ପ୍ରକୃତିସ୍ଥ ଅବସ୍ଥାକୁ ଆସି ସବୁ ଜାଣିପାରିଲେ ଏବଂ ତୁରନ୍ତ ପ୍ରଭୁ ନୃସିଂହଙ୍କୁ ଶାନ୍ତ କରିବା ନିମିତ୍ତ ତାଙ୍କର ସ୍ତୁତି ଗାନ କଲେ । ଶଙ୍କରଙ୍କ ସ୍ତୁତିରେ ପ୍ରଭୁ ନୃସିଂହ ପ୍ରସନ୍ନ ହୋଇ ଅନ୍ତର୍ଦ୍ଧିତ ହେଲେ ଓ ପଦ୍ମପାଦ ପୁନଶ୍ଚ ନିଜର ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲେ । ଏହିପରି ଭାବରେ ନିଜର ଇଷ୍ଟ ଭକ୍ତି ଓ ଗୁରୁଭକ୍ତି ଦ୍ଵାରା ପଦ୍ମପାଦାଚାର୍ଯ୍ୟ, ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୀବନକୁ ଦୁଷ୍ଟ କାପାଳିକ କବଳରୁ ରକ୍ଷା କରି ପାରିଥିଲେ ।

ପ୍ରଭୁ ନୃସିଂହ ସାମ୍ପ୍ରତିକ କଷ୍ଟକର ପରିସ୍ଥିତିରେ, ଯେତେବେଳେ କି ସାଧୁ ସମାଜ ନିଜର ଅସ୍ତିତ୍ବ ନିମିତ୍ତ ସଂଘର୍ଷ ରତ, ସମାଜକୁ ସଦବୁଦ୍ଧି ଦିଅନ୍ତୁ ଓ ଦୁଷ୍ଟ କାପାଳିକ ସଦୃଶ କୁଶକ୍ତିଙ୍କୁ ବିନାଶ କରନ୍ତୁ ।

ଜୟ ଶ୍ରୀ ନୃସିଂହ ଦେବ !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)