ଅଲୌକିକ ଆୟୁର୍ବେଦ (ଦ୍ରୋଣୀ ପ୍ରାବେଶିକ ରସାୟନ)

ଆୟୁର୍ବେଦ ଆଠ ଗୋଟି ଅଙ୍ଗରେ ବିଭକ୍ତ । ସେଥି ମଧ୍ୟରୁ ଅନ୍ୟତମ ହେଲା "ରସାୟନ ଚିକିତ୍ସା" । ସଂକ୍ଷେପରେ କହିଲେ ଏହି ଚିକିତ୍ସା 'ଜରା' ବା ବୃଦ୍ଧାବସ୍ଥା ଓ 'ବ୍ୟାଧି'କୁ ନାଶ କରି ମନୁଷ୍ୟକୁ ଦୀର୍ଘାୟୁଷ ପ୍ରଦାନ କରିଥାଏ । ଅତଃ ଏହି ଚିକିତ୍ସା ଗ୍ରହଣର ଉପଯୁକ୍ତ ବୟସ ହେଉଛି ପୂର୍ବ ବା ମଧ୍ୟ ବୟସ ଯେତେବେଳେ ଶରୀର ଜରାଗ୍ରସ୍ତ ହୋଇ ନଥାଏ । ଏହା ମୁଖ୍ୟତଃ ତିନି ପ୍ରକାରର । ଯଥା -

୧) ବାତାତପିକ
୨) କୁଟୀ ପ୍ରାବେଶିକ
୩) ଦ୍ରୋଣୀ ପ୍ରାବେଶିକ

ବାତାତପିକ ଅର୍ଥାତ ବାୟୁ ଓ ଆତପ (ସୂର୍ଯ୍ୟ କିରଣ)ର ପ୍ରତ୍ୟକ୍ଷ ସେବନ କରି ବା ବାହ୍ୟ ବାତାବରଣ ମଧ୍ୟରେ ରହି ଯେଉଁ ରସାୟନ ଔଷଧିର ସେବନ କରାଯାଏ ।

କୁଟୀ ପ୍ରାବେଶିକ ଅର୍ଥାତ ଏକ ତ୍ରିଗର୍ଭା କୁଟୀ ମଧ୍ୟରେ ରହି ଯେଉଁଠାରେ କି ବାହ୍ୟ ବାତାବରଣର ପ୍ରତ୍ୟକ୍ଷ ପ୍ରଭାବ ନଥିବ, ରସାୟନ ଔଷଧିର ସେବନ କରିବା । ଯେପରିକି ସୋମ ରସାୟନ (ମୋର ଏକ ପୂର୍ବ ପୋଷ୍ଟ ଦେଖିବେ) । ଚ୍ୟବନପ୍ରାଶ ମଧ୍ୟ କୁଟୀ ପ୍ରାବେଶିକ ବିଧିରେ ସେବନ କରିବାର ନିର୍ଦ୍ଦେଶ ରହିଛି ।

ଦ୍ରୋଣୀ ପ୍ରାବେଶିକ ରସାୟନ ହେଉଛି ସବୁଠାରୁ କଷ୍ଟକର ବିଧି । ଏଥିରେ ବ୍ରହ୍ମସୁବର୍ଚ୍ଚଳା, ଆଦିତ୍ୟପର୍ଣ୍ଣୀ, ଅଶ୍ୱବଳ, କାଷ୍ଠଗୋଧା, ସର୍ପା, ସୋମ, ପଦ୍ମା, ଅଜଶୃଙ୍ଗୀ ଓ ନୀଳା ଆଦି ଔଷଧି ମଧ୍ୟରୁ ଯେଉଁଗୁଡିକ ଉପଲବ୍ଧ ସେଗୁଡ଼ିକର ସ୍ୱରସକୁ ତୃପ୍ତି ପର୍ଯ୍ୟନ୍ତ ସେବନ କରି ବସ୍ତ୍ରକୁ ତ୍ୟାଗ କରି ସ୍ନେହ ଭାବିତ ପଳାଶ ବୃକ୍ଷର କାଷ୍ଠରେ ନିର୍ମିତ ଦ୍ରୋଣୀରେ (ଢ଼ାଙ୍କୁଣୀ ଯୁକ୍ତ) ଚିତ ହୋଇ ପଡିରହିବା ଉଚିତ । ଏହାପରେ ସେହି ରସାୟନ ସେବୀ ମନୁଷ୍ୟ ଆପେ ଆପେ ସଂଜ୍ଞାହୀନ ହୋଇ ଯାଏ । ତତ୍ପରେ ସେହି ପଳାଶ ଦ୍ରୋଣୀକୁ ଢ଼ାଙ୍କୁଣୀ ଦ୍ୱାରା ବନ୍ଦ କରି ଦିଆଯାଏ । ପୁନଶ୍ଚ ଛଅ ମାସ ପରେ ସେହି ବ୍ୟକ୍ତିଟି ସଂଜ୍ଞା ଫେରିପାଏ ଓ ଠିକ ସମୟରେ ଦ୍ରୋଣୀର ଢ଼ାଙ୍କୁଣୀକୁ ଖୋଲି ଦିଆଯାଏ ।

ଏହି ସମୟରେ ଉକ୍ତ ବ୍ୟକ୍ତିକୁ କେବଳ ଛାଗ ଦୁଗ୍ଧ ସେବନ ନିମିତ୍ତ ଦିଆ ଯାଇଥାଏ । ଛଅ ମାସ ମଧ୍ୟରେ ବ୍ୟକ୍ତି ଜଣକ ବୟସ, ବର୍ଣ୍ଣ, ସ୍ୱର, ଆକୃତି, ବଳ ଓ ପ୍ରଭାରେ ଦେବତାଙ୍କ ସଦୃଶ ହୋଇ ଯାଇଥାଏ ତଥା ସେ ଆପେ ଆପେ ସମସ୍ତ ଶାସ୍ତ୍ର ଜ୍ଞାନରେ ପାରଙ୍ଗମ ହୋଇ ଯାଇଥାଏ । ତତ୍ସହିତ ସେ ଦିବ୍ୟ ଦର୍ଶନ ଓ ଶ୍ରବଣ ଶକ୍ତି ଲାଭ କରି ଏକ ହଜାର ଯୋଜନ ପର୍ଯ୍ୟନ୍ତ ଚାଲିବାର ସାମର୍ଥ୍ୟ ଲାଭ କରିଥାଏ ଓ ଦଶ ହଜାର ବର୍ଷର ଉପଦ୍ରବ ରହିତ ଆୟୁ ଲାଭ କରିଥାଏ ।

ଏହା ଅବିଶ୍ୱସନୀୟ, ହେଲେ ତର୍ଜମାର ବିଷୟ, କାରଣ ଏହି ବିଧି ଚରକ ସଂହିତାରେ ଉଲ୍ଲିଖିତ ଯାହାକି ଏକ ଚିକିତ୍ସା ଶାସ୍ତ୍ରୀୟ ଗ୍ରନ୍ଥ । ଆପଣମାନେ ପଲ୍ ବ୍ରଣ୍ଟନ୍ ଙ୍କ ଲିଖିତ ଏକ ଗ୍ରନ୍ଥ - 'A search in Secret Egypt' ପଢିପାରନ୍ତି ଯେଉଁଥିରେ କି ଲେଖକ ତାଙ୍କ ଇଂଜିପ୍ଟ ଭ୍ରମଣ ବୃତ୍ତାନ୍ତ ଲେଖିଛନ୍ତି । ସେ ମଧ୍ୟ ତାଙ୍କର ଏକ ଇଜିପ୍ଟିୟ ଅନୁଭୂତିର ବର୍ଣ୍ଣନା କରିଛନ୍ତି ଯେଉଁଥିରେ କି ସେ ନିଜେ ଦେଖିଛନ୍ତି ଓ ବର୍ଣ୍ଣନା କରିଛନ୍ତି ଯେ, "ଏକ ଇଜିପ୍ଟିୟ ସାଧୁ ଏକ କଫିନ ମଧ୍ୟରେ ଶୋଇରହି ସଂଜ୍ଞାହୀନ ହୋଇଯାଇଥିଲେ । ତାପୂର୍ବରୁ ସେ ତାଙ୍କ ଶିଷ୍ୟକୁ କହିଥିଲେ ଯେ ସେ ସଂଜ୍ଞାହୀନ ହେବା ପରେ କଫିନର ଢ଼ାଙ୍କୁଣୀ ବନ୍ଦ କରି ସିଲ କରିଦେବାକୁ ଯଦ୍ୱାରା କୌଣସି କୀଟ ଯେପରି ସେହି କଫିନ ମଧ୍ୟକୁ ପ୍ରବେଶ ନ କରେ ଓ ତାଙ୍କ ଶରୀରକୁ କ୍ଷତି ନ ପହଞ୍ଚାଏ । ତାପରେ ତାଙ୍କ ପୂର୍ବ ନିର୍ଦ୍ଦେଶିତ ସମୟସୁଚୀ ଅନୁସାରେ ତାଙ୍କ ଶିଷ୍ୟ ସେହି କଫିନର ଢ଼ାଙ୍କୁଣୀ ଖୋଲନ୍ତି ଓ ସାଧୁଜଣକ ପୁନଃ ସଂଜ୍ଞା ଫେରିପାଇ ସ୍ୱାଭାବିକ ଅବସ୍ଥାକୁ ଆସିଥାନ୍ତି ।" ଏହାକୁ ଆପଣମାନେ ବୈଜ୍ଞାନିକ ଭାଷାରେ 'hibernation' ବା 'ପ୍ରାକୃତିକ ଦୀର୍ଘସୁତ୍ରୀ ନିଦ୍ରା' ବୋଲି କହିପାରିବେ । ତେଣୁ ଚରକ ସଂହିତାର ଏହି 'ଦ୍ରୋଣୀ ପ୍ରାବେଶିକ ରସାୟନ'ରେ ଛଅ ମାସ ବ୍ୟାପି ସଂଜ୍ଞାହୀନ ହୋଇଯିବା ଅବସ୍ଥାକୁ ସନ୍ଦେହ ଚକ୍ଷୁରେ ଦେଖା ନ ଯାଇପାରେ । ହୁଏତ ପ୍ରାଚୀନ କାଳରେ ଭାରତ ଓ ଇଜିପ୍ଟ ଭଳି କିଛି ଉନ୍ନତ ସଭ୍ୟତାରେ ଏହି ଦୁର୍ଲ୍ଲଭ ବିଦ୍ୟାର ଅଭ୍ୟାସ ପ୍ରଚଳିତ ଥିଲା ଯାହାକି ସମୟକ୍ରମେ ଲୁପ୍ତ ପ୍ରାୟ ।

ଶେଷରେ ହଜମ ହେଉନଥିବା କଥାଟି ହେଉଛି 'ଦଶ ହଜାର ବର୍ଷର ଆୟୁଷ' ଯାହାକି ଅବୈଜ୍ଞାନିକ ଓ ଅସ୍ୱାଭାବିକ ମନେହୁଏ । ତେବେ ଆମେ ପୁରାଣରେ ପଢିଛେ ଯେ ସେ ସମୟରେ କିଛି ବିଶିଷ୍ଟ ଚରିତ୍ର ହଜାର ହଜାର ବର୍ଷ ଧରି ଜୀଵିତ ରହୁଥିଲେ । ହୁଏତ ସେମାନେ ଏହି 'ଦ୍ରୋଣୀ ପ୍ରାବେଶିକ ରସାୟନ'ର ସେବନ କରିଥିଲେ । କିଏ କହିପାରେ ?

[ବି.ଦ୍ର. ଏହି 'ଦ୍ରୋଣୀ ପ୍ରାବେଶିକ ରସାୟନ'ର ସେବନ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନଥିଲା । ଏହା କେବଳ ଜିତେନ୍ଦ୍ରୀୟ ମନୁଷ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ଓ ସେମାନେ ହିଁ ଏହାଦ୍ୱାରା ଉପକୃତ ହେଉଥିଲେ, ଅନ୍ୟମାନେ ନୁହେଁ ।]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)