'ରାମ ରସାୟନ' ବା 'ନାମ ରସାୟନ' କଣ ?

ପ୍ରଥମେ ଆସନ୍ତୁ ଜାଣିବା 'ରସାୟନ' ଶବ୍ଦର ଅର୍ଥ କଣ ।

ରସାୟନ ଶବ୍ଦର ଅର୍ଥ ଜାଣିବାକୁ ହେଲେ ଆୟୁର୍ବେଦ ଶାସ୍ତ୍ରର ସାହାଯ୍ୟ ନେବାକୁ ପଡିବ । ରସାୟନ ଔଷଧିର ସେବନ ଦ୍ୱାରା ଅନେକ ଲାଭ ମିଳିଥାଏ, ଯେପରିକି -

ଦୀର୍ଦ୍ଧମାୟୁଃ ସ୍ମୃତିଂ ମେଧାମାରୋଗ୍ୟଂ ତରୁଣଂ ବୟଃ ।
ପ୍ରଭାବର୍ଣ୍ଣସ୍ୱରୌଦାର୍ଯ୍ୟଂ ଦେହେନ୍ଦ୍ରିୟବଳଂ ପରମ୍ ।।
ବାକ୍ସିଦ୍ଧିଂ ପ୍ରଣତିଂ କାନ୍ତିଂ ଲଭତେ ନା ରସାୟନାତ୍ ।
ଲାଭୋପାୟୋ ହି ଶସ୍ତାନାଂ ରସାଦିନାଂ ରସାୟନମ୍ ।।

ଅର୍ଥାତ ରସାୟନ ଔଷଧିର ସେବନ ଫଳରେ ଦୀର୍ଘାୟୁଷ୍ୟ, ଉତ୍ତମ ସ୍ମୃତି ଶକ୍ତି, ମେଧା, ଆରୋଗ୍ୟତା, ତାରୁଣ୍ୟତା, ପ୍ରଭା, ଉଜ୍ଜ୍ବଳ ବର୍ଣ୍ଣ, ସ୍ୱରରେ ଔଦାର୍ଯ୍ୟ, ଦେହ ଓ ଇନ୍ଦ୍ରିୟ ବଳ, ବାକ୍ ସିଦ୍ଧି, ଶିଷ୍ଟାଚାର, କାନ୍ତି ଏବଂ ପ୍ରଶସ୍ତ ରସ, ରକ୍ତାଦି ଧାତୁ ପ୍ରାପ୍ତ ହୋଇଥାଏ ।

ତେବେ ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ବିନା ଔଷଧି ସେବନରେ, କେବଳ ଆଚାର ଶୁଦ୍ଧି ଏବଂ ସଦାଚାର ପାଳନ ଦ୍ୱାରା ମଧ୍ୟ ଏହି ରସାୟନ ସେବନର ଫଳ ମନୁଷ୍ୟ ପାଇଥାଏ, ଯାହାକୁ 'ଆଚାର ରସାୟନ' କୁହାଯାଏ ।

ପବିତ୍ର 'ରାମ ନାମ' ର ନିରନ୍ତର ସ୍ମରଣ ଓ ଜପ ମଧ୍ୟ ଏହି ରସାୟନ ସେବନର ଫଳ ପ୍ରଦାନ କରିଥାଏ ବୋଲି ଗୋସ୍ୱାମୀ ତୁଳସୀ ଦାସ ତାଙ୍କ 'ହନୁମାନ ଚାଳିଶା'ରେ ଉଲ୍ଲେଖ କରିଛନ୍ତି -

ରାମ ରସାୟନ ତୁମ୍ହରେ ପାସା,
ସଦା ରହୋ ରଘୁପତି କେ ଦାସା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଭୁ ହନୁମାନ ଅମୃତ ସେବନ କରିନଥିଲେ, କିନ୍ତୁ ସେ ଚିରଞ୍ଜିବୀ । ଏହା କେବଳ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସେବା ଓ ରାମ ନାମର ନିରନ୍ତର ସ୍ମରଣ ଓ ଜପ ଦ୍ୱାରା ହିଁ ସମ୍ଭବ ହୋଇପାରିଥିଲା ।

ମହର୍ଷି ବାଲ୍ମୀକି ମଧ୍ୟ ଏହି 'ରାମ ନାମ' ର ନିରନ୍ତର ଜପ (ତାହା ପୁଣି ଓଲଟା) ଫଳରେ ଦସ୍ୟୁ ରତ୍ନାକର ରୁ ମହର୍ଷି ବାଲ୍ମୀକି ହୋଇପାରିଥିଲେ ଏବଂ 'ରାମାୟଣ' ଗ୍ରନ୍ଥର ରଚନା କରିପାରିଥିଲେ ।

ତେଣୁ ଭଗବାନଙ୍କର ପବିତ୍ର ନାମର ସ୍ମରଣ ଏବଂ ଜପ, ତାହା ରାମ ହେଉକି କୃଷ୍ଣ ହେଉ ବା ଶିବ ହେଉ, ମନୁଷ୍ୟକୁ ରସାୟନ ସେବନର ଫଳ ପ୍ରଦାନ କରିଥାଏ ଓ ତାହାକୁ ଏ ଭବସାଗରରୁ ଉଦ୍ଧାର କରିଥାଏ ।

ଜୟ ଶ୍ରୀରାମ ! ଜୟ ଆୟୁର୍ବେଦ !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)