ପ୍ରାତଃଶୌଚ ବିଧି - ଆୟୁର୍ବେଦୋକ୍ତ ଏବଂ ଆଧୁନିକ (ଏକ ତୁଳନାତ୍ମକ ଅନୁଶୀଳନ)

ଆମର ଦୈନନ୍ଦିନ ନିତ୍ୟକର୍ମର ପ୍ରାରମ୍ଭ ହୁଏ ନିଦ୍ରାଭଙ୍ଗ ପରେ ପ୍ରାତଃଶୌଚ ସହିତ । କେତେକ ମଳମୂତ୍ରାଦିର ବେଗ ଆସୁ ବା ନଆସୁ, ଶୌଚାଗାରକୁ ଯାଇ ଏହି ନିତ୍ୟକର୍ମଟିକୁ ସାରିଥାନ୍ତି, ହୁଏତ ଏଇଥିପାଇଁ ଯେ କାଳେ ଏହି କର୍ମଟି ଶିଘ୍ର ନସାରିଲେ ସେମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାରେ ବିଳମ୍ବ ଘଟିବ । ମାତ୍ର ଆୟୁର୍ବେଦ ଶାସ୍ତ୍ର କୁହେ ଯେ -
"ରାତ୍ରିରେ ଗ୍ରହଣ କରିଥିବା ଖାଦ୍ୟର ଜୀର୍ଣ୍ଣ ଅଜୀର୍ଣ୍ଣ ବିଚାର କରି ମଳମୂତ୍ରାଦିର ବେଗ ପ୍ରତୀତ ହେବା ମାତ୍ରେ ହିଁ ମଳମୂତ୍ରାଦି ତ୍ୟାଗ କରିବା ଉଚିତ ।"
ତେଣୁ ବେଗର ଉପସ୍ଥିତି ବିନା ଏହି ନିତ୍ୟକର୍ମ କରିବା ଦ୍ୱାରା ଆମକୁ ଗୁଦଭ୍ରଂଶ ପରି ବିବିଧ ବ୍ୟାଧିର ଶିକାର ହେବାକୁ ପଡିପାରେ । ପୁନଶ୍ଚ ମଳମୂତ୍ରାଦିର ବେଗ ଉପସ୍ଥିତ ହେବା ମାତ୍ରେ ଏହାକୁ ତ୍ୟାଗ ନକରିବା ଦ୍ଵାରା ମଧ୍ୟ ପେଟ ଫାମ୍ପିବା, ଗୁଦରେ ପୀଡା, ମଳାବରୋଧ, ବସ୍ତି ପ୍ରଦେଶ ଓ ମୁତ୍ରେନ୍ଦ୍ରିୟରେ ଶୂଳ, ମୂତ୍ରକୃଛ୍ର ଆଦି ଲକ୍ଷଣ ଦେଖାଦେଇଥାଏ । ତେଣୁ ବୁଦ୍ଧିମାନ ବ୍ୟକ୍ତି ପ୍ରାତଃକାଳରେ ବେଗ ଉପସ୍ଥିତ ହେବା ମାତ୍ରେ ହିଁ ମଳମୂତ୍ରାଦି ତ୍ୟାଗ କରିବା ଉଚିତ ଯାହା କି ଆୟୁର୍ବେଦ ଅନୁସାରେ ଆୟୁର ବର୍ଦ୍ଧନ କରିବା ସହିତ ପେଟର ଗୁରୁତାକୁ ଦୂର କରିଥାଏ ।

ଆୟୁର୍ବେଦ ମତରେ ସର୍ବଦା ମଳମୂତ୍ରାଦି ତ୍ୟାଗ, ପୂର୍ବ କିମ୍ବା ଉତ୍ତରାଭିମୁଖ ହୋଇ, କୌଣସି ଚିନ୍ତା ନକରି, ମୌନତା ପୂର୍ବକ, ଉତ୍କଟାସନରେ, ମୁଖ ଏବଂ ଶିର ଆଦିକୁ ବସ୍ତ୍ର ଦ୍ୱାରା ଆବୃତ କରି, ଏକାନ୍ତ ସ୍ଥାନରେ ହିଁ କରିବା ଉଚିତ । ସାର୍ବଜନୀନ ସ୍ଥାନରେ, ଅତ୍ୟନ୍ତ ଅପବିତ୍ର ସ୍ଥାନରେ, ମାର୍ଗରେ, ମାଟି ଉପରେ, ହଳ କରାଯାଇଥିବା କ୍ଷେତରେ, ବୃକ୍ଷ ଉପରେ ବା ସମୀପରେ ତଥା ଭୂମିକୁ ଆବୃତ ନକରି ମଳମୂତ୍ରାଦି ତ୍ୟାଗ କରିବା ଉଚିତ ନୁହେଁ ।

ତେବେ ଆଜିର ଆଧୁନିକ ସମୟରେ ଆମେ ପ୍ରାୟତଃ ଆମର ଗୃହ ସହିତ ସଂଯୁକ୍ତ ଶୌଚାଗାରରେ ହିଁ ମଳମୂତ୍ରାଦି ତ୍ୟାଗ କରିଥାଉ ଯାହାକି ସ୍ୱାସ୍ଥ୍ୟପ୍ରଦ । ତେବେ ଅନେକେ ଏହି ସମୟରେ ମୁଖ ଏବଂ ଶିର ଆଦିକୁ ବସ୍ତ୍ର ଦ୍ୱାରା ଆବୃତ କରିନଥାନ୍ତି, ଯାହାକି ସ୍ୱାସ୍ଥ୍ୟ ରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହି ବସ୍ତ୍ର ବା ପରିଧାନ ଗୁଡିକୁ ପରବର୍ତ୍ତୀ ପର୍ଯ୍ୟାୟରେ ଭଲ ରୂପେ ଧୋଇଦେବା ଆବଶ୍ୟକ । ପୁନଶ୍ଚ ଆମେ ଆଜିକାଲି ଆଉ ପାରମ୍ପରିକ ଉତ୍କଟାସନରେ ମଳମୂତ୍ରାଦି ତ୍ୟାଗ ନକରି ଏଥି ବଦଳରେ ଆଧୁନିକ 'କୋମୋଡ଼' ବ୍ୟବହାର କରୁଅଛୁ । ଏହି 'କୋମୋଡ଼' ଯଦିଓ ବୃଦ୍ଧ ବୟସରେ ତଥା ଆଣ୍ଠୁଗଣ୍ଠି ରୋଗରେ ଉପକାରୀ ସାବ୍ୟସ୍ତ ହୋଇଥାଏ, ତେବେ ଏଥିରେ ବସି ମଳମୂତ୍ରାଦି ତ୍ୟାଗ କଲେ ମଳମୂତ୍ରାଦିର ସମ୍ପୂର୍ଣ୍ଣ ଉତ୍ସର୍ଜନ ହୋଇପାରିନଥାଏ । ତେଣୁ ଅତ୍ୟଧିକ ଆବଶ୍ୟକତା ନପଡିଲେ ଏହି 'କୋମୋଡ଼' ବ୍ୟବହାର କରିବା ଅନୁଚିତ । ପୁନଶ୍ଚ 'କୋମୋଡ଼' ବ୍ୟବହାର କଲେ ମଧ୍ୟ ପାଦ ଦୁଇଟିକୁ ଉଚ୍ଚ ସ୍ଥାନରେ ରଖିବା ପାଇଁ ପ୍ଲାଷ୍ଟିକ ବା କାଠରେ ନିର୍ମିତ ଦୁଇଟି ଉଚ୍ଚ 'ଫୁଟ ରେଷ୍ଟ' ବ୍ୟବହାର କରିବା ଉଚିତ ଯଦ୍ବାରା କି ମଳମୂତ୍ରାଦିର ଉତ୍ସର୍ଜନ ସମୟରେ ଶରୀରର ଆକୃତି ଉତ୍କଟାସନ ସଦୃଶ ହୋଇପାରିବ ଯାହାକି ଏ ଦିଗରେ ଶରୀରରୁ ମଳମୂତ୍ରାଦିର  ସମ୍ପୂର୍ଣ୍ଣ ନିଷ୍କାସନରେ ସାହାଯ୍ୟ କରିପାରିବ ।

ଏହାପରେ ଆଲୋଚନା କରିବା ମଳାୟନର ଶୁଦ୍ଧି ପ୍ରକ୍ରିୟା । ଆଜିକାଲିର ଆଧୁନିକ ସମାଜରେ, ବିଶେଷ କରି ପାଶ୍ଚାତ୍ୟ ସଭ୍ୟତାରେ ଶୌଚକ୍ରିୟା ନିମିତ୍ତ ଜଳ ବଦଳରେ ଟିସୁ ପେପରର ବ୍ୟବହାର ଦେଖିବାକୁ ମିଳେ । ଏବଂ ଶୌଚକ୍ରିୟା ସମୟରେ ମଳାୟନର ଶୁଦ୍ଧି ବ୍ୟତୀତ ହସ୍ତପାଦାଦି ଧୌତ କରିବା ମଧ୍ୟ ଏକ୍ଷେତ୍ରରେ ଦେଖିବାକୁ ମିଳେନାହିଁ । ତେବେ ଏହା କେତେ ହିତକାରୀ ତାହା ଆପଣମାନେ ଆୟୁର୍ବେଦ ବର୍ଣ୍ଣିତ ନିମ୍ନୋକ୍ତ ଜଳ ଦ୍ୱାରା ଶୌଚ ହେବା ପ୍ରକ୍ରିୟା ସହିତ ତୁଳନା କଲେ ଆପେ ବୁଝିପାରିବେ ।

ଶୌଚକ୍ରିୟା ନିମିତ୍ତ ଆୟୁର୍ବେଦରେ ବର୍ଣ୍ଣିତ ଅଛି ଯେ ପ୍ରଥମେ ମଳାୟନକୁ ଶୁଦ୍ଧ ମୃତ୍ତିକା ଦ୍ୱାରା ଶୁଦ୍ଧ କରି ଏହାକୁ ପରିଷ୍କାର ଜଳ ଦ୍ୱାରା ଧୋଇଦେବା ଉଚିତ । ଏହି ସମୟରେ ଧ୍ୟାନ ରଖିବା ଉଚିତ ଯେପରିକି ଜଳର ବିନ୍ଦୁ ଏଠିସେଠି ନପଡ଼େ । ଏହାପରେ ମୁତ୍ରେନ୍ଦ୍ରିୟ ଓ ହସ୍ତପାଦ ଆଦିକୁ ମଧ୍ୟ ସ୍ବଛ ଜଳ ଦ୍ୱାରା ଧୋଇଦେବା ଉଚିତ । ଏପରି କରିବା ଦ୍ୱାରା ଆୟୁ ତଥା ମେଧା ବୃଦ୍ଧି ହୋଇଥାଏ, ଶାରୀରିକ ଶୁଦ୍ଧି ଓ ପବିତ୍ରତା ଅସିଥାଏ, ଶାରୀରିକ କ୍ଲାନ୍ତି ଦୂର ହୋଇଥାଏ, କାନ୍ତି ଓ ବଳ ବୃଦ୍ଧି ହୋଇଥାଏ, ଦରିଦ୍ରତା ଏବଂ କଳି (ଝଗଡା ଓ ପାପ)ର ନାଶ ହୋଇଥାଏ ।

ତେବେ ସ୍ୱାସ୍ଥ୍ୟରକ୍ଷା ଓ ବ୍ୟକ୍ତିଗତ ସ୍ୱଚ୍ଛତା ଦିଗରୁ ବିଚାର କଲେ, ଆଜିର ଯୁଗରେ ଶୁଦ୍ଧ ମୃତ୍ତିକା ବଦଳରେ ସାବୁନର ବ୍ୟବହାର କରିବା ସବୁ ଦୃଷ୍ଟିରୁ ଶ୍ରେୟସ୍କର ।

ଆମ ସଭ୍ୟତାର ଅନେକ ଦିଗକୁ ବିଜ୍ଞାନ ଦ୍ୱାରା ବୁଝାଯାଇପାରେ, ଓ ତତ୍ସହିତ ଅନେକ ଦିଗକୁ ବୈଜ୍ଞାନିକ ଭାଷାରେ ବୁଝିବା ବା ବୁଝାଇବା ସମ୍ଭବ ନୁହେଁ । ମାତ୍ର ସେଥିପାଇଁ ସେସବୁକୁ ଅଗ୍ରାହ୍ୟ କରିବା ଅନୁଚିତ, କାରଣ ଆମ ସଭ୍ୟତାର ଏହି ଚାଲିଚଳଣୀ, ପରମ୍ପରା ଆଦି ସବୁ ବାରମ୍ବାର ପରୀକ୍ଷାନିରୀକ୍ଷା ପରେ ହିଁ ସ୍ୱୀକୃତ ହୋଇଛି ଯାହାକୁକି ସେତେବେଳର ବୈଜ୍ଞାନିକ ଭାଷାରେ ସିଦ୍ଧାନ୍ତ କୁହାଯାଉଥିଲା । ଏହି ସିଦ୍ଧାନ୍ତ ସବୁକୁ ଆଜିର ଯୁଗରେ ଆପଣମାନେ ମାନିବେ କି ନମାନିବେ କିମ୍ବା କେତେ ପରିମାଣରେ ମାନିବେ ତାହା ଆପଣଙ୍କ ଉପରେ ନିର୍ଭର କରେ ।

ପ୍ରଭୁ ଜଗନ୍ନାଥ ଆପଣମାନଙ୍କୁ ସୁଖରେ ରଖନ୍ତୁ । ଜୟ ଜଗନ୍ନାଥ !

ସହାୟକ ଗ୍ରନ୍ଥାବଳୀ:
୧) ଚରକ ସଂହିତା
୨) ଭେଳ ସଂହିତା
୩) ଅଷ୍ଟାଙ୍ଗ ହୃଦୟ
୪) ଅଷ୍ଟାଙ୍ଗ ସଂଗ୍ରହ
୫) ଯୋଗ ରତ୍ନାକର

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)