ଦିବ୍ୟ ଔଷଧୀ ସୋମ (ସୋମ ବର୍ଣ୍ଣନା)

ପୌରାଣିକ ଗ୍ରନ୍ଥାଦିରେ ସୋମ ନାମକ ଦିବ୍ୟ ଔଷଧୀର ବର୍ଣ୍ଣନା ରହିଛି ଏବଂ ଦେବତାମାନେ ସୋମରସ ପାନ କରୁଥିବାର ଉଲ୍ଲେଖ ମଧ୍ୟ ରହିଛି । ତେବେ ଏହି ସୋମ ନାମକ ଔଷଧୀ କଣ ଏବଂ ଏହି ସୋମରସ ପାନର ବିଧି କଣ ଆସନ୍ତୁ ଏବେ ଜାଣିବା ।

ସାଧାରଣତଃ ବିଶ୍ୱାସ କରାଯାଏ ଯେ ସୋମରସ ଏକ ପ୍ରକାର ମଦିରା ଯାହାକୁ ଦେବତାମାନେ ପାନ କରୁଥିଲେ । କିନ୍ତୁ ଏହା ଏକ ଭୁଲ ଧାରଣା । ଆୟୁର୍ବେଦୀୟ ଗ୍ରନ୍ଥ ସୁଶ୍ରୁତ ସଂହିତାରେ ସୋମ ଔଷଧୀର ଚିହ୍ନଟ ଓ ଏହାର ପ୍ରୟୋଗ ବିଧି ସମ୍ବନ୍ଧରେ ଅତି ବିସ୍ତୃତ ଭାବରେ ବର୍ଣ୍ଣନା ରହିଛି ।

ପୁରାତନ କାଳରେ ବ୍ରହ୍ମା ଆଦିଙ୍କ ଦ୍ୱାରା ଜରା ଓ ମୃତ୍ୟୁକୁ ଜୟ କରିବା ନିମିତ୍ତ ସୋମର ସୃଜନ କରାଯାଇଥିଲା । ପୁରାଣାଦିରେ ଉଲ୍ଲେଖ ରହିଛି ଯେ ଅମୃତର ଉତ୍ପତ୍ତି ତଥା ଏହାର ସେବନ କରିବା ପୂର୍ବରୁ ଦେବତାମାନେ ମଧ୍ୟ ମୃତ୍ୟୁଞ୍ଜୟୀ ନଥିଲେ । ତେଣୁ ସମ୍ଭବତଃ ଜରା ଓ ମୃତ୍ୟୁକୁ ଜୟ କରିବା ନିମିତ୍ତ ସେମାନେ ଏହି ସୋମରସ ପାନ କରୁଥିଲେ ।

ସୋମକୁ ଔଷଧୀର ସ୍ୱାମୀ ରୂପେ ବର୍ଣ୍ଣନା କରାଯାଇଛି ଯାହାକୁ ସେବନ କରିବା ଦ୍ୱାରା ବ୍ୟକ୍ତି ଦଶ ସହସ୍ର ବର୍ଷ ପର୍ଯ୍ୟନ୍ତ ନବୀନ ଶରୀର ଧାରଣ କରି ଜୀବିତ ରହିଥାଏ । ଅଗ୍ନି, ଜଳ, ବିଷ, ଶସ୍ତ୍ର ଓ ଅସ୍ତ୍ର ଏସବୁରୁ କୌଣସିଟି ମଧ୍ୟ ସୋମ ସେବନ କରିଥିବା ବ୍ୟକ୍ତିଙ୍କର ଆୟୁକୁ ନଷ୍ଟ କରିବାରେ ସମର୍ଥ ହୋଇନଥାଏ । ସୋମ ସେବନ କରିଥିବା ବ୍ୟକ୍ତି ସହସ୍ର ହସ୍ତୀଙ୍କର (ଷାଠିଏ ବର୍ଷ ଆୟୁ ଯୁକ୍ତ ଭଦ୍ର ଜାତିର ହସ୍ତୀ) ବଳ ପ୍ରାପ୍ତ ହୁଏ । ସେହି ବ୍ୟକ୍ତି କ୍ଷୀରସାଗର, ଇନ୍ଦ୍ରପୁରୀ, ଉତ୍ତର କୁରୁପ୍ରଦେଶ ଆଦି ଦୁର୍ଗମ୍ୟ ସ୍ଥାନକୁ ଅଚିରେ ଗମନ କରିଥାଏ । ରୂପରେ ସେ କାମଦେବଙ୍କ ତୁଲ୍ୟ ତଥା କାନ୍ତିରେ ଚନ୍ଦ୍ରମାଙ୍କ ତୁଲ୍ୟ ଦୃଶ୍ୟମାନ ହୋଇଥାଏ ତଥା ସେ ସମସ୍ତ ବେଦ, ବେଦାଙ୍ଗ ଓ ବେଦର ଉପାଙ୍ଗ ଆଦିର ତତ୍ୱର ଜ୍ଞାତା ହୋଇ ଅବ୍ୟର୍ଥ ସଂକଳ୍ପଯୁକ୍ତ ହୋଇଥାଏ । ସେ ଦେବତାଙ୍କ ସଦୃଶ ସମସ୍ତ ସଂସାରରେ ବିଚରଣ କରି ସମସ୍ତ ଜୀବଙ୍କର ମନକୁ ପ୍ରସନ୍ନ କରିଥାଏ ।

ସୁଶ୍ରୁତ ସଂହିତାର ବର୍ଣ୍ଣନା ଅନୁସାରେ କିଛି ଭାଗ୍ୟବାନ ମନୁଷ୍ୟ ମଧ୍ୟ ସୋମରସ ପାନ କରୁଥିଲେ । କିନ୍ତୁ ସେମାନଙ୍କ ପାଇଁ ସୋମ ଔଷଧୀକୁ ଠାବ କରିବା ସବୁଠାରୁ ଦୁରୁହ ବ୍ୟାପାର ଥିଲା । କାରଣ ବର୍ଣ୍ଣିତ ଅଛି ଯେ ଭାଗ୍ୟହୀନ, ବୈଦ୍ୟଙ୍କର ଅପମାନ କରୁଥିବା ବ୍ୟକ୍ତି, ଅଧାର୍ମିକ, କୃତଘ୍ନ, ଔଷଧୀ ତଥା ବ୍ରାହ୍ମଣଙ୍କ ଠାରେ ଦ୍ଵେଷ ରଖୁଥିବା ବ୍ୟକ୍ତିମାନେ ଏହି ସୋମ ଔଷଧୀର ସନ୍ଧାନ ପାଆନ୍ତି ନାହିଁ ।

ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେ ପ୍ରକୃତରେ କଣ ସୋମ ନାମକ ଏହି ଦିବ୍ୟ ଔଷଧୀ ଧରାପୃଷ୍ଠରେ ଉପଲବ୍ଧ ଥିଲା ? ଏହାର ଉତ୍ତର ମଧ୍ୟ ସୁଶ୍ରୁତ ସଂହିତାରେ ରହିଛି । କାରଣ ସେଠାରେ ସୋମ ଔଷଧୀର ବିଭିନ୍ନ ପ୍ରଜାତିର ବର୍ଣ୍ଣନା, ଚିହ୍ନଟ ଓ ସେବନ ବିଧିର ଉଲ୍ଲେଖ ରହିଛି ।

ସୁଶ୍ରୁତ ସଂହିତା ଚିକିତ୍ସା ସ୍ଥାନ ୨୯ ଅଧ୍ୟାୟରେ ବର୍ଣ୍ଣିତ ଅଛି ଯେ -

ସାଧାରଣତଃ ସୋମ ଏକ ପ୍ରକାରର, କିନ୍ତୁ ସ୍ଥାନ, ନାମ, ଆକୃତି ଓ ବୀର୍ଯ୍ୟ ଭେଦରେ ଏହା ଚବିଶ ପ୍ରକାରର ହୋଇଥାଏ । ଯଥା -
୧) ଅଂଶୁମାନ ୨) ମୁଞ୍ଜବାନ ୩) ଚନ୍ଦ୍ରମା ୪) ରଜତପ୍ରଭ ୫) ଦୁର୍ବାସୋମ ୬) କନିୟାନ୍ ୭) ଶ୍ଵେତାକ୍ଷ  ୮) କନକପ୍ରଭ ୯) ପ୍ରତାନବାନ୍ ୧୦) ତାଳବୃନ୍ତ ୧୧) କରବୀର ୧୨) ଅଂଶବାନ୍ ୧୩) ସ୍ୱୟଂପ୍ରଭ ୧୪) ମହାସୋମ ୧୫) ଗରୁଡ଼ାହୃତ ୧୬) ଗାୟତ୍ର ୧୭) ତ୍ରୈଷ୍ଟୁଭ ୧୮) ପାଙ୍କ୍ତ ୧୯) ଜାଗତ ୨୦) ଶାକ୍କର ୨୧) ଅଗ୍ନିଷ୍ଟୋମ ୨୨) ରୈବତ ୨୩) ତ୍ରିପଦା ଗାୟତ୍ରୀ ୨୪) ଉଡୁପତି

ଉପରୋକ୍ତ ସମସ୍ତ ସୋମ ଔଷଧୀର ସେବନ ବିଧି ଏକ ପ୍ରକାର ତଥା ଏଗୁଡିକର ସେବନ ଦ୍ୱାରା ସମାନ ଫଳ ମିଳିଥାଏ । ଏହି ସମସ୍ତ ସୋମ ଔଷଧୀର ପନ୍ଦର ଗୋଟି ପତ୍ର ଥାଏ । କୃଷ୍ଣପକ୍ଷରେ ଏହି ପତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ଗୋଟିଏ ପତ୍ର ଝଡି ଅମାବାସ୍ୟାରେ କେବଳ ଲତା ମାତ୍ର ଅବଶେଷ ରହିଥାଏ । ପୁନଶ୍ଚ ଶୁକ୍ଳପକ୍ଷରେ ଏଥିରେ ଗୋଟିଏ ଗୋଟିଏ ପତ୍ର କଅଁଳି ପୂର୍ଣ୍ଣିମା ଦିନ ଏହା ପୂର୍ଣ୍ଣ ପନ୍ଦର ଗୋଟି ପତ୍ରଯୁକ୍ତ ହୋଇଯାଇଥାଏ ।

ଅଂଶୁମାନ ସୋମ ଘୃତ ଗନ୍ଧଯୁକ୍ତ ତଥା ରଜତପ୍ରଭ ସୋମ କନ୍ଦଯୁକ୍ତ ହୋଇଥାଏ । ମୁଞ୍ଜବାନ ସୋମର କନ୍ଦ କଦଳୀ ସଦୃଶ ତଥା ଏହାର ପତ୍ର ରସୁଣ ପତ୍ର ଭଳି ହୋଇଥାଏ । ଚନ୍ଦ୍ରମା ତଥା କନକପ୍ରଭ ସୋମ ସଦା ଜଳରେ ରହିଥାନ୍ତି । ଗରୁଡ଼ାହୃତ ଓ ଶ୍ଵେତାକ୍ଷ ସୋମ ସର୍ବଦା ସର୍ପର କାତିଛଡା ଚର୍ମ ସଦୃଶ ପାଣ୍ଡୁର ବର୍ଣ୍ଣର ହୋଇଥାନ୍ତି ଓ ବୃକ୍ଷର ଅଗ୍ରଭାଗରେ ଝୁଲି ରହିଥାନ୍ତି । ଶେଷ ଅନ୍ୟ ସମସ୍ତ ସୋମ ମଣ୍ଡଳାକାର ଚିତ୍ର ଦ୍ୱାରା ଚିତ୍ରିତ ହୋଇଥାନ୍ତି । ତେବେ ଏ ସମସ୍ତ ସୋମ ଔଷଧୀ ପନ୍ଦର ଗୋଟି ପତ୍ରଯୁକ୍ତ ତଥା ଏଗୁଡିକର କନ୍ଦରେ ଦୁଗ୍ଧ ତଥା ଲତା ରହିଥାଏ ଓ ଏଗୁଡିକ ନାନାବିଧ ପତ୍ରଯୁକ୍ତ ହୋଇଥାନ୍ତି ।

ଏହି ଦିବ୍ୟ ସୋମ ଔଷଧୀଗୁଡିକ ହିମାଳୟ, ଅର୍ବୁଦ, ସହ୍ୟ, ମହେନ୍ଦ୍ର, ମଳୟ, ଶ୍ରୀପର୍ବତ, ଦେବଗିରି, ପାରିଯାତ୍ର, ବିନ୍ଧ୍ୟ, ଦେବସୁନ୍ଦ ତଥା କେତେକ ବିଶେଷ ହ୍ରଦରେ ମିଳିଥାନ୍ତି । ବିତସ୍ତା ନଦୀର ଉତ୍ତରରେ, ଅତି ବୃହତ ଯେଉଁ ପାଞ୍ଚଟି ପର୍ବତ ଅଛି ତାହାର ନିମ୍ନରେ ଓ ମଧ୍ୟରେ, ସିନ୍ଧୁ ନାମକ ମହା ନଦରେ ଏହି ସୋମର ଶ୍ରେଷ୍ଠ ପ୍ରଜାତି (ଚନ୍ଦ୍ରମା ନାମକ ସୋମ) ପ୍ରାପ୍ତ ହୋଇଥାଏ ଯାହାକି ଜଳକୁମ୍ଭୀ ସଦୃଶ ଭାସମାନ ଅବସ୍ଥାରେ ରହିଥାଏ । ମୁଞ୍ଜବାନ ତଥା ଅଂଶୁମାନ ଜାତୀୟ ସୋମ ମଧ୍ୟ ଏହି ଚନ୍ଦ୍ରମା ଜାତୀୟ ସୋମ ନିକଟରେ ପ୍ରାପ୍ତ ହୁଅନ୍ତି । କାଶ୍ମୀରରେ କ୍ଷୁଦ୍ରକ ମାନସ ନାମକ ଦିବ୍ୟ ସରୋବରରେ ଗାୟତ୍ର, ତ୍ରୈଷ୍ଟୁଭ, ପାଙ୍କ୍ତ, ଜାଗତ ତଥା ଶାକ୍କର ଏବଂ ଅନ୍ୟ ଜାତୀୟ ସୋମ ମଧ୍ୟ ଉପଲବ୍ଧ ହୁଅନ୍ତି ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)