ମହାଦେବଙ୍କର ଭୂତଗଣଙ୍କର ଉତ୍ପତ୍ତି କଥା

ମହାଦେବଙ୍କର କଥା ବା ଲୀଳା ବର୍ଣ୍ଣନ ସମୟରେ ତାଙ୍କର ପ୍ରିୟ ଗଣ ବା ଭୂତଗଣଙ୍କର ଉଲ୍ଲେଖ ଅବଶ୍ୟ ଆସିଥାଏ । ଏହି ଭୂତମାନେ ଦେଖିବା ପାଇଁ ଯେପରି କିମ୍ଭୂତ କିମାକାର, ସେମାନଙ୍କର ଆଚରଣ ମଧ୍ୟ ସେହିପରି ବିଚିତ୍ର । ସେଥିପାଇଁ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ସମୟରେ ବରଯାତ୍ରୀରେ ଆସିଥିବା ଏହି ଭୂତଗଣଙ୍କର ରୂପ ଓ ଆଚରଣକୁ ଦେଖି ଦେବୀଙ୍କର ମାତା ମୂର୍ଚ୍ଛିତା ହୋଇଯାଇଥିଲେ । ତେବେ ଏପରି ବିକଟାଳ ରୂପ ଧାରଣ କରିଥିବା ତଥା ଅଦ୍ଭୁତ ଆଚରଣ କରୁଥିବା ଏହି ଭୂତଗଣ କିପରି ମହାଦେବଙ୍କର ପ୍ରିୟପାତ୍ର ହୋଇ ତାଙ୍କର ଗଣ ରୂପେ ସ୍ୱୀକୃତି ପାଇଲେ ତାହା ଜାଣିବା ନିମିତ୍ତ ମନରେ ଉତ୍କଣ୍ଠା ସୃଷ୍ଟି ହେବା ସ୍ୱାଭାବିକ । ଏହି ଭୂତଗଣ ତେବେ କଣ ଆମ ନିତିଦିନିଆ ଘଟଣାରେ ବିବିଧ କଥା ପ୍ରସଙ୍ଗରେ ଆସୁଥିବା ଭୂତ ନା ଅନ୍ୟ କିଛି, ଆସନ୍ତୁ ସେ ସମ୍ବନ୍ଧରେ ଜାଣିବା ।

ବ୍ରହ୍ମାଣ୍ଡ ପୁରାଣର ବର୍ଣ୍ଣନା ଅନୁସାରେ ସୃଷ୍ଟି ସଂରଚନା ସମୟରେ, କଶ୍ୟପ ଏବଂ ଦକ୍ଷ ପ୍ରଜାପତିଙ୍କ କନ୍ୟା ତଥା ଅନ୍ୟତମା ଲୋକମାତା 'କ୍ରୋଧବଶା' ବା 'କ୍ରୋଧା'ଙ୍କର ଔରସରୁ ଦ୍ୱାଦଶ କନ୍ୟାଙ୍କର ସୃଷ୍ଟି ହୋଇଥିଲା ଯେଉଁମାନେ କି 'ପୁଲସ୍ତ୍ୟ'ଙ୍କୁ ନିଜର ପତି ରୂପେ ବରଣ କରିଥିଲେ । ଏହି ଦ୍ୱାଦଶ କନ୍ୟାଙ୍କ ମଧ୍ୟରୁ ଅନ୍ୟତମା ଥିଲେ 'ଭୂତା' ଯାହାଙ୍କର ଔରସରୁ ଏକ ଲକ୍ଷ 'ଭୂତ' ଜନ୍ମ ଲାଭ କରିଥିଲେ । ଏହି  'ଭୂତ'ମାନଙ୍କ ମଧ୍ୟରୁ କିଛି ମୋଟା, କିଛି ପତଳା, କିଛି ଲମ୍ବା ତଥା କ୍ଷୁଦ୍ରାକୃତିର ତ କିଛି ସାଧାରଣ ଆକୃତିର ଥିଲେ ; ପୁନଶ୍ଚ କିଛି ଶଙ୍କୁ ସଦୃଶ କର୍ଣ୍ଣ ଯୁକ୍ତ, କିଛି ବୃହତ କର୍ଣ୍ଣ ଯୁକ୍ତ, କିଛି ବୃହତ ଓଷ୍ଠ ଯୁକ୍ତ ତ କିଛି ଲମ୍ଵ ଜିହ୍ଵା ଯୁକ୍ତ ଥିଲେ । କିଛି ଏକ ବା ଏକାଧିକ ଦନ୍ତ-ଜିହ୍ଵା-କର୍ଣ୍ଣ-ହସ୍ତ-ପଦ-ଶିର ଯୁକ୍ତ ଥିଲେ ତ କିଛି ଦନ୍ତ-ଜିହ୍ଵା-କର୍ଣ୍ଣ-ହସ୍ତ-ପଦ-ଶିର ରହିତ ଥିଲେ । 

'ଭୂତ'ମାନଙ୍କ ମଧ୍ୟରୁ କେତେକ କ୍ଷୁଦ୍ର ଉଦର ଯୁକ୍ତ, କେତେକ ବୃହତ ଉଦର ଯୁକ୍ତ, କେତେକ ଏକ ନେତ୍ର ଯୁକ୍ତ ତ କେତେକ କୁରୂପ ଯୁକ୍ତ ଥିଲେ । କେତେକ କୃଷ୍ଣ ବର୍ଣ୍ଣର, କେତେକ ଗୌର ବର୍ଣ୍ଣର, କେତେକ ଧୂମ୍ରାଭ ବର୍ଣ୍ଣର ତ କେତେକ ସାମାନ୍ୟ ହରିତ ବର୍ଣ୍ଣର ଥିଲେ । ପୁଣି କେତେକ ଗାଢ଼ ହରିତ ବର୍ଣ୍ଣର ମଧ୍ୟ ଥିଲେ । ପୁନଶ୍ଚ କେତେକ ନୀଳ ବଦନ ଯୁକ୍ତ, କେତେକ ଲୋହିତ ବଦନ ଯୁକ୍ତ, କେତେକ ଉଗ୍ର ସ୍ଵଭାଵ ଯୁକ୍ତ ତ କେତେକ ଅତ୍ୟନ୍ତ ବିକଟ ସ୍ଵଭାଵ ଯୁକ୍ତ ଥିଲେ ; କେତେକ ସର୍ପର ଯଜ୍ଞୋପଵୀତ ଧାରଣକାରୀ, କେତେକ ଓଲଟ ମସ୍ତକ ଯୁକ୍ତ, କେତେକ ଜଟାଧାରୀ ତ କେତେକ ବକ୍ର ଶରୀର ଧାରୀ ଥିଲେ ।

ଏମାନଙ୍କ ମଧ୍ୟରୁ କିଛି ମହାନ ଯୋଗୀ ଥିଲେ, କିଛି ମହାପରାକ୍ରମୀ ଥିଲେ, କିଛି ଉତ୍ତମ ମନଯୁକ୍ତ ଥିଲେ ତ କିଛି ମହାବଳୀ ଥିଲେ ; କିଛି ଯେକୌଣସି ସ୍ଥାନକୁ ଗମନ କରିପାରିବାର ସାମର୍ଥ୍ୟ ରଖୁଥିଲେ, କିଛି କ୍ରୋଧକୁ ଜିତିବାର ସାମର୍ଥ୍ୟ ରଖୁଥିଲେ, କିଛି ବ୍ରହ୍ମଜ୍ଞାନୀ ଥିଲେ ତ କିଛି ଇଚ୍ଛା ଅନୁସାରେ ଅନେକ ରୂପ ଧାରଣ କରିପାରିବାର କ୍ଷମତା ରଖୁଥିଲେ । କିଛି ଘୋର ସ୍ଵଭାଵ ଯୁକ୍ତ ଥିଲେ, କିଛି କ୍ରୁର ସ୍ଵଭାଵ ଯୁକ୍ତ ଥିଲେ, କିଛି ପବିତ୍ର ଓ କଲ୍ୟାଣକାରୀ ଥିଲେ ତ କିଛି ସୁଧାର୍ମିକ ମଧ୍ୟ ଥିଲେ ।

ଏହି ଭୂତଗଣଙ୍କ ମଧ୍ୟରୁ କିଛି କପାଳ ଧାରଣ କରୁଥିଲେ, କିଛି ମୁଦ୍ଗର ଧାରଣ କରୁଥିଲେ, କିଛି ଧନୁଷ ଧାରଣ କରୁଥିଲେ ତ କିଛି ଖଡ୍ଗ ଓ ଶୂଳ ଧାରଣ କରୁଥିଲେ ; କିଛି ଦିଗାମ୍ବର ଥିଲେ, କିଛି ବିବିଧ ବର୍ଣ୍ଣର ବସ୍ତ୍ର ଧାରଣ କରୁଥିଲେ, କିଛି ମାଳା ଧାରଣ କରୁଥିଲେ ତ କିଛି ସୁଗନ୍ଧିତ ଲେପ ଧାରଣ କରୁଥିଲେ । ପୁନଶ୍ଚ କିଛି ଅନ୍ନ ଭକ୍ଷଣ କରୁଥିଲେ, କିଛି ମାଂସ ଭକ୍ଷଣ କରୁଥିଲେ, କିଛି ସୁରା ପାନ କରୁଥିଲେ ତ କିଛି ସୋମରସ ପାନ କରୁଥିଲେ । ଏମାନଙ୍କ ମଧ୍ୟରୁ କେତେକ ପ୍ରାତଃକାଳରେ ବିଚରଣ କରୁଥିଲେ, କେତେକ ସାୟଂକାଳରେ ବିଚରଣ କରୁଥିଲେ, କେତେକ ଦିବସରେ ବିଚରଣ କରୁଥିଲେ ତ କେତେକ ରାତ୍ରି ସମୟରେ ବିଚରଣ କରୁଥିଲେ । 

ତେବେ ଏମାନଙ୍କ ମଧ୍ୟରେ ଏତେ ସବୁ ବିବିଧତା ଓ ବୈଚିତ୍ର୍ୟ ଥିବା ସତ୍ତ୍ୱେ ଗୋଟିଏ ସମାନତା ଅବଶ୍ୟ ଥିଲା । ତାହା ହେଲା ଏମାନେ ସମସ୍ତେ ଭଗବାନ ଶିଵଙ୍କୁ ଏକମନରେ ମାନୁଥିଲେ । ତତ୍ସହିତ ଏମାନେ ସମସ୍ତେ ପତ୍ନୀ, ପୁତ୍ର ରହିତ ଉର୍ଦ୍ଧ୍ବରେତା ବ୍ରହ୍ମଚାରୀ ଥିଲେ । ମହାଦେବଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ ତଥା ତୀବ୍ର ବ୍ରହ୍ମଚର୍ଯ୍ୟ ବ୍ରତ ଅବଲମ୍ବନ କରୁଥିବା କାରଣରୁ ଏମାନେ ସମସ୍ତେ ଭଗବାନ ଶଙ୍କରଙ୍କର ଅତି ପ୍ରିୟପାତ୍ର ଥିଲେ ।ମହାଦେବଙ୍କର ପରିଷଦର ସଦସ୍ୟ ଥିବା 'ଭୂତ' ନାମରେ ନାମିତ ଏହି ଗଣଙ୍କର ସ୍ୱାମୀତ୍ୱ ପାଇଁ ସମ୍ଭବତଃ ମହାଦେବଙ୍କୁ 'ଭୂତନାଥ' ନାମରେ ସମ୍ବୋଧନ କରାଯାଉଥିଲା ।

ଜୟ କୈଳାସପତି ମହାଦେବ ! ଜୟ ଭୂତନାଥ ! ହର ହର ମହାଦେବ !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)