ଆୟୁର୍ବେଦୋକ୍ତ ଜନପଦଧ୍ୱଂସ (ମହାମାରୀ) ଓ ପ୍ରତିକାର

ପ୍ରାଚୀନ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମାନବ ସମାଜ ଅନେକ ମହାମାରୀର ଶିକାର ହୋଇଛି (ପ୍ଲେଗ, ବିବିଧ ଫ୍ଲୁ, ହଇଜା, ବସନ୍ତ, ଏଡସ ଆଦି) ଯେଉଁଥିରେ କି ଏକ ସମୟରେ ଦେଶ କିମ୍ବା ବିଶ୍ୱର ଅନେକ ଅଞ୍ଚଳର ଜନସମୁଦାୟ କୌଣସି ନିର୍ଦ୍ଦିଷ୍ଟ ରୋଗ କାରଣରୁ ମୃତ୍ୟୁ ମୁଖରେ ପଡିଛନ୍ତି । କେତେବେଳେ ବୈଜ୍ଞାନିକମାନେ ସେହି ରୋଗର ଔଷଧ ତଥା ଟୀକା ଉଦ୍ଭାବନ କରି ସଭ୍ୟତାକୁ ନବଜୀବନ ପ୍ରଦାନ କରିଛନ୍ତି ତ କେତେବେଳେ ମାନବ ସମାଜ ସଂଯମତା ତଥା ରୋଗ ନିବାରକ ଉପାୟ ମାନ ଅବଲମ୍ବନ କରି (ଯେପରିକି ଏଡସ କ୍ଷେତ୍ରରେ) ଏଥିରୁ ବର୍ତିଯାଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ପୁନଶ୍ଚ ମାନବ ସମାଜ ଆଉ ଏକ ଭୟଙ୍କର ମହାମାରୀର ସମ୍ମୁଖୀନ ହୋଇ (କରୋନା ଭୂତାଣୁ ଜନିତ) ନିଜର ଅସ୍ତିତ୍ବ ବଜାୟ ରଖିବାକୁ ସଂଘର୍ଷରତ । ଏହି ପରିପ୍ରେକ୍ଷୀରେ ଯେହେତୁ ଏ ପର୍ଯ୍ୟନ୍ତ ଏହି ମହାମାରୀର କୌଣସି ପ୍ରତିଷେଧକ କିମ୍ବା ଔଷଧିର ଆବିଷ୍କାର ହୋଇନାହିଁ, ଆସନ୍ତୁ ଜାଣିବା ଆୟୁର୍ବେଦୋକ୍ତ ଉପାୟରେ କିପରି ଆମେ ନିଜ ନିଜର ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିପାରିବା ।

ବିଶ୍ୱର ସବୁଠାରୁ ପ୍ରାଚୀନ ଚିକିତ୍ସା ଶାସ୍ତ୍ର ହେଉଛି ଆୟୁର୍ବେଦ । ଏଥିରେ ମଧ୍ୟ ମହାମାରୀର ଉଲ୍ଲେଖ ରହିଛି ଯାହାପାଇଁ 'ଜନମାର', 'ଜନପଦଧ୍ୱଂସ' ଆଦି ଶବ୍ଦର ବ୍ୟବହାର କରାଯାଇଛି । ଆସନ୍ତୁ ଏ ସମ୍ବନ୍ଧରେ ସଂକ୍ଷେପରେ ଜାଣିବା । 

ଆୟୁର୍ବେଦ ମତରେ ଜନପଦଧ୍ୱଂସର କାରଣ ଗୁଡିକ ହେଉଛି -

ବାୟୁ, ଜଳ, ଦେଶ ଓ କାଳ (ଋତୁ)ର ବିକୃତି, କୃତ୍ୟା (ଏକ ପ୍ରକାର ତାନ୍ତ୍ରିକ ପ୍ରୟୋଗ)ର ପ୍ରୟୋଗ, ଅଭିଶାପ, ରାକ୍ଷସ-ପିଶାଚାଦି (ଅଦୃଷ୍ଟ ଶକ୍ତି)ଙ୍କ କ୍ରୋଧ ତଥା ଅଧର୍ମ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱର ଅଧିକାଂଶ ମହାମାରୀ ଜୀବାଣୁ ତଥା ଭୂତାଣୁ ଜନିତ ଯାହାକୁ କି ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ । ତେଣୁ ସେମାନଙ୍କ ପାଇଁ ରାକ୍ଷସ, ପିଶାଚ ଆଦି ଶବ୍ଦର ବ୍ୟବହାର ଆୟୁର୍ବେଦ ଶାସ୍ତ୍ରରେ କରାଯାଇଛି । ପୁନଶ୍ଚ ଅନେକ ମହାମାରୀ ଜଳ (waterborne) ତଥା ବାୟୁକୁ (airborne) ଆଶ୍ରୟ କରି ବ୍ୟାପିଥାଏ ଏବଂ ଏହା ନିର୍ଦ୍ଦିଷ୍ଟ ଦେଶରେ ତଥା ଋତୁରେ ବିକୃତି କାରଣରୁ ମଧ୍ୟ ଉତ୍ପନ୍ନ ହୋଇଥାଏ । କୃତ୍ୟାର ପ୍ରୟୋଗ ତଥା ଅଭିଶାପ ଆଦିକୁ ବୈଜ୍ଞାନିକ ଭାଷାରେ ବୁଝାଇବା ସମ୍ଭବ ନୁହେଁ, ତେଣୁ ସେଗୁଡିକୁ ଏହି ଆଲୋଚନାର ପରିସରକୁ ଆଣିବା ନାହିଁ । ବାକି ରହିଲା ଅଧର୍ମ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି ଏହି କରୋନା ଭୂତାଣୁର ଉତ୍ପତ୍ତି ସମ୍ପର୍କରେ ଦୁଇଟି ମତବାଦ ରହିଛି । ଗୋଟିଏ ହେଉଛି ଚୀନ ଦେଶରେ ବାଦୁଡ଼ିକୁ ସୌଖୀନ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ୱାରା ଏହି ଭୂତାଣୁ ମନୁଷ୍ୟ ଶରୀରକୁ ଆସିଛି ଏବଂ ଅନ୍ୟଟି ହେଲା ସେହି ଚୀନ ଦେଶରେ ପରୀକ୍ଷାଗାରରେ କୃତ୍ରିମ ଉପାୟରେ ଜୈବିକ ଅସ୍ତ୍ରର ଉଦ୍ଭାବନ ଦିଗରେ ପରୀକ୍ଷା ନିରୀକ୍ଷା କରିବା କାରଣରୁ ଏହି ଭୂତାଣୁର ସୃଷ୍ଟି ହୋଇଛି । ତେବେ କାରଣ ଯାହା ହେଉନା କାହିଁକି, ଉଭୟ 'ଅଧର୍ମ' ଜନିତ । ତେଣୁ ଆୟୁର୍ବେଦ ବର୍ଣ୍ଣିତ ଜନପଦଧ୍ୱଂସର କାରଣ ଗୁଡିକର ଆଜି ମଧ୍ୟ ମାନ୍ୟତା ରହିଛି ।

ଆସନ୍ତୁ ଏବେ ଜାଣିବା ଏହି ଜନପଦଧ୍ୱଂସର ଲକ୍ଷଣ ଗୁଡିକ ସମ୍ପର୍କରେ ଯାହା ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ । ଏହି ଲକ୍ଷଣ ଗୁଡିକ ହେଲା - କାସ, ଶ୍ଵାସ, ବମନ, ପ୍ରତିଶ୍ୟାୟ (ଥଣ୍ଡା ଜନିତ ରୋଗ), ଶିରୋବେଦନା ତଥା ଜ୍ବର ଆଦି (ଯାହାକି କରୋନା ସଂକ୍ରମଣରେ ଦେଖାଯାଉଛି) । ଏତଦ୍ବ୍ୟତୀତ ରାକ୍ଷସ-ପିଶାଚାଦି (ଅଦୃଷ୍ଟ ଶକ୍ତି ବା ଜୀବାଣୁ, ଭୂତାଣୁ ଆଦି)ଙ୍କ କ୍ରୋଧ (ହଇଜା, ବସନ୍ତ ଆଦି) ତଥା ଅଧର୍ମ କାରଣରୁ ମଧ୍ୟ ଜନପଦଧ୍ୱଂସକାରୀ ଲକ୍ଷଣ ମାନ ପରିଲକ୍ଷିତ ହୁଏ ।

ଏଥର ଆସନ୍ତୁ ଏହି ଜନପଦଧ୍ୱଂସର ପ୍ରତିକାର ବିଶେଷ କରି ସାମ୍ପ୍ରତିକ କରୋନା ସଂକ୍ରମଣର ପ୍ରତିକାର ଉପରେ ଆଲୋକପାତ କରିବା । ଆମେ ସମସ୍ତେ ଅବଗତ ଯେ ଏହି କରୋନା ସଂକ୍ରମଣର କୌଣସି ଔଷଧି ବା ଟୀକା ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ । ଏବଂ ଆଉ ଏକ ସୂଚନା ମଧ୍ଯ ଅଛି ଯେ ଯେଉଁମାନେ ସାଧାରଣତଃ ସୁସ୍ଥ ତଥା ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ, ସେମାନେ ଏହି କରୋନା ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହେଲେ ମଧ୍ୟ ସେମାନେ ଏଥିରୁ ଅରୋଗ୍ୟ ଲାଭ କରିବାର ସମ୍ଭାବନା ଅଧିକ ରହିଛି । ତେଣୁ ଏହି ପରିସ୍ଥିତିରେ ସୁସ୍ଥ ରହିବାର ଉପାୟ ତଥା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାର ଉପାୟକୁ ହିଁ ଆପଣେଇବା ଶ୍ରେୟସ୍କର । ଏହା କିପରି କରିବା, ଆସନ୍ତୁ ଏବେ ଜାଣିବା ।

ଜନପଦଧ୍ୱଂସର ଚିକିତ୍ସା ନିମିତ୍ତ ରସାୟନ ଔଷଧିର ବ୍ୟବହାର ଉପରେ ଆୟୁର୍ବେଦ ଶାସ୍ତ୍ରରେ ପ୍ରାଧାନ୍ୟ ଦିଆଯାଇଛି । ରସାୟନ କହିଲେ ସେହି ଔଷଧି ବା ଦ୍ରବ୍ୟକୁ ବୁଝାଏ ଯାହା ଜରାକୁ ବିଳମ୍ବିତ କରିଥାଏ ତଥା ବ୍ୟାଧିକୁ ମଧ୍ୟ ନାଶ କରିଥାଏ । ଆୟୁଷ ମନ୍ତ୍ରଣାଳୟ ତରଫରୁ ରସାୟନ ଔଷଧି ଭାବେ ଚ୍ୟବନପ୍ରାଶକୁ ଉଭୟ କାଳରେ ୧ ଚାମଚ ପରିମାଣରେ ସେବନ କରିବାକୁ ନିର୍ଦେଶନାମା ଜାରି କରାଯାଇଛି । ଏହାକୁ ମହୁ କିମ୍ବା ଉଷ୍ଣ ଗୋଦୁଗ୍ଧ ସହିତ ସେବନ କରିବା ବିଧେୟ । ମଧୁମେହ ରୋଗୀ ବିନା ଚିନି ଯୁକ୍ତ (Sugar Free) ଚ୍ୟବନପ୍ରାଶକୁ ଉଷ୍ଣ ଜଳ ସହିତ ସେବନ କରିପାରିବେ । ଏହି ଚ୍ୟବନପ୍ରାଶ ସାଧାରଣତଃ ଶ୍ଵସନ ସଂସ୍ଥାନ ଉପରେ କାର୍ଯ୍ୟ କରିଥାଏ ଯାହାକି କରୋନା ଭୂତାଣୁ ଦ୍ୱାରା ବିଶେଷ ଭାବେ ଆକ୍ରାନ୍ତ ହୋଇଥାଏ । ଆଉ ଏକ ନିତ୍ୟ ବ୍ୟବହାର୍ଯ୍ୟ ରସାୟନ ହେଉଛି - ଗୋଦୁଗ୍ଧ, ଜଳ, ମହୁ ତଥା ଘୃତକୁ ଏକତ୍ର କିମ୍ବା ଅଲଗା ଅଲଗା ଭାବେ ପ୍ରତ୍ୟହ ସେବନ କରିବା । ଏହାର ମାତ୍ରା ଚିକିତ୍ସକଙ୍କ ପରାମର୍ଶ ଅନୁଯାୟୀ ନିର୍ଣ୍ଣୟ କରିବା ବିଧେୟ । 

ଆୟୁଷ ମନ୍ତ୍ରଣାଳୟ ଆଉ ଏକ ପାନୀୟକୁ ସାମ୍ପ୍ରତିକ ପରିସ୍ଥିତିରେ ସେବନ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି । ଏହା ହେଉଛି ଗୋଦୁଗ୍ଧ (ଏକ ରସାୟନ ଦ୍ରବ୍ୟ) ଓ ହଳଦୀର ସେବନ । ପ୍ରତ୍ୟହ ଏକ କପରୁ ସାମାନ୍ୟ କମ ପରିମାଣର ଗୋଦୁଗ୍ଧ ନେଇ, ଏହାକୁ ଫୁଟାଇ ସେଥିରେ ଅଧ ଚାମଚ ପରିମାଣର ହଳଦୀ ଗୁଣ୍ଡ ମିଶାଇ, ତାହାକୁ ଭଲ ଭାବରେ ଗୋଳାଇ, ଛାଣି ସେବନ କଲେ ତାହା ଥଣ୍ଡା ଜନିତ ରୋଗର ଏକ ପ୍ରତିଷେଧକ ଭାବରେ କାର୍ଯ୍ୟ କରିଥାଏ (ସ୍ବପରୀକ୍ଷିତ) ତଥା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହି ପାନୀୟରେ ଏକ ଚିମୁଟା ପରିମାଣର ଗୋଲମରିଚ ଗୁଣ୍ଡ ପକାଇଲେ ଏହା ଆହୁରି ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ । ଏହି ପାନୀୟକୁ ଦିନକୁ ଏକ ଥର ବା ଦୁଇ ଥର ସେବନ କରିବା ଉଚିତ ।

ଉପରୋକ୍ତ ରସାୟନ ଔଷଧି ବ୍ୟତୀତ ନିତ୍ୟ ସଦାଚାରର ପାଳନ କରିବାକୁ ମଧ୍ୟ ଏ ପରିସ୍ଥିତିରେ ଆୟୁର୍ବେଦ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯାହାକି ରସାୟନ ସଦୃଶ କାମ ଦେଇଥାଏ । ଏହାକୁ ଆଚାର ରସାୟନ କୁହାଯାଇଛି ଯାହାର ପାଳନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହି ସଦାଚାର ଗୁଡ଼ିକ ମଧ୍ୟରେ ସତ୍ୟ ଭାଷଣ, ଦୟା, ଦାନ, ଶାନ୍ତି କର୍ମ, ମିତାହାର ଗ୍ରହଣ, ଦେବ ପୂଜନ, ବ୍ରହ୍ମଚର୍ଯ୍ୟ ପାଳନ, ଧର୍ମଶାସ୍ତ୍ର ଶ୍ରବଣ, ଜିତେନ୍ଦ୍ରୀୟ ବ୍ୟକ୍ତିଙ୍କ ସେବା, ସାତ୍ତ୍ଵିକ ପ୍ରକୃତିର ମନୁଷ୍ୟଙ୍କ ସହିତ ନିବାସ ଆଦି ଅନ୍ୟତମ । ଏପରି କରିବା ଦ୍ୱାରା ଶାରୀରିକ ଶୁଚି ବଜାୟ ରହିଥାଏ ଓ ମନ ପ୍ରସନ୍ନ ତଥା ଚାପ ମୁକ୍ତ ରହିଥାଏ ଯାହାକି ପରୋକ୍ଷରେ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

ଜନପଦଧ୍ୱଂସ ପରିସ୍ଥିତିରେ ମଧ୍ୟ 'କଲ୍ୟାଣକାରକ ଜନପଦ'ରେ ନିବାସ କରିବାକୁ ଆୟୁର୍ବେଦ ଶାସ୍ତ୍ର ପରାମର୍ଶ ଦେଇଛି । ଏହା ବର୍ତ୍ତମାନର ସଂଗରୋଧ ସହିତ ତୁଳନୀୟ ।

ସାମ୍ପ୍ରତିକ ପରିସ୍ଥିତିରେ ନିଜର ସ୍ୱାସ୍ଥ୍ୟରକ୍ଷା ତଥା ସୁରକ୍ଷା ପାଇଁ ଆୟୁର୍ବେଦୋକ୍ତ ଏହିସବୁ ଉପାୟର ପାଳନ ସହିତ ସମସ୍ତ ସରକାରୀ ନିର୍ଦେଶାବଳୀ ପାଳନ କରିବା ବିଧେୟ ଯଦ୍ବାରା କି ନିଜର, ଗୋଷ୍ଠୀର ତଥା ରାଷ୍ଟ୍ରର ହିତ ସାଧିତ ହୋଇପାରିବ ।

ଜୟ ଆୟୁର୍ବେଦ ! ଜୟ ଧନ୍ବନ୍ତରି !


ସହାୟକ ଗ୍ରନ୍ଥାବଳୀ :

୧) ଚରକ ସଂହିତା

୨) ସୁଶ୍ରୁତ ସଂହିତା

୩) ଭେଳ ସଂହିତା

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)