ଏକ ତ୍ରୁଟି ବିଶ୍ଳେଷଣ
ଧର୍ମଗ୍ରନ୍ଥ ମାନଙ୍କରେ ଉଲ୍ଲେଖ ଅଛି ଯେ -
ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚୀ ଅବନ୍ତିକା ।
ପୁରୀ ଦ୍ୱାରାବତୀ ଚୈବ ସପ୍ତୈତା ମୋକ୍ଷଦାୟିକାଃ ।।
ଏହାର ଅର୍ଥ କରିବାକୁ ଯାଇ ଅନେକ ବିଦ୍ୱାନ ମଧ୍ୟ ଭ୍ରମରେ ପଡ଼ନ୍ତି । ସେମାନେ ଉକ୍ତ ଶ୍ଲୋକଟିର ଦ୍ଵିତୀୟ ଧାଡିର ପ୍ରଥମ ଶବ୍ଦଟିର (ପୁରୀ) ଅର୍ଥ ବର୍ତ୍ତମାନର ପୁରୀ ବା ଶ୍ରୀକ୍ଷେତ୍ର ବୋଲି କହନ୍ତି ଯାହାକି ତ୍ରୁଟିପୂର୍ଣ୍ଣ । ଏହା କାହିଁକି ତ୍ରୁଟିପୂର୍ଣ୍ଣ ଆସନ୍ତୁ ଜାଣିବା ।
ଶ୍ଲୋକଟି ମୋକ୍ଷ ପ୍ରଦାୟକ ସପ୍ତ ପୁରୀ ବା ସପ୍ତ ପବିତ୍ର ଧାମ ସମ୍ବନ୍ଧିତ । ଯଦି ଆମେ ଶ୍ଲୋକଟିରେ ପ୍ରଦତ୍ତ ପୁରୀ ଶବ୍ଦର ଅର୍ଥ ପୁରୀ ବା ଶ୍ରୀକ୍ଷେତ୍ର ବୋଲି ବୁଝିବା ତେବେ ଶ୍ଲୋକଟିରେ ବର୍ଣ୍ଣିତ ସମସ୍ତ ପବିତ୍ର ଧାମ ଗୁଡିକର ସଂଖ୍ୟା ଏହିପରି ହେବ -
୧) ଅଯୋଧ୍ୟା ୨) ମଥୁରା ୩) ମାୟା (ହରିଦ୍ୱାର)
୪) କାଶୀ ୫) କାଞ୍ଚୀ (କାଞ୍ଚୀପୁରମ)
୬) ଅବନ୍ତିକା (ଉଜ୍ଜୟିନୀ) ୭) ପୁରୀ (ଶ୍ରୀକ୍ଷେତ୍ର)
୮) ଦ୍ୱାରାବତୀ (ଦ୍ଵାରିକାପୁରୀ) = ମୋଟ ୮ ଟି ଧାମ
କିନ୍ତୁ ଶ୍ଲୋକଟିରେ ୭ ଟି ମୋକ୍ଷ ପ୍ରଦାୟକ ଧାମର ବର୍ଣ୍ଣନା କରାଯାଇଛି । ତେଣୁ ଆମର ବିଶ୍ଳେଷଣ ଭୁଲ । ସଠିକ ବିଶ୍ଳେଷଣ ହେଉଛି -
୭ ଟି ମୋକ୍ଷ ପ୍ରଦାୟକ ଧାମ ବା ପୁରୀ ଗୁଡିକ ହେଉଛି -
୧) ଅଯୋଧ୍ୟା ୨) ମଥୁରା ୩) ମାୟା (ହରିଦ୍ୱାର)
୪) କାଶୀ ୫) କାଞ୍ଚୀ (କାଞ୍ଚୀପୁରମ)
୬) ଅବନ୍ତିକା ପୁରୀ (ଉଜ୍ଜୟିନୀ) ୭) ଦ୍ୱାରାବତୀ (ଦ୍ଵାରିକାପୁରୀ)
ତେଣୁ ଶ୍ଲୋକଟିରେ ଉଲ୍ଲିଖିତ ଶବ୍ଦ "ପୁରୀ" ପ୍ରକୃତରେ "ଅବନ୍ତିକା ପୁରୀ" (ଉଜ୍ଜୟିନୀ)ର ଅଂଶବିଶେଷ, ଏହା ଶ୍ରୀକ୍ଷେତ୍ର ନୁହେଁ । ଆଉ ମଧ୍ୟ ପ୍ରାଚୀନ ସମୟରେ ଶ୍ରୀକ୍ଷେତ୍ର, ପୁରୀ ନାମରେ ପ୍ରସିଦ୍ଧ ନଥିଲା, ଏହା ପ୍ରସିଦ୍ଧ ଥିଲା "ପୁରୁଷୋତ୍ତମ କ୍ଷେତ୍ର" ନାମରେ ଅଥବା "ନୀଳାଚଳ" ବା "ନୀଳଗିରି" ନାମରେ ।
ବର୍ତ୍ତମାନ ଆପଣ କହିପାରନ୍ତି ଆମ ପୁରୀ ବା ଶ୍ରୀକ୍ଷେତ୍ର କଣ ମୋକ୍ଷ ପ୍ରଦାୟକ ନୁହେଁ ? କିଏ କହିଲା ଏହା ନୁହେଁ ବୋଲି ? ବିଭିନ୍ନ ଶାସ୍ତ୍ରରେ ବିଭିନ୍ନ ସ୍ଥାନରେ ଭାରତର ପବିତ୍ର ଧାମଗୁଡିକ ସମ୍ବନ୍ଧରେ ଉଲ୍ଲେଖ ରହିଛି, ସେହି ଧାମଗୁଡିକ କେବଳ ଏହି ୭ ସଂଖ୍ୟା ମଧ୍ୟରେ ସୀମିତ ନୁହେଁ । ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ସମ୍ବନ୍ଧରେ ମଧ୍ୟ ଶାସ୍ତ୍ରରେ ଉଲ୍ଲିଖିତ ଅଛି ଯେ -
ବାରାଣସ୍ୟାଂ ଜଳେ ମୁକ୍ତିଃ ଦ୍ଵାରିକାୟାଂ ଜଳେ ସ୍ଥଳେ ।
ଜଳେ ସ୍ଥଳେ ଚାନ୍ତରୀକ୍ଷେ ମୁକ୍ତିଃ ଶ୍ରୀପୁରୁଷୋତ୍ତମେ ।।
ଅର୍ଥାତ - ବାରଣାସୀର ଜଳରେ (ପବିତ୍ର ଗଙ୍ଗା ନଦୀରେ) ମୁକ୍ତି ମିଳେ, ଦ୍ଵାରିକାପୁରୀର ଉଭୟ ଜଳ ଓ ସ୍ଥଳରେ ମୁକ୍ତି ମିଳେ, ମାତ୍ର (ପବିତ୍ର) ପୁରୁଷୋତ୍ତମ କ୍ଷେତ୍ର (ଶ୍ରୀକ୍ଷେତ୍ର ବା ପୁରୀ)ର ଜଳ, ସ୍ଥଳ ଓ ଅନ୍ତରୀକ୍ଷ - ଏ ସମସ୍ତ ମୁକ୍ତି ପ୍ରଦାୟକ ।
ଜୟ ଜଗନ୍ନାଥ !
[ଶ୍ଲୋକଗୁଡିକର ଉତ୍ସ ବର୍ତ୍ତମାନ ପାଇଁ ମୋ ନିକଟରେ ଉପଲବ୍ଧ ନୁହେଁ, ଏଗୁଡିକ ଲୋକପ୍ରଚଳିତ । ଯଦି ଭବିଷ୍ୟତରେ ଏହାର ଉତ୍ସ ସମ୍ବନ୍ଧରେ ଅବଗତ ହେବି, ତେବେ ଆପଣମାନଙ୍କୁ ନିଶ୍ଚୟ ସୂଚନା ଦେବି । ଧନ୍ୟବାଦ ।]
Comments
Post a Comment