ଫଳରସ ପାନ (Juice) ବନାମ ଗୋଟା ଫଳ ସେବନ

ଋତୁ ଅନୁସାରେ ଉପଲବ୍ଧ ବିବିଧ ଫଳଗୁଡିକ ସେମାନଙ୍କର ସ୍ୱାଦ ତଥା ଲୋଭନୀୟ ରୂପ ଦ୍ୱାରା ଆମକୁ ଆକୃଷ୍ଟ କରିଥାନ୍ତି । ଏଇ ଧରନ୍ତୁ ଯେମିତିକି ଆମ୍ବ । ଆମ୍ବ କଥା ପଡୁ ପଡୁ ଆମ ପାଟିରେ ଲାଳ ଆସିଯାଏ । ସେହିପରି ଜାମୁକୋଳି, ସପୁରୀ, ଲିଚୁ ଆଦି ଅନେକ ଫଳ ରହିଛି ଯାହାର ସ୍ୱାଦ ଆମକୁ ଅନେକ ଆକୃଷ୍ଟ କରିଥାଏ । ଖାଲି ସ୍ୱାଦ ନୁହେଁ, ସ୍ୱାସ୍ଥ୍ୟରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଏମାନଙ୍କର ଯେ ମହତ୍ତ୍ୱ ରହିଛି ତାହା ସମ୍ବନ୍ଧରେ ଆମେ ସମସ୍ତେ ଅଳ୍ପ ବହୁତ ଅବଗତ । ତେବେ ଏହି ଫଳ ସେବନ କରିବା କଥା ଉଠିଲେ ଆମେ ସର୍ବପ୍ରଥମେ ଫଳରସ ବା Juice କଥା ଭାବୁ ଯାହାକି ଯନ୍ତ୍ର ପରିଚାଳିତ ଉପାୟରେ ପ୍ରସ୍ତୁତ ହୋଇଥାଏ । 

ଯେବେଠାରୁ ଯାନ୍ତ୍ରିକ ପଦ୍ଧତି ଆବିଷ୍କୃତ ହୋଇଛି ସେବେଠାରୁ ମନୁଷ୍ୟର ଜୀବନଶୈଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି । ଯନ୍ତ୍ରର ସାହାଯ୍ୟ ନେବାକୁ ଯାଇ ମନୁଷ୍ୟ ଅନେକାଂଶରେ ପୂର୍ବରୁ ନିଜେ ପରିଶ୍ରମ କରି କରିଆସୁଥିବା ସ୍ୱାଭାବିକ କର୍ମଗୁଡିକୁ ସେହି ଉପାୟରେ କରିବାକୁ କୁଣ୍ଠାବୋଧ କରିଛି । ତେଣୁ ଆଗରୁ ସେ ଯେତେବେଳେ ଫଳ ସବୁକୁ ଗୋଟା ଆକାରରେ ସେବନ କରୁଥିଲା, ବର୍ତ୍ତମାନ ସେ ସେସବୁକୁ ଯନ୍ତ୍ର ନିଷ୍ପୀଡିତ ଉପାୟରେ ବା Juice ଆକାରରେ ସେବନ କରୁଛି । ଏହି Juice ସ୍ୱାଦ ଦୃଷ୍ଟିରୁ ମଧ୍ୟ ଅନୁପମ ହୋଇଥିବାରୁ ଏହା ବଜାରରେ ସେହି ରୂପରେ ତାଜା କିମ୍ବା କୃତ୍ରିମ ସଂରକ୍ଷଣକର ଦ୍ରବ୍ୟାଦି ସହିତ ମିଶ୍ରିତ ହୋଇ ବିବିଧ ଆକର୍ଷଣୀୟ ବାୟୁରୋଧୀ ପାତ୍ରାଦିରେ ଉପଲବ୍ଧ ହେଉଛି । ତେବେ ପ୍ରଶ୍ନ ଉଠୁଛି ଯେ କେଉଁଟି ସ୍ୱାସ୍ଥ୍ୟ ପାଇଁ ହିତକର ? ଫଳରସ ସେବନ ନା ଗୋଟା ଫଳ ସେବନ ?

ପ୍ରଥମେ ଗୋଟା ଫଳ ସେବନ ବିଷୟରେ ଆଲୋଚନା କରିବା । ଆମେ ଯେତେବେଳେ ଗୋଟା ଫଳ ସେବନ କରୁ, ସେତେବେଳେ ସାଧାରଣତଃ ଆମେ ଫଳକୁ ତାହାର ତନ୍ତୁ ସହିତ ଚର୍ବଣ କରି ସେବନ କରୁ ଯେଉଁଥିରେ କି ଅନେକ ପୁଷ୍ଟିକର ତତ୍ତ୍ୱ ରହିଥାଏ । ଏବଂ ଏହି ତନ୍ତୁଯୁକ୍ତ ଫଳକୁ ଚୋବାଇବା ଦ୍ୱାରା ତାହା ଛୋଟ ଛୋଟ ଖଣ୍ଡ ହୋଇ ଆମର ମୁଖରୁ ନିଃସୃତ ଲାଳ ସହିତ ମିଶି ହଜମ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଫଳର ତନ୍ତୁଯୁକ୍ତ ଅଂଶ ଗୁଡିକ ଧୀରେ ଧୀରେ ପାଚନ ହେଉଥିବାରୁ ଏହାଦ୍ୱାରା ଆମର ରକ୍ତଶର୍କରାର ପରିମାଣ ହଠାତ ନବଢି ନିୟନ୍ତ୍ରଣରେ ରୁହେ । ଆମେ ଅଲ୍ପ କେତୋଟି ଫଳ ଖାଇଲେ ମଧ୍ୟ ତୃପ୍ତ ହୋଇଥାଉ ।

କିନ୍ତୁ ଆମେ ଯେତେବେଳେ ଫଳରସ ସେବନ କରୁ, ସେତେବେଳେ ଆମେ କେବଳ ତନ୍ତୁବିହୀନ ରସକୁ ହିଁ ସେବନ କରୁ ଯାହାକି ଅନେକ ଗୁଡିଏ ଫଳର ନିଷ୍ପୀଡ଼ନରୁ ମିଳିଥାଏ, ତେଣୁ ସ୍ଵଭାବତଃ ଉଚ୍ଚ ଶର୍କରା ଯୁକ୍ତ ହୋଇଥାଏ । ତେଣୁ ଏହାକୁ ପାନ କରିବା ଦ୍ୱାରା ଆମର ରକ୍ତରେ ଶର୍କରାର ପରିମାଣ ହଠାତ ବୃଦ୍ଧି ପାଇଥାଏ । ଆଉ ମଧ୍ୟ ଏହି ଫଳରସକୁ ଆମେ ଅନେକ ସମୟରେ ଅନିୟନ୍ତ୍ରିତ ମାତ୍ରାରେ ତୃପ୍ତି ପର୍ଯ୍ୟନ୍ତ ସେବନ କରିଥାଉ ଯାହାକୁକି ନିୟମିତ ଭାବରେ ଗ୍ରହଣ କଲେ ଆମର ଓଜନ ବୃଦ୍ଧି ପାଇଥାଏ ତଥା ରକ୍ତରେ ଶର୍କରାର ପରିମାଣ ମଧ୍ୟ ବୃଦ୍ଧି ପାଇଥାଏ ।

ଆୟୁର୍ବେଦ ଶାସ୍ତ୍ରରେ ଏ ପ୍ରସଙ୍ଗରେ କୁହାଯାଇଛି ଯେ -

"ଯନ୍ତ୍ର ନିଷ୍ପୀଡିତ ଆଖୁ ରସର ସେବନ କରିବା ଦ୍ୱାରା ଏହା ପାଚନରେ ଗୁରୁ ଏବଂ ବିଦାହ କାରକ ହୋଇଥାଏ ତଥା କୋଷ୍ଠକାଠିନ୍ୟତା ସୃଷ୍ଟି କରିଥାଏ । ଅପରପକ୍ଷରେ ଦନ୍ତ ଦ୍ୱାରା ଚର୍ବଣ କରି ଆଖୁ ଖାଇଲେ ତାହା ଶରୀରରେ ଦାହ ଉତ୍ପନ୍ନ କରି ନଥାଏ, ବାତ ଓ ପିତ୍ତକୁ ନାଶ କରିଥାଏ ଏବଂ କଫର ବୃଦ୍ଧି କରିଥାଏ । ଏହା ମୁଖତୃପ୍ତିକର ତଥା ବୃଷ୍ୟ ହୋଇଥାଏ ।"  

ତେଣୁ ଏସବୁକୁ ବିଚାର କଲେ ଆମେ ଏହି ନିଷ୍କର୍ଷରେ ପହଞ୍ଚିବା ଯେ ଫଳରସର ସେବନ ଅପେକ୍ଷା ଗୋଟା ଫଳର ସେବନ ଅଧିକ ହିତକର । ଯଦି ଗୋଟା ଫଳର ସେବନ କରିବା ଆମ ପାଇଁ କୌଣସି କାରଣରୁ କଷ୍ଟସାଧ୍ୟ ହୁଏ, ତେବେ ଫଳରସ ବଦଳରେ ଆମର ପାରମ୍ପରିକ ପଣା ଆଦି ସେବନ କରାଯାଇପାରେ ଯାହାକି ଫଳରସ ଅପେକ୍ଷା ଅଧିକ ହିତକର ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)