କାମ ଗୀତା

ସାଧାରଣତଃ 'ଗୀତା' କହିଲେ ଆମେ ଶ୍ରୀମଦ୍ଭଗବଦ୍ଗୀତାକୁ ହିଁ ବୁଝିଥାଉ ଯେଉଁଥିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବିବିଧ ତତ୍ତ୍ୱଜ୍ଞାନ ତଥା ଉପଦେଶମାନ ପ୍ରଦାନ କରିଛନ୍ତି । ତେବେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆମ ଭାରତୀୟ ସଂସ୍କୃତିରେ ୬୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାରର 'ଗୀତା' ମାନ ଉପଲବ୍ଧ ଯାହା ଆମ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସହିତ ସେଥିରେ ବିବିଧତା ମଧ୍ୟ ଆଣିଦେଇଛି । (ଏହି ସବୁ 'ଗୀତା' ସମ୍ବନ୍ଧୀୟ ସୂଚନାର ଲିଙ୍କ୍ ଏହି ଆଲେଖ୍ୟଟିର ଅନ୍ତଃ ଭାଗରେ ପ୍ରଦତ୍ତ ।)

'ଗୀତା' କହିଲେ କେତେକ ଶ୍ଲୋକ ବା ପଦର ସମାହାରକୁ ବୁଝାଏ ଯାହାକି ଗୀତ ଆକାରରେ ରଚିତ ହୋଇଥାଏ ତଥା ଆବୃତ୍ତି ଏବଂ କଣ୍ଠସ୍ଥ କରିବାରେ ସୁଲଭ ହୋଇଥାଏ । ତତ୍ସହିତ ଏଥିରେ ବର୍ଣ୍ଣିତ ତତ୍ତ୍ୱ ବା ଉପଦେଶ ମାନ ଆମର ହୃଦୟକୁ ମଧ୍ୟ ଛୁଇଁଥାଏ । ଏହିସବୁ 'ଗୀତା' ଗୁଡ଼ିକରେ ସାଧାରଣତଃ ଜଣେ ଜିଜ୍ଞାସୁ ପ୍ରଶ୍ନ କରିଥାନ୍ତି ଏବଂ ଜଣେ ତତ୍ତ୍ୱଦର୍ଶୀ ଜ୍ଞାନୀ ସେଗୁଡ଼ିକର ଉତ୍ତର ରଖିଥାନ୍ତି; ଅଥବା ଜଣେ ତତ୍ତ୍ୱଦର୍ଶୀ ଜ୍ଞାନୀ ବା ବ୍ରହ୍ମଜ୍ଞାନୀ ଉପଦେଶ ମାଧ୍ୟମରେ ଅତି ସରଳ ଭାଷାରେ ଶାସ୍ତ୍ରର ନିଗୁଢ଼ ତତ୍ତ୍ୱକୁ ଉପସ୍ଥାପନ କରିଥାନ୍ତି ।

ଏହିପରି ଏକ ସ୍ୱଳ୍ପପରିଚିତ 'ଗୀତା' ହେଉଛି 'କାମ ଗୀତା' ଯାହାକି ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ମହାରାଜ ଯୁଧିଷ୍ଠିରଙ୍କୁ କୁହାଯାଇଛି । ଏଥିରେ 'ନିର୍ମମତା' ଓ 'ଯୋଗାଭ୍ୟାସ' ବିନା 'କାମ' କିପରି ଦୁର୍ଜେୟ, ସେ ସମ୍ବନ୍ଧରେ ମାତ୍ର ୬ ଗୋଟି ଶ୍ଳୋକ ମାଧ୍ୟମରେ ବର୍ଣ୍ଣନା କରାଯାଇଛି ।

ଏ ପରିପ୍ରେକ୍ଷୀରେ ମହାଭାରତର ଆଶ୍ୱମେଧିକ ପର୍ବ (ତ୍ରୟୋଦଶ ଅଧ୍ୟାୟ)ରେ ଭଗବାନ ଶ୍ରୀକୃଷ୍ଣ ମହାରାଜ ଯୁଧିଷ୍ଠିରଙ୍କୁ କହୁଛନ୍ତି -

ହେ ମହାରାଜ ! ପ୍ରାଚୀନ ତତ୍ତ୍ୱକୁ ଜାଣିଥିବା ପଣ୍ଡିତଗଣ ଏକ ପୁରାତନ ଗାଥାର ବର୍ଣ୍ଣନା କରିଥାନ୍ତି ଯାହା 'କାମ ଗୀତା' ନାମରେ ପ୍ରସିଦ୍ଧ । ମୁଁ ଆପଣଙ୍କ ସମୀପରେ ସେହି ଗାଥାର ବର୍ଣ୍ଣନା କରୁଅଛି, ଶୁଣନ୍ତୁ ।

'କାମ' କୁହେ -

ନାହଂ ଶକ୍ୟୋଽନୁପାୟେନ ହନ୍ତୁଂ ଭୂତେନ କେନଚିତ୍ ।
ୟୋ ମାଂ ପ୍ରୟତତେ ହନ୍ତୁଂ ଜ୍ଞାତ୍ଵା ପ୍ରହରଣେ ବଳମ୍ ।
ତସ୍ୟ ତସ୍ମିନ୍ପ୍ରହରଣେ ପୁନଃ ପ୍ରାଦୁର୍ଭବାମ୍ୟହମ୍ ।। ୧୨ ।।

[ନିର୍ମମତା ଓ ଯୋଗାଭ୍ୟାସରୂପୀ ଉପାୟ ଅତିରିକ୍ତ କୌଣସି ପ୍ରାଣୀ ମୋର ନାଶ କରିବାରେ ସମର୍ଥ ହୁଏନାହିଁ । ଯେଉଁ ମନୁଷ୍ୟ ନିଜଠାରେ ଥିବା ଅସ୍ତ୍ରବଳର ଶ୍ରେଷ୍ଠତ୍ଵକୁ ହୃଦୟଙ୍ଗମ କରି ମୋତେ ନଷ୍ଟ କରିବାର ପ୍ରଯତ୍ନ କରିଥାଏ, ତାହାଠାରେ ସେହି ଅସ୍ତ୍ରବଳର ଅହଙ୍କାର ରୂପେ ମୁଁ ପୁନଃ ପ୍ରକଟିତ ହୋଇଥାଏ ।]

ୟୋ ମାଂ ପ୍ରୟତତେ ହନ୍ତୁଂ ଯଜ୍ଞୈର୍ବିବିଧଦକ୍ଷିଣୈଃ ।
ଜଙ୍ଗମେଷ୍ବିବ କର୍ମାତ୍ମା ପୁନଃ ପ୍ରାଦୁର୍ଭବାମ୍ୟହମ୍ ।। ୧୩ ।।

[ଯେଉଁ ପୁରୁଷ ବିବିଧ ଦକ୍ଷିଣାଯୁକ୍ତ ଯଜ୍ଞର ସହାୟତାରେ ମୋତେ ମାରିବା ନିମିତ୍ତ ପ୍ରଯତ୍ନ କରିଥାଏ, ଉତ୍ତମ ଜଙ୍ଗମ ଯୋନୀରେ ଉତ୍ପନ୍ନ ହୋଇଥିବା କର୍ମାତ୍ମା ମନୁଷ୍ୟ ସଦୃଶ ମୁଁ ତାହାର ଚିତ୍ତରେ ଦମ୍ଭାଦି ରୂପରେ ପୁନଃ ପ୍ରକଟିତ ହୋଇଥାଏ ।]

ୟୋ ମାଂ ପ୍ରୟତତେ ହନ୍ତୁଂ ବେଦୈର୍ବେଦାନ୍ତସାଧନୈଃ ।
ସ୍ଥାବରେଷ୍ବିବ ଶାନ୍ତାତ୍ମା ତସ୍ୟ ପ୍ରାଦୁର୍ଭବାମ୍ୟହମ୍ ।। ୧୪ ।।

[ଯେଉଁ ପୁରୁଷ ବେଦ ଓ ବେଦାଙ୍ଗର ସ୍ୱାଧ୍ୟାୟ-ସାଧନ ଦ୍ୱାରା ମୋତେ ବିନଷ୍ଟ କରିବା ନିମିତ୍ତ ଯତ୍ନବାନ ହୋଇଥାଏ, ସ୍ଥାବର ଯୋନୀରେ ଅନଭିବ୍ୟକ୍ତ ରୂପରେ ଥିବା ଶାନ୍ତାତ୍ମାଙ୍କ ସଦୃଶ ମୁଁ ତାହାର ଚିତ୍ତରେ ପ୍ରକଟିତ ହୋଇଥାଏ ।]

ୟୋ ମାଂ ପ୍ରୟତତେ ହନ୍ତୁଂ ଧୃତ୍ୟା ସତ୍ୟପରାକ୍ରମଃ ।
ଭାବୋ ଭବାମି ତସ୍ୟାହଂ ସ ଚ ମାଂ ନାବବୁଧ୍ୟତେ ।। ୧୫ ।।

[ଯେଉଁ ସତ୍ୟପରାକ୍ରମୀ ମନୁଷ୍ୟ ଧୈର୍ଯ୍ୟର ସହାୟତାରେ ମୋତେ ନଷ୍ଟ କରିବା ନିମିତ୍ତ ଯତ୍ନବାନ ହୋଇଥାଏ, ମୁଁ ତାହାର ମାନସିକ ଭାବମାନଙ୍କ ସହିତ ଏତେମାତ୍ରାରେ ଏକରୂପ ହୋଇଯାଇଥାଏ କି ଏହିକାରଣରୁ ସେ ମୋତେ ଜାଣିପାରିନଥାଏ ।]

ୟୋ ମାଂ ପ୍ରୟତତେ ହନ୍ତୁଂ ତପସା ସଂଶିତବ୍ରତଃ ।
ତତସ୍ତପସି ତସ୍ୟାଥ ପୁନଃ ପ୍ରାଦୁର୍ଭବାମ୍ୟହମ୍ ।। ୧୬ ।।

[ଯେଉଁ କଠୋର ବ୍ରତର ପାଳନକାରୀ ମନୁଷ୍ୟ ତପସ୍ୟା ସହାୟତାରେ ମୋତେ ନଷ୍ଟ କରିବା ନିମିତ୍ତ ଯତ୍ନବାନ ହୋଇଥାଏ, ମୁଁ ତାହାର ଚିତ୍ତରେ ତପ ରୂପରେ ଉତ୍ପନ୍ନ ହୋଇଥାଏ ଯାହାକାରଣରୁ ସେ ମୋତେ ଜାଣିପାରେନାହିଁ ।]

ୟୋ ମାଂ ପ୍ରୟତତେ ହନ୍ତୁଂ ମୋକ୍ଷମାସ୍ଥାୟ ପଣ୍ଡିତଃ ।
ତସ୍ୟ ମୋକ୍ଷରତିସ୍ଥସ୍ୟ ନୃତ୍ୟାମି ଚ ହସାମି ଚ ।
ଅବଧ୍ୟଃ ସର୍ବଭୁତାନାମହମେକଃ ସନାତନଃ ।। ୧୭ ।।

[ଯେଉଁ ପଣ୍ଡିତ ପୁରୁଷ ନିତ୍ୟମୁକ୍ତ ଆତ୍ମାକୁ ନଜାଣି ମୋକ୍ଷ ପ୍ରାପ୍ତି ନିମିତ୍ତ ମୋକ୍ଷ ମାର୍ଗର ଅବଲମ୍ବନ କରି ମୋତେ ନଷ୍ଟ କରିବା ନିମିତ୍ତ ଯତ୍ନବାନ ହୋଇଥାଏ, ମୁଁ, ଯେକି ସମସ୍ତ ପ୍ରାଣୀଙ୍କ ଦ୍ୱାରା ଅବଧ୍ୟ, ସନାତନ ଓ ଅଦ୍ୱିତୀୟ, ସେହି ମୋକ୍ଷରତିସ୍ଥ ମୂର୍ଖ ପୁରୁଷର ଉପହାସ କରି ତାହା ନିକଟରେ ଖୁସିରେ ନୃତ୍ୟ କରିଥାଏ ।]

ଅତଏବ ଉପରୋକ୍ତ ବର୍ଣ୍ଣନା ଅନୁଯାୟୀ ଏହା ସୁସ୍ପଷ୍ଟ ଯେ ସାଧାରଣ ମନୁଷ୍ୟ ପକ୍ଷେ 'କାମ'କୁ ଜୟ କରିବା ଅତ୍ୟନ୍ତ ଦୁରୁହ ବ୍ୟାପାର । ଏପରିକି ନାରଦ, ବିଶ୍ଵାମିତ୍ର ଆଦି ଋଷିଙ୍କ ପକ୍ଷରେ ମଧ୍ୟ ଏହାକୁ ଜୟ କରିବା ସୁଲଭ ହୋଇନଥିଲା । ତେବେ ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଏହି 'କାମ'କୁ ଜୟ କରି ନାହିଁ, ସେପର୍ଯ୍ୟନ୍ତ ସେ ନିଜର ଅନ୍ତିମ ପୁରୁଷାର୍ଥ 'ମୋକ୍ଷ' ମାର୍ଗରେ ଅଗ୍ରସର ହୋଇପାରିବ ନାହିଁ ।

କେବଳ 'ନିର୍ମମତା' ଓ 'ଯୋଗାଭ୍ୟାସ' ଦ୍ୱାରା ଏବଂ ନିଜର ଗୁରୁ ତଥା ଇଷ୍ଟଙ୍କ କୃପାରୁ ହିଁ ଏହି 'କାମ'କୁ ଜୟ କରାଯାଇପାରେ । ଏହି କଥା ଯେତେ ଶୀଘ୍ର ଆମେ ହୃଦୟଙ୍ଗମ କରିପାରିବା ସେତେ ଶୀଘ୍ର ମୋକ୍ଷ ମାର୍ଗରେ ଆମେ ଅଗ୍ରସର ହୋଇପାରିବା । ନଚେତ ଆମେ କେବଳ ଆମର ମିଥ୍ୟା ଅହଂକାରକୁ ପୂର୍ତ୍ତି କରିବାକୁ ଯାଇ 'କାମ'କୁ ଜୟ କରିବାର ବୃଥା ଚେଷ୍ଟା ହିଁ କରିଚାଲୁଥିବା ।

ହରି ଓଁ
'ମୋକ୍ଷମୂଳଂ ଗୁରୋଃକୃପା'

ବିବିଧ ଗୀତା ସମ୍ବନ୍ଧୀୟ ସୂଚନା -
http://speakingmuni.blogspot.com/2015/06/many-kinds-of-gitas-birds-eye-view.html?m=1

[ସଂଲଗ୍ନ ଚିତ୍ରର କଥାବସ୍ତୁ : ଭଗବାନ ଶିବଙ୍କର କାମ ଦହନ । ରାଜା ରବି ବର୍ମାକୃତ ତୈଳଚିତ୍ର ।]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)