ଶିଵ-ବିଷ୍ଣୁ ଅଭେଦତା


ଯଦି ଧ୍ୟାନ ମନ୍ତ୍ର ରୂପେ ବିଷ୍ଣୁଙ୍କ ଉଦ୍ଦେଶ୍ଯରେ ଉଚ୍ଚାରଣ କରାଯାଏ -

ଶାନ୍ତାକାରଂ ଭୁଜଗଶୟନଂ ପଦ୍ମନାଭଂ ସୁରେଶମ୍
ବିଶ୍ବାଧାରଂ ଗଗନସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗମ୍ ।
ଲକ୍ଷ୍ମୀକାନ୍ତଂ କମଳନୟନଂ ଯୋଗିଭିର୍ଧ୍ୟାନଗମ୍ୟମ୍
ବନ୍ଦେ ବିଷ୍ଣୁଂ ଭଵଭୟହରଂ ସର୍ବଲୋକୈକନାଥମ୍ ।।

ତେବେ ଧ୍ୟାନ ମନ୍ତ୍ର ରୂପେ ଶିବଙ୍କ ଉଦ୍ଦେଶ୍ଯରେ ମଧ୍ୟ ତଦନୁରୂପ ଉଚ୍ଚାରଣ କରାଯାଏ -

ଶାନ୍ତାକାରଂ ଶିଖରଶୟନଂ ସର୍ପହାରଂ ମହେଶମ୍
ବିଶ୍ବାଧାରଂ ସ୍ଫଟିକସଦୃଶଂ ଶୁଭ୍ରବର୍ଣ୍ଣଂ ଶୁଭାଙ୍ଗମ୍ ।
ଗୌରୀକାନ୍ତଂ ତ୍ରିତୟନୟନଂ ଯୋଗିଭିର୍ଧ୍ୟାନଗମ୍ୟମ୍
ବନ୍ଦେ ଶମ୍ଭୁଂ ଭଵଭୟହରଂ ସର୍ବଲୋକୈକନାଥମ୍ ।।

ଯଦି ସ୍ନାନ ମନ୍ତ୍ର ରୂପେ ଵିଷ୍ଣୁଙ୍କୁ ସ୍ମରଣ କରି ଉଚ୍ଚାରଣ କରାଯାଏ -

ଓଁ ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥାଂ ଗତୋଽପି ବା ।
ୟଃ ସ୍ମରେତ୍ପୁଣ୍ଡରୀକାକ୍ଷଂ ସଃ ବାହ୍ୟାଭ୍ୟନ୍ତରଃ ଶୁଚିଃ ।।

ତେବେ ସ୍ନାନ ମନ୍ତ୍ର ରୂପେ ଶିବଙ୍କୁ ମଧ୍ୟ ସ୍ମରଣ କରି ତଦନୁରୂପ ଉଚ୍ଚାରଣ କରାଯାଏ -

ଓଁ ଅପବିତ୍ରଃ ପବିତ୍ରୋ ବା ସର୍ବାବସ୍ଥାଂ ଗତୋଽପି ବା ।
ୟଃ ସ୍ମରେତ୍ଦେବମୀଶାନଂ ସଃ ବାହ୍ୟାଭ୍ୟନ୍ତରଃ ଶୁଚିଃ ।।

ତେବେ ଆମେ ବିଷ୍ଣୁଙ୍କର ଉପାସନା କରୁ କି ଶିବଙ୍କର, ପ୍ରଥମେ ଆମକୁ ଦୃଢ଼ନିଶ୍ଚୟ କରିବାକୁ ହେବ ଯେ ଆମେ ଯେପରି ଆମ ଇଷ୍ଟଙ୍କ ଉପାସନା କରିବା ସମୟରେ ଅନ୍ୟ ମାର୍ଗୀୟ ଇଷ୍ଟଙ୍କର ଅବମାନନା ନକରୁ କି ତାଙ୍କୁ ନ୍ୟୁନ ଦୃଷ୍ଟିରେ ନଦେଖୁ ।

ପ୍ରାଚୀନ ସମୟରେ କେବଳ ନିଜ ଇଷ୍ଟଙ୍କୁ ଶ୍ରେଷ୍ଠ ବୋଲି ପ୍ରତିପାଦନ କରିବାକୁ ଶୈବ ଓ ବୈଷ୍ଣବମାନଙ୍କ ମଧ୍ୟରେ ଅନେକ ସଂଘର୍ଷ ଘଟିଥିଲା । ଏପରିକି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ବ୍ୟାଘ୍ର ଆକ୍ରମଣ କଲେ ସୁଦ୍ଧା ସେମାନେ ଯେପରି ଅନ୍ୟ ମାର୍ଗୀୟ ଇଷ୍ଟଙ୍କର ମନ୍ଦିରରେ ଆଶ୍ରୟ ନ ନିଅନ୍ତି ।
[ବ୍ୟାଘ୍ରେଣ ତାଡ୍ୟମାନେଽପି ନ ଗଚ୍ଛେତ୍ ଵିଷ୍ଣୁ ମନ୍ଦିରମ୍ ।]

ଆଜିର ସମୟରେ ମଧ୍ୟ 'ଇସ୍କନ' ନାମକ ଏକ ଆନ୍ତର୍ଜାତୀୟ ବୈଷ୍ଣବ ସମ୍ପ୍ରଦାୟ ବିଷ୍ଣୁ ବା କୃଷ୍ଣଙ୍କୁ ସର୍ବୋଚ୍ଚ ଦେବତା ରୂପେ ଗ୍ରହଣ କରିଥିବା ସ୍ଥଳେ ଶିବଙ୍କୁ 'ଡେମି ଗଡ଼' ବା 'ଉପ ଦେବତା' ରୂପେ ଚିତ୍ରିତ କରେ ।

ତେବେ ଶାସ୍ତ୍ରମାନଙ୍କରେ ଏ ସମ୍ବନ୍ଧରେ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ବିବିଧ ପୁରାଣ ତଥା ଆଧ୍ୟାତ୍ମିକ ଗ୍ରନ୍ଥମାନଙ୍କରେ ଶିଵ-ବିଷ୍ଣୁଙ୍କର ଅଭେଦତା ତତ୍ତ୍ୱ ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି । ଯେପରିକି -

'ଶିଵ ପୁରାଣ' ଅନୁସାରେ - "ବିଷ୍ଣୁ ଶିବଙ୍କର ହୃଦୟରେ ବାସ କରନ୍ତି ଏବଂ ଶିଵ ବିଷ୍ଣୁଙ୍କର ହୃଦୟରେ । ଏଣୁ ଏହି ତତ୍ତ୍ୱକୁ ବୁଝି ଯେଉଁ ବ୍ୟକ୍ତି ଉଭୟଙ୍କ ମଧ୍ୟରେ ଭେଦ ଦର୍ଶନ କରେନାହିଁ, ସେ ଶିବଙ୍କର ଅତି ପ୍ରିୟ ହୋଇଥାଏ । ଅନ୍ୟ ପକ୍ଷରେ ଯିଏ ଉଭୟଙ୍କ ମଧ୍ୟରେ ଭେଦ ଦୃଷ୍ଟି ଆଣିଥାଏ, ସେ ନର୍କ ଗମନ କରେ ।"

'ପଦ୍ମ ପୁରାଣ' ଅନୁସାରେ ଶିଵ ବିଷ୍ଣୁଙ୍କୁ କହିଛନ୍ତି - "ହେ ନାରାୟଣ ! ମୋ ପାଇଁ ଆପଣଙ୍କ ଠାରୁ ପ୍ରିୟ ଆଉ କେହି ଥାଇପାରେ କି ? ଅନ୍ୟ କାହା କଥା କହିବି, ଏପରିକି ସ୍ୱୟଂ ଦେବୀ ପାର୍ବତୀ ମଧ୍ୟ ମୋ ନିମନ୍ତେ ଆପଣଙ୍କ ସଦୃଶ ପ୍ରିୟ ନୁହଁନ୍ତି !"

'ନାରଦ ପଞ୍ଚରାତ୍ର' ଅନୁସାରେ - "ହରି ଏବଂ ହରଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ । ହରଙ୍କୁ ଯେ ଶତ୍ରୁ ରୂପେ ଦେଖେ ସେ ନିତ୍ୟ ହରି ଉପାସନା କଲେ ମଧ୍ୟ ଅନ୍ତତଃ ହରିଙ୍କର ହିଁ ଶତ୍ରୁ ହୋଇଥାଏ ।"

'ଶ୍ରୀହରି ଭକ୍ତି ବିଳାସ' ଅନୁସାରେ - "ଶିଵ ଏବଂ ବିଷ୍ଣୁଙ୍କର ନାମ ତଥା ଗୁଣରେ ଭେଦ ଦର୍ଶନ କରିବା ହେଉଛି ହରି ନାମ ଅପରାଧ ।"

'ସ୍କନ୍ଦ ପୁରାଣ' ଅନୁସାରେ - "ବିଷ୍ଣୁ ସେହି ବ୍ୟକ୍ତିଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଯେ ଶିଵ ଉପାସନା କରିଥାନ୍ତି । ପ୍ରଥମେ ଶିବଙ୍କୁ ପୂଜା ନକରି ବିଷ୍ଣୁଙ୍କୁ ପୂଜା କଲେ ବିଷ୍ଣୁ ସେହି ପୂଜା ଗ୍ରହଣ କରନ୍ତି ନାହିଁ । ତେଣୁ ବିଷ୍ଣୁଙ୍କର ଉପସନାରେ ପୂର୍ଣ୍ଣତା ନିମିତ୍ତ ପ୍ରଥମେ ଶିଵ ଉପସନା କରିବା ନିତାନ୍ତ ଆବଶ୍ୟକ ।"

'ବରାହ ପୁରାଣ' ଅନୁସାରେ - "ମା ଲକ୍ଷ୍ମୀ ପାର୍ବତୀଙ୍କ ସଦୃଶ ଏବଂ ହରି ଶିବଙ୍କ ସଦୃଶ । ଏହା ଶାସ୍ତ୍ର ଏବଂ ପୁରାଣସମ୍ମତ । ଏଣୁ ଏହି ମତ ସହିତ ଭିନ୍ନତା ରଖୁଥିବା କୌଣସି ଶାସ୍ତ୍ର ଅଥବା କାବ୍ୟ ଗ୍ରହଣଯୋଗ୍ୟ ନୁହେଁ । ତତ୍ସହିତ ଏହି ମତ ସହିତ ଭିନ୍ନତା ରଖୁଥିବା ଯେକୋୖଣସି ବ୍ୟକ୍ତି ମଧ୍ୟ ଅଧମ ତଥା ନାସ୍ତିକ ରୂପେ ପରିଗଣିତ ହେବାକୁ ଯୋଗ୍ୟ ।"

ଏହିପରି ଭାବରେ ବାୟୁ ପୁରାଣ, ବ୍ରହ୍ମ ଵୈବର୍ତ ପୁରାଣ, ରାମ ଚରିତ ମାନସ ଆଦି ଗ୍ରନ୍ଥରେ ମଧ୍ୟ ଶିଵ-ବିଷ୍ଣୁ ଅଭେଦତା ତତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।

ପୁନଶ୍ଚ ଶାସ୍ତ୍ରଜ୍ଞ ସାଧୁସନ୍ଥ ଓ ବିଜ୍ଞଜନଙ୍କ ମତରେ ମଧ୍ୟ ବୈଷ୍ଣବମାନେ ଲଲାଟରେ ଧାରଣ କରୁଥିବା ଉର୍ଦ୍ଧ୍ବପୁଣ୍ଡ୍ର ଟୀକା ଶିବଙ୍କର ତ୍ରିଶୂଳର ପ୍ରତୀକ ଓ ଶୈବମାନେ ଲଲାଟରେ ଧାରଣ କରୁଥିବା ତ୍ରିପୁଣ୍ଡ୍ର ଟୀକା ବିଷ୍ଣୁଙ୍କର ଶେଷନାଗ (ଅନନ୍ତ ଶୟନ)ର ପ୍ରତୀକ ।

ତେଣୁ ଏହି ଶିଵ-ବିଷ୍ଣୁ ଅଭେଦତା ତତ୍ତ୍ୱକୁ ଭଲ ଭାବରେ ହୃଦୟଙ୍ଗମ କରି ଇଷ୍ଟ ଉପାସନା କଲେ ସାଧକ ପକ୍ଷରେ ସାଧନାରେ ଅଗ୍ରଗତି କରିବାର ମାର୍ଗ ପ୍ରଶସ୍ତ ହୋଇଥାଏ ।

ଶିବାୟ ବିଷ୍ଣୁରୂପାୟ ଶିବରୂପାୟ ବିଷ୍ଣବେ ।
ଶିବସ୍ୟ ହୃଦୟଂ ବିଷ୍ଣୁଃ ବିଷ୍ଣୋଶ୍ଚ ହୃଦୟଂ ଶିବଃ ।।

ହରିହରାୟ ନମୋ ନମଃ !

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)