ମାଂସାହାର ପ୍ରବୃତ୍ତି ଓ ସମ୍ଭାବିତ କାରଣ


ନିକଟରେ ଛାଡଖାଇ ଅତିକ୍ରାନ୍ତ ହୋଇଯାଇଛି । ଅନେକ ବ୍ୟକ୍ତିବିଶେଷ ଏହି ଦିନଟିରେ ମାଂସାହାର ସେବନ ନିଶ୍ଚୟ କରିଥିବେ । ପବିତ୍ର କାର୍ତ୍ତିକ ମାସ ସାରା ହବିଷ ପାଳନ କରି କରି ସର୍ବଶେଷରେ ଜିହ୍ଵା ଲାଳସା କାରଣରୁ ହେଉ ଅଥବା ଅନ୍ୟ କିଛି, ଆମେ ସମସ୍ତେ ମାଂସାହାର ସେବନରେ ଏପରି ଅଭ୍ୟସ୍ତ ଯେ ଏଥିରୁ ନିସ୍ତାର ପାଇବାର ବାଟ ଆମକୁ ସହଜେ ଦେଖାଯାଉନାହିଁ । ତେବେ କଣ ପାଇଁ ଏହି ମାଂସାହାର ଆମକୁ ଏତେ ପ୍ରିୟ ? ସ୍ୱାଦ ଦୃଷ୍ଟିରୁ ନା ଅନ୍ୟ କିଛି କାରଣ ଅଛି, ଆସନ୍ତୁ ଅନୁଶୀଳନ କରିବା ।

ସାଧାରଣତଃ ବିଶ୍ବାସ କରାଯାଏ ଯେ ମାଂସାହାର ଏହାର ସ୍ୱାଦ ନିମିତ୍ତ ଆମକୁ ଏତେ ପ୍ରିୟ । କିନ୍ତୁ ଭାବି ଦେଖନ୍ତୁ ତ, ଆପଣ ଯେତେବେଳେ ମାଛ ଅଥବା ମାଂସ କ୍ରୟ କରିବା ନିମିତ୍ତ ବଜାରକୁ ଯାଆନ୍ତି ସେଠି ଆପଣଙ୍କୁ ସୁଗନ୍ଧ ଅନୁଭବ ହୁଏ ନା ଦୁର୍ଗନ୍ଧ ? ପ୍ରକୃତରେ ସେଠି ଏତେ ଦୁର୍ଗନ୍ଧ ଅନୁଭବ ହୁଏ ଯେ ଆପଣ ସେଠାରୁ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପରେ ହିଁ ଟିକିଏ ଶାନ୍ତିରେ ନିଶ୍ୱାସ ନିଅନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଯେଉଁ ଦ୍ରବ୍ୟ ନିଜେ ଦୁର୍ଗନ୍ଧିତ ତାହା ଆପଣଙ୍କୁ ସେବନ ଜନିତ ଆନନ୍ଦ ଦେବ କିପରି ? ଉତ୍ତର ହେଉଛି ଏହି ମାଂସାହାର ସେବନରୁ ଆନନ୍ଦ ଦୁଇ ପ୍ରକାରରେ ମିଳିଥାଏ । ପ୍ରଥମଟି ହେଲା ଏହାର ପାକରେ ବ୍ୟବହୃତ ମସଲା ଓ ଦ୍ଵିତୀୟଟି ହେଲା ଏହି ଖାଦ୍ୟକୁ ଖାଇବା ସମୟରେ ଚର୍ବଣ ଜନିତ ଆନନ୍ଦ । 

ପୁନଶ୍ଚ ପ୍ରଶ୍ନ ଉଠେ ଯେ ପାକ ସମୟରେ ବିବିଧ ମସଲାର ବ୍ୟବହାର ଦ୍ଵାରା ଆମେ ଯେକୋୖଣସି ଖାଦ୍ୟକୁ ମଧ୍ୟ ସୁସ୍ବାଦୁ କରିପାରିବା, ତେଣୁ ମାଂସାହାର ହିଁ ଆମକୁ କାହିଁକି ଏତେ ଆନନ୍ଦ ଦିଏ ଯାହାକି ଅନ୍ୟ ଖାଦ୍ୟରେ ବିଶେଷ କରି ଶାକାହାରରେ ମିଳେନାହିଁ ? ଏହାର ଉତ୍ତରରେ ଏତିକି କୁହାଯାଇପାରେ ଯେ ସ୍ୱାଦ ବ୍ୟତିରେକ ମାଂସାହାର ସେବନ ସମୟରେ ଏହାକୁ ଚର୍ବଣ କରିବାର ଏକ ଅତିରିକ୍ତ ଅନୁଭୂତି ମଧ୍ୟ ମିଳିଥାଏ ଯାହାକି ଆମକୁ ଆନନ୍ଦ ପ୍ରଦାନ କରେ । ହୁଏତ ଏହି ଅନୁଭୂତି ସହିତ ଆମେ ପୂର୍ବ ଜନ୍ମରୁ ଜଡିତ ଯାହାକି ଆମକୁ ଏହି ଜନ୍ମରେ ମାଂସାହାର ସେବନ କରିବା ନିମିତ୍ତ ପ୍ରବୃତ୍ତ କରାଏ କିମ୍ବା ଥରେ ଦୁଇଥର ମାଂସାହାର ସେବନ କଲାପରେ ଏହି ଚର୍ବଣ ଜନିତ ପ୍ରାକ୍ ଅନୁଭୂତି ହିଁ ଆମକୁ ମାଂସାହାର ସେବନ ସମୟରେ ପୁନଶ୍ଚ ଆନନ୍ଦ ପ୍ରଦାନ କରିଥାଏ । ଏହି ଚର୍ବଣ ଜନିତ ଆନନ୍ଦ ମଧ୍ୟ ଆମେ ମାଂସାହାରର ବିକଳ୍ପ ଖାଦ୍ୟରେ ଖୋଜିଥାଉ ଯେପରିକି ପଣସ, ସୋୟାବିନ ଇତ୍ୟାଦି । ଥରେ ଏହି ଚର୍ବଣ ଜନିତ ଆନନ୍ଦ ସହିତ ଅଭ୍ୟସ୍ତ ହୋଇଗଲେ ଆମେ ସହଜେ ମାଂସାହାର ତ୍ୟାଗ କରିପାରୁନା ।

ଯଦି ଆମେ ପୁନର୍ଜନ୍ମରେ ବିଶ୍ୱାସ କରୁନା ତେବେ ମଧ୍ୟ ବୈଜ୍ଞାନିକ ମତବାଦ ଅନୁସାରେ ବିଶ୍ବାସ କରାଯାଏ ଯେ ମନୁଷ୍ୟ ପ୍ରଥମେ ମାଂସାହାରୀ ଥିଲା, ଏପରିକି ଜୀବଜନ୍ତୁଙ୍କ କଞ୍ଚା ମାଂସ ମଧ୍ୟ ଚୋବାଇ ଖାଉଥିଲା (ନିଆଁର ଆବିଷ୍କାର ପରେ ମାଂସକୁ ପୋଡି ଖାଇବା ଶିଖିଲା) । ତେଣୁ କ୍ରମିକ ବିବର୍ତ୍ତନ ପରେ ମଧ୍ୟ ଆମ ମଧ୍ୟରେ ଏହି ମାଂସାହାରକୁ ଚୋବାଇ ଖାଇବାର ସହଜାତ ପ୍ରବୃତ୍ତି ଏବେ ମଧ୍ୟ ଅନ୍ତର୍ନିହିତ ଅଛି ଯାହାକି ଆମକୁ ମାଂସାହାର ସେବନରେ ପ୍ରବୃତ୍ତ କରାଉଛି ଓ ଚର୍ବଣ ଜନିତ ଆନନ୍ଦ ମଧ୍ୟ ପ୍ରଦାନ କରୁଛି । ଏଥିଯୋଗୁଁ ଆମେ ମାଂସାହାର ସେବନରେ ସହଜରେ ଅଭ୍ୟସ୍ତ ହୋଇଯାଉଛେ ଓ ଏଥିରୁ ମୁକୁଳିବା ଆମ ପକ୍ଷେ କଷ୍ଟକର ହୋଇପଡୁଛି ।

ଶେଷରେ ଏତିକି କହିବି ଯେ କ୍ରମିକ ବିବର୍ତ୍ତନ ପରେ ମନୁଷ୍ୟ ଯେପରି ସଭ୍ୟ ହୋଇପାରିଛି, ସେହି ସଭ୍ୟତାର ଉତ୍ତମ ପ୍ରତିଫଳନ ରୂପେ ଏହା ଜୀବଜନ୍ତୁଙ୍କୁ ହତ୍ୟା ନକରି ବୈକଳ୍ପିକ ଖାଦ୍ୟ ଗ୍ରହଣ କରିବାର ଜୀବନଶୈଳୀରେ ଅଭ୍ୟସ୍ତ ହେବା ଶିଖୁ, ନୁହେଁ କି ଏହା ଜୀବଜନ୍ତୁଙ୍କୁ ହତ୍ୟା କରିବା ଓ ସେମାନଙ୍କର ମାଂସକୁ ପ୍ରସ୍ତୁତ କରିବା ତଥା ଖାଇବାର ଅଭିନବ ଉପାୟ ମାନ (ସଭ୍ୟତାର ଉତ୍କୃଷ୍ଟତାର ମାପକାଠି ରୂପେ) ଉଦ୍ଭାବନ କରୁ ।

ଜୟ ଜଗନ୍ନାଥ !

© ଡାକ୍ତର କୁମାର ଅରୋଜ୍ୟୋତି

[ଚିତ୍ର ଉତ୍ସ : https://www.femnmas.com/veg-vs-non-veg-what-to-eat/]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)