କାହାଣୀ ଅମ୍ଳଜାନର : ଆୟୁର୍ବେଦାଚାର୍ଯ୍ୟ ଶାରଙ୍ଗଧର ଙ୍କ ଠାରୁ ଆରମ୍ଭ କରି ଫରାସୀ ରସାୟନବିତ୍ ଲାଭୋଇସିଏର ଙ୍କ ପର୍ଯ୍ୟନ୍ତ


ମନୁଷ୍ୟ ଶ୍ୱାସକ୍ରିୟାରେ ବାୟୁମଣ୍ଡଳରୁ ଗ୍ରହଣ କରୁଥିବା ଜୀବନୀୟ ଉପାଦାନଟିର ନାମ ଯେ ଅମ୍ଳଜାନ ଓ ଏହାର ମନୁଷ୍ୟର ଜୀବନଧାରଣ ପାଇଁ ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି - ଏ ତଥ୍ୟ ସମ୍ବନ୍ଧରେ ଆଜିକାଲି ଶିଶୁମାନେ ମଧ୍ୟ ଅବଗତ (ସେମାନଙ୍କ ପାଠ୍ୟକ୍ରମ ମାଧ୍ୟମରେ) । ତେବେ ଏହି ଅମ୍ଳଜାନର ଆବିଷ୍କାର ତଥା ତାହାର 'ମନୁଷ୍ୟର ଜୀବନଧାରଣରେ ଉପାଦେୟତା' ସମ୍ବନ୍ଧିତ ତଥ୍ୟ ଆହରଣ କରିବା ନିମିତ୍ତ ଯଥେଷ୍ଟ କିଛି ଶତାବ୍ଦୀର ସମୟ ଲାଗିଥିଲା ବିବିଧ ବୈଜ୍ଞାନିକମାନଙ୍କୁ । ଏ ସମ୍ପର୍କିତ ଦୀର୍ଘ ଯାତ୍ରାର ଆରମ୍ଭ ହୁଏ ୧୩ଶ ଶତାବ୍ଦୀରେ ଭାରତ ଓ ସିରିଆରୁ ଏବଂ ଶେଷ ହୁଏ ୧୮ଶ ଶତାବ୍ଦୀରେ ଫ୍ରାନ୍ସରେ । ଆସନ୍ତୁ ଏ ରୋମାଞ୍ଚକ ଯାତ୍ରା ସମ୍ପର୍କିତ କାହାଣୀ ସମ୍ବନ୍ଧରେ ଜାଣିବା ।

ବୈଦିକ ଯୁଗରୁ ଆୟୁର୍ବେଦୀୟ ମହର୍ଷିମାନେ ବାୟୁର ଶରୀରଧାରଣ ତଥା ଶ୍ୱାସକ୍ରିୟାରେ ରହିଥିବା ଭୂମିକା ସମ୍ବନ୍ଧରେ କିଞ୍ଚିତ ମାତ୍ରାରେ ଅବଗତ ଥିଲେ । ଏ ସମ୍ପର୍କରେ 'ଚରକ ସଂହିତା'ରେ ବର୍ଣ୍ଣିତ ଅଛି ଯେ -

"ବାୟୁସ୍ତନ୍ତ୍ରଯନ୍ତ୍ରଧରଃ ।"

ଅର୍ଥାତ୍ - ଆମ ଶରୀର (ଯନ୍ତ୍ର) ଏବଂ ଏହାର କ୍ରିୟା ବା କାର୍ଯ୍ୟକଳାପର (ତନ୍ତ୍ର) ଧର୍ତ୍ତା ହେଉଛି ବାୟୁ ବା ବାତ ଦୋଷ ।

ଏହି ବାୟୁ, ଶରୀରରେ ଅବସ୍ଥିତି ଓ କାର୍ଯ୍ୟକଳାପ ଦୃଷ୍ଟିରୁ ପୁନଃ ପାଞ୍ଚ ଭାଗରେ ବିଭକ୍ତ, ଯଥା - ପ୍ରାଣ, ଅପାନ, ବ୍ୟାନ, ଉଦାନ ଓ ସମାନ ।

ସୁଶ୍ରୁତ ସଂହିତାରେ ପ୍ରାଣ ବାୟୁ ସମ୍ବନ୍ଧରେ ବର୍ଣ୍ଣିତ ଅଛି ଯେ -

"ଯୋ ବାୟୁଃ ବକ୍ତ୍ର ସଂଚାରୀ ସ ପ୍ରାଣୋ ନାମ ଦେହଧୃକ୍ ।

ସୋ ଅନ୍ନଂ ପ୍ରବେଶୟତି ଅନ୍ତଃ ପ୍ରାଣାଂ ଚ ଅପି ଅବଲମ୍ବତେ ।।"

ଅର୍ଥାତ୍ - ଯେଉଁ ବାୟୁ ମୁଖରେ ସଞ୍ଚାରିତ ହୋଇଥାଏ ତଥା ଦେହକୁ ଧାରଣ କରିଥାଏ, ତାହାର ନାମ ପ୍ରାଣ ବାୟୁ । ଏହା ଅନ୍ନକୁ ମହାସ୍ରୋତସ୍ ରେ ପ୍ରବେଶ କରାଇଥାଏ ଓ ଜୀବନ ଏହା ଉପରେ ନିର୍ଭରଶୀଳ । 

ସେହିପରି ଅନ୍ୟ ଚାରିଗୋଟି ବାୟୁମାନଙ୍କର ସ୍ଥିତି ଓ କାର୍ଯ୍ୟକଳାପ ସମ୍ବନ୍ଧରେ ମଧ୍ୟ ଆୟୁର୍ବେଦୀୟ ଗ୍ରନ୍ଥମାନଙ୍କରେ ବିସ୍ତୃତ ଭାବରେ ଉଲ୍ଲେଖ ରହିଛି । ତେବେ ଯେଉଁ ଆୟୁର୍ବେଦୀୟ ଗ୍ରନ୍ଥରେ ସର୍ବପ୍ରଥମେ ଅମ୍ଳଜାନ ସଦୃଶ, ବାୟୁମଣ୍ଡଳରେ ସ୍ଥିତ, ଜୀବନଧାରଣକାରୀ ଅମୃତମୟ ବାୟୁର ଉଲ୍ଲେଖ ରହିଛି ତାହା ହେଲା ୧୩ଶ ଶତାବ୍ଦୀରେ ଆୟୁର୍ବେଦାଚାର୍ଯ୍ୟ ଶାରଙ୍ଗଧରଙ୍କ ରଚିତ ଶାରଙ୍ଗଧର ସଂହିତା । ଏହାର ପ୍ରାଣ ବାୟୁ ସମ୍ପର୍କିତ ବର୍ଣ୍ଣନା ଅନୁଯାୟୀ -

"ନାଭିସ୍ଥଃ ପ୍ରାଣପବନଃ ସ୍ପୃଷ୍ଟ୍ୱା ହୃତ୍କମଳାନ୍ତରମ୍ ।

କଣ୍ଠାଦ୍ବହିର୍ବିନିର୍ୟାତି ପାତୁଂ ବିଷ୍ଣୁପଦାମୃତମ୍ ।। 

ପୀତ୍ୱା ଚାମ୍ବରପୀୟୂଷଂ ପୁନରାୟାତି ବେଗତଃ ।

ପ୍ରୀଣୟନ୍ଦେହମଖିଳଂ ଜୀବୟନ୍ଜଠରାନଳମ୍ ।।"

[ଶା.ପୂ. ୫/୫୧]

ଅର୍ଥାତ୍ -

ନାଭି ପ୍ରଦେଶରେ ଥିବା ପ୍ରାଣ ବାୟୁ ହୃଦୟ ପ୍ରଦେଶ ନିକଟକୁ ଗତି କରିଥାଏ ଏବଂ ତତ୍ପଶ୍ଚାତ୍ ତାହା କଣ୍ଠ ପ୍ରଦେଶକୁ ଗତି କରି ସେଠାରୁ ଶରୀରରୁ ବାହାରକୁ ଯାଇଥାଏ । ସେଠାରୁ 'ବିଷ୍ଣୁ ପଦାମୃତ' ବା 'ଅମ୍ବର ପୀୟୂଷ'କୁ ଗ୍ରହଣ କରି ତାହା ପୁନଃ ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ତତ୍ପରେ ଏହା ଶରୀରର ସମସ୍ତ ଧାତୁକୁ ପୋଷଣ କରି ଯଠରାଗ୍ନିକୁ ବୃଦ୍ଧି କରିଥାଏ ।

ତେବେ ଉକ୍ତ ବର୍ଣ୍ଣନା ମଧ୍ୟରେ ଯେଉଁଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତାହା ହେଉଛି ବାୟୁମଣ୍ଡଳରେ ଥିବା 'ଅମ୍ବର ପୀୟୂଷ' ବା 'ଆକାଶୀୟ ଅମୃତ' ତତ୍ତ୍ୱ ଯାହାକି ଶରୀରର ପୁଷ୍ଟି କରିଥାଏ । ଏହା ସମ୍ଭବତଃ ବାୟୁମଣ୍ଡଳରେ ଅମ୍ଳଜାନର ଉପସ୍ଥିତି ଓ ଏହାର ମନୁଷ୍ୟର ଜୀବନଧାରଣରେ ଉପାଦେୟତା ସମ୍ପର୍କିତ ପ୍ରଥମ ବର୍ଣ୍ଣନା ।

ଏହି ଗବେଷଣା ଜନିତ ପ୍ରାୟତଃ ସମାନ ତଥ୍ୟ ସେହି ୧୩ଶ ଶତାବ୍ଦୀରେ ସିରିଆର ଚିକିତ୍ସକ ଓ ଶାରୀର ରଚନା ବିଶେଷଜ୍ଞ ଇବ୍ନ ଅଲ୍ ନାଫିସ୍ ପ୍ରଦାନ କରିଥିଲେ । ତାଙ୍କର ବର୍ଣ୍ଣନା ଅନୁଯାୟୀ -

"ଫୁଫ୍ଫୁସୀୟ ଧମନୀରେ ସଞ୍ଚାଳିତ ରକ୍ତ, ଫୁଫ୍ଫୁସର ଅଦୃଶ୍ୟ ଛିଦ୍ର ମଧ୍ୟ ଦେଇ ଫୁଫ୍ଫୁସ ମଧ୍ୟକୁ ପ୍ରବେଶ କରିଥାଏ ଯେଉଁଠାରେ କି ତାହା ବାୟୁ ସହିତ ମିଶି vital spirit ବା 'ଜୀବନୀୟ ପ୍ରାଣସତ୍ତା'ର ନିର୍ମାଣ କରି, ଫୁଫ୍ଫୁସୀୟ ଶିରା ମଧ୍ୟ ଦେଇ ବାମ ହୃଦ୍ କୋଷ୍ଠରେ ପହଞ୍ଚିଥାଏ ।"

ଏଣୁ ଏହା ପ୍ରତୀୟମାନ ହୁଏ ଯେ ଉଭୟ ଶାରଙ୍ଗଧର ଓ ଇବ୍ନ ଅଲ୍ ନାଫିସ୍ ଶ୍ୱସନ ପ୍ରଣାଳୀ ସମ୍ପର୍କରେ ସର୍ବପ୍ରଥମେ ଆଲୋକପାତ କରିଥିଲେ ଓ ଉଭୟେ ଦୃଢ଼ନିଶ୍ଚିତ ଥିଲେ ଯେ ବାୟୁରେ ଏପରି ଏକ ତତ୍ତ୍ୱ ରହିଛି ଯାହାକି ମନୁଷ୍ୟର ଜୀବନଧାରଣର ଆଧାର । ଏହି ମୂଳ ଗବେଷଣା ଭବିଷ୍ୟତରେ ଅମ୍ଳଜାନ ଆବିଷ୍କାରର ବାଟ ଖୋଲିଥିଲା ।

ଆୟୁର୍ବେଦାଚାର୍ଯ୍ୟ 'ଶାରଙ୍ଗଧର'ଙ୍କ ବର୍ଣ୍ଣିତ ପ୍ରାଣ ବାୟୁ ତଥା ସିରିଆର ଚିକିତ୍ସକ ଓ ଶାରୀର ରଚନା ବିଶେଷଜ୍ଞ 'ଇବ୍ନ ଅଲ୍ ନାଫିସ୍' ଙ୍କ ବର୍ଣ୍ଣିତ 'ଜୀବନୀୟ ପ୍ରାଣସତ୍ତା'ର ଶରୀରଧାରଣ ତଥା ଶ୍ୱାସକ୍ରିୟାରେ ରହିଥିବା ଭୂମିକା ସମ୍ବନ୍ଧୀୟ ଗବେଷଣା ୧୩ଶ ଶତାବ୍ଦୀର ଉତ୍ତର କାଳରେ ବିବିଧ ବିଜ୍ଞାନୀମାନଙ୍କ ଦ୍ଵାରା ଜାରି ରହିଲା ଓ ଫଳସ୍ୱରୁପ ୧୬ଶ ଶତାବ୍ଦୀରେ ସ୍ପେନର ଚିକିତ୍ସକ ମାଇକେଲ ସରଭିଟସ ବର୍ଣ୍ଣନା କଲେ ଯେ - "ରକ୍ତ ଫୁଫ୍ଫୁସ କୋଷିକା ମଧ୍ୟ ଦେଇ ଗତି କରି ବାୟୁମଣ୍ଡଳରେ ଏହାର ବର୍ଜ୍ୟ ବସ୍ତୁକୁ ପରିତ୍ୟାଗ କରିଥାଏ ଓ ଏଥିଯୋଗୁଁ ଏହାର ରଙ୍ଗରେ ପରିବର୍ତ୍ତନ ଆସିଥାଏ ।" ଏହି ଉକ୍ତି ଅମ୍ଳଜାନ ଗ୍ରହଣ ଦ୍ଵାରା ରକ୍ତର ରଙ୍ଗରେ ପରିବର୍ତ୍ତନକୁ ସୂଚିତ କରେ । ଅନେକ ବିଶ୍ୱାସ କରନ୍ତି ଯେ ମାଇକେଲ ସରଭିଟସଙ୍କ ଏହି ବର୍ଣ୍ଣନା ଇବ୍ନ ଅଲ୍ ନାଫିସ୍ ଙ୍କ ତଥ୍ୟ ଉପରେ ଆଧାରିତ ଥିଲା । ତେବେ ଦୁଃଖର ବିଷୟ ମାଇକେଲ ସରଭିଟସ ଏ ଦିଗରେ ଆଉ ଅଧିକ କିଛି ଗବେଷଣା କରିବା ପୂର୍ବରୁ ତାଙ୍କର ତତ୍କାଳୀନ ଧର୍ମ ବିରୋଧୀ ମତବାଦ ଯୋଗୁଁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କୁ ତାଙ୍କର ପୁସ୍ତକ ସମୁହ ସହିତ ଜିଅନ୍ତା ଜାଳି ଦିଆଯାଇଥିଲା ଯେଉଁଥିରେ କି ତାଙ୍କର ଅନ୍ୟାନ୍ୟ ଗବେଷଣା, ମତବାଦ ଓ ମନୁଷ୍ୟର ଶ୍ୱସନ ପ୍ରଣାଳୀ ସମ୍ବନ୍ଧିତ ପୁସ୍ତକ ମଧ୍ଯ ସନ୍ନିହିତ ଥିଲା ।

ପରବର୍ତ୍ତୀ ସମୟରେ ୧୭ଶ ଶତାବ୍ଦୀର ଆଦ୍ୟ ଭାଗରେ ପୋଲାଣ୍ଡର ରସାୟନବିତ୍, ଦାର୍ଶନିକ ଓ ଚିକିତ୍ସକ ମାଇକେଲ ସେନଡିଭୋଜିଅସ ବର୍ଣ୍ଣନା କଲେ ଯେ - "ବାୟୁରେ ଏପରି ଏକ ଉପାଦାନ ରହିଛି ଯାହା ହେଉଛି 'secret food of life' ବା 'ଜୀବନର ଗୋପନୀୟ ପୋଷକ ତତ୍ତ୍ୱ' ।" ଏବଂ ତାଙ୍କର ରାସାୟନିକ ଗବେଷଣାରୁ ସେ ଉପଲବ୍ଧି କରିଥିଲେ ଯେ ଏହି ପୋଷକ ତତ୍ତ୍ଵ ହେଉଛି ସେହି ସମାନ ବାୟବୀୟ ତତ୍ତ୍ଵ ଯାହା ପୋଟାଶିୟମ ନାଇଟ୍ରେଟକୁ ଉତ୍ତପ୍ତ କରିବା ଦ୍ଵାରା ମିଳିଥାଏ ।

ସେନଡିଭୋଜିଅସଙ୍କ ଉକ୍ତ ତଥ୍ୟ ଯଦିଓ ପରବର୍ତ୍ତୀ ଏକ ଶତାବ୍ଦୀ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଲା ତେବେ ତାଙ୍କର ଏହି ଗବେଷଣାକୁ କେହି ସମ୍ୟକ ରୂପେ ବୁଝିପାରିନଥିଲେ, ଏପରିକି ବିଶ୍ବବିଖ୍ୟାତ ପଦାର୍ଥ ବିଜ୍ଞାନୀ ବଏଲ ଓ ନିଉଟନ ମଧ୍ୟ ।

୧୭ଶ ଶତାବ୍ଦୀରେ ହଲାଣ୍ଡର ଯନ୍ତ୍ରୀ ତଥା ଉଦ୍ଭାବକ କର୍ଣ୍ଣେଲିସ ଡ୍ରେବେଲ ବିଶ୍ୱର ପ୍ରଥମ ମାନବ ଚାଳିତ ବୁଡ଼ାଜାହାଜ ନିର୍ମାଣ କରିଥିଲେ ଯାହାକି ଥେମ୍ସ ନଦୀର ଜଳ ମଧ୍ୟରେ ୱେଷ୍ଟମିନ୍ସଟର ଠାରୁ ଗ୍ରିନିଚ୍ ପର୍ଯ୍ୟନ୍ତ ଦୀର୍ଘ ୧୦ ମାଇଲ ପଥ ଅତିକ୍ରମ କରିଥିଲା । ବୁଡ଼ାଜାହାଜ ଭିତରେ ବାୟୁକୁ ସତେଜ ବା ପୁନଃ ଗ୍ରହଣଯୋଗ୍ୟ କରିବାର ବିଧିକୁ ଡ୍ରେବେଲ ଯଦିଓ ଗୁପ୍ତ ରଖିଥିଲେ ତେବେ ଖବରକାଗଜ ଗୁଡ଼ିକ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନେ ବିଶ୍ଵାସ କରୁଥିଲେ ଯେ ଡ୍ରେବେଲ ସେନଡିଭୋଜିଅସଙ୍କ ଗବେଷଣାରୁ ଅମ୍ଳଜାନର ପ୍ରସ୍ତୁତି ପ୍ରକ୍ରିୟା ବିଷୟ ଶିକ୍ଷା ଲାଭ କରିଥିଲେ ।

ସେହି ୧୭ଶ ଶତାବ୍ଦୀରେ ଅକ୍ସଫୋର୍ଡ ଠାରେ ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ରବର୍ଟ ବଏଲଙ୍କ ପୁରାତନ ଛାତ୍ର ଜନ୍ ମେୟୋ ବାୟୁମଣ୍ଡଳର ଏକ ଉପାଦାନ ସମ୍ବନ୍ଧରେ ଏକ ପୁସ୍ତକ ଲେଖିଥିଲେ ଯାହାର ନାମ ଥିଲା 'spiritus nitro-aereus' । ଏହି ପୁସ୍ତକରେ ସେ ବର୍ଣ୍ଣନା କରିଥିଲେ ଯେ - ବାୟୁମଣ୍ଡଳର ଏହି ଉପାଦାନଟି ଅଗ୍ନି ଦ୍ଵାରା ଗ୍ରସିତ ହୁଏ ଓ ଏହି ଉପାଦାନଟିର ଶ୍ୱାସ ପ୍ରକ୍ରିୟାରେ ଗ୍ରହଣ ଦ୍ଵାରା ଆମେ ଶାରୀରିକ ଉତ୍ତାପ ଓ ଶକ୍ତି ପାଇଥାଉ । ଏହା ଅମ୍ଳଜାନ ସମ୍ବନ୍ଧରେ ସେ ପର୍ଯ୍ୟନ୍ତ ଗବେଷଣା ଜନିତ ସଦ୍ୟତମ ତଥ୍ୟ ଥିଲା । ଏଠାରେ ଉଲ୍ଲଖଯୋଗ୍ୟ ଯେ ମେୟୋ ସେନଡିଭୋଜିଅସଙ୍କ ଗବେଷଣା ସମ୍ବନ୍ଧରେ ଅଜ୍ଞ ଥିଲେ ।

ତେବେ ମେୟୋ ଙ୍କ ଗବେଷଣା ପରବର୍ତ୍ତୀ ସମୟରେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିଲା ଯେତେବେଳେ କି ବିଶ୍ୱର ପ୍ରାୟତଃ ସମସ୍ତ ବୈଜ୍ଞାନିକ ଏକ 'ଅଗ୍ନି ତତ୍ତ୍ଵ' (phlogiston) ମତବାଦ ବା 'phlogiston theory' ଉପରେ ବିଶ୍ଵାସ କରିବାକୁ ଲାଗିଲେ ଯାହାର ତଥ୍ୟ ଅନୁଯାୟୀ - 'ସମସ୍ତ ଜ୍ବଳନଶୀଳ ପଦାର୍ଥ ମଧ୍ୟରେ ଏକ ଅଗ୍ନି ସମ ତତ୍ତ୍ଵ ବା phlogiston ରହିଛି ଯାହାକି ଜଳେ ତଥା ଜ୍ୱଳନ ସମୟରେ ନିର୍ଗତ ହୋଇଥାଏ । ଏଣୁ ଜ୍ବଳନ ଓ ଜୀବନଧାରଣ ନିମିତ୍ତ ବାୟୁ ବା ବାୟୁର କୌଣସି ବିଶେଷ ତତ୍ତ୍ଵର ଆବଶ୍ୟକତା ନାହିଁ ।' ଏହି ମିଥ୍ୟା ମତବାଦ ଅମ୍ଳଜାନ ସମ୍ବନ୍ଧିତ ବାସ୍ତବିକ ଗବେଷଣାକୁ ପ୍ରାୟ ଏକ ଶତାବ୍ଦୀ ଧରି ଅବରୋଧ କରି ରଖିଥିଲା ।

କାଳର ପରିବର୍ତ୍ତନ ସହିତ ୧୭ଶ ଶତାବ୍ଦୀରେ ଧୀରତା ପ୍ରାପ୍ତ ହୋଇଥିବା ଅମ୍ଳଜାନ ସମ୍ପର୍କିତ ଗବେଷଣାରେ ତୀବ୍ରତା ଦେଖିବାକୁ ମିଳିଲା ଯେତେବେଳେ କି ୧୮ଶ ଶତାବ୍ଦୀରେ (୧୭୭୧ ଖ୍ରୀଷ୍ଟାବ୍ଦରେ) ପ୍ରଥମ ଥର ପାଇଁ ବିଜ୍ଞାନାଗାରରେ ଅମ୍ଳଜାନ ଆବିଷ୍କୃତ ହୋଇପାରିଥିଲା । ଏହି ସମୟରେ ଜର୍ମାନୀ-ସ୍ଵିଡେନ ନାଗରିକ ତଥା ରସାୟନବିତ୍ କାର୍ଲ ୱିଲହେମ୍ ଶୀଲ୍ ମରକ୍ୟୁରିକ ଅକ୍ସାଇଡ, ସିଲ୍ଭର କାର୍ବୋନେଟ, ମ୍ୟାଗ୍ନେଶିୟମ ନାଇଟ୍ରେଟ ଏବଂ ଅନ୍ୟାନ୍ୟ ନାଇଟ୍ରେଟ ଲବଣ ଗୁଡ଼ିକୁ ଉତ୍ତପ୍ତ କରି ଅମ୍ଳଜାନ ପ୍ରସ୍ତୁତ କରିଥିଲେ ଯାହାର ନାମ ସେ ଦେଇଥିଲେ - 'ଅଗ୍ନି ଵାୟୁ' ବା 'fire air' ।

ତେବେ ବୈଧାନିକ ରୂପରେ ଶୀଲ୍ ଙ୍କୁ ଅମ୍ଳଜାନ ଆବିଷ୍କାରର ଶ୍ରେୟ ମିଳିବା ପୂର୍ବରୁ ସେ ମରକ୍ୟୁରିକ ଅକ୍ସାଇଡକୁ ଉତ୍ତପ୍ତ କରି ଅମ୍ଳଜାନ ପ୍ରସ୍ତୁତ କରିବାର ପ୍ରକ୍ରିୟାରେ ପାରଦ ବିଷାକ୍ତତାର ଶିକାର ହୋଇ ପ୍ରାଣ ତ୍ୟାଗ କରିଥିଲେ ।

ଏହା ମଧ୍ୟରେ ୧୭୭୪ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ ପାଦ୍ରୀ ଓ ରସାୟନବିତ୍ ଜୋସେଫ ପ୍ରିଷ୍ଟଲି ସ୍ଵାଧୀନ ଭାବରେ ଅମ୍ଳଜାନ ଆବିଷ୍କାର କରିଥିଲେ ଯାହାର ନାମ ସେ ଦେଇଥିଲେ 'ଅଗ୍ନି ତତ୍ତ୍ଵ (phlogiston) ବିହୀନ ବାୟୁ' ବା 'dephlogisticated air' ।

ପୁନଶ୍ଚ ୧୭୭୫ ଖ୍ରୀଷ୍ଟାବ୍ଦରେ ଫରାସୀ ରସାୟନବିତ୍ ଅଣ୍ଟୱାନ୍ ଲାଭୋଇସିଏର ସ୍ଵାଧୀନ ଭାବରେ ଅମ୍ଳଜାନ ଆବିଷ୍କାର କରିଥିବାର ଦାବୀ କରିଥିଲେ । ତେବେ ତାଙ୍କର ଏହି ଦାବୀ ସନ୍ଦେହାତ୍ମକ ଥିଲା ଯେହେତୁ ଶୀଲ୍ ଏହାପୂର୍ବରୁ ଲାଭୋଇସିଏର ଙ୍କ ସହିତ ଏ ସମ୍ବନ୍ଧୀୟ ମତ ବିନିମୟ କରିଥିଲେ ଏବଂ ପ୍ରିଷ୍ଟଲି ମଧ୍ୟ ଦାବୀ କରିଥିଲେ ଯେ ସେ ୧୭୭୪ ଖ୍ରୀଷ୍ଟାବ୍ଦରେ ଲାଭୋଇସିଏର ଙ୍କ ସହିତ ଏ ସମ୍ବନ୍ଧୀୟ ଗବେଷଣା ସମ୍ପର୍କରେ ଆଲୋଚନା କରିଥିଲେ; ତେଣୁ ପ୍ରତୀୟମାନ ହୁଏ ଯେ ଲାଭୋଇସିଏର ଅମ୍ଳଜାନ ଆବିଷ୍କାର କରିବାରେ ପ୍ରଥମ ବ୍ୟକ୍ତି ନୁହଁନ୍ତି ।

ତେବେ ଯାହା ହେଉ ଲାଭୋଇସିଏର Oxygen ବା 'ଅମ୍ଳଜାନ' ନାମରେ ନୂତନ ଭାବେ ଆବିଷ୍କୃତ ବାୟୁକୁ ନାମିତ କରିବା ସହିତ ପ୍ରମାଣ କରିଥିଲେ ଯେ - ଅମ୍ଳଜାନ ହେଉଛି ଏକ ସ୍ବତନ୍ତ୍ର ମୌଳିକ । ଏହା ସହିତ ସେ 'phlogiston theory' ବା 'ଅଗ୍ନି ତତ୍ତ୍ଵ' ମତବାଦକୁ ଭୁଲ ବୋଲି ପ୍ରମାଣିତ କରିଥିଲେ । ସେ ବର୍ଣ୍ଣନା କରିଥିଲେ ଯେ ବାୟୁମଣ୍ଡଳ ଦୁଇଗୋଟି ତତ୍ତ୍ଵକୁ ନେଇ ଗଠିତ, ଯଥା - 

୧) Oxygen/ଅମ୍ଳଜାନ (ଯାହାକୁ ସେ vital air ବା ଜୀବନୀୟ/ପ୍ରାଣ ବାୟୁ ନାମରେ ନାମିତ କରିଥିଲେ)

୨) Nitrogen (ଯାହାକୁ ସେ azote/lifeless air ବା ପ୍ରାଣ ବିହୀନ ବାୟୁ ନାମରେ ନାମିତ କରିଥିଲେ)

ଏହିପରି ଭାବରେ ମନୁଷ୍ୟର ଜୀବନଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଆୟୁର୍ବେଦ/ଶାରଙ୍ଗଧର ବର୍ଣ୍ଣିତ ପ୍ରାଣ ବାୟୁ ଆଧୁନିକ କାଳରେ ଅମ୍ଳଜାନ ରୂପେ ଆବିଷ୍କୃତ ହେଲା । ତେବେ କତିପୟ ଶତାବ୍ଦୀର ଏହି ଅମ୍ଳଜାନ ଆବିଷ୍କାରର କାହାଣୀରେ ପ୍ରାୟ ସମସ୍ତ ଆବିଷ୍କାରକଙ୍କ ନାମ ଲୋକଲୋଚନକୁ ଆସିପାରିଥିବା ସମୟରେ ମୂଳ ଆବିଷ୍କାରକ ଶାରଙ୍ଗଧରଙ୍କ ନାମ ଏବେ ମଧ୍ୟ ଅନାଲୋଚ୍ୟ ଅଥବା ବିସ୍ମୃତ । ତେଣୁ ଆମ ସଂସ୍କୃତିକୁ ନେଇ ଗର୍ବ କରୁଥିବା ଭାରତୀୟ ଭାବେ ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଏ ସମ୍ବନ୍ଧୀୟ ତଥ୍ୟ ଲୋକଲୋଚନକୁ ଆଣିବା ଯଦ୍ୱାରା କି ଆମର ଗୌରବମୟ ଇତିହାସ ଓ ପରମ୍ପରା ସମ୍ପର୍କରେ ବିଶ୍ୱବାସୀ ଅବଗତ ହୋଇପାରିବେ ।

ଜୟ ଆୟୁର୍ବେଦ !

ଜୟ ମା ଭାରତୀ !

[ଚିତ୍ର ସୌଜନ୍ୟ : ଇଣ୍ଟରନେଟ]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)