କୋଣାର୍କର ଗୁଣ୍ଠୁଣି ହାତୀ ଭାସ୍କର୍ଯ୍ୟର ତାତ୍ପର୍ଯ୍ୟ


କୋଣାର୍କ ସୂର୍ଯ୍ୟ ମନ୍ଦିରର ଉତ୍ତର ଦିଗରେ ଥିବା ଦୁଇଗୋଟି ଗୁଣ୍ଠୁଣି ହାତୀର ଭାସ୍କର୍ଯ୍ୟ ବିଶ୍ବବିଦିତ । ଏଥିମଧ୍ୟରୁ ଗୋଟିଏ ହାତୀ ନିଜ ଶୁଣ୍ଢରେ ଏକ ଯୋଦ୍ଧାକୁ ତୋଳି ଧରିଥିବାର ଦେଖାଯାଇଥାଏ (ଉପରୋକ୍ତ ଚିତ୍ରରେ ଦର୍ଶିତ) ଯାହାକି ଭାରତର ଡାକଟିକଟରେ ମଧ୍ୟ ସ୍ଥାନ ପାଇଛି । ତେବେ ଏହି ଭାସ୍କର୍ଯ୍ୟ ପଛରେ ଥିବା ଏକ କାହାଣୀ ସମ୍ପ୍ରତି ଲୋକମୁଖରେ ତଥା ସାମାଜିକ ଗଣମାଧ୍ୟମରେ ବିଶେଷ ଜନପ୍ରିୟତା ଲାଭକରିଛି । କାହାଣୀଟି ଏହି ପରି -

"ଭାସ୍କର୍ଯ୍ୟରେ ରୂପାୟିତ ଗୁଣ୍ଠୁଣି ହାତୀଟି ପ୍ରକୃତରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିର୍ମାତା ମହାରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ପ୍ରିୟ ହାତୀ ସୁଦେହୀ ବା ସୁଦେହୀକା । ମହାରାଜା ନରସିଂହ ଦେବ ଏକଦା ଯୁଦ୍ଧରେ ଆହତ ହୋଇ ପଡ଼ି ରହିଥିଲେ । ଏହି ସମୟରେ ମହାରାଜାଙ୍କର ଅତି ବିଶ୍ଵସ୍ତ, ପ୍ରିୟ ହାତୀ ସୁଦେହୀକା ତାଙ୍କୁ ନିଜ ଶୁଣ୍ଡରେ ତୋଳି ଧରି ଯୁଦ୍ଧକ୍ଷେତ୍ରରୁ ଉଦ୍ଧାର କରି ପଳାଇ ଆସିଥିଲା । ପରେ କୋଣାର୍କର ସୂର୍ଯ୍ୟମନ୍ଦିର ନିର୍ମାଣ ସମୟରେ ମହାରାଜା ନରସିଂହ ଦେବ ସୁଦେହୀକାର ସେହି ସାହସିକତାର ପରିଚୟ ପୂର୍ବକ ଏକ ମୁର୍ତ୍ତି ନିର୍ମାଣ କରିଥିଲେ ଯେଉଁଥିରେ କି ସୁଦେହୀକା ନିଜ ଶୁଣ୍ଡରେ ନରସିଂହ ଦେବଙ୍କୁ ତୋଳି ଧରିଥିବାର ଦେଖାଯାଇଥାଏ ।"

ତେବେ ସୁଦେହୀକା ନିଜ ଶୁଣ୍ଢରେ ଯେଉଁ ବ୍ୟକ୍ତିଟିକୁ ତୋଳି ଧରିଥିବାର ଦେଖାଯାଇଥାଏ ତାହାର ସ୍ବରୂପ ଅବଲୋକନ କଲେ ମନରେ ସ୍ୱତଃ ଏକ ପ୍ରଶ୍ନ ଉଠେ ଯେ ପ୍ରକୃତରେ ଏହି ବ୍ୟକ୍ତି ମହାରାଜା ଲାଙ୍ଗୁଳା ନରସିଂହ ଦେବ (ଯାହାଙ୍କର ଅନେକ ପ୍ରତିମୂର୍ତ୍ତି କୋଣାର୍କ ଗାତ୍ରରେ ଖୋଦିତ) ନା ଆଉ କିଏ ? କାରଣ ଏହି ବ୍ୟକ୍ତିଟିର ରୂପରେଖ ଓ ସାଜସଜ୍ଜା ଲାଙ୍ଗୁଳା ନରସିଂହ ଦେବଙ୍କ ପରି ଆଦୌ ଦେଖା ନଯାଇ ବରଂ ଏକ ଆସୁରିକ ବ୍ୟକ୍ତିବିଶେଷର ଅଭିବ୍ୟକ୍ତି ପରି ଦେଖାଯାଇଥାଏ ଯାହାକି ବୁଝାଇଥାଏ ଯେ ଗୁଣ୍ଠୁଣି ହାତୀଟି ନିଜ ଶୁଣ୍ଢରେ ଏକ ଶତ୍ରୁ ସୈନ୍ୟକୁ ତୋଳି ଧରିଛି । ଏହା ତତ୍କାଳୀନ କଳିଙ୍ଗର ଯୁଦ୍ଧ ହସ୍ତୀର ସାମର୍ଥ୍ୟକୁ ପ୍ରତିପାଦନ କରିଥାଏ ଯେଉଁଥିପାଇଁ କି କଳିଙ୍ଗର ମହାରାଜାମାନେ ଗଜପତି ରୂପେ ପ୍ରସିଦ୍ଧି ଲାଭ କରିଥିଲେ ।

କୋଣାର୍କର ଏହି ପ୍ରସିଦ୍ଧ ହାତୀ ମୂର୍ତ୍ତି ପରି ଆଉ ଦୁଇ ଗୋଟି ଉତ୍କଳୀୟ ଭାସ୍କର୍ଯ୍ୟ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି ଯେଉଁଥିରୁ ଏହା ସ୍ପଷ୍ଟ ହୋଇଯିବ ଯେ ଏହା ପ୍ରକୃତରେ ଉତ୍କଳୀୟ ଶିଳ୍ପକଳାର ଏକ ଅନନ୍ୟ ଅଭିବ୍ୟକ୍ତି ଯାହାର କି ପୂର୍ବ ବର୍ଣ୍ଣିତ ଜନପ୍ରିୟ କାହାଣୀ ସହିତ କୌଣସି ସମ୍ପର୍କ ନାହିଁ ।


ଉପରୋକ୍ତ ଚିତ୍ରରେ ପ୍ରଦର୍ଶିତ ମୂର୍ତ୍ତିଟି (ଫିଲାଡେଲଫିଆ ମ୍ୟୁଜିଅମରେ ପ୍ରଦର୍ଶିତ ମୂର୍ତ୍ତି) ହାତୀ ଦାନ୍ତରେ ଖୋଦିତ ଏକ ମୂର୍ତ୍ତି ଯେଉଁଥିରେ କି ହାତୀଟିଏ (ଗଜ ବିଡ଼ାଳ) ନିଜ ଶୁଣ୍ଡରେ ଏକ ବିପକ୍ଷୀ ଶତ୍ରୁ ସୈନ୍ୟକୁ ତୋଳି ଧରିଥିବାର ଦେଖାଯାଇଥାଏ । ଏହି ଚିତ୍ରରେ ପ୍ରଦର୍ଶିତ ଶତ୍ରୁ ସୈନ୍ୟର ରୂପରେଖ ଅବିକଳ ପୂର୍ବବର୍ଣ୍ଣିତ କୋଣାର୍କର ସେହି ଗୁଣ୍ଠୁଣି ହାତୀଟିର ଶୁଣ୍ଢରେ ଉତ୍ତୋଳିତ ବ୍ୟକ୍ତି ପରି ଦୃଶ୍ୟମାନ ହୁଏ ।


ପୁନଶ୍ଚ ଉପରୋକ୍ତ ଚିତ୍ରଟିରେ ପ୍ରଦର୍ଶିତ ମୂର୍ତ୍ତିଟି ଆମ ଭୁବନେଶ୍ୱରର ରାଜ୍ୟ ସଂଗ୍ରହାଳୟରେ ଥିବା ଏକ ସମସାମୟିକ ମୂର୍ତ୍ତି ଯାହାକି ଏକଦା କଳାହାଣ୍ଡି ରାଜପ୍ରାସାଦରେ ବ୍ୟବହୃତ ହୋଇଥିବା ଏକ ପଲଙ୍କ ଖୁରା । ଏହିଚିତ୍ରରେ ମଧ୍ୟ ପୂର୍ବ ବର୍ଣ୍ଣିତ ହାତୀ ଦାନ୍ତର ମୂର୍ତ୍ତି ଭଳି ହାତୀ ବା ଗଜ ବିଡ଼ାଳଟିଏ ନିଜ ଶୁଣ୍ଢରେ ଏକ ବିପକ୍ଷୀ ଶତ୍ରୁ ସୈନ୍ୟକୁ ତୋଳି ଧରିଥିବାର ଦେଖାଯାଇଥାଏ । ଏବଂ ଏଠାରେ ଦୃଶ୍ୟମାନ ହେଉଥିବା ବ୍ୟକ୍ତିଟିର ରୂପରେଖ ମଧ୍ୟ ପୁନଶ୍ଚ ଅବିକଳ ଭାବରେ କୋଣାର୍କର ସେହି ଗୁଣ୍ଠୁଣି ହାତୀଟିର ଶୁଣ୍ଢରେ ଉତ୍ତୋଳିତ ବ୍ୟକ୍ତି ପରି ଦୃଶ୍ୟମାନ ହୁଏ ।

ବର୍ତ୍ତମାନ ମନରେ ସ୍ୱତଃ ଏକ ପ୍ରଶ୍ନ ସୃଷ୍ଟି ହୁଏ ଯେ, ଯଦି କୋଣାର୍କର ସେହି ଗୁଣ୍ଠୁଣି ହାତୀଟିର ଶୁଣ୍ଢରେ ଉତ୍ତୋଳିତ ମୂର୍ତ୍ତିଟି ମହାରାଜା ଲାଙ୍ଗୁଳା ନରସିଂହ ଦେବଙ୍କର, ତେବେ ଏହି ମୂର୍ତ୍ତି ସହିତ ସାଦୃଶ୍ୟତା ରଖୁଥିବା ମୂର୍ତ୍ତି କିଭଳି ଦ୍ଵିତୀୟ ଚିତ୍ରରେ ପ୍ରଦତ୍ତ ଗଜ ବିଡ଼ାଳ ଦ୍ୱାରା ଶୁଣ୍ଢରେ ଉତ୍ତୋଳିତ ତଥା ସମାନ ରୂପରେ ତୃତୀୟ ଚିତ୍ରରେ ପ୍ରଦତ୍ତ ଏକ ପଲଙ୍କ ଖୁରାରେ ସ୍ଥାନିତ ? ଏହା ଆମ ଅତିପ୍ରିୟ ମହାରାଜାଙ୍କ ନିମନ୍ତେ ଏକ ଅପମାନସୂଚକ ଅଭିବ୍ୟକ୍ତି ନୁହେଁ କି ?

ଅତଏବ ଆମେ ଶେଷରେ ଏହି ନିଷ୍କର୍ଷରେ ପହଞ୍ଚିବା ଯେ କୋଣାର୍କର ଗୁଣ୍ଠୁଣି ହାତୀ ମୂର୍ତ୍ତିଟି ହୁଏତ ସୁଦେହୀ ବା ସୁଦେହୀକାର ହୋଇଥାଇପାରେ, କିନ୍ତୁ ଏହି ହାତୀଟି ନିଜ ଶୁଣ୍ଢରେ ମହାରାଜା ନରସିଂହ ଦେବଙ୍କୁ ନୁହେଁ, ବରଂ ଏକ ବିପକ୍ଷୀ ଶତ୍ରୁ ସୈନ୍ୟକୁ ତୋଳି ଧରିଛି ଯାହାକି କଳିଙ୍ଗର ଗଜପତିଙ୍କର ଏକ ଯୁଦ୍ଧ ହସ୍ତୀର ସାମର୍ଥ୍ୟକୁ ପ୍ରତିପାଦନ ଓ ଗୌରବାନ୍ୱିତ କରୁଛି ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)