ବରିଷ୍ଠଙ୍କ ଆଗମନରେ କନିଷ୍ଠ କାହିଁକି ଆସନରୁ ଉଠି ସେମାନଙ୍କୁ ଅଭିବାଦନ କରନ୍ତି ?


ଆମ ପରମ୍ପରା ଓ ସଂସ୍କୃତିରେ ବରିଷ୍ଠ ମାନଙ୍କ ଆଗମନରେ କନିଷ୍ଠ ମାନେ ନିଜର ଆସନରୁ ଉଠି ସେମାନଙ୍କୁ ଅଭିବାଦନ କରିବାର ବିଧି ରହିଛି । ଏହାର ବୈଜ୍ଞାନିକ କାରଣ ଖୋଜିବା ତଥା ଉପସ୍ଥାପନ କରିବା ନିଶ୍ଚିତ ଭାବେ ଦୁରୁହ ବ୍ୟାପାର । ତେବେ ଆମ ପ୍ରାଚୀନ ସଂସ୍କୃତି ଓ ପରମ୍ପରାରେ ଏପରି ଅନେକ ଜିନିଷ ରହିଛି ଯାହାକି ସୈଦ୍ଧାନ୍ତିକ ଭାବେ ଗୃହୀତ । ସିଦ୍ଧାନ୍ତ କହିଲେ ସେହି ଜିନିଷ ବା ନିୟମକୁ ବୁଝାଏ ଯାହାକି ଅନେକ ଥର ବା ବାରମ୍ବାର ବ୍ୟବହାରିକ ରୂପରେ, ସମାନ ଭାବେ ବା ସମାନ ପରିଣତିରେ ପରିଲକ୍ଷିତ ହେବା ପରେ ଏକ ପ୍ରାମାଣିକ ସତ୍ୟ ଭାବେ ଗୃହୀତ ହୋଇଥାଏ ।

ସମ୍ଭବତଃ ଏପରି ଏକ ସିଦ୍ଧାନ୍ତର ପରିଣାମ ହେଉଛି - "ବରିଷ୍ଠଙ୍କ ଆଗମନରେ କନିଷ୍ଠ ନିଜ ଆସନରୁ ଉଠି ଅଭିବାଦନ କରିବା" ଯାହାକି ଆମ ପାଇଁ ଉପକାରୀ ହୋଇଥିବା ହେତୁ କରଣୀୟ । ତେବେ ଏହାର ଉପକାରିତା ଯଦିଓ ବୈଜ୍ଞାନିକ ଦୃଷ୍ଟିକୋଣରୁ ପ୍ରମାଣ କରିବା ଦୁରୁହ, ତେବେ ଏହାର ସାମ୍ଭାବ୍ୟ ଆଧ୍ୟାତ୍ମିକ କାରଣ "ମନୁ ସଂହିତା"ରେ ରହିଛି ଯାହାକି ନିମ୍ନରେ ପ୍ରଦତ୍ତ ।

ମନୁ ସଂହିତାରେ ବର୍ଣ୍ଣିତ -

"ଉର୍ଦ୍ଧ୍ବଂ ପ୍ରାଣା ହ୍ୟୁତ୍କ୍ରାମନ୍ତି ଯୂନଃ ସ୍ଥବିର ଆୟତି ।

ପ୍ରତ୍ୟୁତ୍ଥାନାଭିବାଦାଭ୍ୟାଂ ପୁନସ୍ତାନ୍ ପ୍ରତିପଦ୍ୟତେ ।।

ଅଭିବାଦନଶୀଳସ୍ୟ ନିତ୍ୟଂ ବୃଦ୍ଧୋପସେବିନଃ ।

ଚତ୍ଵାରି ତସ୍ୟ ବର୍ଦ୍ଧନ୍ତେ ଆୟୁର୍ବିଦ୍ୟା ଯଶୋ ବଳମ୍ ।।"

[ଦ୍ୱିତୀୟ ଅଧ୍ୟାୟ, ଶ୍ଲୋକ ସଂଖ୍ୟା ୧୨୦-୧୨୧]

ଅର୍ଥାତ୍ - "ବୃଦ୍ଧ ଜନଙ୍କର ଆଗମନରେ ଯୁବକଙ୍କ ପ୍ରାଣ ବାୟୁ ଉପରକୁ ଉଠିଯାଏ । ତେବେ ନିଜ ଆସନରୁ ଉଠି ସେମାନଙ୍କୁ ଅଭିବାଦନ କଲେ ଉର୍ଦ୍ଧ୍ବଗାମୀ ବାୟୁ ସ୍ୱସ୍ଥାନରେ ପୁନଃ ଅବସ୍ଥାପିତ ହୋଇଥାଏ ।

ଯେ ନିତ୍ୟ ଦଣ୍ଡାୟମାନ ହୋଇ ବୃଦ୍ଧ ଜନଙ୍କୁ ଅଭିବାଦନ କରେ, ତା'ର ଆୟୁ, ବିଦ୍ୟା, ଯଶ ଓ ବଳ - ଏହି ଚାରିଗୋଟି ବୃଦ୍ଧି ପାଏ ।"

ତେଣୁ ଆମେ ଆମର ଏହି ମହାନ ସଂସ୍କୃତି ଓ ପରମ୍ପରାକୁ ସର୍ବଦା ପ୍ରଶ୍ନିଳ ଦୃଷ୍ଟିକୋଣରୁ ନଦେଖି ଏହାକୁ ପରିରକ୍ଷଣ କରିବା ଆବଶ୍ୟକ, କାରଣ ଏହା ଅନେକ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ, କେଉଁ ଆବହମାନ କାଳରୁ ।

[ଚିତ୍ର ସୌଜନ୍ୟ : https://api.nationalgeographic.com/distribution/public/amp/travel/article/ways-people-around-world-say-hello-without-touching-coronavirus]

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)