କାମଦେବଙ୍କ ମକରଧ୍ବଜ ନାମର ରହସ୍ୟ


ଆଜିର ଆଧୁନିକ ଯୁଗରେ ଯେପରି ବିବିଧ ରାଷ୍ଟ୍ର ତଥା ଅନୁଷ୍ଠାନ ଗୁଡ଼ିକୁ ସେମାନଙ୍କ ଆଦର୍ଶ ଅନୁଯାୟୀ ଭିନ୍ନ ଭିନ୍ନ ଚିହ୍ନଯୁକ୍ତ ଧ୍ଵଜାମାନ ପ୍ରତିନିଧିତ୍ୱ କରିଥାନ୍ତି, ଠିକ୍ ସେହିପରି ପୁରାଣର ବର୍ଣ୍ଣନା ଅନୁଯାୟୀ ମଧ୍ୟ ବିଭିନ୍ନ ଦେବତାମାନଙ୍କୁ ବିବିଧ ଚିହ୍ନଯୁକ୍ତ ଧ୍ଵଜାମାନ ପ୍ରତିନିଧିତ୍ୱ କରିଥାନ୍ତି । ଉଦାହରଣ ସ୍ୱରୂପ ଗରୁଡ଼ଧ୍ଵଜ ବିଷ୍ଣୁଙ୍କୁ (ଯେହେତୁ ଗରୁଡ଼ ବିଷ୍ଣୁଙ୍କର ବାହନ), ବୃଷଭଧ୍ଵଜ ଶିବଙ୍କୁ (ଯେହେତୁ ବୃଷଭ ଶିବଙ୍କର ବାହନ) ତଥା ଲାଙ୍ଗଳଧ୍ୱଜ ବଳରାମଙ୍କୁ (ଯେହେତୁ ଲଙ୍ଗଳ ବଳରାମଙ୍କର ଅସ୍ତ୍ର)  ପ୍ରତିନିଧିତ୍ୱ କରିଥାନ୍ତି। ହୁଏତ ଆମମାନଙ୍କ ମଧ୍ୟରୁ ଅନେକ ଜାଣି ନଥିବେ, ଏହି ଧାରାରେ ମକର ଚିହ୍ନିତ ଧ୍ଵଜ ବା ମକରଧ୍ଵଜ କାମଦେବଙ୍କୁ ପ୍ରତିନିଧିତ୍ୱ କରିଥାଏ। ତେବେ ଆଜିର ପ୍ରସଙ୍ଗ ହେଉଛି - କେଉଁ କାରଣରୁ କାମଦେବଙ୍କ ବାହନ ହୋଇନଥିଲେ ମଧ୍ୟ ତାଙ୍କ ଧ୍ଵଜରେ ମକର ସ୍ଥାନିତ ହୋଇଥାଏ ? ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା।

ସ୍ଵରୂପ ଦୃଷ୍ଟିରୁ ମକରକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ଯଥା -

୧) ପୁରାଣ ତଥା ଶିଳ୍ପ ଶାସ୍ତ୍ରରେ ବର୍ଣ୍ଣିତ ମକର

୨) ଲୋକକଥା ତଥା ଆୟୁର୍ବେଦରେ ବର୍ଣ୍ଣିତ ମକର

ପୁରାଣ ତଥା ଶିଳ୍ପ ଶାସ୍ତ୍ରରେ ବର୍ଣ୍ଣିତ ମକର ହେଉଛି ଅର୍ଦ୍ଧେକ ଚତୁଷ୍ପଦ ପ୍ରାଣୀ (ପଶ୍ଚାତ ଭାଗ) ଓ ଅର୍ଦ୍ଧେକ ଲମ୍ବ ଶୁଣ୍ଢ ଥିବା (ଅଗ୍ର ଭାଗ) ଏକ ମିଶ୍ରିତ ତଥା ହିଂସ୍ର ଜଳଚର ଜୀବ । ଏହା ସମୁଦ୍ରର ଦେବତା ବରୁଣ ଓ ଦେବୀ ଗଙ୍ଗାଙ୍କର ବାହନ । ତତ୍ସହିତ ଏହି ମକର ଆକୃତିର କୁଣ୍ଡଳ, ତୋରଣ ଓ ପ୍ରଣାଳ (ଜଳ ନିଷ୍କାସନ ମାର୍ଗ) ଆଦି ବହୁଳ ଭାବରେ ପ୍ରାଚୀନ ସ୍ଥାପତ୍ୟ ଗୁଡ଼ିକରେ ଦେଖିବାକୁ ମିଳିଥାଏ । ଯଦିଓ ଏହି ମକର କୌଣସି ପ୍ରକାରରେ କାମଦେବଙ୍କ ସହିତ ସଂଶ୍ଳିଷ୍ଟ ନୁହେଁ, ତେବେ ଏହା କାମଦେବଙ୍କ ଧ୍ୱଜାରେ ସ୍ଥାନିତ ହେବାର ସମ୍ଭାବିତ କାରଣଟି ବୋଧହୁଏ ତାଙ୍କର ପୁନର୍ଜନ୍ମ ବୃତ୍ତାନ୍ତଟିରେ ରହିଛି । ବୃତ୍ତାନ୍ତଟି ହେଲା -

ଏକଦା ତାରକାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବତାମାନେ କାମଦେବଙ୍କୁ ଅନୁରୋଧ କରିଥିଲେ ଭଗବାନ ଶିବଙ୍କ ପ୍ରତି କାମ (ପୁଷ୍ପ) ବାଣ ପ୍ରୟୋଗ କରିବା ନିମିତ୍ତ ଯଦ୍ୱାରା କି ସେ ପାର୍ବତୀଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କୁ ବିବାହ କରିବେ । ଏପରି ପଦକ୍ଷେପ ନେବାର ଉଦ୍ଦେଶ୍ୟ ଥିଲା - ତାରକାସୁର ବରଦାନ ପାଇଥିଲା ଯେ କେବଳ ଶିବ ପୁତ୍ର ଦ୍ୱାରା ହିଁ ତାହାର ମୃତ୍ୟୁ ସମ୍ଭବ, ଅନ୍ୟଥା ନୁହେଁ । ଏବଂ ଯେହେତୁ ସତୀଙ୍କର ମୃତ୍ୟୁ ପଶ୍ଚାତ ଶିବ ଘୋର ତପସ୍ୟାରେ ଲୀନ ରହିଥିଲେ, ତାଙ୍କର ଧ୍ୟାନ ଭଗ୍ନ ନିମିତ୍ତ ତଥା ତାଙ୍କୁ ପାର୍ବତୀଙ୍କ (ପୁନର୍ଜନ୍ମ ପାଇଥିବା ସତୀ) ପ୍ରତି ଆକୃଷ୍ଟ କରାଇବା ନିମିତ୍ତ କାମଦେବଙ୍କ ପୁଷ୍ପ ବାଣ ପ୍ରୟୋଗର ଅତୀବ ଆବଶ୍ୟକତା ରହିଥିଲା । କାମଦେବ ଜାଣିଥିଲେ ଯେ ଏହା ଅତ୍ୟନ୍ତ ବିପଦ୍ଜନକ, କାରଣ ଏହାଦ୍ବାରା ସେ ଶିବ କୋପର ଶିକାର ହୋଇପାରନ୍ତି । ତଥାପି ସେ ସଂସାରର ମଙ୍ଗଳ ନିମନ୍ତେ ଏହି କାର୍ଯ୍ୟ କରିବାକୁ ଆଗଭର ହୋଇଥିଲେ ।

କାମଦେବଙ୍କ ପୁଷ୍ପବାଣରେ ଶିବଙ୍କ ଧ୍ୟାନଭଗ୍ନ ହୁଅନ୍ତେ ଅତି କ୍ରୋଧ କାରଣରୁ ତାଙ୍କର ତୃତୀୟ ନେତ୍ର ଉନ୍ମୁକ୍ତ ହେଲା ଓ ଏଥିରୁ ସ୍ଫୁରିତ କ୍ରୋଧାଗ୍ନି ଦ୍ୱାରା କାମଦେବ ଭସ୍ମୀଭୂତ ହେଲେ । ଏହା ଦେଖି କାମଦେବଙ୍କ ପତ୍ନୀ ରତି ଦେବୀ ଅତ୍ୟନ୍ତ ବ୍ୟାକୁଳ ଚିତ୍ତ ହୋଇ, ସେହି ଭସ୍ମକୁ ନିଜ ଶରୀରରେ ଲେପନ କରି ଭଗବାନ ଶିବଙ୍କୁ କାମଦେବଙ୍କ ପୁନର୍ଜନ୍ମ ନିମିତ୍ତ ପ୍ରାର୍ଥନା କଲେ । ଶିବ ତାଙ୍କୁ ସାନ୍ତ୍ଵନା ଦେଇ କହିଲେ ଯେ ଦ୍ଵାପର ଯୁଗରେ କାମଦେବ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ପୁତ୍ର (ପ୍ରଦ୍ୟୁମ୍ନ) ରୂପେ ଜନ୍ମ ନେବେ ଓ ସେହି ସମୟରେ ରତି ଦେବୀ ପୁନଃ ତାଙ୍କ ସହିତ ମିଳିତ ହେବେ । ମାତ୍ର ସେ ସମୟ ପର୍ଯ୍ୟନ୍ତ କାମଦେବ ଅନଙ୍ଗ (ବିନା ଅଙ୍ଗରେ ଅଦୃଶ୍ୟ) ଭାବରେ ରହିବେ । ଏହା ଶୁଣି ରତି ଦେବୀ କାମଦେବଙ୍କ ପୁନର୍ଜନ୍ମ ଅପେକ୍ଷାରେ ରହିଲେ ।

ଦ୍ଵାପର ଯୁଗର ଆଗମନରେ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ପୁତ୍ର ରୁପେ ଯେତେବେଳେ ପ୍ରଦ୍ୟୁମ୍ନ ଜନ୍ମ ନେଲେ, ସେତେବେଳେ ଶମ୍ବରାସୁର ତାଙ୍କୁ ଅପହରଣ କରି ନେଇ ମକର ମାନେ ବିଚରଣ କରୁଥିବା ଗଭୀର ସମୁଦ୍ରରେ ନିକ୍ଷେପ କଲା । କାରଣ ସେ ଜାଣିଥିଲା ଯେ ପ୍ରଦ୍ୟୁମ୍ନଙ୍କ ଦ୍ବାରା ସେ ନିହତ ହେବ । ତେବେ ଭୟଙ୍କର ମକର ମାନେ ପ୍ରଦ୍ୟୁମ୍ନଙ୍କର କୌଣସି କ୍ଷତି କରିନଥିଲେ । ଏହାପରେ ଏକ ବିଶାଳକାୟ ମତ୍ସ୍ୟ ତାଙ୍କୁ ଉଦରସ୍ଥ କଲା ଓ ସେହି ମତ୍ସ୍ୟକୁ ମତ୍ସ୍ୟଜୀବୀ ମାନେ ଧରି ପୁନଃ ଏହାକୁ ଶମ୍ବରାସୁରର ରୋଷଶାଳାକୁ ପ୍ରେରଣ କଲେ । ଏହାପରେ ଶମ୍ବରାସୁରର ଦାସୀ ମାୟାବତୀ (ଛଦ୍ମ ବେଶୀ ରତି ଦେବୀ) ମତ୍ସ୍ୟ ଉଦରରୁ ଶିଶୁ ପ୍ରଦ୍ୟୁମ୍ନଙ୍କୁ ଆବିଷ୍କାର କଲେ ଓ ତାଙ୍କର ଲାଳନପାଳନ କଲେ । ପରବର୍ତ୍ତୀ କାଳରେ ପ୍ରଦ୍ୟୁମ୍ନ ଶମ୍ବରାସୁରକୁ ବଧ କଲେ ଓ ପୁନଃ ରତି ଦେବୀଙ୍କ ସହିତ ମିଳିତ ହେଲେ ।

ଏହି ଉପାଖ୍ୟାନରୁ ପ୍ରତୀୟମାନ ହୁଏ ଯେ ଯେହେତୁ ଶିଶୁ ପ୍ରଦ୍ୟୁମ୍ନ ବା କାମଦେବଙ୍କୁ ମକର ମାନେ କୌଣସି କ୍ଷତି କରିନଥିଲେ (ମିତ୍ରବତ୍ ଆଚରଣ କରିଥିଲେ) ତେଣୁ ତାଙ୍କର ଧ୍ଵଜାରେ ମକର ସ୍ଥାନିତ ହୋଇଥାଏ । ଏଥିପାଇଁ ସମ୍ଭବତଃ ତାଙ୍କର ଧ୍ୱଜକୁ ମକରଧ୍ବଜ କୁହାଯାଇଥାଏ ।

ଲୋକକଥା ତଥା ଆୟୁର୍ବେଦର ବର୍ଣ୍ଣନା ଅନୁଯାୟୀ ମଧ୍ୟ ମକର ହେଉଛି ଏକ ଜଳଚର ଜୀବ। ଲୋକକଥାରେ ମକର କହିଲେ ସାଧାରଣତଃ ତିନୋଟି ଜୀବଙ୍କୁ ବୁଝାଏ, ଯଥା - 

୧) ନକ୍ର ବା ମଗର ବା କୁମ୍ଭୀର (ମକର ଓ ମଗର ଶବ୍ଦ ସମାର୍ଥ ବୋଧକ)

୨) ଶାର୍କ ଜାତୀୟ ମତ୍ସ୍ୟ (ଯାହାର ମୁଖ ର ଅଗ୍ରଭାଗ ମକର ପରି ତୀକ୍ଷ୍ମ ଓ ଲମ୍ବା) 

୩) ଡଲଫିନ ଜାତୀୟ ମତ୍ସ୍ୟ (ଯାହାକି ଦେବୀ ଗଙ୍ଗାଙ୍କର ବାହନ)

ଏହିସବୁ ଜୀବ ମକର ଶ୍ରେଣୀୟ ହୋଇଥିବାରୁ ସମ୍ଭବତଃ କାମଦେବଙ୍କ ଧ୍ଵଜାକୁ ମଧ୍ୟ ସ୍ଥାନବିଶେଷରେ ମକରଧ୍ବଜ ବ୍ୟତୀତ ନକ୍ରକେତନ, ମୀନକେତନ ଓ ଝସକେତନ ବୋଲି କୁହାଯାଇଥାଏ ।

ଆୟୁର୍ବେଦର ବର୍ଣ୍ଣନା ଅନୁଯାୟୀ ମକର ହେଉଛି ଏକ ଜଳଚର ଜୀବ । ଅଷ୍ଟାଙ୍ଗ ହୃଦୟ ମତରେ ଏହା ଏକ ମତ୍ସ୍ୟ, ଚରକ ସଂହିତା ମତରେ ଏହା ଏକ ବାରିଶୟ ପ୍ରାଣୀ (ଜଳରେ ରହୁଥିବା ପ୍ରାଣୀ) ଏବଂ ସୁଶୃତ ସଂହିତା ମତରେ ଏହା ଏକ ସାମୁଦ୍ରିକ ମତ୍ସ୍ୟ ଯାହାର ମାଂସ ଶୁକ୍ର ବର୍ଦ୍ଧକ। ହାରୀତ ସଂହିତା ମତରେ - ମକର ହେଉଛି ମତ୍ସ୍ୟ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଯାହାର ମାଂସ ଅଗ୍ନି ଦୀପକ, ବାତ ଦୋଷ ନାଶକ, ରୁଚିପ୍ରଦ, ଶୁକ୍ର ବର୍ଦ୍ଧକ ଓ ଅଶ୍ମରୀ ଦୋଷ (ପଥୁରି) ନାଶକ । ତେଣୁ ଆୟୁର୍ବେଦ ଗ୍ରନ୍ଥଗୁଡ଼ିକର ବର୍ଣ୍ଣନା ଅନୁଯାୟୀ ମକରର ମାଂସ ହେଉଛି ସାଧାରଣତଃ ଶୁକ୍ର ଧାତୁ ବର୍ଦ୍ଧକ । ଯେହେତୁ କାମଦେବ ପ୍ରାଣୀ ମାନଙ୍କ ମଧ୍ୟରେ କାମ ଭାବର ଉଦ୍ରେକ କରାନ୍ତି ତେଣୁ ଶୁକ୍ର ବର୍ଦ୍ଧକ ମକର ତାଙ୍କ ଧ୍ୱଜାରେ ସ୍ଥାନିତ ହେବା ସମିଚୀନ ମନେହୁଏ ।

ପୁନଶ୍ଚ ଶ୍ରେଷ୍ଠ ବାଜୀକର ଦ୍ରବ୍ୟ (କାମୋଦ୍ଦୀପକ ଦ୍ରବ୍ୟ) ଭାବେ ଚରକ ସଂହିତାରେ ମକରର ସମାର୍ଥ ବୋଧକ ଜୀବ ନକ୍ର ର ରେତସ କୁ ବର୍ଣ୍ଣନା କରାଯାଇଛି । ତେଣୁ କାମଦେବଙ୍କ ଧ୍ୱଜାକୁ ମକରଧ୍ବଜ, ମକରକେତନ, ମୀନକେତନ, ଝସକେତନ, ନକ୍ରକେତନ ଆଦି କହିବା ଯଥାର୍ଥ ମନେହୁଏ ।

© ଡ଼ାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)