ଶିବ ଲିଙ୍ଗର ତାତ୍ତ୍ୱିକ ବିଶ୍ଳେଷଣ
ସନାତନ ଧର୍ମରେ ଈଶ୍ବରଙ୍କ ସାକାର ଆରାଧନାର ପ୍ରାଚୀନତମ ସ୍ଵରୂପ ହେଉଛି ଶିବ ଲିଙ୍ଗ । ତେବେ ଅନେକ ବ୍ୟକ୍ତି ଭ୍ରମ ବା ମିଥ୍ୟା ଧାରଣାର ବଶବର୍ତ୍ତୀ ହୋଇ ଶିବ ଲିଙ୍ଗକୁ ପୁରୁଷ ଯୌନାଙ୍ଗ ସହିତ ତୁଳନା କରନ୍ତି । ଅତି ପ୍ରାଚୀନ ଭାସ୍କର୍ଯ୍ୟ ଗୁଡ଼ିକରେ ମଧ୍ୟ ପୁରୁଷ ଯୌନାଙ୍ଗ ସଦୃଶ ଶିବ ଲିଙ୍ଗ ଦେଖିବାକୁ ମିଳେ ଯାହାକି ଏହି ଧାରଣାକୁ ବଳବତ୍ତର କରେ । ବିଧର୍ମୀମାନେ ସନାତନୀମାନଙ୍କୁ ଲିଙ୍ଗ ବା ପୁରୁଷ ଯୌନାଙ୍ଗ ଉପାସକ ବୋଲି ମଧ୍ୟ କୁହନ୍ତି । ତେବେ ଶିବ ଲିଙ୍ଗର ତାତ୍ତ୍ଵିକ ଅର୍ଥ ବାସ୍ତବିକ ଏହାଠାରୁ ଭିନ୍ନ ଅଟେ ଯାହାକି ଶିବ ପୁରାଣରେ ବର୍ଣ୍ଣିତ । ଏହାର ବର୍ଣ୍ଣନା ଅନୁଯାୟୀ ଶିବ ଲିଙ୍ଗ ହେଉଛି -
୧) ଶିବଙ୍କର ନିଷ୍କଳ ବା ନିରାକାର ସ୍ୱରୂପ -
ଏକମାତ୍ର ଭଗବାନ ଶିବହିଁ ବ୍ରହ୍ମରୂପ ହେବା କାରଣରୁ ନିଷ୍କଳ ବା ନିରାକାର ଅଟନ୍ତି। ପୁନଶ୍ଚ ରୂପବାନ ହେବା କାରଣରୁ ମଧ୍ୟ ସେ ସକଳ ବା ସାକାର ଅଟନ୍ତି। ଶିବଙ୍କ ନିରାକାର ହେବା କାରଣରୁ ତାଙ୍କର ପୂଜାର ଆଧାରଭୁତ ଲିଙ୍ଗ ମଧ୍ୟ ନିରାକାର। ଅର୍ଥାତ ଶିବଲିଙ୍ଗ ଶିବଙ୍କର ନିରାକାର ସ୍ୱରୂପ ଏବଂ ସାକ୍ଷାତ ବ୍ରହ୍ମର ପ୍ରତୀକ। ସେହିପରି ଶିବଙ୍କର ସାକାର ବିଗ୍ରହ ତାଙ୍କର ସାକାର ସ୍ୱରୂପର ପ୍ରତୀକ।
୨) 'ବିନ୍ଦୁ-ନାଦ' ବା 'ଶିବ-ଶକ୍ତି' ଙ୍କର 'ଏକୀକରଣ' ବା 'ସକଳୀକରଣ' ର ସ୍ୱରୂପ -
ଅନ୍ୟ ଅର୍ଥରେ ଶିବଲିଙ୍ଗ ହେଉଛି ବିନ୍ଦୁ-ନାଦ ସ୍ୱରୂପ, ଅତଃ ଏହାକୁ ଜଗତର କାରଣ ବୋଲି କୁହାଯାଏ। ଦେବୀ ଉମା ଜଗତର ମାତା ଏବଂ ଭଗବାନ ଶିବ ଜଗତର ପିତା ଅଟନ୍ତି।
ସମସ୍ତ ଚରାଚର ଜଗତ ମଧ୍ୟ ବିନ୍ଦୁ-ନାଦ ସ୍ୱରୂପ। ବିନ୍ଦୁ ଶକ୍ତି ଏବଂ ନାଦ ଶିବ। ତେଣୁ ଏହି ଜଗତ ଶିବ-ଶକ୍ତି ସ୍ୱରୂପ ମଧ୍ୟ। ବିନ୍ଦୁ ଏବଂ ନାଦ ସମ୍ପୂର୍ଣ୍ଣ ଜଗତର ଆଧାର ରୂପରେ ସ୍ଥିତ। ନାଦ ବିନ୍ଦୁର ଏବଂ ବିନ୍ଦୁ ଜଗତର ଆଧାର। ବିନ୍ଦୁ ଏବଂ ନାଦଦ୍ୱାରା ଯୁକ୍ତ ସବୁକିଛି ଶିବ ସ୍ୱରୂପ, କାରଣ ଶିବ ହିଁ ସବୁକିଛିର ଆଧାର। ଆଧାରରେ ହିଁ ଆଧେୟର ସମାବେଶ ଅଥବା ଲୟ ହୋଇଥାଏ। ଏହାକୁ ସକଳୀକରଣ କୁହାଯାଏ। ଏହି ସକଳୀକରଣ ବା ବିନ୍ଦୁ ଓ ନାଦର ଏକୀକରଣ ସ୍ଥିତିରେ ହିଁ ସୃଷ୍ଟିକାଳରେ ଜଗତର ପ୍ରାଦୁର୍ଭାବ ହୋଇଥାଏ। ତେଣୁ ଶିବ ଲିଙ୍ଗ ହେଉଛି ସକଳୀକରଣର ପ୍ରତୀକ ଯହିଁରୁ ଜଗତ ବା ବ୍ରହ୍ମାଣ୍ଡର ଉତ୍ପତ୍ତି ହୋଇଥାଏ ।
୩) ପ୍ରକୃତି ଓ ପୁରୁଷର ମିଳନର ସ୍ୱରୂପ -
ପୁନଶ୍ଚ ଶିବ ପୁରୁଷ ଏବଂ ଶିବା ବା ଶକ୍ତି ପ୍ରକୃତି ଅଟନ୍ତି। ଅବ୍ୟକ୍ତ ଆନ୍ତରିକ ଅଧିଷ୍ଠାନରୂପ ଗର୍ଭକୁ ପୁରୁଷ କହନ୍ତି ଏବଂ ସୁବ୍ୟକ୍ତ ଆନ୍ତରିକ ଅଧିଷ୍ଠାନରୂପ ଗର୍ଭକୁ ପ୍ରକୃତି କହନ୍ତି । ପୁରୁଷ ଆଦିଗର୍ଭ ଅଟନ୍ତି ଏବଂ ସେ ପ୍ରକୃତିରୁପ ଗର୍ଭଦ୍ୱାରା ଯୁକ୍ତ ହେବା କାରଣରୁ ଗର୍ଭବାନ ଅଟନ୍ତି, କାରଣ ସେ ହିଁ ପ୍ରକୃତିର ଜନକ। ପ୍ରକୃତି ପୁରୁଷ ସହିତ ସଂଯୁକ୍ତ ହେବା ପରେ ତାର ପ୍ରଥମ ଜନ୍ମ ହୋଇଥାଏ ଏବଂ ଏହି ପ୍ରକୃତି ଓ ପୁରୁଷର ସଂଯୁକ୍ତ ସ୍ଵରୂପ ହେଉଛି ଶିବ ଲିଙ୍ଗ।
ଅବ୍ୟକ୍ତ ପ୍ରକୃତିରୁ ମହତ୍ ତତ୍ତ୍ବ ଆଦି ଦ୍ୱାରା ଯେଉଁ କ୍ରମାନ୍ଵୟରେ ଜଗତର ବ୍ୟକ୍ତ ହୋଇଥାଏ, ତାହାକୁ ପ୍ରକୃତିର ଦ୍ଵିତୀୟ ଜନ୍ମ କୁହାଯାଏ। ଯେ ଜନ୍ମ ନେଇଥାଏ ଏବଂ ବିବିଧ ବନ୍ଧନରେ ପଡିଥାଏ ତାହାକୁ ଜୀବ କୁହାଯାଏ। ଅତଃ ଜନ୍ମମୃତ୍ୟୁରୁପୀ ବନ୍ଧନର ନିବୃତ୍ତି ପାଇଁ ଜନ୍ମର ଅଧିଷ୍ଠାନଭୁତ ମାତୃ-ପିତୃ ସ୍ଵରୂପ ଶିବଲିଙ୍ଗର ଆରାଧନା କରିବା ଉଚିତ।
ଲିଙ୍ଗ ଶବ୍ଦର ଅନ୍ୟ ଏକ ଅର୍ଥ ମଧ୍ଯ ହେଉଛି - ଚିହ୍ନ। ତେଣୁ ଶିବ ଲିଙ୍ଗ ହେଉଛି ଶିବଙ୍କର ନିଷ୍କଳ ବା ନିରାକାର ସ୍ଵରୂପର ଚିହ୍ନ/'ବିନ୍ଦୁ-ନାଦ' ବା 'ଶିବ-ଶକ୍ତି' ଙ୍କର ଏକୀକରଣ ବା ସକଳୀକରଣର ଚିହ୍ନ/ପ୍ରକୃତି ଓ ପୁରୁଷର ମିଳନର ଚିହ୍ନ ।
ତେଣୁ ଆମେ ଶିବ ଲିଙ୍ଗର ଆରାଧନା କରିବା ସମୟରେ କୌଣସି ପ୍ରକାରରେ କୁଣ୍ଠାବୋଧ ନକରି ବା ମନରେ କୌଣସି ପ୍ରକାରର ବିକାର ନଆଣି ଏହାକୁ ମାତୃ-ପିତୃ ସ୍ଵରୂପ ବା ଜଗତର ଉତ୍ପତ୍ତିର କାରଣ ସ୍ଵରୂପ ମନେ କରି ଆନ୍ତରିକ ଆନନ୍ଦର ପ୍ରାପ୍ତି ପାଇଁ ତଥା କର୍ମ ବନ୍ଧନରୁ ମୁକ୍ତି ନିମିତ୍ତ ଆରାଧନା କରିବା ଉଚିତ ।
ତତ୍ ପ୍ରଣମାମି ସଦାଶିବଲିଙ୍ଗମ୍ 🙏
© ଡ଼ାକ୍ତର କୁମାର ଅରୋଜ୍ୟୋତି

Comments
Post a Comment