କୋଣାର୍କର ଭାସମାନ ସୂର୍ଯ୍ୟ ମୂର୍ତ୍ତିର ସତ୍ୟାସତ୍ୟ ସମ୍ପର୍କରେ


ଲୋକକଥା ବା କିମ୍ବଦନ୍ତୀ ଆଧାରରେ କୋଣାର୍କ ମନ୍ଦିରର ଗର୍ଭଗୃହରେ ଥିବା ସୂର୍ଯ୍ୟ ଦେବଙ୍କର ଅଧିଷ୍ଠାତ୍ରୀ ଦେବମୂର୍ତ୍ତି ଏହାର ଉର୍ଦ୍ଧ୍ବ ଦେଶରେ ଥିବା ବିଶାଳ ଚୁମ୍ବକ ଦ୍ବାରା ଆକର୍ଷିତ ହୋଇ ଶୂନ୍ୟରେ ଭାସମାନ ଅବସ୍ଥାରେ ଥିଲା ଯାହାକି ବାସ୍ତବିକ ଏକ ଆଶ୍ଚର୍ଯ୍ୟ ଥିଲା । ପରବର୍ତ୍ତୀ ସମୟରେ କୋଣାର୍କ ମନ୍ଦିର ବିଧର୍ମୀମାନଙ୍କ ଦ୍ଵାରା ଭଗ୍ନ ହେବା ପରେ ଏହା ଅବହେଳିତ ଅବସ୍ଥାରେ ରହିଥିଲା ଏବଂ ଏହି ସମୟରେ ଏକ ବିଦେଶୀ ଜଳଯାହାଜ ଏହାର ଶୀର୍ଷ ଦେଶରେ ଥିବା ସେହି ବିଶାଳ ଚୁମ୍ବକ ଦ୍ଵାରା ଗଭୀର ଭାବରେ ପ୍ରଭାବିତ ହେବା ଯୋଗୁଁ ସେମାନଙ୍କ ଦ୍ଵାରା ଏହା ଅପସାରିତ ହୋଇଥିଲା ଓ ଫଳସ୍ୱରୁପ ଗର୍ଭଗୃହଟି ସମ୍ପୂର୍ଣ୍ଣ ଭାବେ ଭୁଷୁଡି ପଡ଼ିଥିଲା । ତେବେ ତଥାକଥିତ ଏହି ବିଶାଳ ଚୁମ୍ବକଟିର ସତ୍ୟାସତ୍ୟ ନେଇ ଆସନ୍ତୁ ସମ୍ୟକ୍ ରୂପେ ଆଲୋଚନା କରିବା ।

ପ୍ରଥମତଃ ଯଦି ସୂର୍ଯ୍ୟ ମୂର୍ତ୍ତିଟି ଭାସମାନ ଅବସ୍ଥାରେ ଥିଲା, ତେବେ ଏହାର ପାରମ୍ପରିକ ଉପାସନା ଆଦି କର୍ମ ହୋଇପାରି ନ ଥିବ, ଯେପରିକି ଏହାର ବେଶ, ଅଭିଷେକ ଆଦି କର୍ମ । ତେବେ କୋଣାର୍କ ମନ୍ଦିରର ଗର୍ଭଗୃହରେ ଥିବା ରତ୍ନବେଦୀ ଉପରିସ୍ଥ ବିବିଧ ବ୍ୟାବହାରିକ ଚିହ୍ନରୁ ଏହା ସୁସ୍ପଷ୍ଟ ଯେ ଏହା ଉପରେ ସ୍ଥାପିତ ସୂର୍ଯ୍ୟ ଦେବଙ୍କର ମୂର୍ତ୍ତିଟିର ଅଭିଷେକ ଉପାସନା ଆଦି କର୍ମ କରାଯାଉଥିଲା ଏବଂ ଏହି କର୍ମାଦି ନିମିତ୍ତ ବ୍ୟବହୃତ ଉପକରଣ ଗୁଡିକର ବ୍ୟବହାର ଚିହ୍ନ ରତ୍ନବେଦୀ ଉପରେ ଏବେ ମଧ୍ୟ ସୁସ୍ପଷ୍ଟ । ଅତଏବ ଏହା ପ୍ରମାଣିତ ଯେ ସୂର୍ଯ୍ୟ ମୂର୍ତ୍ତିଟି ଭାସମାନ ଅବସ୍ଥାରେ ନଥିଲା ।

ଦ୍ବିତୀୟତଃ ଯଦି ସୂର୍ଯ୍ୟ ମୂର୍ତ୍ତିଟି ଗର୍ଭଗୃହ ଶୀର୍ଷସ୍ଥ ବିଶାଳ ଚୁମ୍ବକ ଦ୍ଵାରା ଆକର୍ଷିତ ହୋଇ ଭାସମାନ ଅବସ୍ଥାରେ ଥିଲା ତେବେ ଏହା ସାଧାରଣତଃ ଲୁହାରେ ନିର୍ମିତ ହୋଇଥିବ । ତେବେ ଶିଳ୍ପ ଶାସ୍ତ୍ର ମତରେ (ଭବିଷ୍ୟ ପୁରାଣରେ ବର୍ଣ୍ଣିତ) ଭଗବାନ ସୂର୍ଯ୍ୟଙ୍କର ପ୍ରତିମା ସ୍ଵର୍ଣ୍ଣ, ରୌପ୍ୟ, ତାମ୍ର, ପାଷାଣ, ମୃତ୍ତିକା, କାଷ୍ଠ କିମ୍ବା ଚିତ୍ରଲିଖିତ ହେବା ବିଧେୟ, ଲୌହ ନିର୍ମିତ ନୁହେଁ । କାରଣ ଲୌହ, କାଚ ଓ ବଙ୍ଗ ଧାତୁ ନିର୍ମିତ ପ୍ରତିମା ଅନିଷ୍ଟ କାରକ । ଅତଏବ ଏଥିରୁ ସୁସ୍ପଷ୍ଟ ଯେ ସୂର୍ଯ୍ୟ ଦେବଙ୍କର ମୂର୍ତ୍ତିଟି ଲୌହ ନିର୍ମିତ ନଥିଲା, ଏଣୁ ଏହା ଚୁମ୍ବକ ଦ୍ବାରା ଆକର୍ଷିତ ହୋଇ ଶୂନ୍ୟରେ ଭାସମାନ ଅବସ୍ଥାରେ ରହିବା ଘଟଣା ଅସତ୍ୟ ।

ତୃତୀୟତଃ ଯଦିବା ଏହା ଲୌହ ନିର୍ମିତ ଥିଲା ଓ ଶୀର୍ଷ ଦେଶସ୍ଥ ବିଶାଳ ଚୁମ୍ବକ ଦ୍ଵାରା ଆକର୍ଷିତ ହୋଇ ଶୂନ୍ୟରେ ଭାସମାନ ଅବସ୍ଥାରେ ଥିଲା, ତେବେ ସେହି ବିଶାଳ ଚୁମ୍ବକ ନିଶ୍ଚିତ ଭାବେ ଅନ୍ୟାନ୍ୟ ଲୌହ ଉପକରଣ ଗୁଡିକୁ ଆକର୍ଷିତ କରୁଥିବ ଯେପରିକି ଭକ୍ତଙ୍କର ଲୌହ ଅଳଙ୍କାର, ଉପକରଣ ଆଦି ଯାହାକି ସାଧାରଣତଃ ବ୍ୟବହୃତ ହୋଇଥାଏ । ଏଣୁ ସମ୍ଭବତଃ କିଛି ବା ଅନେକ ଗୁଡ଼ିଏ ଲୌହ ଉପକରଣ ଶୀର୍ଷ ଦେଶସ୍ଥ ବିଶାଳ ଚୁମ୍ବକ ଦ୍ଵାରା ଆକର୍ଷିତ ହୋଇ ଉପରେ ଲାଗିଯାଇଥିବ, କିମ୍ବା ଲୌହ କଡ଼ା ପିନ୍ଧିଥିବା କିଛି ଭକ୍ତଙ୍କୁ ଏହା ଅସ୍ବାଭାବିକ ଭାବେ ନିଜ ଆଡ଼କୁ ଆକର୍ଷିତ କରିଥିବ ଯାହାକି ଏକ ଦେବାଳୟର ଦୈନନ୍ଦିନ କାର୍ଯ୍ୟକ୍ରମ ପାଇଁ ବିଘ୍ନ କାରକ । ଏଣୁ ଏପରି ଚୁମ୍ବକର ଉପସ୍ଥିତି ଅସମିଚୀନ ମନେହୁଏ ।

ଚତୁର୍ଥରେ ଯଦି ସୂର୍ଯ୍ୟ ମୂର୍ତ୍ତିଟି ବିଶାଳ ଚୁମ୍ବକ କିମ୍ବା ଏକ ferromagnetic, diamagnetic ଅଥବା paramagnetic field ଦ୍ବାରା ଆକର୍ଷିତ/ବିକର୍ଷିତ ହୋଇ ଶୂନ୍ୟରେ ଭାସମାନ ଅବସ୍ଥାରେ ଥିଲା, ତେବେ ମଧ୍ୟ ଏହା ବିଜ୍ଞାନ ସମ୍ମତ ନୁହେଁ, କାରଣ Earnshaw's theorem ଅନୁଯାୟୀ ଏଭଳି 'ଦୀର୍ଘକାଳୀନ ସ୍ଥିର ଭାସମାନ ସ୍ଥିତି' ବିଜ୍ଞାନ ଅନୁଯାୟୀ ଅସମ୍ଭବ ।

ଏଣୁ କୋଣାର୍କର ଭାସମାନ ସୂର୍ଯ୍ୟ ମୂର୍ତ୍ତି ଘଟଣା ଅସତ୍ୟ ଓ ଏହା କେବଳ ଏକ କିମ୍ବଦନ୍ତୀ ଯାହାକି ଭାରତ ତଥା ବିଶ୍ବର ବିବିଧ ପ୍ରାଚୀନ ସ୍ଥାପତ୍ୟ ଆଦିର ବର୍ଣ୍ଣନାରେ ବହୁଳ ଭାବରେ ଜଡ଼ିତ, କିନ୍ତୁ ଭିତ୍ତିହୀନ । ଏହାର କୌଣସି ଐତିହାସିକ ପୃଷ୍ଠଭୂମି ନାହିଁ କି କୌଣସି ପରିବ୍ରାଜକ ଅଥବା ପରିଦର୍ଶକଙ୍କ ଦ୍ଵାରା ଏହାର ବର୍ଣ୍ଣନା ନାହିଁ ।

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)