'ରୁଦ୍ର ଭାଗ' - ଔଷଧ ବିକ୍ରେତାଙ୍କ ଠାରୁ ପ୍ରାପ୍ତ ଚିକିତ୍ସକଙ୍କ ନୈତିକ କମିଶନ


ଆଜିର ଯୁଗରେ ଏକ ମାରାତ୍ମକ ବ୍ୟାଧି ଚିକିତ୍ସକ ସମାଜକୁ କବଳିତ କରିଛି । ତାହା ହେଉଛି ଅନୈତିକ କମିଶନ । ଏହା ହେଉଛି ଚିକିତ୍ସକଟିଏ ଔଷଧ ଚିଠା (Prescription) ରେ ବିବିଧ ଔଷଧ କମ୍ପାନୀଙ୍କ ଉତ୍ପାଦ ଲେଖିବା ନିମନ୍ତେ ସଂପୃକ୍ତ କମ୍ପାନୀଙ୍କ ଠାରୁ ପାଉଥିବା କମିଶନ ତଥା ରୋଗ ନିଦାନ ନିମନ୍ତେ ବିବିଧ ରୋଗୀ ପରୀକ୍ଷା ସମ୍ପର୍କିତ ଚିକିତ୍ସୀୟ ପରାମର୍ଶ ପାଇଁ ସଂପୃକ୍ତ ନିଦାନ ସଂସ୍ଥା ଠାରୁ ନେଉଥିବା କମିଶନ । ଉଭୟ ଅନୈତିକ ଏବଂ ସାମାଜିକ ବ୍ୟାଧି ସଦୃଶ । କାରଣ ଏହାଦ୍ୱାରା ଚିକିତ୍ସକଙ୍କର ମୂଳ ଲକ୍ଷ୍ୟ - 'ସର୍ବନିମ୍ନ ଉପାୟ ତଥା ମୂଲ୍ୟ ବିନିମୟରେ ରୋଗୀର ରୋଗ ନିଦାନ ଓ ଚିକିତ୍ସା' ବାଧାପ୍ରାପ୍ତ ହୋଇଥାଏ ଏବଂ ଏହା ଚିକିତ୍ସକ ପରି ଆଦର୍ଶ ସ୍ଥାନୀୟ ବୃତ୍ତିକୁ କେବଳ ଏକ ଅର୍ଥ ଉପାର୍ଜନକାରୀ ବୃତ୍ତିରେ ପରିଣତ କରିଥାଏ । ଆଜିର ଯୁଗରେ ଚିକିତ୍ସକମାନେ ଅନୈତିକ ଉପାୟରେ ଔଷଧ କମ୍ପାନୀଙ୍କ ଏକ ନିର୍ଦ୍ଦିଷ୍ଟ ପରିମାଣର ବିକ୍ରୟ (Target sale) ଲକ୍ଷ୍ୟରେ  ସହଯୋଗ ଦେଇ ସେମାନଙ୍କ ଠାରୁ ପାଉଥିବା ବହୁମୂଲ୍ୟ ଉପହାର, ବିଦେଶ ଭ୍ରମଣର ସୁବିଧା ଆଦି କାହାରି ଠାରୁ ଅଛପା ନୁହେଁ । ତେବେ ଏହାର ନିରାକରଣର ଉପାୟ କଣ ?

ନିରାକରଣର ଉପାୟଟି ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ । ତାହା ହେଲା ଔଷଧ ଚିଠା (Prescription) ରେ ବିବିଧ ଔଷଧ ନିର୍ମାତା ବା ଔଷଧ ଦୋକାନୀଙ୍କ ଉତ୍ପାଦ ଲେଖିବା ନିମନ୍ତେ ସଂପୃକ୍ତ ସଂସ୍ଥା ଠାରୁ ଏକ ନୈତିକ ପ୍ରାପ୍ୟ ନେବା । ଏହା ନୈତିକ ଏଇଥିପାଇଁ ଯେ ଏ ପ୍ରକାର ବ୍ୟବସ୍ଥାରେ ଚିକିତ୍ସକ ଏକ ଶାସ୍ତ୍ର ନିର୍ଦ୍ଦିଷ୍ଟ ପାଉଣା ନେଇଥାନ୍ତି, ନା କି ଆଜିର ଯୁଗ ପରି ଏକ 'ଲକ୍ଷ୍ୟ ପୂର୍ତ୍ତୀକାରୀ କର୍ତ୍ତା' (Target fulfilling agent) ଭାବେ ନୀତି ବିରୁଦ୍ଧ ପ୍ରାପ୍ୟ ନେଇଥାନ୍ତି ।  ଆସନ୍ତୁ ଏବେ ଜାଣିବା ପ୍ରାଚୀନ କାଳରେ ଚିକିତ୍ସକମାନେ ଔଷଧ ନିର୍ମାତା ବା ଦୋକାନୀଙ୍କ ଠାରୁ କି ପାଉଣା ପାଉଥିଲେ ।

ତ୍ରୟୋଦଶ ଶତାବ୍ଦୀରେ ରଚିତ ଆୟୁର୍ବେଦ ଗ୍ରନ୍ଥ 'ରସରତ୍ନସମୁଚ୍ଚୟ' ରେ ଏ ସମ୍ପର୍କିତ 'ରୁଦ୍ର ଭାଗ' ର ବର୍ଣ୍ଣନା କରାଯାଇଛି । ଯଥା -

ଭୈଷଜ୍ୟକ୍ରୀଣିତ ଦ୍ରବ୍ୟଭାଗୋ ଅପ୍ୟେକାଦଶୋ ହି ଯଃ । ବଣିଗ୍ଭ୍ୟୋ ଗୃହ୍ୟତେ ବୈଦ୍ୟୈଃ ରୁଦ୍ରଭାଗଃ ସ ଉଚ୍ଚ୍ୟତେ।

[ରସରତ୍ନସମୁଚ୍ଚୟ ୮/୩]

ଉକ୍ତ ଶ୍ଳୋକ ଅନୁସାରେ ଚିକିତ୍ସକଙ୍କୁ ଔଷଧ ଦୋକାନୀ ତାଙ୍କ ପରାମର୍ଶ ଅନୁଯାୟୀ ବିକ୍ରୀତ ଔଷଧ ମୂଲ୍ୟର ଏକାଦଶ ଭାଗରୁ ଏକ ଭାଗ ବା ୯.୧ % ଦେବା ବିଧେୟ ଯାହାକୁ 'ରୁଦ୍ର ଭାଗ' କୁହାଯାଏ ।

ଏହାକୁ 'ରୁଦ୍ର ଭାଗ' ଏଥିପାଇଁ କୁହାଯାଉଥିଲା କାରଣ ବୈଦିକ ମତରେ ରୁଦ୍ର ହେଉଛନ୍ତି ପ୍ରଥମ ଚିକିତ୍ସକ ଓ ପରବର୍ତ୍ତୀ ସମୟର ଚିକିତ୍ସକମାନେ ମଧ୍ୟ ରୁଦ୍ରଙ୍କ ଅବତାର ସ୍ବରୂପ । ପୁନଶ୍ଚ ଏକାଦଶ ଭାଗ ମଧ୍ୟ ପ୍ରତୀକାତ୍ମକ ରୂପେ ଏକାଦଶ ରୁଦ୍ରଙ୍କୁ ପ୍ରତିନିଧିତ୍ବ କରେ । ତେଣୁ ଏହି 'ରୁଦ୍ର ଭାଗ' ଥିଲା ଚିକିତ୍ସକଙ୍କର କମିଶନ ବା ନ୍ୟାୟତଃ ପ୍ରାପ୍ତି, ଯାହାକି ସେମାନଙ୍କର ଭରଣପୋଷଣରେ ସାହାଯ୍ୟ କରୁଥିଲା ତଥା ଏହି ଆଦର୍ଶ ବୃତ୍ତିର ସୁପରିଚାଳନାରେ ଏକ ନୈତିକ ମାନଦଣ୍ଡ ସ୍ଥାପନ କରିଥିଲା । 

ତେବେ ଆଜିର ଯୁଗରେ ମଧ୍ୟ ଚିକିତ୍ସକଙ୍କୁ ନୈତିକ ଅଧଃପତନରୁ ରକ୍ଷା କରିବା ନିମନ୍ତେ ତଥା ସେମାନଙ୍କୁ ଆର୍ଥିକ ସ୍ଵଚ୍ଛଳତା ପ୍ରଦାନ କରିବା ନିମନ୍ତେ ଏ ମାନଦଣ୍ଡ ପ୍ରଯୁଜ୍ୟ । ମାତ୍ର ବାଘଟିଏ ମଣିଷ ରକ୍ତର ସ୍ଵାଦ ଚାଖିଥିବା ପରି ପୂର୍ବରୁ ଅନୈତିକ କମିଶନ ପ୍ରାପ୍ତିର ସ୍ୱାଦ ବା 'ପଶୁ ଭାଗ' ସହ ଅଭ୍ୟସ୍ତ ଚିକିତ୍ସକଟିଏ ଏହି ପଶୁପତି ବା ରୁଦ୍ରଙ୍କର ଭାଗକୁ ଗ୍ରହଣ କରିବାକୁ ଯୋଗ୍ୟ ବା ଇଚ୍ଛୁକ ତ ?

© ଡ଼ାକ୍ତର କୁମାର ଅରୋଜ୍ୟୋତି 

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)