ଶ୍ରୀହନୁମାନଙ୍କ କପୀଶ ରୂପ କାହିଁକି
ଜୟ ହନୁମାନ ଜ୍ଞାନ ଗୁଣ ସାଗର । ଜୟ 'କପୀଶ' ତିହୁଁ ଲୋକ ଉଜାଗର ॥
ହରି ଓ ହର ଦୁହିଁଙ୍କୁ ଭିନ୍ନ ଭାବେ ଦେଖିବା ଅଥବା ତାଙ୍କ ମଧ୍ୟରୁ ଜଣଙ୍କୁ ଅନ୍ୟ ଜଣଙ୍କ ଠାରୁ ଶ୍ରେଷ୍ଠ ପ୍ରତିପାଦନ କରିବା ନିମନ୍ତେ ଚେଷ୍ଟା କରିବା ଦୋଷାବହ । କାରଣ ଉଭୟେ ଅଭିନ୍ନ । ତେଣୁ ଶ୍ରୀହରି ଯେତେବେଳେ ଶ୍ରୀରାମ ରୂପରେ ଧରାପୃଷ୍ଠରେ ଅବତୀର୍ଣ୍ଣ ହେଲେ, ଭଗବାନ ଶିବ ତାଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତେ ବା କିପରି ? ତେଣୁ ସେ ଶ୍ରୀହନୁମାନ ରୂପରେ ଅବତାର ଗ୍ରହଣ କରିଥିଲେ । ତେବେ ସେ 'କପୀଶ' ରୂପରେ କାହିଁକି ଅବତାର ଗ୍ରହଣ କଲେ ତାହା ଜାଣିବା ନିମନ୍ତେ ଆମେ ଏହା ପୂର୍ବରୁ ଘଟିଥିବା ପ୍ରସଙ୍ଗ ଉପରେ କିଞ୍ଚିତ୍ ଆଲୋକପାତ କରିବା ।
ଆମେ ଜାଣୁ ଭଗବାନ ଶିବଙ୍କ ଦ୍ଵାରପାଳ ତଥା ପ୍ରମୁଖ ଗଣ ହେଉଛନ୍ତି ନନ୍ଦୀ ଯେକି ସାକ୍ଷାତ୍ ରୁଦ୍ର ସ୍ବରୂପ । ମାତ୍ର ପରବର୍ତ୍ତୀ ସମୟରେ ସେ କପିମୁଖ ବା ବାନରମୁଖ ହୋଇଥିଲେ । ନନ୍ଦୀ କିପରି କପିମୁଖ ହେଲେ ସେ ସମ୍ବନ୍ଧୀୟ ବର୍ଣ୍ଣନା ସ୍କନ୍ଦ ପୁରାଣରେ ରହିଛି । ସ୍କନ୍ଦ ପୁରାଣର ମାହେଶ୍ୱର ଖଣ୍ଡ ଅନ୍ତର୍ଗତ କେଦାର ଖଣ୍ଡରେ ବର୍ଣ୍ଣିତ ଅଛି ଯେ -
"ନନ୍ଦୀଙ୍କର କପିମୁଖ ହେଉଛି ତାଙ୍କର ଶିଵ ଉପାସନାର ଇପ୍ସିତ ଫଳ । ଭଗବାନ ଶିବ ଏକଦା ନନ୍ଦୀଙ୍କୁ ତାଙ୍କ ସାରୁପ୍ୟର ବରଦାନ ଦେବାକୁ ଚାହିଁଥିଲେ, କିନ୍ତୁ ନନ୍ଦୀ ସ୍ୱୟଂ ଏହାକୁ ସ୍ୱୀକାର ନ କରି ନିଜ ନିମିତ୍ତ କପି ସଦୃଶ ମୁଖ ହିଁ କାମନା କରିଥିଲେ । ଫଳସ୍ୱରୂପ ଭଗବାନ ଶିବ ତାଙ୍କୁ ନିଜ ଇପ୍ସିତ କପିମୁଖ ପ୍ରାପ୍ତିର ବର ପ୍ରଦାନ କରିଥିଲେ ।" ଏହା ପରଠାରୁ ନନ୍ଦୀ କପିମୁଖ ରୂପରେ ହିଁ ଦୃଶ୍ୟମାନ ହେଲେ ଏବଂ ନନ୍ଦୀଙ୍କର ଏହି କପିମୁଖ ରୂପ ବହୁଳ ଭାବରେ ଉତ୍କଳୀୟ ପରମ୍ପରାରେ ପ୍ରତିଫଳିତ ହୁଏ ।
ଘଟଣାକ୍ରମେ ଲଙ୍କାପତି ରାବଣ ଏକଦା ଅହଙ୍କାରର ବଶବର୍ତ୍ତୀ ହୋଇ କୈଳାସ ପର୍ବତକୁ ଉଠାଇବା ସମୟରେ ନନ୍ଦୀଙ୍କର କପିମୁଖକୁ ଦେଖି ତାଙ୍କୁ ତାତ୍ସଲ୍ୟ କରିଥିଲେ । ଏଥିରେ ନନ୍ଦୀ କ୍ଷୁବ୍ଧ ହୋଇ ରାବଣକୁ ଅଭିଶାପ ଦେଇଥିଲେ ଯେ ଏକ ବାନରହିଁ ତାର ଅଧଃପତନର କାରଣ ହେବ । କାଳାନ୍ତରରେ ଶିବ ପୁରାଣର ବର୍ଣ୍ଣନା ଅନୁଯାୟୀ ଭଗବାନ ବିଷ୍ଣୁ ଯେତେବେଳେ ମୋହିନୀ ରୂପ ଧାରଣ କଲେ ସେତେବେଳେ ତାଙ୍କୁ ଦେଖି ଭଗବାନ ଶିବଙ୍କ ରେତ ସ୍ଖଳିତ ହେବାରୁ ଏହାକୁ ମହାଋଷି ମାନେ ଦେବୀ ଅଞ୍ଜନାଙ୍କ ଗର୍ଭରେ ସ୍ଥାପନ କଲେ । ଫଳସ୍ବରୂପ ରୁଦ୍ରାବତାର ଶ୍ରୀହନୁମାନ ଜନ୍ମ ଲାଭ କଲେ ।
ସମୟକ୍ରମେ ଶ୍ରୀହନୁମାନ ଶ୍ରୀରାମଙ୍କର ଏକାନ୍ତ ଅନୁଗତ ହୋଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀରାମ ଓ ରାବଣଙ୍କ ମଧ୍ୟରେ ଯୁଦ୍ଧ ଅନୁଷ୍ଠିତ ହେଉଥିବା ସମୟରେ ରାବଣ ଯେତେବେଳେ ହନୁମାନଙ୍କୁ ପ୍ରଥମେ ଦେଖିଲେ, ସେତେବେଳେ ସେ ଆଚମ୍ବିତ ହେଲେ ଓ କହିଲେ - "କିଏ ଏହି ଦୀପ୍ତିବାନ ପୁରୁଷ, ଯେ କି ସାକ୍ଷାତ ନନ୍ଦୀଶ୍ୱର ସଦୃଶ ଦେଖାଯାଉଛନ୍ତି ? ଏ କଣ ସେହି ନନ୍ଦୀ ଯେ କି ମୋତେ କୈଳାସ ପର୍ବତ ଉଠାଇବା ସମୟରେ ଅଭିଶାପ ଦେଇଥିଲେ ନା ଏ ହେଉଛନ୍ତି ବାଣାସୁର ଯେ କି ମର୍କଟ ରୂପରେ ପ୍ରକଟ ହୋଇଛନ୍ତି ?" ସମୟାନ୍ତରରେ ରାବଣ ଯେତେବେଳେ ଯୁଦ୍ଧରେ ପରାଜିତ ହେଲେ ସେତେବେଳେ ସେ କହିଥିଲେ ଯେ ନନ୍ଦୀଶ୍ୱର ତାଙ୍କୁ ଦେଇଥିବା ଅଭିଶାପ ଫଳବର୍ତ୍ତୀ ହୋଇଛି ।
ଏଥିରୁ ଆମେ ଏହି ଶିକ୍ଷା ଲାଭ କରୁଛେ ଯେ ଆମେ ଯେତେ ବଳଶାଳୀ ହେଲେ ହେଁ, ଯଦି ଏହାକୁ ନେଇ ଆମେ ଗର୍ବ ଓ ଅହଙ୍କାର କରିବା ତେବେ ଆମର ପତନ ସୁନିଶ୍ଚିତ । ବିଶେଷ କରି ଈଶ୍ୱରାନୁରକ୍ତ, ସଦାଚାରୀ, ସତ୍କର୍ମା ଓ ସତ୍ୟବାଦୀ ବ୍ୟକ୍ତିଙ୍କୁ କେବେହେଲେ ଦୁର୍ବ୍ୟବହାର କରିବା ଉଚିତ୍ ନୁହେଁ, କାରଣ ସେମାନଙ୍କ ଅଭିଶାପ ନିଶ୍ଚିତ ଭାବରେ ଫଳବତୀ ହୁଏ ।
ଜୟ ଶ୍ରୀରାମ ! ଜୟ ଶ୍ରୀହନୁମାନ !
.jpeg)
Comments
Post a Comment