ଡ଼ାକ୍ତରୀ ଚିଠାରେ ℞ ଚିହ୍ନର ପ୍ରାସଙ୍ଗିକତା


ନିକଟ ଅତୀତରେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଶିବରାଜ ସିଂହ ଚୌହାନ ଙ୍କର ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଯେଉଁଥିରେ ସେ ଚିକିତ୍ସକ ମାନଙ୍କୁ ଡ଼ାକ୍ତରୀ ଚିଠାରେ ℞ ଚିହ୍ନ ନ ଲେଖି ତା' ବଦଳରେ 'ଶ୍ରୀ ହରି' ଲେଖିବାକୁ ପରାମର୍ଶ ଦେଇଥିଲେ । ତାଙ୍କର ମନ୍ତବ୍ୟର ଉଦ୍ଦେଶ୍ୟ ଥିଲା ℞ ହେଉଛି ବିଦେଶୀ ଭାଷାର ପ୍ରତୀକ, ତେଣୁ ଏହା ବଦଳରେ ଆମେ ସ୍ୱଦେଶୀ ଭାଷାର ପ୍ରତୀକ ରୂପେ 'ଶ୍ରୀ ହରି' ଲେଖିବା ଅଧିକ ସମିଚୀନ ହେବ । ବିବାଦ ଆହୁରି ବ୍ୟାପକ ହେଲା ଯେତେବେଳେ କିଛି ଚିକିତ୍ସକ ମଧ୍ୟ ତାଙ୍କର ପରାମର୍ଶକୁ ଗ୍ରହଣ କରି ଡ଼ାକ୍ତରୀ ଚିଠାରେ 'ଶ୍ରୀ ହରି' ଲେଖିବାକୁ ଆରମ୍ଭ କଲେ । ଏ ପ୍ରସଙ୍ଗରେ ବିବାଦ ଘନୀଭୂତ ହେବାରୁ National Medical Commission କୁ ମାର୍ଗ ପ୍ରଦର୍ଶନ ନିମିତ୍ତ ଅନୁରୋଧ କରାଗଲା । ତେବେ ଯାହା ହେଉ ଏହି ଆଲେଖ୍ୟର ବିଷୟବସ୍ତୁ ହେଉଛି - ଡ଼ାକ୍ତରୀ ଚିଠାରେ ℞ ର ବ୍ୟବହାର କିପରି ଆରମ୍ଭ ହେଲା ଓ ଆଜିର ଦିନରେ ଏହାର କଣ ପ୍ରାସଙ୍ଗିକତା ରହିଛି ।

℞ ହେଉଛି ଲାଟିନ ଶବ୍ଦ 'Recipere' ର ସଂକ୍ଷିପ୍ତ ରୂପ ଯାହାର ଅର୍ଥ ହେଉଛି 'Take thou' ବା 'ଆପଣ (ରୋଗୀ) ନିଅନ୍ତୁ' । ଏହାର ବ୍ୟବହାର ମଧ୍ୟ ଯୁଗରେ ଆରମ୍ଭ ହୋଇଥିଲା ଯେଉଁଥିରେ କି ପ୍ରଥମେ ଏହା କେବଳ R ରୂପେ ଲେଖା ହେଉଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ x ଯୋଡ଼ାଗଲା ଡ଼ାକ୍ତରୀ ପଦ୍ଧତି ଅନୁଯାୟୀ ଯେପରିକି Dx (Diagnosis ବା ନିଦାନ ନିମନ୍ତେ), Bx (Biopsy ନିମନ୍ତେ), Cx (Cervix ନିମନ୍ତେ), Hx (History ବା ରୋଗର ଇତିହାସ ନିମନ୍ତେ), Ex (Examination ବା ପରୀକ୍ଷଣ ନିମନ୍ତେ) ଇତ୍ୟାଦି ।

ତେବେ ℞ ର ଉଦ୍ଭବ ପ୍ରାଚୀନ ଇଜିପ୍ଟୀୟ ସଭ୍ୟତାର ଏକ କିମ୍ବଦନ୍ତୀରୁ ହୋଇଅଛି ବୋଲି ବିଶ୍ବାସ କରାଯାଏ । ଏହି କିମ୍ବଦନ୍ତୀ ଅନୁଯାୟୀ ଇଜିପ୍ଟୀୟ ଖଳ ଦେବତା ସେଠ୍ ଙ୍କ ଆକ୍ରମଣରେ ଦେବତା ହୋରସ୍ ତାଙ୍କର ବାମ ଚକ୍ଷୁ ହରାଇଥିଲେ । ମାତ୍ର ହୋରସ୍ ଙ୍କର ମାତା ଇସିସ୍ ଙ୍କ ପ୍ରାର୍ଥନାରେ ଅନ୍ୟ ଏକ ଦେବତା ଥୋଥ୍ ତାଙ୍କର ଅଲୌକିକ ଶକ୍ତି ଦ୍ଵାରା ହୋରସ୍ ଙ୍କର ଚକ୍ଷୁକୁ ଆରୋଗ୍ୟତା ପ୍ରଦାନ ପୂର୍ବକ ପୁନଃସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ । ତେଣୁ ଡାକ୍ତରୀ ଚିଠାରେ ℞ (Eye of Horus ବା ହୋରସ୍ ଙ୍କର ଚକ୍ଷୁ) ଏକ ତାବିଜ ରୂପେ ଲେଖାଗଲା ଯାହାର ଉଦ୍ଦେଶ୍ୟ ହେଉଛି ଭଗବାନ ଏହି ରୋଗୀକୁ ଭଲ କରିଦିଅନ୍ତୁ ଠିକ୍ ଯେପରି ସେ ହୋରସ୍ ଙ୍କର ଚକ୍ଷୁକୁ ଭଲ କରି ଦେଇଥିଲେ । ଏହି ℞ ପ୍ରତୀକକୁ ପ୍ରାଚୀନ ଅପୋଥେକାରି ମାନେ (ଚିକିତ୍ସକ ସମ ଗୋଷ୍ଠୀ) ସେମାନଙ୍କ ଚିଠାରେ ଔଷଧ ନିର୍ମାଣର ନିର୍ଦ୍ଦେଶନାମା ରୂପେ ବ୍ୟବହାର କରି ଏହି ନିର୍ଦ୍ଦେଶ ମୁତାବକ ଔଷଧ (Compounds) ନିର୍ମାଣ କରୁଥିଲେ । ତେଣୁ ସେମାନଙ୍କୁ Compounder ବୋଲି ମଧ୍ୟ କୁହାଯାଉଥିଲା (ଏବର ଫାର୍ମାସିଷ୍ଟ) । [ସେତେବେଳେ ଚିକିତ୍ସକଙ୍କୁ ଥେରାପିଷ୍ଟ କୁହାଯାଉଥିଲା ।]

ଅନ୍ୟ ଏକ ମତ ଅନୁଯାୟୀ ℞ ପ୍ରତୀକ ଟି ରୋମ୍ ର ପୌରାଣିକ ଦେବତା ଜୁପିଟର ଙ୍କ ପ୍ରତୀକ । ସେତେବେଳ ସମୟରେ ରୋମ୍ ର ଚିକିତ୍ସକ ମାନେ ସେମାନଙ୍କ ରୋଗୀ ମାନଙ୍କର ଆରୋଗ୍ୟ ପ୍ରାପ୍ତି ନିମନ୍ତେ ପ୍ରଥମେ ଜୁପିଟର ଙ୍କୁ ପ୍ରାର୍ଥନା କରୁଥିଲେ ଓ ପରେ ଚିକିତ୍ସା କରୁଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାର୍ଥନା କ୍ରିୟାଟି କେବଳ ଡାକ୍ତରୀ ଚିଠାରେ ℞ ଲେଖା ମଧ୍ୟରେ ପ୍ରତୀକାତ୍ମକ ରୂପେ ସୀମିତ ହୋଇଗଲା । ରୋମ୍ ର ଚିକିତ୍ସକ ମାନଙ୍କର ଡାକ୍ତରୀ ଚିଠାରେ ଏହି ℞ ଲେଖା ପରବର୍ତ୍ତୀ କାଳରେ ୟୁରୋପର ଅନ୍ୟ ଦେଶକୁ ବ୍ୟାପିଲା ଓ ପରିଶେଷରେ ଏହା ସମଗ୍ର ବିଶ୍ବରେ ଡାକ୍ତରୀ ଚିଠାର ଏକ ମାନକ ରୂପେ ଚିକିତ୍ସକ ମାନଙ୍କ ଦ୍ଵାରା ବ୍ୟବହୃତ ହେଲା ।

ତେବେ ଆଜିର ବିଜ୍ଞାନ ଭିତ୍ତିକ ଯୁଗରେ ଡାକ୍ତରୀ ଚିଠାରେ ଏହି ℞ ର ଆବଶ୍ୟକତା ରହିଛି କି ? ଏବଂ ଯଦି ରହିଛି ଏହାର ଭାରତୀୟ ପ୍ରତିରୂପ କଣ ହେଇପାରେ ?

ପ୍ରଥମେ ମୁଁ ଦ୍ୱିତୀୟ ବିନ୍ଦୁ ଉପରେ ଆଲୋଚନା କରିବି । ଆମ ଭାରତୀୟ ସଂସ୍କୃତିରେ ମଧ୍ୟ ℞ ର ବିକଳ୍ପ ରହିଛି । ଶ୍ରୀ ବିଷ୍ଣୁ ଶୋଡ଼ଶ ନାମ ସ୍ତୋତ୍ରରେ ଔଷଧ ସମ୍ବନ୍ଧେ ବିଷ୍ଣୁ ଙ୍କୁ ସ୍ମରଣ କରିବାକୁ କୁହାଯାଇଛି । ଯେପରିକି -

ଔଷଧେ ଚିନ୍ତୟେଦ୍ବିଷ୍ଣୁଂ ଭୋଜନେ ଚ ଜନାର୍ଦ୍ଦନମ୍ । ଶୟନେ ପଦ୍ମନାଭଂ ଚ ବିବାହେ ଚ ପ୍ରଜାପତିମ୍ ।। ୧ ।।

ଅର୍ଥାତ୍ ଔଷଧ ସମ୍ବନ୍ଧେ ବିଷ୍ଣୁ ଙ୍କୁ ସ୍ମରଣ କରିବା ଉଚିତ୍ (ଭୋଜନ ସମୟରେ ଜନାର୍ଦ୍ଦନ, ଶୟନ କାଳରେ ପଦ୍ମନାଭ ତଥା ବିବାହ ସମୟରେ ପ୍ରଜାପତି ଙ୍କୁ ସ୍ମରଣ କରିବା ଉଚିତ ।) 

ତେଣୁ ଆଜିର ସମୟରେ ଡାକ୍ତରୀ ଚିଠାରେ ଏହି ℞ ର ଭାରତୀୟ ପ୍ରତିରୂପ ଭାବେ ବିଷ୍ଣୁ ଙ୍କ ନାମକୁ ଲେଖିହେବ କି ? 

ଆମ ଆୟୁର୍ବେଦ ଜଗତର ଜନୈକ ବିଖ୍ୟାତ ଚିକିତ୍ସକ - ସ୍ବର୍ଗତ ବୈଦ୍ୟ ‌‌ଶିବ ପ୍ରସାଦ ରଥ ଯେକି ଉଭୟ ଆୟୁର୍ବେଦ ଓ ଆଧୁନିକ ଚିକିତ୍ସକ ଉପାଧି ପ୍ରାପ୍ତ ଥିଲେ ତାଙ୍କର ଡାକ୍ତରୀ ଚିଠାରେ ପ୍ରଥମେ ବିଷ୍ଣୁଙ୍କ ଉଦ୍ଦେଶ୍ୟରେ ଏକ ଉର୍ଦ୍ଧ୍ବ ପୁଣ୍ଡ୍ର ଅଙ୍କନ କରି ଔଷଧ ଲେଖୁଥିଲେ । ସେ ମଧ୍ୟ ଭାରତ ବର୍ଷରେ ଏକ ଦକ୍ଷ ଚିକିତ୍ସକ ରୂପେ ଖ୍ୟାତି ଅର୍ଜନ କରିଥିଲେ । ତେବେ ଆଜିର ସମୟରେ ସମସ୍ତ ମତ ଓ ଧର୍ମାବଲମ୍ବି ଚିକିତ୍ସକ ଗୋଷ୍ଠୀ ତାଙ୍କର ପଦାଙ୍କ ଅନୁସରଣ କରିବେ କି ନା ତାହା ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର । ଏଥିରେ କାହାରି ହସ୍ତକ୍ଷେପ ରହିବା ଅନୁଚିତ । ତେବେ ଆମେ ଯଦି ବିନା ସଙ୍କୋଚରେ ଅନ୍ୟ ମତ/ଧର୍ମକୁ ଅନୁସରଣ କରି ℞ ଲେଖିପାରୁଛେ, ତେବେ ବିଷ୍ଣୁ ଲେଖିବାରେ ସଙ୍କୋଚ କିଆଁ ?


© ଡ଼ାକ୍ତର କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)