ଧନ୍ଵନ୍ତରି ଭାଗ - ସେକାଳର ଚିକିତ୍ସକଙ୍କ ରୋଗୀ ପରାମର୍ଶ ପାଉଣା


ଚିକିତ୍ସା ବୃତ୍ତିକୁ ଆମେ ସମସ୍ତ ବୃତ୍ତି ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି କହୁ କାରଣ ଏହା ଏକ ମହତ ବୃତ୍ତି ଯାହା ମାଧ୍ଯମରେ ଚିକିତ୍ସକଟିଏ ରୋଗୀର ଜୀବନରକ୍ଷା କରିଥାଏ ଅଥବା ତାହାର ପିଡ଼ାକୁ ଲାଘବ କରିଥାଏ । ତେବେ ଏଥିନିମନ୍ତେ ଚିକିତ୍ସକ ରୋଗୀ ଠାରୁ ନିଜର ପରାମର୍ଶ ପ୍ରଦାନ ନିମିତ୍ତ ପାଉଣା ନେଇଥାଏ ଜୀବନଧାରଣ ପାଇଁ । ଅଧିକନ୍ତୁ ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ଏହି ଧାରଣା ବଳବତ୍ତର ହେଉଛି ଯେ ଚିକିତ୍ସକ ଗୋଷ୍ଠୀ ନିଜର ଜୀବିକା ଅଥବା ସେବା ପାଇଁ ନୁହେଁ, କେବଳ ଅର୍ଥ ଉପାର୍ଜନ ନିମନ୍ତେ ଏହି ବୃତ୍ତିକୁ ଆପଣେଇଛନ୍ତି । ରୋଗୀଙ୍କ ଠାରୁ ଆଗୁଆ ପରାମର୍ଶ ପାଉଣା ରଖିବା, ରୋଗୀ ଗୁରୁତର ବା ଅସମର୍ଥ ଥିଲେ ମଧ୍ୟ ରୋଗୀ ପରାମର୍ଶ ନିମନ୍ତେ ତା'ର ଗୃହକୁ ନ ଯିବା, ବିନା ପାଉଣାରେ ଅଭାବଗ୍ରସ୍ତ ରୋଗୀକୁ ନ ଦେଖିବା, ସୀମିତ ସମୟସୀମା ମଧ୍ୟରେ ଯେତେ ସମ୍ଭବ ସେତେ ଅଧିକ ରୋଗୀ ଦେଖିବା ଆଦି ଘଟଣା ମଧ୍ୟ ଏହି ଧାରଣାକୁ କେତେକାଂଶରେ ଠିକ ବୋଲି ପ୍ରମାଣିତ କରେ । ଏ ପରିପ୍ରେକ୍ଷୀରେ ମନରେ ସ୍ଵତଃ ଏକ ପ୍ରଶ୍ନ ଉଙ୍କି ମାରେ - ଅତୀତରେ ଚିକିତ୍ସକଙ୍କର ପାଉଣା ବିଷୟରେ କିଛି ମାର୍ଗଦର୍ଶିକା ଥିଲା କି ? ସେ ସମୟରେ ଅଭାବଗ୍ରସ୍ତ ରୋଗୀ କିପରି ଚିକିତ୍ସୀୟ ପରାମର୍ଶ ପାଉଥିଲେ ?

ଉପରୋକ୍ତ ପ୍ରଶ୍ନ ସବୁର ଉତ୍ତର ଆମେ ଆୟୁର୍ବେଦ ଗ୍ରନ୍ଥ ରସରତ୍ନସମୁଚ୍ଚୟ ରେ ପାଇ ପାରିବା । ଏହି ଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଚିକିତ୍ସକଟିଏ ରୋଗୀପରୀକ୍ଷା ପରେ ରୋଗ ନିଦାନ ଅନୁଯାୟୀ ଔଷଧ ପ୍ରସ୍ତୁତି ନିମନ୍ତେ ରୋଗୀ ଠାରୁ ନିଜର ପାଉଣା ଗ୍ରହଣ କରିବା ଆବଶ୍ୟକ । ଏହି ପାଉଣା ନିମ୍ନ ପ୍ରକାର ହେବା ଉଚିତ୍ ।

ଅର୍ଦ୍ଧଂ ସିଦ୍ଧରସସ୍ୟ ତୈଳଘୃତୟୋଃ ଲେହସ୍ୟ ଭାଗୋଽଷ୍ଟମଃ 

ସଂସିଦ୍ଧ ଅଖିଳ ଲୋହଚୂର୍ଣ୍ଣବଟକାଦିନାଂ ତଥା ସପ୍ତମଃ ।

ଯୋ ଦିୟତେ ଭିଷଗ୍ବରାୟ ଗଦିଭିର୍ନିର୍ଦିଶ୍ୟ ଧନ୍ଵନ୍ତରିଂ 

ସର୍ବାଽଽରୋଗ୍ୟ ସୁଖାପ୍ତୟେ ନିଗଦିତୋ ଭାଗଃ ସ ଧନ୍ଵନ୍ତରେ ।।

[ରସରତ୍ନସମୁଚ୍ଚୟ ୮/୨]

ଅର୍ଥାତ୍ - ବୈଦ୍ୟ/ଚିକିତ୍ସକ ରୋଗୀ ଠାରୁ ଔଷଧ ପ୍ରସ୍ତୁତି ନିମନ୍ତେ ଅର୍ଥ ଗ୍ରହଣ କରି ପ୍ରସ୍ତୁତ ଔଷଧରୁ, ରସ ଔଷଧି କ୍ଷେତ୍ରରେ ଅର୍ଦ୍ଧେକ ଅଂଶ, ତୈଳ/ଘୃତ/ଲେହ କ୍ଷେତ୍ରରେ ଏକ ଅଷ୍ଟମାଂଶ ତଥା ଲୋହ/ଚୂର୍ଣ୍ଣ/ବଟକ କ୍ଷେତ୍ରରେ ଏକ ସପ୍ତମାଂଶ ନିଜ ପାଉଣା ରୂପେ ରଖିବା ବିଧେୟ ଯାହାକୁ ଧନ୍ଵନ୍ତରି ଭାଗ କୁହାଯାଏ । ଏହି ପାଉଣାକୁ ଧନ୍ଵନ୍ତରି ଭାଗ ସମ୍ଭବତଃ ଏଥିପାଇଁ କୁହାଯାଇଛି ଯେ ପ୍ରତ୍ୟେକ ବୈଦ୍ୟ/ଚିକିତ୍ସକ ସ୍ଵୟଂ ହେଉଛନ୍ତି ଅମୃତ କଳସ ଧରି ସମୁଦ୍ର ମନ୍ଥନରୁ ଉଦ୍ଭବ ହୋଇଥିବା ଭଗବାନ ଧନ୍ଵନ୍ତରିଙ୍କ ଅବତାର । ଏବଂ ସେ ପ୍ରସ୍ତୁତ କରିଥିବା ଔଷଧ ଅମୃତ ସଦୃଶ ରୋଗୀଙ୍କ ପ୍ରାଣ ରକ୍ଷା କରିବାରେ ସକ୍ଷମ ।

ଉକ୍ତ ଧନ୍ଵନ୍ତରି ଭାଗକୁ ବୈଦ୍ୟ/ଚିକିତ୍ସକ ଅନ୍ୟ ରୋଗୀଙ୍କୁ ବିକ୍ରୟ କରି ନିଜର ଜୀବିକା ନିର୍ବାହ କରି ପାରିବେ ଅଥବା ଅଭାବଗ୍ରସ୍ତ ରୋଗୀଙ୍କୁ ଏହା ଦାନ କରି ନିଜର ମହନୀୟ ବୃତ୍ତିର ମାନ ରଖି ପାରିବେ । ସେଥିପାଇଁ କୁହାଯାଇଛି ଯେ -

କ୍ଵଚିତ୍ ଧର୍ମଃ କ୍ଵଚିତ୍ ମୈତ୍ରୀ କ୍ଵଚିତ୍ ଅର୍ଥଃ କ୍ଵଚିତ୍ ଯଶଃ ।

କର୍ମାଭ୍ୟାସଃ କ୍ଵଚିଚ୍ଚେତି ଚିକିତ୍ସା ନାସ୍ତି ନିଷ୍ଫଳା ।।

ଅର୍ଥାତ୍ - ଚିକିତ୍ସକ ବୃତ୍ତି ଦ୍ୱାରା କେତେବେଳେ ଧର୍ମ ଉପାର୍ଜନ ହୁଏ ତ କେତେବେଳେ ମିତ୍ରତା ପ୍ରାପ୍ତି ହୋଇଥାଏ । ଆଉ କେତେବେଳେ ଏହାଦ୍ବାରା ଧନ ଲାଭ ହୁଏ ତ କେତେବେଳେ ଯଶ ପ୍ରାପ୍ତି ହୋଇଥାଏ । ଆଉ ଏ ସମସ୍ତ ସହିତ ସବୁ ସମୟରେ ଚିକିତ୍ସା କର୍ମର ଅଭ୍ୟାସ ମଧ୍ୟ ସ୍ୱତଃ ହୋଇଥାଏ । ଚିକିତ୍ସା (ଚିକିତ୍ସକ ବୃତ୍ତି) କେବେ ନିଷ୍ଫଳା ହୁଏନାହିଁ । 

ଆଜିର ଯୁଗରେ ଚିକିତ୍ସା ବୃତ୍ତି ଓ ଔଷଧ ବୃତ୍ତି ଦୁଇଟି ଭିନ୍ନ ବୃତ୍ତି । ତେଣୁ ବର୍ତ୍ତମାନ ସମୟରେ ଧନ୍ଵନ୍ତରି ଭାଗର ପ୍ରାସଙ୍ଗିକତା ଆଉ ହୁଏତ ନାହିଁ । ତେବେ ଉଭୟ ବୃତ୍ତି ସହଭାଗିତା ଭିତ୍ତିରେ ରୋଗୀଙ୍କୁ ସେବା ପ୍ରଦାନ କରିବା କ୍ଷେତ୍ରରେ ଧନ ସହିତ ଧର୍ମ, ମୈତ୍ରୀ, ଯଶ ଓ ସତ୍କର୍ମ ଅର୍ଜନରେ ବ୍ରତୀ ହେବେ, ନା ବର୍ତ୍ତମାନ ସମାଜରେ ଦୃଶ୍ୟମାନ ହେଉଥିବା ଅସାଧୁ ମେଣ୍ଟର ପରିଣତି ସ୍ବରୂପ ଅର୍ଥ ଉପାର୍ଜନର କେବଳ ଏକ ସାଧନ ହୋଇ ଏହି ମହାନ ବୃତ୍ତିର ମୂଳ ଉଦ୍ଦେଶ୍ୟକୁ ନିଷ୍ଫଳ କରିବେ ତାହା ସମୟ କହିବ । 

© ଡାଃ କୁମାର ଅରୋଜ୍ୟୋତି

Comments

Popular posts from this blog

ଦଶାବତାର ସ୍ତୋତ୍ର - ଶ୍ରୀ ଜୟଦେବ କୃତ

ସଂକ୍ଷେପରେ ହିନ୍ଦୁ ଧର୍ମ

ସଂକ୍ଷେପରେ ହିନ୍ଦୁ ଧର୍ମ (ହିନ୍ଦୁ ଧର୍ମଗ୍ରନ୍ଥ ଗୁଡିକ କଣ ?)