ଦ୍ଵିତୀୟ କୋଣାର୍କ - ସମ୍ଭବ କି ?
ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ କାହାକୁ ବା ଆକର୍ଷିତ କରି ନଥାଏ ? ଏହାର ଅନୁପମ ଭାସ୍କର୍ଯ୍ୟ ବିଧର୍ମୀଙ୍କ ଆକ୍ରମଣ ତଥା କାଳର କରାଳ ପ୍ରବାହରେ ଅବକ୍ଷୟ ହୋଇଥିଲେ ସୁଦ୍ଧା ଏଯାବତ୍ ଏହା ଦେଖଣାହାରୀଙ୍କୁ ବିସ୍ମିତ କରିଥାଏ । ଅନେକ ସମୟରେ ମନରେ ସ୍ଵତଃ ଏକ ପ୍ରଶ୍ନ ଉଠେ - ଭଗ୍ନ କୋଣାର୍କ ମନ୍ଦିରକୁ ବିଶିଷ୍ଟ ମୂର୍ତ୍ତିକାରଙ୍କ ସହାୟତାରେ ପୁନଃ ଗଢ଼ି ହୁଅନ୍ତା ନାହିଁ, କିମ୍ବା ଆଉ ଏକ କୋଣାର୍କ ମନ୍ଦିରଟିଏ ନିର୍ମାଣ କରାଯାଇ ପାରନ୍ତା ନାହିଁ ? ଏହାର ଉତ୍ତରରେ ମୋର ଏହି ଆଲେଖ୍ୟ ।
ମୋର ମଧ୍ୟ ଏହି ଧାରଣା ଥିଲା ଯେ ଦ୍ଵିତୀୟ କୋଣାର୍କ ମନ୍ଦିର ଗଢ଼ିବା ସମ୍ଭବ । ମାତ୍ର ଏହି ଧାରଣା ଅମୂଳକ ବୋଲି ପ୍ରମାଣିତ ହେଲା ସେତେବେଳେ, ଯେତେବେଳେ କି ମୁଁ କୋଣାର୍କ ମନ୍ଦିର ସମ୍ମୁଖରେ ଥିବା Interpretation Centre (Indian Oil Foundation ଦ୍ଵାରା ସ୍ଥାପିତ) ପରିଦର୍ଶନରେ ଗଲି । ସେଠାରେ ଭାରତର ବିଶିଷ୍ଟ ସ୍ଥପତିଙ୍କ ଦ୍ୱାରା ନିର୍ମିତ କୋଣାର୍କର ମୂଳ ସ୍ଥାପତ୍ୟର କିଛି ପ୍ରତିରୂପ ଦେଖିଲି ଓ ଅନୁଭବ କଲି ଯେ ସେକାଳର ମୂର୍ତ୍ତି ଏବେ ପୁନଃ ନିର୍ମାଣ କରିବା ପ୍ରାୟତଃ ଅସମ୍ଭବ । ବର୍ତ୍ତମାନ ଆପଣମାନେ ସଂଲଗ୍ନ ଚିତ୍ରଟିକୁ ଦେଖନ୍ତୁ ।
ସଂଲଗ୍ନ ଚିତ୍ରଟିର ବାମ ପାର୍ଶ୍ଵରେ ରହିଛି ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟରେ ଥିବା କୋଣାର୍କ ମନ୍ଦିରର ମୂଳ ମୂର୍ତ୍ତି - ବରୁଣାଣୀ, ଯିଏକି ବରୁଣ (ଅଷ୍ଟ ଦିଗପାଳଙ୍କ ମଧ୍ୟରୁ ଅନ୍ୟତମ)ଙ୍କ ଶକ୍ତି । ଠିକ ତାହାର ଦକ୍ଷିଣ ପାର୍ଶ୍ୱରେ ରହିଛି ଏହାର ଅବିକଳ ପ୍ରତିରୂପ ଯାହାକି କୋଣାର୍କ ମନ୍ଦିର ସମ୍ମୁଖସ୍ଥ Interpretation Centre ରେ ସ୍ଥାନିତ । ଆପଣମାନେ ମୂର୍ତ୍ତି ଦୁଇଟିକୁ ତୁଳନା କରନ୍ତୁ । ବାମ ପାର୍ଶ୍ଵସ୍ଥ ମୂଳ ମୂର୍ତ୍ତିର ଗଠନ ଅତି ଉଚ୍ଚ କୋଟିର ହୋଇଥିବା ସ୍ଥଳେ ଦକ୍ଷିଣ ପାର୍ଶ୍ଵସ୍ଥ ନୂତନ ପ୍ରତିରୂପ ଏହା ସହିତ କୌଣସି ଗୁଣରେ ତୁଳନୀୟ ନୁହେଁ (ମୂର୍ତ୍ତି ଦୁଇଟିର ଶାରୀରିକ ଗଠନ ଯେପରିକି ମୁଖ, କଟି, ଊରୁ ପ୍ରଦେଶ ତଥା ଅଳଙ୍କାର ଓ ବେଶଭୂଷା ଆଦି ଭିନ୍ନ ଏବଂ ବାହନ ମକର ଦୁଇଟିର ଶାରୀରିକ ଗଠନ ଓ ଅଳଙ୍କରଣ ମଧ୍ୟ ଭିନ୍ନ) ।
ବର୍ତ୍ତମାନ ଆମେ କହିପାରିବା ଯେ ହୁଏତ ଏ ମୂର୍ତ୍ତିଟି ଏକ ଅଣକୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ, ତେଣୁ ଅସାମଞ୍ଜସ୍ୟ ରହିବା ସ୍ଵାଭାବିକ । ଏକ କୁଶଳୀ କାରିଗରଙ୍କ କ୍ଷେତ୍ରରେ ଏପରି ଭିନ୍ନତା ଦେଖିବାକୁ ମିଳି ନପାରେ । ମାତ୍ର ତାହା ମଧ୍ୟ ଠିକ ନୁହେଁ । କାରଣସ୍ୱରୂପ ସଂଲଗ୍ନ ଚିତ୍ରଟିର ଦକ୍ଷିଣରେ ଥିବା ତୁଳନାତ୍ମକ ଚିତ୍ର ଦୁଇଟି ଦେଖନ୍ତୁ ଯାହାର ସମ୍ପୂର୍ଣ୍ଣ ଦକ୍ଷିଣ ପାର୍ଶ୍ୱସ୍ଥ ମୂର୍ତ୍ତି ଦୁଇଟି ଅତିଶୟ କୁଶଳୀ କାରିଗର ବା Master Craftsman ଙ୍କ ଦ୍ଵାରା ନିର୍ମିତ ଓ ସେହି Interpretation Centre ରେ ସ୍ଥାନିତ । ମାତ୍ର ତାହା ମଧ୍ୟ ମୂଳ ମୂର୍ତ୍ତି ସହ ତୁଳନୀୟ ନୁହେଁ । ଯଥା -
ଦକ୍ଷିଣ ପାର୍ଶ୍ଵସ୍ଥ ନିମ୍ନ ତୁଳନାତ୍ମକ ଚିତ୍ରଟି ପ୍ରଭାତ ବା ବାଲ୍ୟ ସୂର୍ଯ୍ୟଙ୍କ ମୁଖ (କୋଣାର୍କର ଦକ୍ଷିଣ ପାର୍ଶ୍ଵଦେବ) ତଥା ଉପର ତୁଳନାତ୍ମକ ଚିତ୍ରଟି ମଧ୍ୟାହ୍ନ ସୂର୍ଯ୍ୟଙ୍କ ମୁଖ (କୋଣାର୍କର ପଶ୍ଚିମ ପାର୍ଶ୍ଵଦେବ)। ତେବେ ବାମ ପାର୍ଶ୍ଵସ୍ଥ ମୁଖ ଦୁଇଟିରେ ଯଥାକ୍ରମେ ବାଲ୍ୟ ସୁଲଭତା (ବାଲ୍ୟ ସୂର୍ଯ୍ୟଙ୍କ କ୍ଷେତ୍ରରେ) ଓ ଗମ୍ଭୀର/ରୌଦ୍ର ରୂପ (ମଧ୍ୟାହ୍ନ ସୂର୍ଯ୍ୟଙ୍କ କ୍ଷେତ୍ରରେ) ପରିଲକ୍ଷିତ ହେଉଥିବା ସ୍ଥଳେ ଦକ୍ଷିଣ ପାର୍ଶ୍ଵସ୍ଥ ମୁଖ ଦୁଇଟିରେ ସେଭଳି କୌଣସି ବିଶେଷତ୍ଵ ପରିଲକ୍ଷିତ ହେଉନାହିଁ । ବରଂ ଏଗୁଡ଼ିକ ବୁଦ୍ଧଙ୍କର ମୁଖ ପରି ଶାନ୍ତ ଓ ନିର୍ବିକାର ଲାଗୁଛନ୍ତି ଯାହାକି ମୂଳ ମୂର୍ତ୍ତିରେ ପ୍ରଦର୍ଶିତ ଭାବର ବିପରୀତଧର୍ମୀ ।
ଅତଏବ ଏସବୁ ତୁଳନାତ୍ମକ ଚିତ୍ର ଦେଖି ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ -
ଭଗ୍ନ କୋଣାର୍କ ମନ୍ଦିରକୁ ବିଶିଷ୍ଟ ମୂର୍ତ୍ତିକାରଙ୍କ ସହାୟତାରେ ପୁନଃ ଗଢ଼ି ହେବନାହିଁ, କିମ୍ବା ଆଉ ଏକ କୋଣାର୍କ ମନ୍ଦିରଟିଏ ମଧ୍ୟ ନିର୍ମାଣ କରାଯାଇ ପାରିବ ନାହିଁ । କାରଣ -
୧) ଏଥିପାଇଁ ଆବଶ୍ୟକ ସଂଖ୍ୟକ କୁଶଳୀ କାରିଗର ବା Master Craftsman ନାହାନ୍ତି ।
୨) କୁଶଳୀ କାରିଗର ବା Master Craftsman ମଧ୍ୟ ଆଜିର ସମୟରେ କୋଣାର୍କ ମନ୍ଦିରର ମୂର୍ତ୍ତି ସବୁର ଅବିକଳ ପ୍ରତିରୂପ ନିର୍ମାଣ କରିବାକୁ ସମ୍ପୂର୍ଣ୍ଣ ରୂପେ ସକ୍ଷମ ନୁହନ୍ତି, ଅନ୍ତତଃପକ୍ଷେ ମୂର୍ତ୍ତି ଗୁଡ଼ିକର ମୁଖର ଭାବ ଓ ଭଙ୍ଗୀକୁ ପରିପ୍ରକାଶ କରିବା ଦିଗରେ ।
୩) ଆଜିର ସମୟରେ କୋଣାର୍କ ମନ୍ଦିରର ମୁଖ୍ୟ ବିମାନ (ଯାହାକି ଭଗ୍ନ) ପୁନଃ ନିର୍ମାଣ କରିବା ଅସମ୍ଭବ । କାରଣ ଏ ସମ୍ବନ୍ଧୀୟ ବୈଷ୍ୟୟିକ ଜ୍ଞାନକୌଶଳ ବର୍ତ୍ତମାନ ଲୁପ୍ତ ପ୍ରାୟ ।
ତେଣୁ ବର୍ତ୍ତମାନ କୋଣାର୍କ ମନ୍ଦିରର ଯାହାକିଛି କାରୁକାର୍ଯ୍ୟ ବଞ୍ଚି ରହିଛି, ତାହାକୁ ବଞ୍ଚାଇ ରଖିବା ଆମର ପ୍ରାଥମିକ କର୍ତ୍ତବ୍ୟ ହେବା ଉଚିତ । କାରଣ ସେସବୁ ମଧ୍ୟ ଏବେ ଅବକ୍ଷୟମୁଖୀ । ହଁ, କୋଣାର୍କ ମନ୍ଦିରର ମୂଳ ସୋନ୍ଦର୍ଯ୍ୟକୁ ପରିଦର୍ଶନ କରିବା ନିମିତ୍ତ ଏତିକି କରାଯାଇ ପାରେ ଯେ - ଏକ 3D Graphics ସମ୍ବଳିତ ଚଳଚ୍ଚିତ୍ର କୁଶଳୀ ଶିଳ୍ପୀଙ୍କ ଦ୍ୱାରା ନିର୍ମାଣ କରି ମୂଳ କୋଣାର୍କ ମନ୍ଦିର କିପରି ଥିଲା ତାହା ଦେଖା ଯାଇପାରେ । ମାତ୍ର ଏ କ୍ଷେତ୍ରରେ ମଧ୍ୟ ବିଶ୍ୱର ଶ୍ରେଷ୍ଠ Graphics ଶିଳ୍ପୀଙ୍କର ସାହାଯ୍ୟ ନେବାକୁ ହେବ ଯାହା ଅତ୍ୟଧିକ ବ୍ୟୟସାପେକ୍ଷ । ପୁନଶ୍ଚ କୋଣାର୍କ ମନ୍ଦିରର ସମସ୍ତ ମୂର୍ତ୍ତି ଓ ଭାସ୍କର୍ଯ୍ୟ ବର୍ତ୍ତମାନ ଅନୁପଲବ୍ଧ ଯାହାର ଆଧାରରେ ଏପରି ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଇ ପାରନ୍ତା । ଅତଏବ ଆପଣମାନେ ବିଚାର କରନ୍ତୁ, ଯଦି ମୂଳ କୋଣାର୍କ ମନ୍ଦିରର ଏକ ଅବିକଳ Video ଟିଏ ନିର୍ମାଣ କରିବା ଏତେ କଷ୍ଟକର, ତେବେ କୋଣାର୍କ ମନ୍ଦିର ପ୍ରଥମେ ନିର୍ମାଣ କରିବା କେତେ କଷ୍ଟସାଧ୍ୟ ହୋଇନଥିବ ?
ଜୟ କଳିଙ୍ଗ ଶିଳ୍ପୀକୁଳ ! ଜୟ କୋଣାର୍କ !
© ଡାଃ କୁମାର ଅରୋଜ୍ୟୋତି

Comments
Post a Comment